ବିଷ ଫୁଲ

ଫି' ଦିନ ଖବରକାଗଜରେ ସେହି ମାରାତ୍ମକ ଫୁଲର ଫଟୋ ବାହାରିଲା । ସୋସିଆଲ ମିଡ଼ିଆରେ ସେହି ଫୁଲ ଭାଇରାଲ ହେଲା । କ୍ରମେ ସେହି ସହର ସାରା ପୃଥିବୀରେ ବିଖ୍ୟାତ ହେଲା ଭୟଙ୍କର ରୋଗ ପାଇଁ ଓ ସେହି ସହର ତା’ ଗରିମା ହରାଇଲା ।


ଚିତ୍ର - ଚିନ୍ମୟୀ ପଣ୍ଡା

ମଞ୍ଜିରୁ ଗଛ ହେଲା । ଛନ ଛନ ହେଇ ବଢ଼ି ଚାଲିଲା । କଢ଼ ଆସିଲା, ଫୁଲ ଫୁଟିଲା । ବାସ୍ନା ଚହଟିଗଲା । ଭଅଁର ଆସିଲେ, ଆହୁରି ଆସିଲେ ମହୁମାଛି ଓ ଅନେକ ପ୍ରକାର ମହୁଖିଆ କୀଟ ପତଙ୍ଗ । ବଗିଚା ମଧ୍ୟରେ ସେ ଗଛଟିର ପ୍ରଶଂସକ ଅନେକ । ତା ଫୁଲ ପାଇଁ ତା ଆଦର ବି ବହୁତ । ମାଳି କହେ ସେ ଗଛ ଏକ ନୂତନ ପ୍ରଜାତିର ଗଛ । ମାଳି କେବେ ନା ଏଭଳି ଗଛ ଦେଖିଛି ନା ଜାଣିଛି । ତା ହେଲେ ଏ ଗଛ ଆସିଲା କୋଉଠୁ ? ମଣିଷଠାରୁ କୀଟ ପତଙ୍ଗ ଯାଏଁ ସମସ୍ତେ ଏହି ଫୁଲର ସୌନ୍ଦର୍ଯ୍ୟ ଓ ବାସ୍ନାରେ ମତୁଆଲା ହେଲେ । ବଗିଚାକୁ ଯିଏ ବି ଆସିଲା ସେହି ଗଛ ପାଖେ ଫଟୋ ଉଠେଇଲେ । ବିଭିନ୍ନ ପୋଜ ଦେଇ ଫଟୋ ଉଠେଇଲେ । ଭଅଁର, ପୋକ, ମାଛି ସେହି ଗଛ ପାଖେ ପରସ୍ପର ସାଥିରେ କଳିଗୋଳ କରି କାମୁଡ଼ା କାମୁଡ଼ି ହେଲେ । କ୍ରମଶଃ ଫୁଲର ସୌନ୍ଦର୍ଯ୍ୟ ଆହୁରି ବଢ଼ିଲା । ବାସ ତାହାର ଚତୁର୍ଦିଗ ବ୍ୟାପିଲା । ମଣିଷମାନେ ମଧ୍ୟ ଜଣେ ଆଉ ଜଣଙ୍କୁ କହି କାନରୁ କାନକୁ ଯାଇ ତୁଣ୍ଡ ବାଇଦ ସହସ୍ର କୋଶ ହେଲା । ବଗିଚାକୁ ଯାଇ ସେହି ଫୁଲ ସାଥିରେ ସେଲ୍ଫି ଉଠାଇବା ଏକ ଷ୍ଟାଇଲ୍ ବୋଲି ଧରାଗଲା । କ୍ରମେ ଲୋକଙ୍କ ଭିଡ଼ ଜମିଲା ।

ଗଛ ତା’ ବଂଶ ବିସ୍ତାର କଲା । ତା’ ଭଳି ଅନେକ ଫୁଲ ସୃଷ୍ଟି ହେଲେ । ପାର୍କରେ ଅସଂଖ୍ୟ ଭିଡ଼ ହେଲା । ଯେତେ ଗହଳି ବଢ଼ିଲା, ଫୁଲମାନଙ୍କ ଭିତରେ ଉତ୍ସାହ ବଢ଼ିଲା । ଆହୁରି ଛନଛନ କନକନ ହେଲେ । ଭ୍ରମର ଦଳ ନିଶାଖୋର ଭଳିି ହେଲେ । କିଏ ଫୁଲକୁ ଦେଖିଦେଖି କବିତା ଲେଖିଲା, କେହି ତା ଫୁଲକୁ ଛୁଇଁଲା ତ ଆଉ କିଏ ଫୁଲର ସୌନ୍ଦର୍ଯ୍ୟରେ ଆତ୍ମହରା ହେଲା ।

ବର୍ଷ ବର୍ଷ ଧରି ନିଜ ସୌନ୍ଦର୍ଯ୍ୟ ଓ ସୁଗନ୍ଧରେ ଆକର୍ଷିତ କରିଥିବା ଫୁଲମାନେ କ୍ରମେ ନିର୍ଜନରେ ପଡ଼ିରହିଲେ । କିନ୍ତୁ ଧୈର୍ଯ୍ୟହରା ନ ହୋଇ ସେମାନେ ନିଜ ପ୍ରତିଭା ବଢ଼ାଇ ଚାଲିଥିଲେ । କ୍ରମେ ସହରରେ ଏକ ବ୍ୟାଧି ବ୍ୟାପିଲା । ଡାକ୍ତର ଚିକିତ୍ସା କରି କରି ନୟାନ୍ତ ହେଲେ । ରୋଗର କାରଣ ବୁଝିବା ପାଇଁ ସରକାର କମିଟି ଗଢ଼ିଲେ । ଖୋଳତାଡ଼ରୁ ଜଣାଗଲା ସେହି ଫୁଲର ପ୍ରେମୀମାନେ ଉକ୍ତ ରୋଗର ବାହକ ହୋଇ ସହରରେ ରୋଗ ବଢ଼ାଇବାରେ ଲାଗିଛନ୍ତି । ଫୁଲ ସଂସ୍ପର୍ଶରେ ଆସିଥିବା କୀଟ ପତଙ୍ଗ ବି ସେହି ବିଷରୁ ବର୍ତ୍ତି ନାହାନ୍ତି । ସହର ବିଷାକ୍ତ । ହାହାକାର ଚାରିଆଡ଼େ । ଅନେକ ରାସାୟନିକ ପ୍ରକ୍ରିୟାରେ ନୂତନ ଔଷଧ ନିର୍ମାଣ କରିବାରେ ବ୍ୟସ୍ତ ରହିଲେ କମ୍ପାନୀ ସବୁ । ତତ୍କାଳ ବ୍ୟବହାର ପାଇଁ ବିନା ପ୍ରୟୋଗରେ ଔଷଧ ସବୁ ସେହି ଦୂରାରୋଗ୍ୟ ପୀଡ଼ିତଙ୍କୁ ଦିଆଗଲା । ଅନେକଙ୍କ ମୃତ୍ୟୁ ଘଟିଲା । ଅନେକ ଅକର୍ମଣ୍ୟ ହୋଇ ପଡ଼ିରହିଲେ । ଫୁଲର ପ୍ରେମୀମାନେ ଫୁଲକୁ ଅଭିଶାପ ଦେବାକୁ ଲାଗିଲେ । ପାର୍କଟି ବର୍ତ୍ତମାନ ବିଷାକ୍ତ ବୋଲି ପ୍ରଘଟ ହୋଇ ଯିବାରୁ ତା’ ମଧ୍ୟକୁ ମଣିଷ କ’ଣ ପକ୍ଷୀ, କୁକୁର, ପୋକ ଯୋକ ମଧ୍ୟ ଯିବାକୁ ଡରିଲେ ଓ ପରିତ୍ୟକ୍ତ ଭାବେ ସେ ପାର୍କଟି ପଡ଼ିରହିଲା ।

ଅନେକ ଚେଷ୍ଟା ଦ୍ବାରା ସେହି ଫୁଲଗଛର ବଂଶ ନିପାତ କରାଗଲା । ତୀବ୍ର ବିଷ ଦ୍ବାରା ତା’ ସମୂଳ ନାଶ ସମ୍ଭବ ହେଲା । କାରଣ ବିଷକୁ ବିଷ ହିଁ କାଟେ । ଏହି ପ୍ରକ୍ରିୟାରେ ଅନେକ ସମୟ, ଅର୍ଥ ଓ ଶକ୍ତି ବିନିଯାେଗ ହେଲା । ଇତିମଧ୍ୟରେ ପାର୍କରେ ଥିବା ଅନ୍ୟ ଫୁଲମାନେ ପାଣି ନ ପାଇ ମରିଗଲେ । ଫି' ଦିନ ଖବରକାଗଜରେ ସେହି ମାରାତ୍ମକ ଫୁଲର ଫଟୋ ବାହାରିଲା । ସୋସିଆଲ ମିଡ଼ିଆରେ ସେହି ଫୁଲ ଭାଇରାଲ ହେଲା । କ୍ରମେ ସେହି ସହର ସାରା ପୃଥିବୀରେ ବିଖ୍ୟାତ ହେଲା ଭୟଙ୍କର ରୋଗ ପାଇଁ ଓ ସେହି ସହର ତା’ ଗରିମା ହରାଇଲା । ଲୋକେ ଫୁଲକୁ ଦେଖି ଡରିଲେ । ଅନେକ ନିରୀହ ଫୁଲ ଅକାଳ ମୃତ୍ୟୁ ବରିନେଲେ ।

ଫୋନ ସ୍କ୍ରିନରେ ସେହି ଫୁଲର ଫଟୋକୁ ଦେଖି ପିଲାଟିଏ ଭୟରେ ଚିତ୍କାର କଲା ‘ବିଷ ଫୁଲ’ ।

ବହୁ ବର୍ଷ ତଳର କଥା ଏହା । କିନ୍ତୁ ଆଜିକାଲି ମଧ୍ୟ କେଉଁଠି ଏଭଳି ‘ବିଷ ଫୁଲ’ର ଆବିର୍ଭାବ ଘଟୁଛି ଓ ତାହାର ପ୍ରେମୀ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଆଜି ମଧ୍ୟ ‘ବିଷ ଫୁଲ’ ପାଇଁ ସମସ୍ତ ନିଷ୍ପାପ ଫୁଲଙ୍କୁ ନିଜ ସମ୍ମାନ ହରାଇବାକୁ ପଡ଼ୁଛି ।

Report an Error