ଖରାଦିନ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ଖରାଦିନ ଆସିଗଲା, ଏଣିକି
ସାଧିବାକୁ ହେବ
ମଧ୍ୟାହ୍ନ - ସୂର୍ଯ୍ୟର ହଜାର ଆଖିରୁ
ବୁଂଦା ବୁଂଦା ଜ୍ୟୋତ୍ସ୍ନା ଝରାଇବାର ମଂତ୍ର...

ଏଥର ଭୋଗିବାକୁ ପଡ଼ିବ ପ୍ରବଳ
କଷଣ ଆଉ ମହାସୁହ,
କୁଂଜର ମଳୟ ମରୁର ଝାଂଜି
ମେରୁର ବରଫ - ବତାସ ଏବେ
ଗୋଳିଆମିଶା ହେବେ କୋରଡ଼ ଭିତରେ...

ପକ୍ଷୀର ଦୃଷ୍ଟିରେ ଦିଶୁଛି
ଦେହ ଆଁ କରି ଧକଉଛି ଟେଳାଏ ମାଟି
ମଲା ଲୋକର ଆଖି ପରି
ତରାଟି ରହିଛି ଦିଗଂତ,
ଭୁବନେଶ୍ଵରର ଠାଏ ଠାଏ ହୁଏତ
ଲାଲ୍ ହସରେ ଲହଲହ ହେଲାଣି କୃଷ୍ଣଚୂଡ଼ା,
ଅଣ - ସାବାଳକ ପ୍ରେମିକକୁ ଦେଖ
ଆଇସକ୍ରିମ୍ ଆଣି ଯାଚୁଚି, ବିଚରା,
ଧଳା - ଗରମ୍ ବାଳିକା ଫଁ ଫଁ ହେଉଛି ରାଗରେ...

ଖରାଦିନ ଆସିଗଲା, ମୁକୁଳାଇ ଦିଅ ପିଠିରେ
ଛାଟିଦିଅ କେଶର ପ୍ରବାହ,
ଚଂଦନ - ଆଉ - କସ୍ତୂରୀର ଶୀତଳ - ବାଷ୍ପଶେଯ ଭିତରେ
ଶୋଇଯାଅ ଏଥର ନିଜର ପବିତ୍ର ନଗ୍ନତାକୁ ନିଜେ
କୋଳେଇ ଧରି...

ଖରାଦିନ କହିଲେ ଖରାଦିନ କ'ଣ
ବୁଝି ହୋଇଯାଏ...

ବସଂତ ବୋଲି ଋତୁ କେବଳ
ପୁରୁଣା କବିତାରେ ମିଳେ, ପୃଥ୍ଵୀରେ
ପ୍ରତ୍ୟେକ ଦିନ ଖରାଦିନ,
ହୁଏତ
ପାତାଳ କ୍ଷଣିକ କୁହୁଡ଼ି ପରି ଥରେ ଥରେ
ବର୍ଷା ଶରତ ହେମଂତ ଶୀତ
ଛୁଇଁ ଛୁଇଁ ଯାଆଂତି ଯାହାକୁ
ତାହା ଗ୍ରୀଷ୍ମ:
ଶାଶ୍ଵତ ଆଉ ପରମ...

ଖରାଦିନ ଆସିଗଲା, ଏଣିକି
ମାୟା - ମହିମାରେ
ଶହେ ଯୋଜନ ଦୂରରେ ମୁହଁ ବାହୁ ମନ ପ୍ରାଣ ଟେକି
ଠିଆ ହୋଇଥିବା ଡେଂଗୀ ରଜନୀଗଂଧାର
ମହକ ପାଇବାର ସୁଖ ମିଳିଯିବ ହୁଏତ...

ରକ୍ତର ଅନ୍ତର୍ଗତି ସହିତ ଜଂଗମ ନିଆଁର ସୂକ୍ଷ୍ମଚଳନ
ଯୋଡ଼ି ରଖିବାକୁ ହେବ ଏଥର
ବଉଳି ରହିବାର ପୁଲକ ଭିତରେ,
ଅଥଚ ପୋଛିଦବାକୁ ହେବ ଲିଭାଇଦେବାକୁ ହେବ
ଉଚ୍ଚାଟିତ ଶାଗୁଆ ରୋମାବଳୀ...

ଖରାଦିନ ଆସିଗଲା, ଏଣିକି
ଶୀତଳତମ ବିଂଦୁରେ ସଂପାଦି ରଖିବାକୁ ହେବ
ନିଆଁମୁଂଡା ଜୀବନ - ଟେଳାକୁ
ଜୀବନର ରହସ୍ୟ - ବୀଜକୁ
ବୀଜଗର୍ଭର କେଂଦ୍ରଭାବକୁ,
ସାଧିବାକୁ ହେବ ଏବେ ଏଇ ବୟସରେ
ନିଶାର୍ଧ ଜହ୍ନରାତିରେ ପାଣିଖରା - ଇଂଦ୍ରଧନୁକୁ
ଶୁଭ୍ରତମ ଜ୍ୟୋତ୍ସ୍ନା ସହିତ
ଖେଳାଖେଳି କରାଇବାର ମଂତ୍ର...

କେଉଁଠି କଟିବ ଏଥର ଖରାଛୁଟି ତୁମର
(ଅଖରାଦିନ ଆସିବ ?)
କଥା ଦିଅ, ଶୀଘ୍ର ଫେରିଆସିବ...

ଖରାଦିନ ଆସିଗଲା, ଏଣିକି
ହଳଦୀ ମଖାମଖି ସରିଲେ
ବଦଳି ହେବ ନାରଣଗଡ଼କୁ
ସଚିବାଳୟ ସାରା ଗୁଜ୍ଜବ୍ ରଟିବ...

ଖରାଦିନ ଥିଲା, ଖରାଦିନ ଆସିଗଲା, ଏଣିକି
ଖରାଦିନ ବଂଚିବାକୁ ହେବ
ଖରାଦିନ ମରିବାକୁ ହେବ...

ଖରାଦିନ ଆସିଗଲା, ଏଣିକି
ସାଧିବାକୁ ହେବ
ଶୂନ୍ୟର ଉପାଦାନରେ ତୁମକୁ
ଗଢ଼ି ଜୀଆଁଇ ପାରିବାର ମଂତ୍ର...

ଖରାଦିନ ଆସିଗଲା, ଏଣିକି...

Report an Error