ଭାରତ ମାତାଙ୍କ ଚିତ୍ର

ଭାରତ ମାତା ଛବି କେବଳ ଅବନୀନ୍ଦ୍ରନାଥଙ୍କ ଜୀବନର ଶ୍ରେଷ୍ଠ ରାଜନୈତିକ ଓ ଜାତୀୟତାବାଦୀ ଛବି ନଥିଲା ବରଂ ସେ ସମୟର ଶ୍ରେଷ୍ଠ ଛବି ଥିଲା । ଭାରତୀୟ ଧାରାରେ ଭାରତୀୟ ବିଷୟକୁ ନେଇ ଭାରତୀୟମାନଙ୍କୁ ଏକଜୁଟ କରିପାରିବାର ସାମର୍ଥ୍ୟ ରଖି ପାରିଥିବା ଏକ ଚର୍ଚ୍ଚିତ ଛବି ଥିଲା ।


ଫଟୋ - ୱିକିପିଡିଆ

ବଙ୍କିମଚନ୍ଦ୍ର ଚାଟାର୍ଜିଙ୍କର 'ଆନନ୍ଦ ମଠ' ବହି ୧୮୮୦ ମସିହାରେ ପ୍ରକାଶିତ ହେଲା । ୧୭୭୦ ମସିହାର ବଙ୍ଗ ଦୁର୍ଭିକ୍ଷର ପ୍ରେକ୍ଷାପଟ୍ଟରେ ବଙ୍କିମଚନ୍ଦ୍ର ଏ ଉପନ୍ୟାସକୁ ରଚନା କରିଥିଲେ । ଏଇ ବହିରେ ହିଁ ପ୍ରଥମ କରି ସ୍ପଷ୍ଟ ଭାବରେ ଏକ ଭୌଗୋଳିକ ଭୂଖଣ୍ଡକୁ ଭାରତ ମାତା ଭାବରେ ବର୍ଣ୍ଣନା କରାଯାଇଥିଲା । ଯେଉଁଥିରେ ଲେଖାଥିବା 'ବନ୍ଦେ ମାତରମ୍' କବିତା ମନ୍ତ୍ର ପରି ସାରା ଦେଶରେ ଉଚ୍ଚାରଣ କରାଯାଇଥିଲା । ବଙ୍କିମଚନ୍ଦ୍ର 'ବନ୍ଦେ ମାତରମ୍' କବିତାଟି ୧୮୭୫ ମସିହାରେ ଲେଖିଥିଲେ ଓ ପରେ "ଆନନ୍ଦ ମଠ" ବହିରେ ସ୍ଥାନିତ କରିଥିଲେ । କିରଣ ଚନ୍ଦ୍ର ବନ୍ଦୋପାଧ୍ୟାୟଙ୍କ 'ଭାରତ ମାତା' ନାମକ ଏକ ନାଟକ ୧୮୭୩ରେ ମଞ୍ଚସ୍ଥ ହୋଇଥିଲା । ପୃଷ୍ଠଭୂମି ଥିଲା ସେଇ ଏକା ବଙ୍ଗ ପ୍ରଦେଶର ଭୟଙ୍କର ଦୁର୍ଭିକ୍ଷ ।

ପରାଧୀନ ଭାରତର ତତ୍କାଳୀନ ଭାଇସରାୟ ଲର୍ଡ କର୍ଜନ୍ ଧର୍ମକୁ ଆଧାର କରି ୧୯ ଜୁଲାଇ ୧୯୦୫ ମସିହାରେ ବଙ୍ଗ ପ୍ରଦେଶକୁ ଭାଙ୍ଗି ଦୁଇ ଭାଗ କରିଦେଲେ । ପୂର୍ବ ପଟରେ ମୁଖ୍ୟତଃ ମୁସଲମାନ ରହିଲେ ଓ ପଶ୍ଚିମ ପଟରେ ରହିଲେ ହିନ୍ଦୁ । ଧର୍ମକୁ ଆଧାର କରି ଏମିତି ପ୍ରଦେଶକୁ ଭାଙ୍ଗି ପକାଇବାକୁ ଜାତୀୟତାବାଦୀ ଭାରତୀୟମାନେ ସହଜରେ ଗ୍ରହଣ କରିନଥିଲେ । ଆରମ୍ଭ ହେଲା ସ୍ଵଦେଶୀ ଆନ୍ଦୋଳନ ।

'ଭାରତବର୍ଷ' ଧାରଣାଟି ଊନବିଂଶ ଶତାବ୍ଦୀରେ ହିଁ 'ଭାରତ ମାତା' କୁ ବଦଳିଛି । ଭାରତ ମାତା ଧାରଣା ସାହିତ୍ୟରେ ଓ ଚିନ୍ତନରେ ସିନା ଆସିଗଲା, କିନ୍ତୁ ତା'ର ରୂପ କେମିତିକା ହେବ ? ଭାରତ ମାତାଙ୍କୁ ଚିତ୍ରରେ ପ୍ରଥମ କରି ଆଣିଥିଲେ ଅବନୀନ୍ଦ୍ରନାଥ । ପ୍ରକୃତରେ ଅବନୀନ୍ଦ୍ରନାଥ ବଙ୍ଗ ବିଭାଜନ ଓ ଭାରତୀୟ ସ୍ୱଦେଶୀ ଆନ୍ଦୋଳନର ପ୍ରେକ୍ଷାପଟ୍ଟରେ ହିଁ 'ବଙ୍ଗମାତା' ଓରଫ୍ 'ଭାରତ ମାତା'ଙ୍କ ଛବି ଆଙ୍କିଛନ୍ତି । ଛବିଟିକୁ ଭଗିନୀ ନିବେଦିତା ଦେଖିଲା ପରେ ବୁଝିପାରିଥିଲେ ଏ ଛବିଟି ପ୍ରକୃତରେ ଭାରତ ମାତାଙ୍କ ଛବି ହେବାକୁ ପ୍ରଯୁଜ୍ୟ । ଭାରତୀୟଙ୍କୁ ଭାରତ ମାତାର ସନ୍ତାନ ଭାବରେ ଅନୁଭବ ନେଇ ଏକାଠି ହେବାକୁ ସୁଯୋଗ ଗୋଟିଏ ଆସିଲା । ଭଗିନୀ ନିବେଦିତା 'ଦି ମଡର୍ଣ୍ଣ ରିଭ୍ୟୁ' ପତ୍ରିକାରେ ପ୍ରକାଶିତ ତାଙ୍କର 'ଦି ଫାଉଣ୍ଡେସନ୍ ଅଫ୍ ଆର୍ଟ ଇନ୍‌ ସେପିଙ୍ଗ୍ ନେସନାଲିଟି' ଶୀର୍ଷକ ଏକ ପ୍ରବନ୍ଧରେ ଏହି ଛବି ବିଷୟରେ ଉଲ୍ଲେଖ କରିଥିଲେ । ସେ ହିଁ ଇଚ୍ଛା କରିଥିଲେ ଛବିଟିକୁ ହଜାର ହଜାର ସଂଖ୍ୟାରେ ଛପାଯାଉ ଓ କନ୍ୟାକୁମାରୀରୁ କେଦାରନାଥ ପର୍ଯ୍ୟନ୍ତ ଭାରତର ପ୍ରତିଟି କୃଷକର କାନ୍ଥରେ ଲଗାଯାଉ । ଛବିଟିକୁ ଅବନୀନ୍ଦ୍ରନାଥ ଆଙ୍କିବାର ଚାରି ବର୍ଷ ପରେ ତାହା ସାରା ଭାରତରେ ପରିଚିତ ଓ ପ୍ରସିଦ୍ଧ ହୋଇଯାଇଥିଲା । ସ୍ଵଦେଶୀ ଆନ୍ଦୋଳନକାରୀମାନେ 'ଭାରତ ମାତା କି ଜୟ' ବୋଲି ସ୍ଲୋଗାନ୍ ଦେଇ ଛବିକୁ ପୋଷ୍ଟର୍ ଭାବରେ ବ୍ୟବହାର କରି ପ୍ରୋସେସନ୍‌ରେ ବାହାରିଲେ । ଭାରତକୁ ଜଣେ ନୂଆ ଦେବୀ ରୂପରେ ଭାରତ ମାତାଙ୍କ ରୂପ ମିଳିଯାଇଥିଲା । ବଙ୍ଗଭାଗକୁ ସେତେବେଳେ ଉଭୟେ ହିନ୍ଦୁ ଓ ମୁସଲମାନ ବିରୋଧ କରିଥିଲେ କିନ୍ତୁ ଅବନୀନ୍ଦ୍ରଙ୍କର ବଙ୍ଗମାତା ଛବିରେ ଜଣେ ହିନ୍ଦୁ ସାଧ୍ବୀଙ୍କର ଛବି ଥିଲା । ଭାରତୀୟ ଜାତୀୟତାବାଦକୁ ଏଇଠି ହିନ୍ଦୁ ରଙ୍ଗରେ ରଙ୍ଗାଯାଇଥିଲା । ଏହାପରେ ଭାରତବର୍ଷକୁ ମାଆ ଭାବରେ ସାରା ଭାରତରେ ପ୍ରଚାର ପ୍ରସାର କରାଗଲା । ଭାରତ ମାତାର ଧାରଣା ଦକ୍ଷିଣରେ କବି ସୁବ୍ରମଣ୍ୟମ ଭାରତୀ ପ୍ରଚାର କଲେ । ତାଙ୍କ ଦ୍ୱାରା ପ୍ରକାଶିତ ପତ୍ରିକା 'ବିଜୟ'ର ୧୯୦୯ର ଏକ ସଂଖ୍ୟାରେ ଭାରତ ମାତାଙ୍କ ଏକ ଛବି ଛପା ହୋଇଥିଲା । ଅବଶ୍ୟ ସେ ଅବନୀନ୍ଦ୍ରନାଥଙ୍କ ଭାରତ ମାତା ଛବିକୁ ବ୍ୟବହାର କରିନଥିଲେ । ବମ୍ବେ ଓ ପଞ୍ଜାବ ପଟରେ ଲୋକମାନ୍ୟ ତିଲକ ଓ ଲାଲା ଲାଜପତ୍ ରାୟ ପ୍ରମୁଖ ଭାରତ ମାତାର ଧାରଣା ଲୋକମାନଙ୍କ ମନରେ ଭରିଦେଲେ । ଏହାର କିଛିବର୍ଷ ପରେ, ୧୯୧୮ ମସିହାରେ ବନାରସଠାରେ ଭାରତ ମାତାଙ୍କ ନାମରେ ଏକ ମନ୍ଦିର ପ୍ରତିଷ୍ଠା କରାଗଲା । ସର୍ଦ୍ଦାର ପଟେଲ ଓ ଖାନ୍‌ ଅବଦୁଲ୍ ଗଫର୍ ଖାନ୍‌ଙ୍କ ପରି ନେତାଙ୍କ ଗହଣରେ ମହାତ୍ମା ଗାନ୍ଧୀ ସେ ମନ୍ଦିରକୁ ଉଦ୍‌ଘାଟନ କରିଥିଲେ । କାଶୀ ବିଦ୍ୟାପୀଠଠାରେ ଏବେ ସେ ମନ୍ଦିର ରହିଛି । ମନ୍ଦିରରେ ମାର୍ବଲରେ ଖୋଦେଇ ହୋଇ ଏକ ମାନଚିତ୍ର ରହିଛି । ପରବର୍ତ୍ତୀ ସମୟରେ ଭାରତର ଆଉ କିଛି ସ୍ଥାନରେ ଭାରତ ମାତାଙ୍କ ମନ୍ଦିର ସବୁ ପ୍ରତିଷ୍ଠା ହେଲା । ଅନ୍ୟ  ଚିତ୍ରଶିଳ୍ପୀମାନେ ସେମାନଙ୍କ ବୁଦ୍ଧି ଓ ଜ୍ଞାନ ଲଗାଇ ଭାରତ ମାତାଙ୍କ ନୂଆ ଛବିସବୁ ଆଙ୍କିଲେ । ଲେବଲ୍ ଛପା ହେଉଥିବା ଓ ଲିଥୋଗ୍ରାଫି ପ୍ରେସ୍‌ ମାନଙ୍କରେ କେତେ ପ୍ରକାର ଭାରତ ମାତା ଥିବା ଲେବଲ୍ ବିଭିନ୍ନ ଦ୍ରବ୍ୟରେ ମରାଯାଇ ବଜାରକୁ ଆସିଲା । ୧୯୪୦ ମସିହାରେ ଛପା ଏକ ପୋଷ୍ଟରରେ ଭାରତ ମାତାଙ୍କ କୋଳରେ ମହାତ୍ମା ଗାନ୍ଧୀ ବସିଥିବାର ଚିତ୍ର ରହିଛି । ପରେ କେବଳ ଗାନ୍ଧୀ କାହିଁକି ବରଂ ସେ ସମୟର ଜାତୀୟସ୍ତରର ପ୍ରାୟ ନେତାଙ୍କର ଛବି ଭାରତ ମାତାଙ୍କ ସହ ଅଙ୍କା ହୋଇଥିଲା । ଏକ ପୋଷ୍ଟରରେ ସୁଭାଷ ବୋଷ ଆପଣା ମୁଣ୍ଡ କାଟି ଭାରତ ମାତାଙ୍କର ପାଦତଳେ ଭେଟି ଦେଉଥିବାର ଛବି ଥିଲା ।

ଅବନୀନ୍ଦ୍ରନାଥଙ୍କ ଭାରତ ମାତା ଗେରୁଆ ରଙ୍ଗର ଶାଢୀ ପିନ୍ଧିଛନ୍ତି । ତାଙ୍କର ଚାରୋଟି ହାତ ଅଛି । ଚାରିହାତରେ ଅଛି ଯାଥାକ୍ରମେ ପୋଥି, ଶସ୍ୟକେଣ୍ଡା, ଧଳା କପଡା ଓ ରୁଦ୍ରାକ୍ଷର ଜପାମାଳା । ଭାରତ ମାତା ଛବିକୁ ଅବନୀନ୍ଦ୍ରନାଥ ଜଳ ରଙ୍ଗରେ ଧୌତ ଶୈଳୀରେ ଅଙ୍କନ କରିଥିଲେ । ଜଣେ ଭାରତୀୟ ନାରୀର ଚାରି ଗୋଟି ହାତ ଅଙ୍କନ କରି ଓ ତାଙ୍କୁ ଗେରୁଆ ବସ୍ତ୍ର ପରିଧାନ କରାଇ ଶିଳ୍ପୀ ସେଥିରେ ଦେବତ୍ଵ ଆରୋପଣ କରିଛନ୍ତି । ମାଆ ଦୁର୍ଗାଙ୍କର ଦ୍ଵିଭୁଜା ମୂର୍ତ୍ତିଠାରୁ ଚର୍ତୁଭୁଜା, ଷଡଭୁଜା, ଅଷ୍ଟଭୁଜା ଓ ଦଶଭୁଜା ମୂର୍ତ୍ତି ଭାରତରେ ଦେଖିବାକୁ ମିଳେ । ସବୁ ହାତରେ କିଛିନା କିଛି ଆୟୁଧ ଥାଏ । ଏଠି ମଧ୍ୟ ଅବନୀନ୍ଦ୍ରନାଥ ଭାରତ ମାତାଙ୍କ ଚାରି ହାତରେ ଚାରୋଟି ଦ୍ରବ୍ୟ ଧରାଇଛନ୍ତି । ଉର୍ଦ୍ଧ୍ବକୁ ଥିବା ଡାହାଣ ହାତରେ ମାଆ ଧରିଛନ୍ତି ଶୁକ୍ଳ ବର୍ଣ୍ଣର ଲୁଗା । ଏଇଠି ଆମକୁ ମନେ ରଖିବାକୁ ହେବ, ବଙ୍ଗ ପ୍ରଦେଶ ହସ୍ତତନ୍ତ ପାଇଁ ପ୍ରସିଦ୍ଧ ଥିଲା ଓ ଅବନୀନ୍ଦ୍ରନାଥ ଏହି ଛବିକୁ ପ୍ରଥମେ ବଙ୍ଗମାତା ଭାବରେ ଅଙ୍କନ କରିଥିଲେ । ତେଣୁ ଧଳା ରଙ୍ଗର କପଡା ସେହି ପରମ୍ପରାକୁ ପ୍ରତିନିଧିତ୍ଵ କରୁଥାଇପାରେ । ଧଳା ରଙ୍ଗ ଶାନ୍ତି ଓ ପବିତ୍ରତାର ପ୍ରତୀକ ମଧ୍ୟ । ଡାହାଣ ପଟର ତଳକୁ ଥିବା ହାତରେ ସେ ଧରିଛନ୍ତି ରୁଦ୍ରାକ୍ଷର ମାଳା । ହିନ୍ଦୁ ଧର୍ମରେ ରୁଦ୍ରାକ୍ଷର ବହୁଳ ବ୍ୟବହାର ରହିଛି । ବିଶେଷକରି ଶାକ୍ତ ଓ ଶୈବ ଉପାସନା ପରମ୍ପରାରେ ରୁଦ୍ରାକ୍ଷକୁ ଖୁବ୍ ପବିତ୍ର ବୋଲି ଧରାଯାଏ । ଭାରତୀୟ ସାଧୁ ସନ୍ଥ ରୁଦ୍ରାକ୍ଷର ମାଳା ପରିଧାନ କରନ୍ତି । ରୁଦ୍ରାକ୍ଷର ମାଳା ଧରି ଜପ - ତପ କରନ୍ତି । ଭାରତ ମାତା ବାମପଟର ଉପରକୁ ଥିବା ହାତରେ ଧରିଛନ୍ତି ଖେଦାଏ ପୋଥି । ପୋଥି ଜ୍ଞାନର ପ୍ରତୀକ । ମହାନ ଭାରତୀୟ ଗ୍ରନ୍ଥମାନଙ୍କର ବିଷୟରେ ଏଠି ସୂଚନା ଦିଆଯାଇଛି । ୧୯୦୫ବେଳକୁ କଲିକତା ସହରରେ ପ୍ରେସ୍‌ ସ୍ଥାପନ ହେଇ କାଗଜ ବହି ପ୍ରକାଶ ପାଇବା ପୁରୁଣା କଥା ହେଲାଣି । ଏଠି ଅବନୀନ୍ଦ୍ରନାଥ କିନ୍ତୁ କୌଣସି ପ୍ରେସ୍‌ ଛପା ବହି ମାଆଙ୍କ ହାତରେ ଧରାଇ ନାହାଁନ୍ତି । ପ୍ରାଚୀନ ଭାରତର ମୌଳିକ ଜ୍ଞାନ ବିଷୟରେ ଦର୍ଶାଇବାକୁ ହୁଏତ ପୋଥିର ଖେଦା ଧରେଇଛନ୍ତି । ବାମପଟର ତଳ ଆଡକୁ ଝୁଲିଥିବା ହାତରେ ମାଆ ଧାନକେଣ୍ଡାଏ ଧରିଛନ୍ତି । ଭାରତୀୟ କୃଷି, କୃଷକ ଓ ଖାଦ୍ୟର ଏହା ପ୍ରତିନିଧିତ୍ୱ କରେ । ଦେଶ ମାତୃକାକୁ ମା' ବୋଲି ଗ୍ରହଣ କରିବାର ଯୁକ୍ତି ସବୁ ଏ ଚିତ୍ରରେ ପ୍ରଦାନ କରାଯାଇଛି । ମଥାରେ ସିନ୍ଦୁର, ବେକରେ ମାଳା, ମୁଣ୍ଡ ପଛରେ ଆଭା ମଣ୍ଡଳ, ପାଦ ପାଖରେ ପ୍ରସ୍ଫୁଟିତ କେତୋଟି କମଳର ଉପସ୍ଥିତି । ଛବିରେ ବର୍ଣ୍ଣିତ ସମୟ ଯେମିତି ଉଷାକାଳ ବା ସୂର୍ଯ୍ୟ ଉଦୟର ସମୟ । ଚତୁର୍ଦ୍ଦିଗ ସ୍ୱର୍ଣ୍ଣାଭ କାନ୍ତିରେ ଝଟକୁଛି । ଅବନୀନ୍ଦ୍ରନାଥଙ୍କ ଭାରତ ମାତା ଛବି ଦେଖିଲେ ମନେ ହେଉଛି ନବଯୌବନା ସାଧ୍ଵୀ ରୂପିଣୀ ଗୈରିକବସନା ଭାରତ ମାତା, ତା'ର ସନ୍ତାନମାନଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ବିଦ୍ୟା ଓ ଆଧ୍ୟାତ୍ମିକ ଶକ୍ତି ସହ ଦଣ୍ଡାୟମାନା । ଗୋଟିଏ ଧାଡିରେ କହିଲେ ଦେଶ ପାଇଁ ଦରକାର ଶିକ୍ଷା, ଦୀକ୍ଷା, ଅନ୍ନ ଓ ବସ୍ତ୍ର ଯୋଗାଇ ଦେବାକୁ ମା'ଙ୍କ ଆବିର୍ଭାବ । ପରାଧୀନ ଭାରତର ବିପନ୍ନ ସନ୍ତାନଙ୍କୁ କେବଳ ଭାରତ ମାତା ହିଁ ଭରସା । ପରବର୍ତ୍ତୀ କ୍ୟାଲେଣ୍ଡର ଛବିରେ ଓ କିଛି ହିନ୍ଦୁତ୍ଵବାଦୀ ସଂଗଠନ ଏବଂ ରାଜନୈତିକ ଦଳଙ୍କ ଦ୍ୱାରା ପ୍ରଚାରିତ ଭାରତ ମାତାଙ୍କ ଛବିରେ ଭାରତର ବର୍ଦ୍ଧିତ ଓ ଇପ୍ସିତ ମାନଚିତ୍ର ରହିଛି ତାହା ଅବନୀନ୍ଦ୍ରନାଥଙ୍କ ଭାରତ ମାତାଙ୍କ ଛବିରେ ଅନୁପସ୍ଥିତ । ପରେ ଅଖଣ୍ଡ ଭାରତର ମାନଚିତ୍ର ସହ ସିଂହ ଓ ହାତରେ ଜାତୀୟ ପତାକା ଧରିଥିବା ଭାରତ ମାତା ଭାରତରେ ଲୋକପ୍ରିୟ ହୋଇଛନ୍ତି । କିଛି ପୋଷ୍ଟରରେ ଭାରତ ମାତା ଦକ୍ଷିଣ ଭାରତୀୟ ନାରୀ ରୂପରେ ପ୍ରର୍ଯ୍ୟାପ୍ତ ସୁନା ଅଳଙ୍କାରରେ ମଣ୍ଡିତା ।

ଅବନୀନ୍ଦ୍ରନାଥ ତାଙ୍କ ଛବିରେ ମୋଗଲ୍ ମିନିଏଚର୍, ପାହାଡ଼ୀ ମିନିଏଚର୍, ଜାପାନୀ ଧୌତ ଶୈଳୀ ସହ ବିଦେଶୀ ଓ ଦେଶୀ ବର୍ଣ୍ଣର ବ୍ୟବହାର କରିଛନ୍ତି । କୁହାଯାଏ ଜଣେ ବଙ୍ଗୀୟ ମହିଳା ପରି ପ୍ରତେ ଭାରତ ମାତାଙ୍କ ଛବି ପାଇଁ ସେ ତାଙ୍କ ଝିଅର ମୁହଁକୁ ମନେପକାଇ ଏହି ଛବିଟି ଆଙ୍କିଥିଲେ ।   ୨୦୧୬ ମସିହାରେ ଭାରତ ମାତା ଛବି କଲିକତାର ଭିକ୍ଟୋରିଆ ମେମୋରିଆଲ୍ ହଲରେ ଅବନୀନ୍ଦ୍ରନାଥଙ୍କ ଅନ୍ୟାନ୍ଯ ଛବିମାନଙ୍କ ସହ ପ୍ରଦର୍ଶିତ ହୋଇଥିଲା । ରବିନ୍ଦ୍ର ଭାରତୀ ସୋସାଇଟି ଓ ଭିକ୍ଟୋରିଆ ମେମୋରିଆଲ୍ ହଲ୍ ମିଳିତ ଭାବରେ ଶିଳ୍ପୀଙ୍କ ୧୨୩ଟି ଛବିର ପ୍ରଦର୍ଶନ କରିଥିଲେ, ଯେଉଁଥିରେ ପ୍ରଖ୍ୟାତ 'ଭାରତ ମାତା' ଛବି ବି ସାମିଲ ଥିଲା ଓ ମୂଳ ଛବି ଅନେକ ବର୍ଷ ପରେ ଲୋକଲୋଚନକୁ ଆସିଥିଲା ।

ଭାରତ ମାତା ଛବି କେବଳ ଅବନୀନ୍ଦ୍ରନାଥଙ୍କ ଜୀବନର ଶ୍ରେଷ୍ଠ ରାଜନୈତିକ ଓ ଜାତୀୟତାବାଦୀ ଛବି ନଥିଲା ବରଂ ସେ ସମୟର ଶ୍ରେଷ୍ଠ ଛବି ଥିଲା । ଭାରତୀୟ ଧାରାରେ ଭାରତୀୟ ବିଷୟକୁ ନେଇ ଭାରତୀୟମାନଙ୍କୁ ଏକଜୁଟ କରିପାରିବାର ସାମର୍ଥ୍ୟ ରଖି ପାରିଥିବା ଏକ ଚର୍ଚ୍ଚିତ ଛବି ଥିଲା । ଅବନୀନ୍ଦ୍ରନାଥଙ୍କ ପାଖରୁ ଭାରତ ମାତାଙ୍କ ଛବି ଆରମ୍ଭ ହୋଇଥିଲେ ମଧ୍ୟ ଅନେକ ତାଙ୍କ ସୌମ୍ୟ ଦର୍ଶନା 'ଭାରତ ମାତା' ଛବି ସହ ଆଜି ପରିଚିତ ନୁହଁନ୍ତି । ଦେଶ ବଦଳୁଛି । ସମୟ ଓ ପରିସ୍ଥିତିର ଦାୟରେ ଅନେକ କିଛି ବଦଳିଲା ପରି, ଭାରତ ମାତାଙ୍କ ରୂପ ବି ଏ ଭିତରେ ବଦଳି ସାରିଲାଣି ।

Report an Error