ବିକା ଭଙ୍ଗା ଶବ୍ଦର କଥା

କବିତାରେ ଶବ୍ଦ ଗଢିବା ଓ ଭାଙ୍ଗିବା ଓ କବିର ନିୟତି । ଏ ନିର୍ମାଣ ଓ ବିନିର୍ମାଣ ପ୍ରକ୍ରିୟାରେ ଅହରହ ସନ୍ତୁଳିତ କବି ସତ୍ତା ।


ଫଟୋ - ୱିକି କମନ୍ସ

ଶବ୍ଦକୁ ମୁଁ ଭସେଇଲି ଡଙ୍ଗା କରି
ଡଙ୍ଗା ଭାସିଲା ତା ଓଳି ପାଣିରେ
ତା ପୁଅ ଖାଇ ଭସେଇଥିବା
ଟାଇଗର ବିସ୍କୁଟ୍ ଜରି ସାଥିରେ
ବାଘ ଭାରି ନିରୀହ ଲାଗୁଥିଲା ଡଙ୍ଗା ଆଗରେ...

ଶବ୍ଦକୁ ମୁଁ ଉଡ଼େଇଲି ଗୁଡ଼ି କରି
ଗୁଡ଼ି ଉଡ଼ିଲା
ଆଉ ହାତେ ମାତ୍ର ବାକିଥିଲା
ଛୁଇଁଥାନ୍ତା ଆକାଶ
ସେ ଛାଡ଼ିଲା ଦୀର୍ଘଶ୍ୱାସ
ଦୀର୍ଘଶ୍ୱାସକୁ ନେଇ ଉଡ଼ିବା
ଗୁଡ଼ିପକ୍ଷେ ନଥିଲା ସାହାସ...

ଶବ୍ଦକୁ ମୁଁ ବିକିଲି ଭାଙ୍ଗିଲି
ହୃଦୟର ପିଠି ଥାପୁଡ଼େଇ ଆଶ୍ୱାସନା ଦେଲି
ଶବ୍ଦ କହିଲେ ପ୍ରାଣ ହିଁ ବୁଝିଲି ...

ଧରିନିଅ ଶବ୍ଦ ମୋର ଜହ୍ନଟିଏ
ତାକୁ କୋଉ ଆକାଶଟେ ଦେଇ ପାରିଲି
ଓଲଟି ମୁଁ ହୃଦୟର କଥା କହିବା ପାଇଁ
ଜହ୍ନ ଧରି ଶବ୍ଦ ଅଣ୍ଡାଳିଲି...

Report an Error