ବିଷାଦ ବେଳା - ୩

ବିଷାଦ ଏକ ବେଳା ନା ବିଷାଦ ଏକ ଋତୁ । ବିଷାଦକୁ ନେଇ ଏ କବିତାର ଗତିପଥ ଏକ ବିସ୍ମୟ ଆଡକୁ । କବିତାର ଏମିତି ଏକ ବିସ୍ମୟ ଉପତ୍ୟକା ଯେଉଁଠି ସବୁ ବିଷାଦ ଅନୁରାଗରେ ରୂପାନ୍ତରିତ ହୋଇଯାଇପାରନ୍ତି ।


ତୁମେ ଜାଣନା ଯେ ମୁଁ

ତୁମରି ଶବ୍ଦରେ ଭିଜୁଥାଏ ଅହରହ ।

ତୁମେ ଭାବ

ମୁଁ ହସୁଛି ମୋ ଜୀବନର ସୁଖ

ହେଲେ

ମୁଁ ତୁମ ସ୍ପର୍ଶକୁ ହିଁ ଜୀଉଁଥାଏ ଗୋପନରେ ।

ତୁମ ଯନ୍ତ୍ରଣାକୁ ହିଁ ଓଠରେ ଆଙ୍କିଥାଏ

ତୁମେ ଯାହାକୁ ହସ ବୋଲି ଭାବ ।

ତୁମେ ସମ୍ପର୍କ ବୁଝ ?

ପରିଚୟ ?

ମୁଁ ବୁଝେନି ଜମ୍ମାରୁ ।

ମୋ ଲୁହରେ ତୁମ ପ୍ରତିବିମ୍ବ ହିଁ

ସମ୍ପର୍କର ଆରମ୍ଭ ଓ ଶେଷ ।

ତୁମେ ଯୋଉ ଭିଡ଼ରେ ଲୁଚିଯାଅ,

ମୋ ଠାରୁ ଦୂରେଇ,

ମୁଁ ସେଇ ଭିଡ଼କୁ ବୋଳି ହୁଏ

ତୁମ ଦେହର ବାସ୍ନା ଭଳି ।

ତୁମେ ମୋ ଠୁ ଆଖି ଫେରାଇ ସମୁଦ୍ରକୁ ଦେଖ,

ମୁଁ ତୁମର ଦୃଷ୍ଟି ବନିଯାଏ,

ନିଜ ଦେହକୁ ଅନାଏ ।

ତୁମେ ଡରି ଯାଅ

ଆଉ ମରିଯାଅ ।

ମୁଁ ତୁମ ମୃତ୍ୟୁରୁ ପୁନର୍ଜନ୍ମ ନିଏ,

ଏବଂ

ତୁମ ଅବହେଳାକୁ

ହେଳାରେ ପାର ହେଇଯାଏ ।

Report an Error