ଆଉ ଗୋଟିଏ ରମଣୀ

"ଭାବ ରାଜେନ୍ଦ୍ର" କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତାର ଧାରାବାହିକ ପ୍ରକାଶନ । ତାଙ୍କ କବିତାର ବ୍ୟାପ୍ତି ଓ ଗଭୀରତାକୁ ବୃହତ୍ତର ପାଠକ ପାଖରେ ପହଞ୍ଚାଇବାର ଏକ ପ୍ରୟାସ ।


ଏ ନଈ ନୁହେଁ ସେ ନଈ ନୁହେଁ
ଆଉ ଗୋଟିଏ ନଈ ଅଛି କୋଉଠି ଏଇ ଗାଆଁରେ
ଯାହାର କୂଳରେ
ନିର୍ଜନ ଶାଗୁଆପଣରେ ସଂପାଦି ହୋଇ
କୁଂଜଟିଏ ଅଛି

ଏ କୂଳ ନୁହେଁ ସେ କୂଳ ନୁହେଁ
ଆଉ ଗୋଟିଏ କୂଳ ଅଛି ଏଇ ନଈର
ଯୋଉଠି ଥିବା କୁଂଜରେ
ଜୀବଂତ ଲାବଣ୍ୟରେ ସଂପାଦି ହୋଇ
ରମଣୀଟିଏ ଅଛି

ଏ କୁଂଜ ନୁହେଁ ସେ କୁଂଜ ନୁହେଁ
ଆଉ ଗୋଟିଏ କୁଂଜ ଅଛି ଏଇ କୂଳରେ
ଯୋଉଠି ଥିବା ରମଣୀଠାରେ
ସଂପାଦି ହୋଇ
ନଈଟିଏ ଅଛି, ନଈର କୂଳଟିଏ ଅଛି, କୂଳରେ କୁଂଜଟିଏ,
କୁଂଜରେ -

ଏ ରମଣୀ ନୁହେଁ ସେ ରମଣୀ ନୁହେଁ
ଆଉ ଗୋଟିଏ ରମଣୀ ମୋର
ଅଛି ଅଛି ଅଛି !

Report an Error