ଦାଗ

ରାଜେନ୍ଦ୍ରୀୟ କାବ୍ୟଶୈଳୀରେ ଭାବ ଓ ରସର ବିପୁଳତା ଆପଣମାନେ ଦେଖୁଛନ୍ତି । "ଭାବ ରାଜେନ୍ଦ୍ର" ସେ ବିପୁଳତାର ସୃଜନ ପସରା ।


ଗୋଟାଏ ଘା' ଚିହ୍ନ ପଛରେ ରହିଛି
ପ୍ରାଣୀଜଗତର ଇତିହାସ
ଯୁଦ୍ଧର, ପ୍ରେମର ।

ଖାଲି ଜାଗା ଭର୍ତ୍ତି ହେବାର
ଭିନେ ଭିନେ ବାଗ ଥାଏ ତ,
ଆଖି ପାଏନା
ହେଜିପାରେନା ଜନସ୍ମୃତି,
ଚାଖଂଡକ ଭୂଇଁ ଭିତରେ
ଭୂକଂପ ଦୁଲୁକୁଥାଏ
ଅନବରତ ।

ବାଣୀ ଉଭୟରେ ଥିଲେ ବି
ଅଭିଶାପ ଫଳିଯାଏ ସହସା
ଶାପଦା ଦେବୀର କଟାକ୍ଷରେ,
ବରଦାନର ଫଳଶ୍ରୁତି
ବେଳେବେଳେ ମନ୍ଵଂତର ଲୋଡ଼େ ।

କରୁଣ ରସ ହିଁ ବହିଯାଉଥାଏ
ଲୁହ ଝାଳ ଶୋଣିତ କ୍ଷୀର ଓ ବୀର୍ଯ୍ୟରେ
ନଈରେ, ନଈ-ବାହାର ସ୍ଥଳଭାଗରେ
ଦୃଶ୍ୟ ଅଦୃଶ୍ୟ ଭେଦରେ ।

ଅୟୁତ ଅୟୁତ ବର୍ଷର ପୁରୁଣା ଛୁରୀ
ମାଟି ଖୋଳୁ ଖୋଳୁ ବାହାରେ
ସଦ୍ୟ ଶାଣଦିଆ ପରି ଧାରୁଆ,
ବେଳେବେଳେ ପିଚପିଚ୍ କ୍ଷରୁଥାଏ ରକ୍ତ ।

ସଂଘାତ ଯାହା ଆଘାତ ତାହା
ଭେଟାଭେଟି ହେଲାମାତ୍ରେ
ଦୁଇ ପକ୍ଷର ।

ମଣିଷ ହିଁ ଶ୍ରୀବତ୍ସଚିହ୍ନ ପରି ଧାରଣ କରିଥାଏ
ଈଶ୍ଵରଂକର ନିଦାରୁଣ ଲାଂଛନା,
ସାକ୍ଷ୍ୟପ୍ରମାଣ ଅଧିକ ନୁହେଁ ଲୋଡ଼ା ।

ମୋଠୁ କିଛି ପ୍ରତ୍ୟାଶା କରନା,
ପ୍ରାର୍ଥନା ହେଉ ବା ବିଦ୍ରୋହର ଗୀତ
କିଛି ଲିଭାଇପାରେନା
ମହା ଅପରାଧର ଓଦା ଦାଗ ।।

Report an Error