ଜୟନ୍ତ ସାର୍ ଙ୍କ ଜନ୍ମଦିନ

ଆଜି ଦିନ ଅର୍ଥାତ୍ ୨୨ ଅକ୍ଟୋବର ଜୟନ୍ତ ସାର୍ ଙ୍କ ଜନ୍ମଦିନ । ଜୟନ୍ତ ସାର୍ କବି, ଆମର ବ୍ୟକ୍ତିଗତ କବି । ତେଣୁ ତାଙ୍କ କଥା କହିବାବେଳେ ଆମକୁ ମନେରଖିବାକୁ ହେବ ଯେ ଜଣେ କବିର ଶୂନ୍ୟ ଆରୋହଣ ସେମିତି ବଡ କଥା ନୁହଁ, ଶୂନ୍ୟରୁ ଅବତରଣ କରିବା ପ୍ରମୁଖ କଥା ।


ଫଟୋ - ତିନକୋଣିଆ ବଗିଚା, କଟକ ଘରେ ଜୟନ୍ତ ମହାପାତ୍ର, ଆର୍କାଇଭ୍ସ

ଆଜି ଦିନ ଅର୍ଥାତ୍ ୨୨ ଅକ୍ଟୋବର ତ ଜୟନ୍ତ ସାର୍ ଙ୍କ ଜନ୍ମଦିନ ।

ଆଉ କ'ଣ ?

ନା, ଆଜି ଖାଲି ଏତିକି ନୁହଁ, ଅନେକ କିଛି ଅଛି ।

ଅଛି ?

ପୃଥ୍ୱୀସାରା ଆଜି ଭଳି ଦିନର ଅନେକ ବହୁବର୍ଣ୍ଣି କଥା କାଳଘରେ ଯତ୍ନର ସହ ସଂରକ୍ଷିତ ହୋଇ ରହିଅଛି । ସେ ବିଷୟରେ କହି ବସିଲେ ତ ରାତି ପାହିଯିବ । ଆଉ ଏମିତିରେ ଉପସ୍ଥିତ ଲେଖକର ଅତିକଥନ ଦୋଷ ଦୁର୍ନିବାର ।

ଆମେରିକାର ଦକ୍ଷିଣ ପଶ୍ଚିମରେ ଏକ ପ୍ରକାର ଆଦିମ ଅଧିବାସୀ ରହିଛନ୍ତି ସେମାନଙ୍କୁ ନାଭାଜୋ ଇଣ୍ଡିଆନ୍ ବୋଲି କୁହାଯାଏ । ଅସୁଖ ବିସୁଖ ହେଲେ ସେମାନେ ସେଥିରୁ ଭଲ ହେବା ପାଇଁ ଗୋଟିଏ ପ୍ରକାର ଅଭିନବ ପଦ୍ଧତି ଅବଲମ୍ବନ କରିଥାନ୍ତି । ସେମାନଙ୍କର ସେହି ଅସୁଖରୁ ଉପଚାରର ପଦ୍ଧତିଟି ହେଉଛି ମନ୍ତ୍ରଉଚ୍ଚାରଣ ଏବଂ ଚିତ୍ରାଙ୍କନ । ସେମାନଙ୍କର ଧାରଣା ଯେ ଜଣକୁ ଅସୁଖ ହୋଇଛି ମାନେ ତାହାର ଦେହରେ ଏକ ଦୁରାତ୍ମା ବାସକରୁଛି ଆଉ ସେଇ ଦୁରାତ୍ମାକୁ ମରଣର ଅପବିତ୍ର ନିଃଶ୍ୱାସ ଆସି ତାହାର ଦେହରେ ବାଜି ତାହାକୁ ପୁଷ୍ଟ କରୁଛି । ତେଣୁ ମରଣର ସେହି ଅପବିତ୍ର ନିଃଶ୍ୱାସକୁ ପ୍ରତିହତ କଲେ ଅସୁଖର ଦୁରାତ୍ମା ଦୁର୍ବଳ ହେବ ଆଉ ତାହାପରେ ଯାଇ ଅସୁଖ ଦୂର ହେବ । ସେଇଥିପାଇଁ ମରଣର ସେହି ଅପବିତ୍ର ନିଶ୍ୱାସକୁ କାଟିବା ପାଇଁ ଆଖପାଖରେ ଏକ ପବିତ୍ର ନିଃଶ୍ୱାସ ସୃଷ୍ଟି ହେବାର ଆବଶ୍ୟକତା ରହିଛି । ନାଭାଜୋ ଇଣ୍ଡିଆନମାନେ ବିଶ୍ୱାସ କରନ୍ତି ଯେ ଏକ ବିଶେଷ ଚିତ୍ରାଙ୍କନ ଫଳରେ ଏକ ଔଷଧୀୟ ପ୍ରକୃତିର ସୃଷ୍ଟି ହେବ ଆଉ ସେହି ଔଷଧୀୟ ପ୍ରକୃତି ଗଛଲତା, ପାଣି ଇତ୍ୟାଦି ଦେଇ ଭଗବାନଙ୍କ ନିକଟରେ ପହଞ୍ଚିବ ଆଉ ତାହାଫଳରେ ଭଗବାନଙ୍କ ନିକଟରୁ ପବିତ୍ର ନିଃଶ୍ୱାସ ବାହାରି ଆସି ଅସୁଖରୁରେ ପଡିଥିବା ମଣିଷର ଦେହରେ ବାଜୁଥିବା ମରଣର ଅପବିତ୍ର ନିଃଶ୍ୱାସକୁ ଦୂର କରିପାରିବ । ଅନ୍ୟ ପକ୍ଷରେ ଭିନ୍ନ ଭିନ୍ନ ମନ୍ତ୍ରୋଚ୍ଚାରଣ ଅସୁଖ ସମୟରେ ମଣିଷ ଦେହରେ ଥିବା ଦୁରାତ୍ମାକୁ ଭୟଭୀତ କରିବା କାରଣରୁ ସେ ମଣିଷର ଦେହ ଛାଡି ଚାଲିଯିବ ।

ତେଣୁ ନାଭାଜାମାନେ ଗୋଟିଏ ବିଶେଷ ଘରେ ରାତି ପରେ ରାତି ଏମିତି ନଅଟି ରାତି ଅସୁଖରେ ପଡିଥିବା ଲୋକକୁ ମନ୍ତ୍ର ଶୁଣାଇ ଚାଲନ୍ତି ଆଉ ଠିକ୍ ସେତେବେଳେ ଚିତ୍ରକର ଜଣକ ବାଲିକୁ ଖେଳାଇଦେଇ ନିଜ ହାତରେ ସେହି ବାଲି ଉପରେ, ଧନୁଶର, ସୂର୍ଯ୍ୟ, ଚନ୍ଦ୍ର, ପକ୍ଷୀ, ଇନ୍ଦ୍ରଧନୁ, ବିଜୁଳି ଆଉ ସାପର ଚିତ୍ରମାନ ଆଙ୍କି ଚାଲିଥିବ । ଗୀତ ଆଉ ଚିତ୍ର ଏକାଠି ଚାଲିଥିବ। ହଠାତ୍ ମନକୁ ଆସିଲା, ଆମେ ଯାହାକୁ ବାଲୁକା କଳା ବୋଲି କହୁଛୁ ତାହା କ'ଣ ସେଇ ନାଭାଜା ଇଣ୍ଡିଆନମାନଙ୍କ ଏଇ ଅସୁଖ ନିରାକରଣ କାର୍ଯ୍ୟକ୍ରମର ଅବଦାନ ? କିଏ ଜାଣେ ?

ଏମିତି ନଅଟି ରାତି ପରେ ଅସୁଖରେ ପଡିଥିବା ଲୋକ ଜଣକ ଭଲ ହୋଇ ନିଜ ଘରକୁ ଫେରିଯାଏ । ଉପଚାରର କାର୍ଯ୍ୟକ୍ରମ ଶେଷ ହୁଏ । ଛବି ଅଂକାହୋଇଥିବା ସେଇ ବାଲିକୁ ଫୋପାଡି ଦିଆଯାଏ ଅମଡା ବାଟରେ ତାହାପରେ ।

ସାଧାରଣତଃ ମଣିଷର ଅସୁଖ ହେଲେ ତାହାର ଦେହରେ ମରଣର ଯେଉଁ ଅପବିତ୍ର ନିଃଶ୍ୱାସ ବାଜୁଥାଏ ସେଥିରୁ ତାହାକୁ ଚିରନ୍ତନ ବିଶ୍ୱସ୍ତ ଏବଂ ଜୀବନମୁଖୀ କରିବା ପାଇଁ ମନ୍ତ୍ରର ଆଉ ଚିତ୍ରର ଯେଉଁ ପବିତ୍ର ନିଃଶ୍ୱାସ ଆବଶ୍ୟକ ତାହା ଆମ ପାଇଁ କେବଳ ଗୋଟିଏ ଉତ୍ସରୁ ହିଁ ସମ୍ଭବପର, ତାହା ହେଉଛି କବିତା ।

ଆଜି ଜୟନ୍ତ ସାର୍ ଙ୍କ ଜନ୍ମଦିନ । ଜୟନ୍ତ ସାର୍ କବି ।

ଆଉ କ'ଣ ?

ନା ,ଆଜି ଖାଲି ଏତିକି ନୁହଁ, ଅନେକ କିଛି ଅଛି ।

ସମସ୍ତ ପ୍ରାକୃତିକ ଉପଚାରର ମଣିଷ ପାଇଁ ରହିଥିବା ଆବଶ୍ୟକତାକୁ ବୁଝିବା ପାଇଁ ଆଜିଦିନକୁ ଅର୍ଥାତ୍ ୨୨ ଅକ୍ଟୋବରକୁ ଆନ୍ତର୍ଜାତିକ ପ୍ରାକୃତିକ ଔଷଧ ଦିବସ ବା ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ନ୍ୟାଚୁରାଲ୍ ମେଡିସିନ୍ ହିସାବରେ ପାଳନ କରାଯାଉଛି ।

ଖ୍ରୀଷ୍ଟୀୟ ସପ୍ତଦଶ ଶତାବ୍ଦୀର କଥା । ଆୟର୍ଲାଣ୍ଡ ରେ ଥିଲେ ଜଣେ ଧର୍ମଯାଜକ । ଆର୍କବିଶପ୍ ଜେମସ ଅସର୍ । ଅସମ୍ଭବ ବିଦ୍ୱାନ ଏହି ଧର୍ମଯାଜକଙ୍କର ପୌରାଣିକ କାଳମାନଙ୍କୁ ଗଣନା କରିବାରେ ଥିଲା ଭାରି ଋଚି । ଭିନ୍ନ ଭିନ୍ନ ସାମ୍ରାଜ୍ୟର ଉତ୍ଥାନ ପତନ, ବାଇବେଲ୍ ବର୍ଣ୍ଣିତ ରାଜାମାନଙ୍କର ସମୟକାଳ, ଆଦିପିତା ଆଦାମଙ୍କର ବଂଶାନୁକ୍ରମ, ଜୋହାନସ୍ କେପଲର୍ଙ୍କର ଖଗୋଳବିଦ୍ୟା ସମ୍ବନ୍ଧୀୟ ଚାର୍ଟ, ଏବଂ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ସମୟକୁ ନେଇ ସେ ବିଧିବଦ୍ଧ ଭାବରେ ଗଣନା କରି ଏକ ବିଶେଷ ନିଷ୍କର୍ଷରେ ପହଞ୍ଚିଥିଲେ ।

ସେଦିନ ଥିଲା ଶନିବାର । ସେଦିନ ଠିକ୍ ସଂଧ୍ୟା ଛଅଟାବେଳେ ଖ୍ରୀଷ୍ଟ ପୂର୍ବ ୪୦୦୪ ର ଅକ୍ଟୋବର ମାସ ୨୨ ତାରିଖ ଆଜି ଦିନରେ ତାହାର ଜନ୍ମ ହୋଇଥିଲା । ସେ ହେଉଛି ଆମର ପୃଥିବୀ ।

ଜେମସ୍ ଅସର୍ ଙ୍କ ଅନୁସାରେ ଆଜି ଦିନ ଅର୍ଥାତ୍ ୨୨ ଅକ୍ଟୋବର ହେଉଛି ପୃଥିବୀର ଜନ୍ମଦିନ । ଆଉ ଆମ ପାଇଁ ଏଇଟି କୌଣସି ନୂଆ କଥା ନୁହଁ ଯେ ଜଣେ କବି ସହିତ ଗୋଟିଏ ପୃଥିବୀ ଜନ୍ମଗ୍ରହଣ କରିଥାଏ ।

ଜୟନ୍ତ ସାର୍ ଜଣେ କବି ଆଉ ଆଜି ତାଙ୍କର ଜନ୍ମଦିନ।

ଆଉ କ'ଣ ?

ହଁ, ଅନେକ କିଛି ଅଛି, ଯାହା ଯେମିତି ଗୋଟିଏ ପୃଥିବୀରେ ଥାଏ ।

ଆଉ ଗୋଟିଏ କଥା ।

୧୪୮୩ ମସିହାବେଳକୁ ମଣିଷ ଶୂନ୍ୟକୁ ଯାତ୍ରା କରିବାକୁ ଆରମ୍ଭ କରିଥିଲା । ଶୂନ୍ୟ ପ୍ରତି ଉଚ୍ଚତା ପ୍ରତି ଏମିତିରେ ମଣିଷର ତ ଆଗ୍ରହ ସବୁଠାରୁ ଅଧିକ । ଉଚ୍ଚତା ସବୁବେଳେ ଶୂନ୍ୟରେ ଗୋପନ ଥାଏ ଆଉ ସେହି ରହସ୍ୟମୟ ଆରୋହଣ ପାଇଁ ମଣିଷର ଉନ୍ମୁଖ ହୋଇ ରହିଥିବା କଥାରେ ସେମିତି କିଛି ନୂତନତ୍ୱ ନାହିଁ ।

ଶୂନ୍ୟକୁ ଆରୋହଣ କରିବାରେ ଇତିହାସ ଦୃଷ୍ଟିରୁ ଆଦ୍ୟ ଭାଗରେ ପ୍ରମୁଖ ଭୂମିକା ରହିଥିଲା ଫରାସୀମାନଙ୍କର । ଦୁଇ ଫରାସୀ ମଣ୍ଟୋଗଲଫାଏର୍ ଭାଇ ୧୪୮୩ ମସିହାରେ ଗୋଟିଏ ବେଲୁନ୍ ରେ ତତଲା ପବନ ଭର୍ତ୍ତି କରି ତାହାକୁ ସର୍ବପ୍ରଥମେ ଶୂନ୍ୟକୁ ପ୍ରେରଣ କରିଥିଲେ । ଏହା ପ୍ରାୟତଃ ୯୦ ଫୁଟ୍ ଉଚ୍ଚ ଯାଏଁ ଯାଇ ତାହାପରେ ତଳକୁ ଖସି ପଡିଥିଲା । ଏହି ବେଲୁନ୍ ମାନବବିହୀନ ଥିଲା । କିନ୍ତୁ ସେହି ବର୍ଷ ଫରାସୀ ଦୁଇବନ୍ଧୁ ଜାଁ ଫ୍ରାଙ୍କୋଇସ୍ ପାଇଲେଟ୍ ଏବଂ ଫ୍ରାଙ୍କୋଇସ୍ ଲରେଣ୍ଟ ମଣ୍ଟୋଗଲଫାଏର୍ ବେଲୁନ୍ ରେ ଯାତ୍ରା ଆରମ୍ଭ କରି ଶୂନ୍ୟରେ ପ୍ରାୟ ଅଧଘଣ୍ଟା ସମୟ ଅତିବାହିତ କରିଥିଲେ ।

ଆଜି ଦିନ ଅର୍ଥାତ୍ ୨୨ ଅକ୍ଟୋବର ଜୟନ୍ତ ସାର୍ ଙ୍କ ଜନ୍ମଦିନ । ଜୟନ୍ତ ସାର୍ କବି, ଆମର ବ୍ୟକ୍ତିଗତ କବି । ତେଣୁ ତାଙ୍କ କଥା କହିବାବେଳେ ଆମକୁ ମନେରଖିବାକୁ ହେବ ଯେ ଜଣେ କବିର ଶୂନ୍ୟ ଆରୋହଣ ସେମିତି ବଡ କଥା ନୁହଁ, ଶୂନ୍ୟରୁ ଅବତରଣ କରିବା ପ୍ରମୁଖ କଥା ।

ତତଲା ବେଲୁନରେ ମଣିଷର ଏମିତି ଶୂନ୍ୟକୁ ଯାତ୍ରା କରିବା ପରେ ମଣିଷ ଆଗରେ ପ୍ରମୁଖ ପ୍ରଶ୍ନଟିଏ ଉଭା ହୋଇଗଲା, ଏବେ ସେ କେଉଁଭଳି ଶୂନ୍ୟରୁ ସୁବିଧାରେ ସମତଳକୁ ନିରାପଦରେ ଅବତରଣ କରିପାରିବ ?

ଏମିତିରେ କହିଲେ ଶୂନ୍ୟ ଆରୋହଣ ସହିତ ଶୂନ୍ୟରୁ ଅବତରଣ ଏକ ସହକ୍ରିୟା ଆକାରରେ ମଣିଷର ମନନରେ ଜଡିତ ହୋଇ ରହିଥାଏ । ପ୍ରାୟ ୧୧୦୦ ଖ୍ରୀଷ୍ଟାବ୍ଦବେଳକୁ ଚାଇନାରେ ପାରାଚ୍ୟୁଟ୍ ଭଳି ବ୍ୟବସ୍ଥାର ଉଦ୍ଭାବନ ହୋଇଥିଲା ଯାହା ଫଳରେ କି ସେମାନେ ଗଛର ଉଚ୍ଚଡାଳରୁ କି ପର୍ବତଶିଖରରୁ ତଳକୁ ସହଜରେ ଡେଇଁ ପାରିବେ । ଏହାପରେ ପଞ୍ଚଦଶ ଶତାବ୍ଦୀରେ ଲିଓନାର୍ଡୋ ଡା ଭିଞ୍ଚି କାଗଜରେ ପାରାଚ୍ୟୁଟ୍ ତିଆରି କରି କେଉଁପରି ଶୂନ୍ୟରୁ ତଳକୁ ଓହ୍ଲାଇ ଆସିହେବ ତାହାର ଏକ ବିସ୍ତୃତ ପରିକଳ୍ପନା କରିଥିଲେ । କିନ୍ତୁ ଏଇ ଘଟଣାର ପ୍ରାୟ ତିନିଶହ ବର୍ଷ ପରେ ୧୭୮୩ ଖ୍ରୀଷ୍ଟାବ୍ଦରେ ପୁଣି ଜଣେ ଫରାସୀ ଲୁଇ ସେବାସ୍ତିଆନ୍ ଲେନୋରମାନ୍ଦ ପାରାଚ୍ୟୁଟ୍ ଭଳି ଗୋଟିଏ ନିର୍ମାଣର ସାହାଯ୍ୟରେ ହେଉଛନ୍ତି ପୃଥିବୀର ପ୍ରଥମ ବ୍ୟକ୍ତି ଯିଏ କି ଏଇଭଳି ପ୍ରକ୍ରିୟାରେ ସଫଳତାର ସହ ଶୂନ୍ୟରୁ ସମତଳକୁ ଓହ୍ଲାଇ ପାରିଥିଲେ । ଏହି ଘଟଣାର ଦୁଇବର୍ଷ ପରେ ପୁଣି ଜଣେ ଫରାସୀ ପିଅର୍ ବ୍ଲାନଚାର୍ଡ ତାଙ୍କର ପୋଷା କୁକୁର ସହିତ ଶୂନ୍ୟରୁ ତଳକୁ ଅବତରଣ କରିଥିଲେ ।

ତାହାପରଠାରୁ ପାରାଚ୍ୟୁଟ୍ ନିର୍ମାଣ କ୍ଷେତ୍ରରେ ଅଦ୍ଭୂତପୂର୍ବ ସଫଳତା ଦେଖା ଦେଇଥିଲା ।

ଶେଷରେ ଆଜି ଆମେ ଯାହାକୁ ପାରାଚ୍ୟୁଟ୍ କହୁଛୁ ତାହା ୧୭୯୭ ରେ ପ୍ରସ୍ତୁତ ହୋଇଥିଲା । ପ୍ରାୟ ୩୨୦୦ ଉଚ୍ଚତା ବିଶିଷ୍ଟ ଏକ ଅବସ୍ଥାନରୁ ପାରାଚ୍ୟୁଟ୍ ସାହାଯ୍ୟରେ ତଳକୁ ନିରାପଦର ସହ ଅବତରଣ କରିଥିଲେ ୨୮ବର୍ଷର ଜଣେ ଯୁବକ ଜାକସ୍ ଗାରନେରିନ୍ । ସେ ବି ଜଣେ ଫରାସୀ ।

ଏହି ଘଟଣାକୁ ବିଶ୍ୱ ଇତିହାସ "ପାରାଚ୍ୟୁଟ୍ ରେ ପ୍ରଥମ ଲମ୍ଫ" ବୋଲି କୁହାଯାଏ ।

ଆଜି ଦିନ ଅର୍ଥାତ୍ ୨୨ ଅକ୍ଟୋବର ଜୟନ୍ତ ସାର୍ ଙ୍କ ଜନ୍ମଦିନ । ଜୟନ୍ତ ସାର୍ ଜଣେ କବି, ଆମର ଏକାନ୍ତ ବ୍ୟକ୍ତିଗତ କବି, ତାଙ୍କୁ ନେଇ ଗର୍ବ କରିବା ଭଳି ସ୍ୱାଭାବିକ କବି । ଆଉ କ'ଣ ?

ଏଇଠି ଏଇ ଅଦ୍ଭୁତ ସଂଯୋଗକୁ ଆମର ସ୍ମରଣକୁ ନେବାକୁ ହେବ । ପୃଥିବୀରେ ପାରାଚ୍ୟୁଟ୍ ରୁ ପ୍ରଥମ ଲମ୍ଫ ଆଜି ଭଳି ଦିନରେ ଅର୍ଥାତ୍ ୨୨ ଅକ୍ଟୋବର ୧୭୯୭ ଖ୍ରୀଷ୍ଟାବ୍ଦରେ ସଂଘଟିତ ହୋଇଅଛି ।

ପାରାଚ୍ୟୁଟ୍ ର ଆକ୍ଷରିକ ଅର୍ଥ ଫରାସୀ ଭାଷାରେ ହେଉଛି, ପାରା ଅର୍ଥାତ୍ ନିରାପଦ ଏବଂ ଚ୍ୟୁଟ୍ ଅର୍ଥାତ୍ ଅବତରଣ ।

ଆଜି ନିରାପଦ ଅବତରଣ ର ଦିନ ।

କୌଣସି କବି ସଂପର୍କରେ ସାମାଜିକ ଭାବରେ ପ୍ରାସଙ୍ଗିକ ହୋଇ ରହିବା ପାଇଁ ଏହାଠାରୁ ଅଧିକ ପରିଭାଷା ଆଉ କ'ଣ ହୋଇପାରେ ?

ଆଜି ଦିନ ଅର୍ଥାତ୍ ୨୨ ଅକ୍ଟୋବର ।

ଆଜି ପୃଥିବୀର ଜନ୍ମ ।

ଆଜି ଚିତ୍ର ଆଉ ଧ୍ୱନୀ ମାଧ୍ୟମରେ ନଅଦିନର ଆଦିମ ଉପଚାର ପରେ ଆମର ସମସ୍ତ ଅସୁଖ ଦୂର ହେବାର ଆନନ୍ଦର ସ୍ୱାଧୀନ ଦିନ ।

ଆଜି ଶୂନ୍ୟରୁ ନିରାପଦ ଅବତରଣର ଦିନ ।

ଜଣେ ଜୟନ୍ତ ମହାପାତ୍ର ହେବା ପାଇଁ ଜଣେ ନିଜ ସହିତ ଏଇ ଭଳି ସଂଯୋଗମାନଙ୍କୁ ସାଥିରେ ଧରି ଜନ୍ମଗ୍ରହଣ କରିଥାଏ ।

ଆଉ କ'ଣ ?

ଆଜି ଅର୍ଥାତ୍ ୨୨ ଅକ୍ଟୋବର୍ ହେଉଛି ଜୟନ୍ତ ସାର୍ ଙ୍କ ଜନ୍ମଦିନ । ସେତିକି ତ କଥା ।

Report an Error