ସଂବଂଧ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ଆହୁରି ଚିକ୍କଣ ଆଉ କୋମଳ,
ଚିତ୍ରିତ ଆଉ ଶୀତଳ ହୋଇ
ସାପ
ପିଚ୍ଛିଳି ବୁଲୁ ଅଗଣାରେ, ଠାକୁର ଘରେ,
ଶୋଇବା ଘରେ
ଆହୁରି ଟେକି ହେଉ ଫଣା ତା'ର
ରହସ୍ୟ - ଫୁଫୁକାରରେ,
ବିଷ ନୁହେଁ ଅମୃତ କିଂତୁ ଚରିଯାଂତାନି
ଚରମ ତା'ର ଦଂଶନବେଳେ ?

ଆହୁରି କଳା ଦିଶଂତା ମେଘ,
ଆହୁରି କାଉଁଦା
ଆହୁରି ପ୍ରବଳ ହୁଅଂତେ ଇଂଦ୍ର
ନିଶ୍ଚିତତର ହୁଅଂତା ଲକ୍ଷ୍ୟଭେଦର ପଟୁତା
ଉଦ୍ୟତ ଆକାଶର,
ତୀବ୍ରତର ହୁଅଂତା ମେଘ - ସଂପାତ
ଆହୁରି ଆହୁରି ତେଜରେ
ଝଲସି ଉଠଂତା ବିଜୁଳି,
ଧ୍ଵଂସ ନୁହେଁ ଅଂକୁରାୟନରେ କିଂତୁ
ଫୁଟି ଫଳି ଉଠଂତା ନାଇଁ ମୃତ୍ତିକା
ପ୍ରତ୍ୟେକ ଧାର ବୃଷ୍ଟି ସହିତ
ଗୋଟିଏ ଗୋଟିଏ ବଜ୍ର
କଚାଡ଼ି ହେବାବେଳେ ?

ପ୍ରତି ମୁହୂର୍ତ୍ତ କିଂତୁ - ଆହୁରି ଆହୁରି ଚୋଟଯୋଗ୍ୟ ହୋଇ
ବଢ଼ି ଉଠୁଥିବା ଏଇ ସୌକୁମାର୍ଯ୍ଯ
ଲୋଭେଇ ଆଣେ ଲହ ଲହ ସାପକୁ,
ବହୁଗୁଣ ଚଡ଼କଯୋଗ୍ୟ ହୋଇ
ବିସ୍ତାରି ଯାଉଥିବା ଏଇ ଚିତମୟ ମାଟି
ମହାଚୁଂବକ ପରି ଓଟାରି ଆଣେ
ବଜ୍ରକୁ ।

ବିଷ ଯେତିକି ପ୍ରଖର,
କଂଠ ସେତିକି ହୁଏ ନୀଳ - କାଂତ,
ବଜ୍ର ଯେତିକି କଠୋର,
ମାଟି ସେତିକି ହୁଏ ଆମଂତ୍ରଣମୟ,
ଖେଳ ଓ ଯୁଦ୍ଧର ମିଛିମିଛିକା ଏ ଲୀଳା
ସକ୍ରିୟ ଥିବାବେଳେ ।

ଥରକୁ ଥର ଏମିତି
ଲୁଚି ଲୁଚି ଆସିବାକୁ ହୁଏ ଯାହାକୁ
ବିଲରୁ ରଂଧ୍ରରୁ,
କଚାଡ଼ି ପଡ଼ିବାକୁ ହୁଏ ଯାହାକୁ
ମହାଶୂନ୍ୟର ପ୍ରତିଟି ବିଂଦୁରୁ,
ଦୁଃଖ ତା'ର ଅପ୍ରମିତ,
କେ ବା ସହିପାରେ ?

ଅକୃତ ଦ୍ରୋହ ସ୍ଵୀକାରି
ତେଣୁ ତ ଅମର କବି ଇଚ୍ଛା - ମୃତ୍ୟୁ ଲୋଡ଼େ;
ଅଥଚ କି ଆଚଂବିତ -
ଗଳାରେ ଗୁଡ଼େଇହୁଏ ସୁଂଦରୀ ଭାବନାଗୁଣୀ
ସୁରଧୁନୀ ରୂପେ
ଜଟା ଦେଇ ବଜ୍ର ଝରିପଡ଼େ !!

Report an Error