ଲୀଳାବୃତ୍ତ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ହାତ ଗୋଡ଼ ଅଂଟା ଗ୍ରୀବା
ଅଧର ଆଖି ଚିତ୍ତ
ଶିହରୁ ଥାଏ କାହିଁକି ଏମିତି
ନର୍ତ୍ତକୀର

ତାହା ହିଁ ତାର ଲୀଳାବୃତ୍ତ
ସ୍ଵଭାବ ତାର
ମହାଶୂନ୍ୟ ସହିତ ଖେଳି ରହିଥିବା
ଆପାତ ଚଳପ୍ରତିମା
ସେଇ ତ ନିଜେ ଶୂନ୍ୟକାୟା
ମହାମାୟା

ହଜାରେ କୋଟି ଲୋକ ତା'ର ପରିଧିରେ
ଦର୍ଶକ ବେଶରେ

ଭକ୍ତକବି ଉଚ୍ଚାରଂତି: ମା !
କେଂଦ୍ରବିଂଦୁରୁ ଉଭାନ୍ ହୋଇ ଯା...
ସାଂକୁଡ଼ି ଆସୁଚି ଲୀଳାବୃତ୍ତ
ଆସଂତା ଅଶିଣକୁ ଆଉ
ମିଳିବ ନାଇଁ ଠା'

Report an Error