ଇତିହାସ ଜାଣେ ଯାହା ସେ ଜାଣେନା

ରାଜେନ୍ଦ୍ରୀୟ କାବ୍ୟଶୈଳୀରେ ଭାବ ଓ ରସର ବିପୁଳତା ଆପଣମାନେ ଦେଖୁଛନ୍ତି । "ଭାବ ରାଜେନ୍ଦ୍ର" ସେ ବିପୁଳତାର ସୃଜନ ପସରା ।


କାଲି ଏଡ଼େ କଥା ଘଟିଚି
ଇତିହାସ ଜାଣେନା ।

ଗଣିତ ତ ଜନ୍ମାଂଧ
ଏପରିକି ସାହିତ୍ୟ
ଆଉ ଦର୍ଶନ ବି ଅପାରଗ
ଅସଲକୁ ଅନୁଭବିବାରେ ।

ବ୍ୟାକରଣ ବାହାରେ ବିରାଜେ
ମହାସୂତ୍ର
ହଯବରଳ ।
ଆସଂତାକାଲି ବଶଂବଦ ନୁହେଁ
କୌଣସି ଗଣକର ।

ଆମେ କଣ ତଉଲିବାକୁ ଯିବା
ଛଂଚାଣ ଆଉ କପୋତକୁ
ଆପଣାର ହୃଦୟ ଭିତରେ ?

ହଲଚଲ ହଉଚି ତ
କାହିଁକି ଭଲା ନ ଖେଳିବା
ମିଛିମିଛିକା ସାରା ଜୀବନ
ସକଳ ଖେଳରେ ?

କଟା ମୁଂଡ ଇ ଲୋଡ଼ା କି
ଶୋଇବା ଘର କାଂଥକୁ
ସଜେଇବା ପାଇଁ
ପହଡ଼ କାଳରେ ?

ଇତିହାସ ଭଲପାଏ ଉତ୍ତର
ଭୁଲ ହେଉକି ଠିକ୍ ହେଉ
ସରଳ ପ୍ରଶ୍ନର;
ଘୃଣା କରେ, ଆଡ଼େଇଦିଏ ଠିକଣା ଉତ୍ତର
କଠିନ ପ୍ରଶ୍ନର ।

ମୁକ୍ତିର ଇତିହାସ ଯେମିତି
ମଝିରାତିଆ ଘତହୀନ ଖେଳ:
ଏକ ମୋହନ - ଉଦ୍ଭାବନ
ନିରୀହ ଶିଶୁଶିଳ୍ପୀର
ଆଡ଼ବାୟା ବୁଢ଼ା - ବିଜ୍ଞାନୀର ।

ଇତିହାସ ଜାଣେ
ଯାହା ସେ ଜାଣେନା
ତାହା ଏକ ଅନ୍ୟ ଇତିହାସ
ଲିଖନ କର୍ମର ବାହାରେ ।
ଯାହା ଆଡ଼େଇ ଦେଇ ପାରୁନ
ମୁଦ୍ରଣ - ଦୋଷ କି ମଣିଷ - ଭ୍ରମ ବୋଲି
ଅଜାଡ଼ିଦିଅ
ଇତିହାସର ଖେଚୁଡ଼ିରେ ।

ଗତକାଲି
ସତରେ କିଛି ଘଟିଚି
ଘଟି ପାରିଚି
କୋଉଠି ନା କୋଉଠି ?

ହେଲା, ହେଲା,
ତୁମେ ଯେମିତି କୁହ,
ଇତିହାସ ତ ଜନ୍ମଗଧ
ତୁମେ ତ ନିଶ୍ଚେ ଜାଣିଥିବ
ସବଜାନତା ତୁମେ -
ହଁ, ତୁମେ ।

କାଲି କିଛି ଘଟିଚି,
କିଛି ଘଟିଚି ପରା ?
କହିଲ ଦେଖି,
କଣ ଘଟିଛି ?

Report an Error