ବିଭୁତି ପଟ୍ଟନାୟକ: ଗୋଟେ ପ୍ରେମକାହାଣୀର ରାଜନୀତି

ଓଡିଆ ବହି ବଜାରରେ ଗୋଟେ ସମୟ ଥିଲା ଯେବେ ଆମେ ଆଖିବୁଜି କହିପାରୁଥିଲୁ ଯେ ବିଭୁତି ପଟ୍ଟନାୟକଙ୍କ ବହି “ବେଷ୍ଟ ସେଲର୍ସ” ବୋଲି । ଆଜି ଇଣ୍ଟରନେଟ ଓ ଇଂରାଜୀ ଉପନ୍ୟାସର ପ୍ରାବଲ୍ୟ ସମୟରେ ଏଇ ପ୍ରଜନ୍ମର କେହି ସେ ସମୟର ବିଭୁତି ପଟ୍ଟନାୟକଙ୍କ କ୍ରେଜ କଥା କଳ୍ପନା କରିପାରିବ ନାହିଁ ।


ଫଟୋ - କେଦାର ମିଶ୍ର

ପ୍ରେମରେ ପଡିବା ସେ ଆମକୁ ଶିଖାଇଥିଲେ । ଜୀବନ ଯେ ଏକ ପ୍ରେମକାହାଣୀ, ସେକଥା ଆମେ ତାଙ୍କ ଉପନ୍ୟାସ ପଢି ଜାଣୁଥିଲୁ । ଏପ୍ରିଲ ଖରାର ଦିପହର ହେଉ କି ନିଦ ଆସୁନଥିବା ଡିସେମ୍ବରର ରାତି, ଭାଙ୍ଗିଯାଇଥିବା ହୃଦୟର ଯନ୍ତ୍ରଣା ହେଉ କି ଟିକେ ସ୍ଵପ୍ନରେ କୁରୁଳି ଉଠୁଥିବା ସମୟ - ସବୁଠି ଆମେ ତାଙ୍କୁ ଭେଟୁଥିଲୁ । ପ୍ରେମ କହିଲେ ତାଙ୍କ ଉପନ୍ୟାସର ଅକ୍ଷର ଓ ତାଙ୍କ ଚରିତ୍ରମାନଙ୍କ କଥୋପକଥନ ଇ ଥିଲା । ଆମ ପାଇଁ ସେତକ ଥିଲା ଯୌବନର ଖୋରାକି । ଗଭୀର ଭାବରେ ପ୍ରେମରେ ବୁଡି ରହି ନିରନ୍ତର ତାଙ୍କୁ ପଢିବା ଥିଲା ଆମ ସମୟର ଏକମାତ୍ର ମନୋରଞ୍ଜନ । ଆମର ନିଛାଟିଆ ଯୌବନରେ ସେ ଥିଲେ ଏକମାତ୍ର ସବୁଜ ଚାରଣଭୂମି । ଆମେ ତାଙ୍କ ଉପନ୍ୟାସର ପାଠକ ନଥିଲୁ, ଥିଲୁ ତାଙ୍କ ଉପନ୍ୟାସକୁ ପିଇ ଯାଉଥିବା ତୃଷାର୍ତ୍ତ ପ୍ରେମିକ ।

ଗତ ଶତାବ୍ଦୀର ଷାଠିଏରୁ ନବେ ଦଶକ ଥିଲା ଆମ ସମୟର ସବୁଠୁ ଧିମା, ବିରକ୍ତିଭରା ଓ ବିଫଳତାର ସମୟ । ସ୍ଵାଧୀନତା ପରର ସ୍ଵପ୍ନଭଙ୍ଗ ସେଇ ସମୟରେ ସବୁଠୁ ବେଶୀ ଭୀଷଣ ଲାଗୁଥିଲା । ସମୟ ସରୁନଥିବାର ସେ ଦିନମାନଙ୍କରେ ଆମ ପାଖରେ ଅଧିକ କିଛି ନଥିଲା, ଯାହାକୁ ନେଇ ଆମେ ସମୟ କାଟିପାରିବୁ । ସେ ଥିଲା କଳାଧଳା ଟେଲିଭିଜନ ଏବଂ ସରକାରୀ ରେଡିଓର ଏକଚାଟିଆ ଯୁଗ । ସିଗନାଲ୍ ଆସୁନଥିବା ସେ କଳାଧଳା ଟେଲିଭିଜନରେ ଆମକୁ ଦୃଶ୍ୟ ଅପେକ୍ଷା ଶୂନ୍ୟତା ଦିଶୁଥିଲା ବେଶୀ । ରେଡିଓରେ ବାଜୁଥିବା ଗୀତରୁ ଅନେକ ଆମ ପାଇଁ ଦୁର୍ବୋଧ୍ୟ ଓ ଅପହଞ୍ଚ ଥିଲା । ଆମେ ବିଲକୁଲ ବିସମିଲ୍ଲା ଖାନ କି ରବିଶଙ୍କରଙ୍କୁ ବୁଝିବା ଅବସ୍ଥାରେ ସେବେ ନଥିଲୁ । ଆମ ସହରମାନଙ୍କରେ ବହୁତ କମ୍ ସିନେମା ହଲ୍ ଥିଲା ଯେଉଁଠାରେ ଜଣେ ବଲିଉଡ୍ ସିନେମା ଦେଖିପାରିବ । ଆମେ ନର୍ଗିସ କି ବୈଜୟନ୍ତିମାଳା, ରେଖା କି ହେମାମାଳିନୀଙ୍କ ଆଖିରେ ହଜିଯିବାକୁ ବେଶ ଭୟ କରୁଥିଲୁ କାରଣ ସେମାନେ ଆମଠୁ ବେଶ ଭାସମାନ ଦୂରତାରେ ଚମକୁଥିଲେ ।

ସେଇ ସମୟର ଅଧିକାଂଶ ଯୁବକ ଯୁବତୀ ପ୍ରେମ କରିବାକୁ ଚାହୁଁଥିଲେ, ହେଲେ ସଭିଏଁ ଥିଲେ ଡରକୁଳା । କଲେଜ ପରିସରରେ ପ୍ରେମ ବିଷୟରେ ଚିନ୍ତା କରିବା ସବୁଠାରୁ ବଡ ସାହସିକତା ଥିଲା । ସବୁ ଯୁବକ ଓ ଯୁବତୀ ଏମିତି ଗୋଟେ ଦ୍ବୀପରେ ରହୁଥିଲେ ଯେଉଁଠି ପ୍ରେମ ଦିଶୁଥିଲା, ହେଲେ ପ୍ରେମିକ କି ପ୍ରେମିକା ହେବାର ସାହସ କାହା ପାଖରେ ନଥିଲା । ପ୍ରେମ ଥିଲା ଦୂରନ୍ତ, ରହସ୍ୟମୟ ଓ ଅସାଧ୍ୟ । ପ୍ରେମିକା ପାଖକୁ ଚିଠି ଲେଖିବା ପାଇଁ ଦରକାର ହେଉଥିଲା ହିମାଳୟ ଲଙ୍ଘିବାର ସାହସ । ଚିଠି ଲେଖିବାକୁ ସେତେବେଳେ ଗୋଟେ ବହି ଥିଲା, ଯାହାକୁ ସମସ୍ତେ ତକିଆ ତଳେ ଲୁଚାଇ ରଖୁଥିଲେ । ସବୁ ପ୍ରେମପତ୍ରରେ ସେ ବହିର କିଛି ଧାଡି ଅବଶ୍ୟ ରହୁଥିଲା । ସବୁ ପ୍ରେମପତ୍ରର ସେ ରେଫରେନ୍ସକୁ ଆମେ ଜାଣିଥିଲୁ ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସ “ପ୍ରେମିକା” ବୋଲି ।

ସେହି ମନ୍ଥର ଏବଂ ବିରକ୍ତିକର ସମୟରେ ବିଭୁତି ପଟ୍ଟନାୟକ ଥିଲେ ଆମର ପ୍ରଥମ ଏବଂ ଶେଷ ସାନ୍ତ୍ଵନା । ସେ ଆମ ଜୀବନକୁ ଏକ ପ୍ରେମ ଗୀତ ପରି ପଶି ଆସୁଥିଲେ । ତାଙ୍କ ଉପନ୍ୟାସର ଚରିତ୍ରମାନେ ଆମ ଭିତରୁ ଜଣେ ଜଣେ ଥିଲେ, ହେଲେ ସେମାନଙ୍କୁ ଚିହ୍ନିବା ଆମ ପାଇଁ ସହଜ ହେଉନଥିଲା । ସେମାନେ ଆମ ପରି ଦେଖାଯାଉଥିଲେ ହେଲେ ସେମାନେ ଆସୁଥିଲେ ସ୍ୱପ୍ନର ଦୂର ଦେଶରୁ । ବିଭୁତି ପଟ୍ଟନାୟକ ଗୋପନରେ ତାଙ୍କ ସମୟର ପାଠକମାନଙ୍କୁ ପ୍ରେମପତ୍ର ଲେଖିବାର ଗୋପନ କଳାଟି ଶିଖାଇଥିଲେ । ତାଙ୍କ ଉପନ୍ୟାସ ପଢୁ ପଢୁ ସାଇକଲ ରିକ୍ସାରେ ବସି ପ୍ରେମିକାର ଦେହକୁ ଲାଗି ଆମେ ରେଭେନ୍ସା କଲେଜର କ୍ୟାମ୍ପସ ଭିତରକୁ ପଶି ଆସୁଥିଲୁ । ପ୍ରେମ ଓ ପ୍ରେମିକା କହିଲେ ବାସ ସେଇ, ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସ ।

ତିରିଶ ବର୍ଷ ଧରି ଓଡିଶାର ଲୋକପ୍ରିୟ ସାହିତ୍ୟରେ ସେ ଥିଲେ ସମ୍ରାଟ । ତାଙ୍କର “ପ୍ରେମିକା”, “ବଧୂ ନିରୂପମା”, “ନାୟିକାର ନାମ ଶ୍ରାବଣୀ”, “ଚପଳଛନ୍ଦା” ଏବଂ ଅନ୍ୟାନ୍ୟ ଉପନ୍ୟାସଗୁଡ଼ିକ ବଜାରରେ ପ୍ରଚୁର ଭାବରେ ବିକ୍ରି ହେଉଥିଲା । ହଁ, ଓଡିଆ ବହି ବଜାରରେ ଗୋଟେ ସମୟ ଥିଲା ଯେବେ ଆମେ ଆଖିବୁଜି କହିପାରୁଥିଲୁ ଯେ ବିଭୁତି ପଟ୍ଟନାୟକଙ୍କ ବହି “ବେଷ୍ଟ ସେଲର୍ସ” ବୋଲି । ଆଜି ଇଣ୍ଟରନେଟ ଓ ଇଂରାଜୀ ଉପନ୍ୟାସର ପ୍ରାବଲ୍ୟ ସମୟରେ ଏଇ ପ୍ରଜନ୍ମର କେହି ସେ ସମୟର ବିଭୁତି ପଟ୍ଟନାୟକଙ୍କ କ୍ରେଜ୍ କଥା କଳ୍ପନା କରିପାରିବ ନାହିଁ । ସେତେବେଳେ ସେ ପ୍ରତ୍ୟେକ ଓଡିଆ ଘରେ ଏବଂ ହୃଦୟରେ ଘର କରି ରହିଥିଲେ । କାହ୍ନୁଚରଣ ମହାନ୍ତିଙ୍କ ପରେ ଲୋକପ୍ରିୟ ଉପନ୍ୟାସର ସେ ଥିଲେ ସର୍ବଶ୍ରେଷ୍ଠ ନାୟକ ।

ତେବେ ସବୁଠୁ ମଜାର କଥା ହେଉଛି ପ୍ରେମ ଓ ରୋମାନ୍ସକୁ ନେଇ ସବୁଠୁ ଅଧିକ ଲୋକପ୍ରିୟ ଉପନ୍ୟାସ ଲେଖିଥିବା ବିଭୁତି ପଟ୍ଟନାୟକ ମୁଖ୍ୟତଃ ନିଜକୁ ଜଣେ ରାଜନୈତିକ କର୍ମୀ ଭାବରେ ପରିଚିତ କରାଇଥାନ୍ତି । ଯୌବନରେ ଦୀର୍ଘ ବର୍ଷ ଧରି ସେ ସମାଜବାଦୀ ପାର୍ଟିର ଜଣେ ରାଜନୈତିକ କର୍ମକର୍ତ୍ତା ରହିଥିଲେ । ସେ ସମାଜବାଦୀ ଚିନ୍ତାଧାରା ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇଥିଲେ ଏବଂ ସାରଙ୍ଗଧର ଦାସ ଏବଂ ପ୍ରିୟନାଥ ଦେଙ୍କ ପରି ଆଗଧାଡିର ସମାଜବାଦୀଙ୍କ ଦ୍ୱାରା ଉଦବୁଦ୍ଧ ହୋଇ ଓଡିଶାର ବିଭିନ୍ନ ରାଜନୈତିକ ସଂଗ୍ରାମରେ ସାମିଲ ହୋଇଥିଲେ । ତାଙ୍କର ରାଜନୈତିକ ସକ୍ରିୟତା ଏବଂ ସାହିତ୍ୟିକ ରୋମାଣ୍ଟିସିଜମ କେମିତି ଯେ ପରସ୍ପରର ହାତ ଧରି ଚାଲନ୍ତି, ସେଇଟା ବେଶ ବିସ୍ମୟକର । ସମାନ୍ତରାଳ ଭାବରେ ତାଙ୍କର ରାଜନୀତି ଓ ପ୍ରେମ ବାଟ ଚାଲୁଥାନ୍ତି । ଆମେ କହିପାରିବା ଯେ ସେ ତାଙ୍କ ସମୟର ଜଟିଳତା ଏବଂ ବିରୋଧାଭାସର ପ୍ରତୀକ ବା ପ୍ରତିନିଧି ଥିଲେ । ଜଣେ ସଚେତନ ରାଜନୈତିକ କର୍ମୀ ଭାବରେ ସେ ସେହି ଯୁଗରେ ସ୍ୱାଧୀନତାର ସ୍ୱପ୍ନ ମରି ଯାଉଥିବାର ଯନ୍ତ୍ରଣା ଭୋଗି ଗଭୀର ଆଘାତ ପାଉଥିଲେ ଏବଂ ହୃଦୟ ଭାଙ୍ଗିବାର ସେ ଯନ୍ତ୍ରଣାରୁ ମୁକୁଳିବାକୁ ପ୍ରେମର ଆଶ୍ରୟ ନେଉଥିଲେ | ଜଣେ ଲେଖକ ଭାବରେ ସେ ସ୍ୱପ୍ନଦ୍ରଷ୍ଟା ଏବଂ ଆଶାବାଦୀ ଥିଲେ । ମଧ୍ୟବିତ୍ତ ଓଡିଆ ଜୀବନର ସ୍ଵପ୍ନ, ସଙ୍ଘାତ ଏବଂ ଅସୁରକ୍ଷାର ଭାବନାକୁ ନେଇ ସେ ନିରନ୍ତର ଲେଖିଛନ୍ତି । ତାଙ୍କ ଚରିତ୍ରମାନେ ହୁଏତ ବିପ୍ଳବୀ ହେଉ ହେଉ ପ୍ରେମିକ ପାଲଟି ଯାଇଛନ୍ତି କିମ୍ବା ପ୍ରେମ ଭିତରେ ବିଦ୍ରୋହ ରଚନା କରୁ କରୁ ସଂସାରୀ ପାଲଟି ଯାଇଛନ୍ତି ।

୮୫ ବର୍ଷ ବୟସରେ ସେ ଜଣେ ଔପନ୍ୟାସିକ, ସ୍ତମ୍ଭକାର, ସମାଲୋଚକ, ସମ୍ପାଦକ, ରାଜନୀତି ସମୀକ୍ଷକ ତଥା ସଂଗଠକ ଭାବରେ ସକ୍ରିୟ ଅଛନ୍ତି । ସେ ତାଙ୍କ ସମୟର ସର୍ବୋତ୍ତମ ସାହିତ୍ୟ ସମ୍ପାଦକମାନଙ୍କ ମଧ୍ୟରୁ ଥିଲେ ଅନ୍ୟତମ ଏବଂ ତାଙ୍କର ପତ୍ରିକା “ଗଳ୍ପ” ଓଡିଆ କ୍ଷୁଦ୍ରଗଳ୍ପଗୁଡ଼ିକର ସର୍ବୋତ୍ତମ ପ୍ରକାଶନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସେ ଭୁବନେଶ୍ୱର ପୁସ୍ତକ ମେଳା ଆୟୋଜକ କମିଟିର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ । ଆମ ସମୟର ଅନ୍ୟତମ ଲୋକପ୍ରିୟ ଲେଖକ ଭାବରେ ତାଙ୍କର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ ।

Report an Error