ପ୍ରତିଥର ନୂଆ ମୁହଁ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ପ୍ରତିଥର ମୁଁ ନକ୍ କରେ ଭୁଲ ଦରଜାରେ
ଖୋଜେ ଜଣକୁ,
ଭେଟେ ଅନ୍ୟ କାହାକୁ ।

ବାବନାଭୂତ ପରି ମୁଁ ଗାଁ ଗାଁ ନଗର ନଗର
ସାହି ସାହି ଗଳି ଗଳିରେ,
କବାଟ ଫାଂକରେ ଉଂକି ମାରେ,
ପ୍ରତିଥର ନୂଆ ନୂଆ ମୁହଁ
ନକ୍ କଲେ ଦରଜା ଖୋଲିଲେ ।

ପ୍ରତି ଥର ନୂଆ ମୁହଁ,
ଦ୍ଵିତୀୟ ଥର ମୁଁ ଦେଖେନା କୌଣସି ମୁହଁକୁ
କୌଣସି ଠିକଣାରେ ।

ଜନବସତିରେ ମତେ ଯେମିତି ବଣ ଘେରିଯାଏ,
କୁଂଜ ଉହାଡ଼ରେ ଦିଶେ ଦରଆଉଜା ପଥରକବାଟ -
ଖୋଲିଗଲେ ଗୁଂଫା:
ପୁନର୍ବାର ନୂଆ ମୁହଁଟିଏ ।

ଗୋରା କଳା ଲାଲ ଶାଗୁଆ ନୀଳ ହଳଦିଆ
କେତେବେଳେ ସିଂଦୂରିତ ଦିଅଁ-ଦିଅଁ...
କେତେବେଳେ କଷି-କଷି ନିଅ-ନିଅ...
କେତେବେଳେ ପରିଣତ କେବେ ସୁକୁମାର...
ସବୁବେଳେ ପର-ପର ଦୂର-ଦୂର
ଦ୍ଵାର ଫାଂକରେ ମୁହଁ ଆଉ
ସେ ମୁହଁରେ ମୃଦୁ କୌତୂହଳ ।

ଏହିପରି ବଣା ହୋଇ ରହିଥିଲେ କେତେ ସୁଖ !
ଗୋଟାଏ ନଜର, ବାସ୍, କେତେ ସୁଖ, କେତେ ସୁଖ !
ଏହିପରି ବଣା ହେଲେ
କିଏ ଫେରିଯିବ ଆଉ ପ୍ରସିଦ୍ଧ ପରିଚୟର ଯାତନାକୁ
ଆପଣା ସଂସାରର ଶତ୍ରୁ ଶିବିରକୁ ?

ଅଜଣାର ସଂଗେ କେବେ ଶତ୍ରୁତା କି ହୋଇପାରେ ?
କ୍ଷଣକର ପୂର୍ବରାଗରେ
ଆରଂଭ ଓ ଶେଷ !

ତାରା ଆଉ ଫୁଲ ଆଉ ଗୋଡ଼ି ଆଉ ମଂଜି ମୁଠାଇ
ମୁଁ ଯେମିତି ବିଂଚି ପକାଉଛି
ଜନପଥ ରାଜପଥ ଗଳି ଆଉ ଗୋହିରି ପଥରେ...
ଯେମିତି ମୋର ଛାଇ ପଡ଼ୁନି ଆଉ
ଶୂନ୍ୟରେ ଭୂମିରେ...

ଏ କଥା ବି ସଂଭବ ଯେ ମୁଁ ଆଉ ନାହିଁ ଏଠି
ଇହ ଜୀବନରେ,
କେବଳ ମୋର ଥରକର ନକ୍
ବର୍ଷ ବର୍ଷ ବର୍ଷ ଧରି
ନକ୍ କରି କରି ଚାଲିଛି ପ୍ରତିଧ୍ଵନି ପରି
ଏ ଦରଜା ସେ ଦରଜା -
ଅସୁମାରି ବଂଦ ଦରଜାରେ !

Report an Error