ଶ୍ରୀ ବିରଂଚି ନାରାୟଣ ମନ୍ଦିର ପରିଦର୍ଶନ

ମନେହେଲା ସତେ ଯେମିତି ସ୍ୱର୍ଗଲୋକରୁ ଦେବବିନ୍ଧାଣୀମାନେ ଧରାପୃଷ୍ଠରେ ଅବତରଣ କରି ରାତାରାତି ଏଇ ସୁରମ୍ୟ ଶାଶ୍ୱତ ଚିତ୍ରାବଳୀଗୁଡ଼ିକର ସଂରଚନା କରି ଅନ୍ତର୍ଦ୍ଧାନ ହେଇଯାଇଛନ୍ତି ?


ସୁବଳ ଗିରି ବିଜେ, ବିରଞ୍ଚି ନାରାୟଣ ମନ୍ଦିର, ବୁଗୁଡ଼ା I ଫଟୋ ସୌଜନ୍ୟ - ପ୍ରତୀକ ପଟ୍ଟନାୟକ ।

ଆଗରୁ ପଟଚିତ୍ର ଅଙ୍କନ ଜାଣିଥିଲି, ସେଇ କାରଣରୁ ବି.କେ ଚାରୁକଳା ମହାବିଦ୍ୟାଳୟରେ ଦ୍ୱିତୀୟ ବର୍ଷର ଛାତ୍ର ଜୀବନରୁ ହିଁ ପ୍ରିନ୍ସିପାଲ ଡ. ଦିନନାଥ ପାଠୀ ଏବଂ ମୋ ପିଉସା ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଏବଂ ଐତିହାସିକ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସଙ୍କ ସହ ମୋର ବୃତ୍ତିଗତ ସମ୍ପର୍କ ସ୍ଥାପିତ ହୋଇଥିଲା । ସେମାନଙ୍କର ଗବେଷଣାତ୍ମକ କାମରେ ଆବଶ୍ୟକ ପଡ଼ୁଥିବା ଚିତ୍ର କରୁଥିଲି । ମୋତେ ସେମାନେ ପଟଚିତ୍ର, ମନ୍ଦିର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଚିତ୍ର, କିଛି କିଛି ବହିର ଅଳଂକରଣ ଆଦି କାମ ଦେବା ଆରମ୍ଭ କରିଦେଇଥିଲେ । ପାଠୀ ସାର୍ ତାଙ୍କ ନିଜ ବହିମାନଙ୍କରେ ମୁଦ୍ରିତ ତାଳପତ୍ର ପୋଥିଚିତ୍ରରୁ ଚୟନ କରି କିଛି କିଛି ଚିତ୍ରକୁ ଅନୁଧ୍ୟାନ କରି ଅପେକ୍ଷାକୃତ ବଡ଼ ଆକାରର ଚିତ୍ର କାର୍ଟ୍ରିଜ୍ କାଗଜରେ ଅଙ୍କନ କରିବା ପାଇଁ ଦେଉଥିଲେ । ଏଇ ଗବେଷଣାତ୍ମକ କାମ ସନ୍ଦର୍ଭରେ ତାଙ୍କ ସହ ବରାବର ଦେଖା ସାକ୍ଷାତ ଲାଗି ରହିଥିଲା ।

ଦ୍ୱିତୀୟ ବର୍ଷ ଉତ୍ତୀର୍ଣ୍ଣ ହୋଇ ତୃତୀୟ ବର୍ଷକୁ ଯିବାର ପ୍ରସ୍ତୁତି ଚାଲିଥାଏ । ୧୯୯୨ ମସିହା ଅଗଷ୍ଟ ୨୮ ତାରିଖ ଦିନ ଅପରାହ୍ନରେ କୌଣସି ଏକ କାମ ସନ୍ଦର୍ଭରେ ପ୍ରିନ୍ସିପାଲ ଡ. ଦିନନାଥ ପାଠୀଙ୍କ ଅଫିସ ଯାଇଥାଏ । ସେଠି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ ମଧ୍ୟ ଉପସ୍ଥିତ ଥାଆନ୍ତି । ସେଦିନ କାହିଁକି କେଜାଣି ପାଠୀ ସାର ମୋତେ ଦେଖୁ ଦେଖୁ ପଚାରିଲେ, “ତମେ ବୁଗୁଡ଼ାର ବିରଂଚି ନାରାୟଣ ମନ୍ଦିର ଦେଖିଛ ?“

ମୁଁ କହିଲି, “ନାଁ ।“

ସେ ତାତ୍ସଲ୍ୟ କରି କହିଲେ, “ତମେ ପଟଚିତ୍ର କରୁଚ ଅଥଚ ବିରଂଚି ନାରାୟଣ ମନ୍ଦିର ଦେଖିନାହଁ ।“

ମୁଁ କହିଲି, “ଦେଖିବାର ଇଚ୍ଛା ଅଛି କିନ୍ତୁ କେବେ ଯିବାର ସୁଯୋଗ ପାଇନି ।“

ସେଠୁ ସେ ଗଂଜାମୀ ଠାଣିରେ କହିଲେ, “ସୁଯୋଗ ଗୋଟେ କ’ଣ ହୋ, ସିଧା ଟିକଟ କାଟି ବସ୍ ରେ ବସି ବୁଲି ଆଇବ ନା ।“

ସେଠୁ ସେ ପକେଟରୁ ଦୁଇଶହ ଟଙ୍କା ବାହାର କରି ମୋତେ ଦେଇ କହିଲେ, “ଏ ଟଙ୍କାରେ ବସ୍ ଟିକଟ କରିବ, କିଛି ଆର୍ଟ ମେଟେରିଆଲ କିଣିବ । ସେଠିକା ଭିତ୍ତିଚିତ୍ରକୁ ଅଧ୍ୟୟନ କରିବ । ସାଙ୍ଗରେ କିଛି ଟ୍ରେସିଙ୍ଗ କାଗଜ କିଣି ନେବ । ବଛା ବଛା ଚିତ୍ର ସବୁର ସିଧା ସିଧା ଟ୍ରେସ୍ କରିନେବ । ଗୋଟେ ସ୍କେଚ୍ ଖାତା ନେଇଥିବ କାନ୍ଥରୁ ଦେଖିକରି ମନଇଚ୍ଛା ଆଙ୍କିବ । ଫେରିଲେ ସେ ସମସ୍ତ ଚିତ୍ର ମୋରି ପାଖରେ ଜମା କରିବ ।“

ବଡ଼ ଖୁସି ମନରେ ଦୁହିଁଙ୍କଠୁ ବିଦାୟ ନେଇ ଫେରିଥିଲି ସେଦିନ ।

ପ୍ରାୟ ମାସକ ପରେ ମୋର ଜଣେ ସହପାଠୀ ବନ୍ଧୁଙ୍କ ସହ ଭୁବନେଶ୍ୱରରୁ ବସ୍ ରେ ବସି ବୁଗୁଡ଼ା ଗସ୍ତରେ ବାହାରିଥିଲୁ । ବାଟରେ ସେହି ବନ୍ଧୁଙ୍କ ମାଉସୀ ଘର ଫାଶୀ ଗ୍ରାମଠାରେ ରାତିଟା ରହି ସକାଳବେଳା ବୁଗୁଡ଼ା ବାହାରିଗଲୁ । ବୁଗୁଡ଼ାରେ ପହଂଚିଲାବେଳକୁ ଅପରାହ୍ନ ହେଇସାରିଥିଲା । ବସରୁ ଓହ୍ଲାଇ ଆମେ ବିରଂଚି ନାରାୟଣ ମନ୍ଦିରକୁ ଯିବା ପାଇଁ ରାସ୍ତା ପଚାରିଲୁ । କିଏ ଜଣେ କହିଲେ, “ଇ ସେ ସିଧା ରାସ୍ତାରେ ଯା’ହାରି, ସମ୍ମାନେ ଏକା ଗାଁ ମୁଣ୍ଡୁକୁ ମନ୍ଦିରଟା ପଡ଼ିବ ।“

ମନଭିତରେ ମନ୍ଦିର ଦେଖିବାର ବ୍ୟାକୁଳତା ବଢ଼ିଚାଲିଲା । ମୋ ବୟସ ସେତେବେଳକୁ ଉଣେଇଶି ବର୍ଷ । ଆଜିକୁ ଅଣତିରିଶି ବର୍ଷ ତଳର କଥା ସେତେବେଳେ ବୁଗୁଡ଼ା ଗ୍ରାମର ମୁଖ୍ୟସଡ଼କଟି ସଠିକ ଭାବେ ପିଚୁ କିମ୍ବା କଂକ୍ରିଟରେ ପରିଣତ ହୋଇ ନଥିଲା । ଆବହମାନ କାଳରୁ ଚଳି ଆସୁଥିବା ମାଟିର ରାସ୍ତାରେ ଆମେ ମାଡ଼ିଚାଲିଲୁ ମନ୍ଦିର ଆଡ଼କୁ । ମନ୍ଦିରର ମୁଖ୍ୟଦ୍ୱାର ଉପରେ ପଡ଼ିଥାଏ ଅପରାହ୍ନ ସୂର୍ଯ୍ୟର ଫର୍ଚ୍ଚା ସୁନେଲି କିରଣ । ସେଠାରେ ପହଂଚି ସର୍ବପ୍ରଥମେ ମୁଖ୍ୟଦ୍ୱାରର ଠିଆ - ହନୁମାନଙ୍କ ଚିତ୍ରଟି ଉପରେ ମୋ ନଜର ପଡ଼ିଲା । ଦେଖୁ ଦେଖୁ ଅବାକ୍ ହେଇପଡ଼ିଲି । ହନୁମାନଙ୍କର ଏଭଳି ନିଖୁଣ ଚିତ୍ରଟିଏ ଆଗରୁ କେବେ ଦେଖି ନ ଥିଲି । କ୍ଷଣିକ ଅନୁଧ୍ୟାନ ଚିତ୍ତରେ ଚାହିଁ ଦେଖିଲି ହନୁମାନଙ୍କ ଦେହର ରୁମ ଓଗେରା ଗୋଟି ଗୋଟି ଅଙ୍କା ଯାଇଛି । ପାଦର ବଳିଷ୍ଠ ତୀକ୍ଷ୍ଣ ନଖ ଏବେବି ମୋ ମନ ଭିତରେ ଖୁବ ସତେଜ । ଭିତରକୁ ପଶି ଦେଖିଲି ମନ୍ଦିରର ନିର୍ମାଣ ଢାଂଚା ଭିନ୍ନ ଜଣା ପଡ଼ିଲା । ହିମାଳୟ ପର୍ବତମାଳାର କେଉଁ ଏକ ଅଜଣା ମନ୍ଦିର ସ୍ଥାପତ୍ୟ ସହ ସାମଞ୍ଜସ୍ୟ ଥିବା ପରି ମନେହେଲା । ଦୂରରୁ ମନ୍ଦିର ପ୍ରାଙ୍ଗଣର ଗାମ୍ଭୀର୍ଯ୍ୟଭରା ଭିତ୍ତିଚିତ୍ରମାନ ନଜରରେ ପଡ଼ିଗଲା । କୋଉପଟୁ ଆରମ୍ଭ କରି କୋଉପଟେ ଦେଖା ସାରିବି କିଛି ବାଟ ପାଇଲିନି । ମନ ମୋର ହଡ଼ବଡ଼େଇଗଲା । ସତେଯେମିତି କେଉଁ ସୁଦୂର ପ୍ରାଚୀନ ଶିଳ୍ପ ସମ୍ଭାରର ଗୋଟେ ସାଙ୍ଗୀତିକ ଗୁଂଜରଣଟିଏ ଖେଳିଗଲା ମନଭିତରେ । ମନ୍ଦିରର ମୁଖ୍ୟ ବିଗ୍ରହ ଶ୍ରୀ ବିରଂଚି ନାରାୟଣଙ୍କ ଦର୍ଶନ ଉପରାନ୍ତେ ଭିତର ଛାତକୁ ଦୃଷ୍ଟିପକାଇଲି, କାଠକାମର ଏପରି କାରୁକାର୍ଯ୍ୟ ଦେଖିନଥିଲି । ଆଖି ଖୋସି ହୋଇଗଲା । ସୂକ୍ଷ୍ମ କମକୂଟରେ ଭରା କାଠର ଭାରାଗୁଡ଼ିକ ବହନ କରୁଥିଲା ଶିଳ୍ପକଳାର ଅପୂର୍ବ ଛଟା । ମନ୍ଦିର ପ୍ରାଙ୍ଗଣର ଶୀତଳତା ଭିତରେ ଏକ ଲୟରେ ଦେଖି ଚାଲିଲି ଗୋଟେ ପରେ ଗୋଟେ ଚିତ୍ର । ଚକ୍ଷୁ ସ୍ତରରୁ ଉପର, ତଳ, ବାମ, ଡାହାଣ ସର୍ବତ୍ର ଭରିରହିଥିଲା ଚିତ୍ର ।

ମନେହେଲା ସତେ ଯେମିତି ସ୍ୱର୍ଗଲୋକରୁ ଦେବବିନ୍ଧାଣୀମାନେ ଧରାପୃଷ୍ଠରେ ଅବତରଣ କରି ରାତାରାତି ଏଇ ସୁରମ୍ୟ ଶାଶ୍ୱତ ଚିତ୍ରାବଳୀଗୁଡ଼ିକର ସଂରଚନା କରି ଅନ୍ତର୍ଦ୍ଧାନ ହେଇଯାଇଛନ୍ତି ? ଲାଳିତ୍ୟପୂର୍ଣ୍ଣ ଅଙ୍ଗଭଙ୍ଗୀରେ ଭରା ଏଇ ଚିତ୍ରିତ ଚରିତ୍ରମାନଙ୍କ ଶରୀର ଗଠନ ଯଥାନୁପାତିକ ଭାବେ ସମୃଦ୍ଧ ମନେହୁଏ । ମନ୍ଦିରର ସରଳ ଏକାନ୍ତ ପରିବେଶ ଭିତରେ ଚିତ୍ରଗୁଡ଼ିକ ଅଧିକ ଭାବପୂର୍ଣ୍ଣ ଓ ଜୀବନ୍ତ ମନେହୁଅନ୍ତି ।

କାଳକ୍ରମେ ଠାଏ ଠାଏ ନଷ୍ଚ ହେଇଯାଇଥିଲେ ସୁଦ୍ଧା ଏଇ ଭିତ୍ତିଚିତ୍ରଗୁଡ଼ିକର ସ୍ୱାଭାବିକ ଏବଂ ମୌଳିକ ସ୍ୱରୂପ ବାଧାପ୍ରାପ୍ତ ନ ହୋଇ ଅଧିକ ସମୃଦ୍ଧ ମନେହେଉଥିଲା । ପ୍ରାଚୀନ ଚିତ୍ର - ସମ୍ଭାର ପ୍ରତି ଗହନ ଆକର୍ଷଣର ମୁଖ୍ୟ କାରଣଟି ହେଲା ଚିତ୍ର ଅବସ୍ଥିତିର ବିଦ୍ୟମାନତା ଓ ଅବିଦ୍ୟମାନତା ଭିତରେ ରହିଥିବା ପ୍ରହେଳିକା ।

ବଡ଼ ଆକାର ବିଶିଷ୍ଟ ରଙ୍ଗତୂଳୀରେ ଅଙ୍କା ଏହି ଚିତ୍ରଗୁଡ଼ିକରେ ଓଡ଼ିଶାର ପଟଚିତ୍ର ପରମ୍ପରା ଏବଂ ତାଳପତ୍ର ପୋଥିଚିତ୍ର ପରମ୍ପରାର ଗୋଟେ ଅପୂର୍ବ ସମନ୍ୱୟ ଦେଖିବାକୁ ମିଳେ । ରଘୁନାଥ ପୃଷ୍ଟିଙ୍କ ଭଳି ପୂର୍ବସୂରୀର ମହାନ ପୋଥି ଲେଖନକାରମାନେ ବୁଗୁଡ଼ା ଭିତ୍ତିଚିତ୍ର ଅନୁଧ୍ୟାନ କରି ଉଦ୍ବୁଦ୍ଧ ହେଇଥିବେ । ତାହା ସେ ସମୟର ପୋଥିଚିତ୍ରଗୁଡ଼ିକୁ ଦେଖିଲେ ସହଜରେ ଅନୁମାନ କରିହୁଏ ।

ଓଡ଼ିଶାର ଚିତ୍ର ଇତିହାସକୁ ଅନୁଧ୍ୟାନ କଲେ ଜଣାପଡ଼େ ଯେ କାନ୍ଥରେ ହେଉ କି ପଟରେ ହେଉ ରଙ୍ଗତୂଳୀରେ ଅଙ୍କା ଚିତ୍ର ବା ପଟଚିତ୍ରର ପରମ୍ପରା ଅତି ପ୍ରାଚୀନ ଏବଂ ଏଇ ପ୍ରଥା ଅଦ୍ୟାବଧି ପ୍ରଚଳିତ । ବାକି ଅନ୍ୟାନ୍ୟ ଚିତ୍ର ପରମ୍ପରା କାଳକ୍ରମେ ଆସିଛି ଯାଇଛି । ଯେପରିକି ତାଳପତ୍ର ପୋଥିଚିତ୍ର ପରମ୍ପରା ଓଡ଼ିଆ ସାହିତ୍ୟର ଉତ୍ପତ୍ତି ପରେ ପରେ ପ୍ରଚଳନକୁ ଆସି ପାଶ୍ଚାତ୍ୟ ମୁଦ୍ରଣର ବହୁଳ ପ୍ରସାରଣ ସହ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଧିରେ ଧିରେ ବିଲୁପ୍ତ ହୋଇଗଲା ।

ଓଡ଼ିଶାରେ ପେଷାଗତ ପାରମ୍ପରିକ ଚିତ୍ରକାରଙ୍କ କାମର ସର୍ବ ପ୍ରାଚୀନ ଉଦାହରଣ ହେଉଛି ବୁଗୁଡ଼ାର ବିରଂଚି ନାରାୟଣ ମନ୍ଦିରର ଭିତ୍ତିଚିତ୍ର । ଯେଉଁଠାରେ ପାଖାପାଖି ଅର୍ଦ୍ଧେକ କାନ୍ଥଚିତ୍ର ରାମାୟଣ ପାଇଁ ସମର୍ପିତ । ଏହି ମନ୍ଦିର ୧୮୨୦ ମସିହାରେ କବି ସମ୍ରାଟ ଉପେନ୍ଦ୍ର ଭଂଜଙ୍କ ଜଣେ ଦୂର ସମ୍ପର୍କୀୟ ଶ୍ରୀକର ଭଂଜଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ୧୭୯୦ ମସିହାରେ ଶ୍ରୀକର ଭଂଜ ଘୁମୁସର ସିଂହାସନ ଆରୋହଣ କରି ୧୭୯୯ ମସିହାରେ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଜଣେ ଭକ୍ତର ଜୀବନ ବ୍ୟତୀତ କରିବା ପାଇଁ ରାଜଗାଦି ତ୍ୟାଗ କରି ଦକ୍ଷିଣ ଭାରତରେ ଯାଇ ବସବାସ କଲେ । ୧୮୧୯ରେ ଇଂରେଜ ସରକାର ତାଙ୍କ ପୁତ୍ର ତଥା ଉତ୍ତରାଧିକାରୀ, ଧନଂଜୟ ଭଂଜଙ୍କୁ ଗାଦିଚ୍ୟୁତ କରାଇଲେ । ଶ୍ରୀକର ଭଂଜ ଏକ ଦଶନ୍ଧି ପାଇଁ ପୁନର୍ବାର ସିଂହାସନକୁ ଆସିଲେ । ଏହି ଦ୍ୱିତୀୟବାର ଶାସନ କାଳରେ, ଶ୍ରୀକର ଭଂଜଙ୍କ ପାଖରେ ଥିବା ସୂର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତି ଯାହାକି ବିରଂଚି ନାରାୟଣ ନାମରେ ଜଣାଶୁଣା ଥିଲା, ସେଇ ପ୍ରତିମୂର୍ତ୍ତିଟି ଘୁମୁସର ସହରରୁ (ପରେ ରସେଲକୋଣ୍ଡା ଏବଂ ଅଧୁନା ଭଂଜନଗର) ଦକ୍ଷିଣ - ପୂର୍ବକୁ ୨୫ କିଲୋମିଟରରେ ଥିବା ବୁଗୁଡ଼ାକୁ ନିଆଯାଇଥିଲା ଏବଂ ସେଠାରେ ପଥରର ଏକ ମନ୍ଦିର ନିର୍ମାଣ କରାଇ ସେହି ମନ୍ଦିର କାନ୍ଥରେ ଚିତ୍ରକାରମାନଙ୍କୁ ଲଗାଇ ଭିତ୍ତିଚିତ୍ର କରାଇଥିଲେ । ବୁଗୁଡ଼ାର ଲୋକମାନେ କୁହନ୍ତି ଚିତ୍ରକାରମାନେ ୧୧ କିଲୋମିଟର ଦକ୍ଷିଣକୁ ଥିବା ବାଲିପଦର ଗ୍ରାମରୁ ଆସିଥିଲେ । ବାଲିପଦରର ଏକମାତ୍ର ଚିତ୍ରକାର ଯିଏ ପଟଚିତ୍ର ସହ ମନ୍ଦିର ନିର୍ମାଣ କରନ୍ତି, ବୁଗୁଡ଼ା ଚିତ୍ରକାରମାନେ ନିକଟସ୍ଥ ମଥୁରା ଗାଁରୁ ଆସିଥିବା କଥା ଜଣାଇଲେ, ମଥୁରା ଏବେ ପାରମ୍ପରିକ ମୂର୍ତ୍ତି କାରିଗରିର ଏକ ସକ୍ରିୟ କେନ୍ଦ୍ର ଅଟେ । ସଂକ୍ଷେପରେ, ସ୍ଥାନୀୟ ଚିତ୍ରକାର ସମ୍ପ୍ରଦାୟର ହୋଇଥିବା ବ୍ୟତୀତ ବିରଂଚି ନାରାୟଣ ମନ୍ଦିରର ଚିତ୍ରକାରମାନଙ୍କ ଉତ୍ପତ୍ତି ସ୍ଥାନିତ କରିବା ଆଜି ଗୋଟେ ଦୁରୂହ ବ୍ୟାପାର । ୧୮୨୦ ଦଶକର ଏହି ଭିତ୍ତିଚିତ୍ରଗୁଡ଼ିକର ଅବସ୍ଥା ସମୟ ସହିତ ଖରାପ ହେଇ ଚାଲିଛି । ତଥାପି ମୂଳ ଚିତ୍ରଗୁଡ଼ିକ ଅତ୍ୟନ୍ତ ଯତ୍ନର ସହ ଅଙ୍କାଯାଇ, ଚିତ୍ର ଉପରେ ସୁନ୍ଦର ଭାବେ ଜଉଶାଳର ପ୍ରଲେପ ପ୍ରୟୋଗ କରାଯାଇଛି ତେଣୁ ଆଜି ବି ଚିତ୍ରଗୁଡ଼ିକ ତଟକା ମନେ ହେଉଛି । ଅନେକ ଦୃଷ୍ଟିରୁ ଏଇ ଭିତ୍ତିଚିତ୍ରଗୁଡ଼ିକରେ ନିହିତ ସୁରୁଚିପୂର୍ଣ୍ଣ ରୂପର ମାପଦଣ୍ଡ ପରପିଢ଼ିର ଅର୍ଥାତ ଊନବିଂଶ ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଚିତ୍ର ପରମ୍ପରାକୁ ଆକାର ଦେଇ ଅନୁପ୍ରାଣିତ କରିଆସୁଛି । ବର୍ଣ୍ଣ ପ୍ରୟୋଗକୁ ନେଇ ଗୋଟେ ବ୍ୟତିକ୍ରମ ଦେଖିବାକୁ ମିଳେ, ତାହାହେଲା ହାଲୁକା ଏବଂ ମାଟିଭଳି ପ୍ରତୀତ ହେଉଥିବା ବର୍ଣ୍ଣ ସଂଯୋଜନା, ଯା’ଫଳରେ ଏହି ଚିତ୍ରଗୁଡ଼ିକ ଅପେକ୍ଷାକୃତ ଗମ୍ଭୀର ମନେହେଉଛି । ବଜାରରେ ରଙ୍ଗ ଉପଲବ୍ଧ ହେବା ଆଗରୁ ପୁରୁଣା ପଟଚିତ୍ରରେ ବ୍ୟବହୃତ ବିଭିନ୍ନ ପ୍ରକାରର ହଳଦିଆ ଏବଂ ଗେରୁ ରଙ୍ଗ ସହିତ, ବିଶେଷ ଭାବରେ ଏକ ପ୍ରକାର ଧୂସରିଆ ପଚା (ସବୁଜ), ସମ୍ଭବତଃ ଟେର୍ରା ଭର୍ଡ ବା ଭେରୋନା ଗ୍ରୀନ ରଙ୍ଗର ବ୍ୟବହାର ଯାହା ଅନ୍ୟତ୍ର ପଟଚିତ୍ରମାନଙ୍କରେ ହୋଇନାହିଁ । ପଚା ରଙ୍ଗ ଭଳି ଏଠାରେ ବ୍ୟବହୃତ ନୀଳ ରଙ୍ଗ ମଧ୍ୟ ବିରଳ ଓ ଭିନ୍ନ ଧରଣର, ଦେଖିବାରେ ନିସ୍ତେଜ କିନ୍ତୁ କଳାତ୍ମକ । ବୁଗୁଡ଼ା ଭିତ୍ତିଚିତ୍ରର ବର୍ଣ୍ଣନାଧର୍ମୀ ଚିତ୍ରଗୁଡ଼ିକର ପୃଷ୍ଠଭୂମିରେ ଧଳା ବା ଶଙ୍ଖ - ବନକାର ବ୍ୟବହାର ଏପରି ଅସାଧାରଣ ପରିମାଣରେ କାହିଁକି କରାଯାଇଛି ତାହା ଏବେ ଏକ ପ୍ରଶ୍ନବାଚୀ ହେଇ ରହିଛି । ଏଭଳି ଧୋବ ଫର ଫର ଶଙ୍ଖ - ବନକାର ଏଇ ପୃଷ୍ଠଭୂମିମାନ ଖୁବ ସମ୍ଭବତଃ ତାଳପତ୍ର ଚିତ୍ର ପୋଥିର ନିରପେକ୍ଷ ପୃଷ୍ଠଭୂମି ଦ୍ୱାରା ପ୍ରଭାବିତ ହେଇଥିବ । ହୁଏତ କାହାଣୀକୁ ଅଧିକ ସ୍ପଷ୍ଟ ରୂପେ ଦର୍ଶାଇ ଦେବା ପାଇଁ ଚିତ୍ରକାରମାନେ ଏଭଳି ଶଙ୍ଖ - ବନକାର ପୃଷ୍ଠଭୂମି କଥା ପରିକଳ୍ପନା କରିଥିବେ ।

ଏପରି ମନେହୁଏ ଯେ ଏହି ଚିତ୍ରଗୁଡ଼ିକ ଗୋଟେ ନିୟମିତ, ଶାସ୍ତ୍ରୀୟ ସିଦ୍ଧାନ୍ତ ହିସାବରେ ଯୋଜନାବଦ୍ଧ ଏବଂ ଏହା ନା କେବଳ ପଟଚିତ୍ର ବରଂ ପୋଥିଚିତ୍ର ପାଇଁ ମଧ୍ୟ ଗୋଟେ ମାନଦଣ୍ଡଟିଏ ଗଠନ କରିପାରିଛି ।

ବିରଂଚି ନାରାୟଣ ମନ୍ଦିର ବୁଲା ସାରି ରାତିଟା କେଉଁଠେ ବିତେଇବୁ ବୋଲି ଚିନ୍ତାକଲୁ, ସେଇ ମନ୍ଦିରର ଜଣେ ପୂଜାରୀ ଆମକୁ ନିକଟରେ ଥିବା ବୁଦ୍ଧଖୋଲ ପାହାଡ଼ରେ ଯାଇ ରାତିଟା ରହିଯିବା ପାଇଁ ପରାମର୍ଶ କଲେ । ଆମେ ତାଙ୍କ କଥା ମାନିଲୁ ।

ବୁଦ୍ଧଖୋଲରେ ପହଂଚୁ ପହଂଚୁ ସଂଧ୍ୟା ହେଇଆସୁଥିଲା । ଶୀତ ଥିଲା । ଆମ ପାଖରେ କୌଣସି ଶୀତ ପୋଷାକ ନ ଥିଲା । ପକେଟରେ ବେଶୀ ଟଙ୍କା ମଧ୍ୟ ନ ଥିଲା । ଟିନ୍ଏଜର ଚପଳତା ଥିଲା । ବୁଦ୍ଧଖୋଲ ପାହାଡ଼ ଚଢ଼ି ଉପରକୁ ଗଲାବେଳକୁ ସଂଧ୍ୟା ଆହୁରି ଘନେଇ ଯାଇଥିଲା । ପାହାଡ଼ର ସବା ଉପରେ ଗୋଟେ ଗୁମ୍ଫାରେ ଜଣେ ବାବା ରହୁଥିଲେ । ସେ ବସି ଚିଲମରେ ଗଂଜେଇ ପିଉଥିଲେ । ବାବା ଆମକୁ ବୁଦ୍ଧଖୋଲର ମାହାତ୍ମ୍ୟ କଥା କହିଲେ । ଆମେ ଶୁଣିଲୁ । ଇତି ମଧ୍ୟରେ ରାତି ବଢ଼ିଯାଇଥିଲା । ବାବା ଆମକୁ ସତର୍କ କରାଇ କହିଲେ ଏଠାରେ ଭାଲୁ ବାହାରି ପାରନ୍ତି । ଭାଲୁ କଥା ଶୁଣି ଆମେ ଭୟ କରିଗଲୁ । ବାବା ଆମକୁ କହିଲେ ଭଗବାନଙ୍କୁ ଭରସା କରି ରାତି ବିତାଇ ଦିଅ, କିଛି ହବନି । ବାବାଙ୍କଠୁ ବିଦାୟ ନେଇ ଆମେ ମନ୍ଦିର ପ୍ରାଙ୍ଗଣକୁ ଚାଲି ଆସିଲୁ । ଚାରି ଖମ୍ବ ବିଶିଷ୍ଟ ପ୍ରାଙ୍ଗଣଟିରେ କଂକ୍ରିଟ ଛାତ ଏବଂ ଚଟାଣ ତ ଥିଲା କିନ୍ତୁ ପୂରା କାନ୍ଥ ନ ଥିଲା, ଚାରି ପାଖରେ ଅଳ୍ପ ଉଚ୍ଚର କାନ୍ଥ ଯାହା ବେଢ଼ିଥିଲା । କବାଟ, ଝର୍କା ନ ଥିବା ଏପରି ଖୋଲା ଜାଗାଟି ଦେଖି ଆମର ଭୟ ଆହୁରି ବଢ଼ି ଯାଇଥିଲା । ଆମ ପାଖରେ କେବଳ ଗୋଟେ ବଡ଼ ଚାଦରଟିଏ ଥିଲା । ସେଇ ଚାଦରଟି ନା ଶେଜକୁ ହେଲା ନା ଘୋଡ଼ାଇବାକୁ ହେଲା । ଭାଲୁ ଭୟ ସାଙ୍ଗକୁ ଶୀତ କାକରରେ ରାତିଯାକ ଥରି ଥରି ବିତିଥିଲା । ଭୋରବେଳକୁ ଅଳ୍ପ ସମୟ ଶୋଇଥିଲୁ ଯାହା । ସକାଳୁ ଉଠି ଆମେ ବୁଦ୍ଧଖୋଲର ସଦ୍ୟ ପ୍ରାକୃତିକ ଦୃଶ୍ୟର ଗୋଟିଏ ଜଳରଙ୍ଗ ଚିତ୍ର ଆଙ୍କିଥିଲୁ । ଗାଧୁଆପାଧୁଆ, ଜଳଖିଆପତ୍ର ସାରି ଆମେ ପହଂଚିଥିଲୁ ପୁଣିଥରେ ବିରଂଚି ନାରାୟଣ ମନ୍ଦିର । ସେଠିକା ଭିତ୍ତିଚିତ୍ରରୁ କିଛି କିଛି ଚିତ୍ର ଅଧ୍ୟୟନ କରି ସ୍କେଚ୍ ଖାତାରେ ଆଙ୍କି ଚାଲିଲି । ଆଉ କିଛି ଚିତ୍ରକୁ ବଡ଼ ବଡ଼ ଟ୍ରେସିଂ କାଗଜ ସହାୟତାରେ ଉତ୍ତାରି ପକାଇଲି । ଦୁଇ ତିନି ଘଣ୍ଟା ଲଗାତାର ସ୍କେଚ୍ କରିବାବେଳକୁ ପ୍ରାୟ ଦିନ ଗୋଟାଏ ବାଜି ସାରିଥିଲା । ସେହି ମନ୍ଦିର ବ୍ରାହ୍ମଣମାନେ ଆମ ଚିତ୍ରକର ଆଚରଣକୁ ଲକ୍ଷ୍ୟ କରି ଆମକୁ ମଠର ମଧ୍ୟାହ୍ନ ଭୋଜନ ପାଇଁ ଆମନ୍ତ୍ରଣ କଲେ । ଚିତ୍ର କରି କରି ଥକ୍କାରେ ଆମକୁ ଭୋକ ଲାଗୁଥିଲେ ସୁଦ୍ଧା ଭଦ୍ରାମି ଦୃଷ୍ଟିରୁ ଥରେ ଅଧେ ମନାକଲୁ । ସେମାନେ ପୁନର୍ବାର ଡାକିବାରୁ ଆମେ ବାରଣ୍ଡାରେ ପଡ଼ିଥିବା ସତରଂଜି ଉପରେ ଯାଇ ବସିଲୁ । ବାହାରେ ଦିପହରର ଫର୍ଚ୍ଚା ଖରା ପଡ଼ିଥାଏ । ଖଲିପତ୍ର ପଡ଼ିଲା, ଅନ୍ନ ପ୍ରସାଦ ପରଷାଗଲା । ଅନ୍ନ ସାଙ୍ଗକୁ ଗାଁ ମୁଗ ଡାଲିର ଭଣ ଭଣ ଆଘ୍ରାଣ ଆଜି ବି ମୋ ମନରେ ବଡ଼ ସତେଜ । ମଠ ମନ୍ଦିରର ସାତ୍ତ୍ୱିକ ଆହାର ପ୍ରତି ମୋର ବିଶେଷ ଦୁର୍ବଳତା ସର୍ବଦା ରହିଆସିଛି । ଭୋଜନ ଉପରାନ୍ତେ ଆଉ ଚିତ୍ର କରିବା ପାଇଁ ବସିଲି, ହେଲେ ବିଶେଷ କିଛି ସନ୍ତୋଷଜନକ ଚିତ୍ର ବାହାରିଲା ନାହିଁ ।

ବୁଗୁଡ଼ାରୁ ବିଦାୟ ନେଇ ଆମେ ଫେରିଯାଇଥିଲୁ ପୁରୁଣା ଭୁବନେଶ୍ୱରର ସେଇ ସ୍ୱାଭାବିକ ପରିବେଶ ଭିତରକୁ । ବ୍ରହ୍ମେଶ୍ୱର, ଲିଙ୍ଗରାଜ, ବୈତାଳ, ପରଶୁରାମେଶ୍ୱର ଆଦି ମନ୍ଦିର ଗାତ୍ରରେ ଥିବା ମୋର ଅତି ପ୍ରିୟ ନାୟିକା, ଆଳସୀକନ୍ୟାମାନଙ୍କ ଗୋଲ ଗୋଲ ସ୍ତନଯୁଗଳ, ଅଣ୍ଟାର ଭଙ୍ଗୀମା, ହାତଗୋଡ଼ର ଚଳନ, ମୁହଁର ଠାଣି, କେଶ ବିନ୍ୟାସ, ହସ୍ତ ମୁଦ୍ରା, ପାଦର ତାଳ ଆଦିକୁ ପୁନର୍ବାର ତନ୍ମୟତାର ସହ ଅନୁଧ୍ୟାନ କରିଚାଲିଲି ।

ସହାୟକ ପୁସ୍ତକ ସୂଚୀ:

Williams, Joanna. The Two-Headed Deer: Illustrations of the Ramayana in Orissa. Berkeley: University of California Press. C 1996

Fischer, Eberhard und Pathy, Dinanath. Die Perlenkette dem Geliebten. Zurich: Museum Rietberg. 1990.

Report an Error