ପିଲାଦିନକୁ ଫେରିଯାଇ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ପିଲାଦିନକୁ ଫେରିଯାଇ
ଦିହେଁ ଯଦି ଖେଳି ପାରଂତେ
ଅବିରାମ
ଦୋଳି ଲୁଚକାଳି...
ଭୁଂଜଂତେ ଗୋଡ଼ିବାଲିର ଅନ୍ନ ତିଅଣ
ପାଣି ସୁଅରେ ଛାଡ଼ି ଦିଅଂତେ
କାଗଜର ତରୀ...

ଗଢ଼ଂତେ ଭାଂଗଂତେ
ପୁଣି ଗଢ଼ିବାରେ ମାତି ଯାଂତେ ଦିହେଁ
ଲକ୍ଷଲକ୍ଷ ବାଲିଘର ଖାଲି...
ନାଚି ନାଚି ମାଡ଼ି ଆସଂତେ
ନାଚି ନାଚି ଲେଉଟି ଯାଂତେ
ମଧୁର ଗର୍ଜନ କରି
ଲହଡ଼ିର ଯୋଡ଼ି...

ପିଲାଦିନକୁ ଫେରିଗଲେ ତୁମ ପାଇଁ ମୁଁ ତୋଳି ଆଣଂତି
ସବୁଠୁ ମିଠା କୋଳି...
ପବନ ଶୁଣାଇଯାଂତା ଥରିଥରି
ଖାସ୍ ତମ ପାଇଁ ତାର
ନିଦମୟ ଲୋରି...

ନୀଳକାଳିରେ ଆଂକଂତି ମୁଁ
ନିଦେଈର ନାକ ତଳେ ଦୁଇ ଗାଲରେ
ନିଶ ଆଉ ଦାଢ଼ି...

ସବୁ ଦିଅଁ ସବୁ ଦେବୀ
ଗଂଧର୍ବ ଯକ୍ଷ କିନ୍ନର ମଣିଷଠୁ କୀଟ ଯାଏ
ହସି ଉଠଂତେ ତାଳି ମାରି ମାରି...
ନକ୍ଷତ୍ର ଗ୍ରହ ପର୍ବତ ପ୍ରପାତ ଓ ନଦୀ
ଗଛଲତା ପଥର ପାଉଁଶ
ସଭିଏଁ ହସି ଉଠଂତେ ଉଲ୍ଲାସରେ ଭରି...

ପିଲାଦିନକୁ ଫେରି ଯାଇ
ଦିହେଁ ଯଦି ସାଂଗ ହୁଅଂତେ
ବେଳେବେଳେ ହୁଅଂତା ବି କଳି...
ଜଣେ କହଂତା: ହାତୀ ଦେବିରେ ଘୋଡ଼ା ଦେବି
ବଜେଇ ଦେ ଏ ମୋର ପେଁକାଳି...
ଆରଜଣକ: ଆଜି ନୁହେଁ କାଲି...
ଏଇ 'କଟି' ତ ଏଇ 'ମିଟି'
ନାଭିଠାରୁ ନଭଯାଏ ଘାରଂତା କସ୍ତୂରି...

ଇଂଦ୍ରଧନୁର ଓଦା ରଂଗରେ
ସ୍ନାହାନ କରଂତା ତମର ଧଳା ହଂସ
ନାଦର ସନନନରେ
ମହାନୀରବତା ମୋର ଉଠଂତା ଶିହରି...
ପିଲାଦିନକୁ ଫେରିଯାଇ ଦିହେଁ ଯଦି
ଏକା ସାଂଗେ ଯୁବକାଳ ପାଇ
ରିଆଜ୍ କରଂତେ ଥରେ ଯୁଗଳବନ୍ଦୀରେ
ମୁହାଁମୁହିଁ ଉଭା ହୁଅଂତେ
ସାକ୍ଷାତ୍ ଶ୍ରୀହରି...

Report an Error