ବିଦାୟ ବେଳାର ଗୀତ

ଏ କବିତା ବିଦାୟ ବେଳାରେ ଆବାହନର ଏକ ଅପୂର୍ବ କବିତା । ସବୁ ସମ୍ଭାବନାର କାହାଣୀ କହୁଥିବା ଏ ବିଦାୟ ବେଳାର ଗୀତ ।


ଜାଣିଛ !
ଯେତେବେଳେ ଶିରା-ପ୍ରଶିରାରେ ରକ୍ତ ଦୌଡ଼ିବାର ଅନୁଭବ ହୁଏ
ହୃତପିଣ୍ଡର କମ୍ପନ ତୀବ୍ରତର ହୁଏ
ଗୋଟେ ମୁହୂର୍ତ୍ତ ଉଏଁ,
ଠିକ ଗୋଧୂଳି ବେଳାର ସଂଜ ପରି

ଜାଣିଛ !
ଦୁଃଖମାନଙ୍କର ବି ଥାଏ ସ୍ୱାର୍ଥ
ସବୁ ସ୍ୱାର୍ଥ ଯେ ସୁଖକର ଏପରି ଆଦୌ ନୁହେଁ !

ବିଦାୟ ଗୋଟେ ସମୟ ସାପେକ୍ଷ ପ୍ରକ୍ରିୟା
ଯାହାର ଆରମ୍ଭ ଅୟୁତେ ରାତି ଆଗରୁ
ବିଦାୟ ଗୋଟେ ସର୍ବକାଳୀନ ସମ୍ମୋହନ !
ଯାହା ମତେ ପ୍ରଗଲ୍ଭା କରେ
ତୁମର ଅବସ୍ଥିତିରେ

କିଛି କିଛି ବୋଝ ଭାରି ହାଲକା
ଫୁଲକୁ ବୋହିଥିବା ଡେମ୍ଫ ପରି
କିଛି ବୋଝ ସୁଖଦ
ଆଉ କିଛି, ଉଭୟ ବିଷ ଓ ମହୁ !

ସବୁ ଘଟଣାମାନଙ୍କର ଗୋଟେ କାହାଣୀ ଅଛି
ସବୁ କାହାଣୀରେ ସମ୍ଭାବନା ଅଛି
ସେ ସମ୍ଭାବନା ତକ ହିଁ ତମେ !

ପାହାଡ଼ର ଛାତିରେ ଦୁଃଖ ଅଛି
ସୁଖ ତକ ବି ଅଛି
ଅଛି ସେତିକି ମାତ୍ରାରେ ହର୍ଷ ଓ ବିଷାଦ
କ୍ଷୀଣ ସ୍ୱରରେ ଶୁଭୁଥିବା ଗୋଟେ ଗୀତ ଅଛି
ରହିଯାଅ ପ୍ରିୟତମା !

Report an Error