ଜନ୍ମ ରହସ୍ୟ

ରାଜେନ୍ଦ୍ରୀୟ କାବ୍ୟଶୈଳୀରେ ଭାବ ଓ ରସର ବିପୁଳତା ଆପଣମାନେ ଦେଖୁଛନ୍ତି । "ଭାବ ରାଜେନ୍ଦ୍ର" ସେ ବିପୁଳତାର ସୃଜନ ପସରା ।


ଏଇ ବଂଶରେ
ଅଂତତଃ ଗଲା ସାତପୁରୁଷ ଧରି
ପ୍ରତି ଛୁଆର କଅଁଳ ଛାତିରୁ
ଅଧଭୁଷା ଛୁରୀଟିଏ କାଢ଼ିବାକୁ ପଡ଼ୁଛି
ଜନ୍ମିଲା ପରେ ପରେ ।

ସହଜ ଏଇ ଶଲ୍ୟକ୍ରିୟାରେ
ରକ୍ତ ମାଂସ ପୂଜ କିଛି ବାହାରୁନି ଯଦିଓ
ଯଦିଓ ଘା' ଚିହ୍ନ ବି ଦାଗି ହେଉନି ଛାତିରେ,
କିଛି କ'ଣ ନିଶ୍ଚେ ରହିଯାଉଚି
ଜିଦିଆ ଜୀବାଣୁ ପରି
ଗହୀର ଭିତରେ ।

ଗୁମର କିଛି ଜଣା ପଡ଼ୁଚି
କୈଶୋରର କଂଟାବାଡ଼ ଲଂଘି
କଂଚାସୁଆଦି ତୋଟାରେ ପହଂଚିବାବେଳେ ।

କିଛି କିଛି ଝାପସା ନୀଳ ସ୍ମୃତି
କିଛି କିଛି ଗୋଲାପୀ ସ୍ଵପ୍ନଛିଟା
କିଛି ଶାଗୁଆ ଯଂତ୍ରଣା
କିଛି କିଛି ଧଳା - ସୁନେଲୀ ଉଲ୍ଲାସ
ଫେଂଟି ହୋଇ ବହଳ, ଟାଣ ହୋଇ
ମହକି ଶିହରାଇ
ନାଦମୁଂଡରୁ ଉପୁଜି
ଶୂଳ ପରି ଉଠୁଚି କେଇ ମୁହୂର୍ତ୍ତ ଛାତିର ସେଇ ନିର୍ଦ୍ଦିଷ୍ଟ ବିଂଦୁରୁ
ଟିପ ବାଜିଗଲେ ଥରେ
ଜାଣତ - ଅଜାଣତରେ
ଶୂନ୍ୟସଂଭବା ଶାବନୀର
ହାତଆଂଗୁଠି ପାଦଆଂଗୁଠିରେ ।

ନାରୀବାଦୀ ସଭିଏଁ
ସଂପାକଟା କରିବେ ତ କରିବେ,
ମୁଁ ବି ଛିଛିକାର କରୁଚି
ଏମିତି ବଂଶଲକ୍ଷଣକୁ ।

ତଥାପି ଏଇ ବଂଶରେ
ସାତପୁରୁଷ ଏମିତି ଚାଲିଛି,
କ୍ରମାଗତ ଚାଲିଚି...

ଶୂକରମୁହାଁ ପୁଅଟେ
ପ୍ରତିଥର ଭିଆଣ ହେଉଚି
ତାର ଛାତିରୁ
ଦରଭୁଷା ଛୁରୀଟିଏ କଢ଼ାହେଉଚି,
ଭୁଷାଣ ଦାଗ ଲିଭିଯାଉଚି,
କୈଶୋର ସରୁ ସରୁ ତା'ର
କେଜାଣି କୁଆଡ଼ୁ ଆସି
ଶାବନୀଟିଏ ଛୁଇଁଦଉଚି,
ଛୁଇଁ ଦଉଚି ତ ଶୂଳ ଉଠୁଚି
ଶୂଳ ଉଠୁଚି ତ ଶୂଳ ଉଠୁଚି...
ଶୂଳ ଉଠୁ ଉଠୁ ହଠାତ୍ ଦିନେ
ପ୍ରାଣବାୟୁଟି ଉଡ଼ିଯାଉଚି...

ବେଳକାଳ ଉଂଡି ପୁଣି
ଶାବନୀ ଗର୍ଭରୁ
ଶୂକରମୁହାଁ ପୁଅଟେ
ଭିଆଣ ହଉଚି...

ଏବେ ଅଷ୍ଟମ ନା ଦଶମ ନା ସସ୍ରତମ
କେଜାଣି କୋଉ ପ୍ରଜନ୍ମ ଚାଲିଛି,
ଏଥର ଗୋଟେ ନୂଆ କଥା ଘଟିଚି ।

ଛୁରୀ ଫୁରୀ ନ ଥାଇ
ଏଇ ମାତ୍ର ଜନ୍ମିଥିବା
ଏ ବଂଶର ସଦ୍ୟତମ ଶିଶୁ
କୁଆଁ କୁଆଁ କରୁନି
ତୁହାକୁତୁହା କହୁଛି: ଅୟମହଂ ଭୋ...
ଅଧା - ଆଲୁଅ ଅଧା - ଅଂଧାର ବଖରାରେ
ଘେରି ବସିଛଂତି ତାକୁ
ସାତ ପୁରୁଷର ସାତଟି ଛାୟାମୂର୍ତ୍ତି
ପଦ୍ମାସନରେ ଯୋଡ଼ହସ୍ତ ଥାଇ
ସ୍ଵାଗତରେ ଉଚ୍ଚାରୁଛଂତି
ନମୋନମଃ
ତ୍ଵଂ ସ୍ତ୍ରୀ ତ୍ଵଂ ପୁମାନସି...

Report an Error