ପ୍ରସ୍ତୁତି

ରାଜେନ୍ଦ୍ରୀୟ କାବ୍ୟଶୈଳୀରେ ଭାବ ଓ ରସର ବିପୁଳତା ଆପଣମାନେ ଦେଖୁଛନ୍ତି । "ଭାବ ରାଜେନ୍ଦ୍ର" ସେ ବିପୁଳତାର ସୃଜନ ପସରା ।


କର୍ପୂର ଓ ମୃଗମଦ
ଚଂପା ମଲ୍ଲୀ ରଜନୀଗଂଧା
କ୍ଷୀର ମଧୁ ସୁଗଂଧ - ମଦିରା
ବିଂଚିଦିଅ
ପାଉଁଶଢଂକା ଯୁଦ୍ଧ ପଡ଼ିଆରେ,
ବାସଂତୀ ବହିବ ଏବେ
ବତାସୀ ବେଶରେ

କୁଂଭାର ଯେପରି କରେ କୁଶଳୀ ହାତରେ
କଟା ମୁଂଡର ବୀଭତ୍ସ ଭଂଗୀକୁ
ମୁରୁକେଇ ଦିଅ ଏଥର - ଚମୂପତି, ଋଷି ଓ ରାଜନ
ଏବେ ତ ବିଜେ କରିବେ
ସରଜମିନ୍ ପରିଦର୍ଶନରେ

ସିଂହାରି ବେଶରେ ସାଜ
ହଂତା ସମୂହକୁ,
ପାରିବ ତ ତାପସ ଭେକରେ

ସୌଦାଗର ବି ହୁଏତ
ଆସିଯିବ ହିସାବୀ ହାଟରୁ,
ମୂଲ୍ୟ - ସୂଚୀରେ ବୃଦ୍ଧି କରିଦିଅ,
ହାଡ଼ ଧାତୁ ମାଂସଶସ
ଭିନେ ଭିନେ କରି ରଖ
ପାଉଁଶ କୁଢ଼ରୁ

ନାଶ କର ଅରଣି କାଠ ଚକମକି ପଥର,
ଆକାଶକୁ ନିର୍ବିଜୁଳି କର
ଗିରିମାନଂକୁ ଚିରନିର୍ବାପିତ -
ବଜ୍ଜାତ୍ ନିଆଁ ଜଳିଯିବ
କାଳେ କେଉଁ ବିଧବା ଅଂଟିରେ

ହଲଚଲ କରନା ବେଶି
ପାଉଁଶ ସ୍ତରକୁ,
ନୀଳ ଓ ଶାଗୁଆ କାଳି ଇଡ଼ିଦିଅ
ମହାପ୍ରାଂତରରେ

ସାବଧାନ, ଲୋଭ କରନା,
ମୁଦି ଚିହ୍ନଟ କରନା
ନିଶ୍ଚିହ୍ନ ହେବାକୁ ଥିବା
ଶବ ଆଂଗୁଠିରୁ, ନଚେତ୍
ଅଭିଶାପ ଗ୍ରାସି ରହିବ
ବାକି ଜୀବନରେ