ଜନ୍ମାୟନ

ଏଇ ମୁଁ ଜନ୍ମୁଛି ଏବେ ପ୍ରତି ମୁହୂର୍ତ୍ତରେ ବୋଲି କହୁଥିବା କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ଆଜି ଜନ୍ମଦିନ । କବିଙ୍କ ଜନ୍ମଦିନରେ "ଭାବ ରାଜେନ୍ଦ୍ର"ର ଏଇ ସ୍ଵତନ୍ତ୍ର ଚୟନ ।


ଏଇ ମୁଁ ଜନ୍ମୁଛି ଏବେ,
ଏଇ ମୁହୂର୍ତ୍ତରେ ?
ବିନା ମାତା ବିନା ପିଅରରେ ?

ରସ ବହଳ ହେଲେ ମାଟି ବୋଲାଏ
ଗାଢ଼ ରଂଗ ଫିକା ହୋଇ, ଉଜ୍ବଳ ହୋଇ ଫଜର ଫାଟିଲେ
ଲଂଗଳା ଅଂଧାରର ନାଆଁ
ସକାଳ - ଆଲୁଅ ?
ଭାସିବା ପହଁରିବା ଗୁରୁଂଡିବା ଆଉ ଧାଇଁବା
ଏକ ଇ ଚଳନର ମୁଦ୍ରା ?

ଦଶ ଦିଗରେ କଅଁଳ କାଂଥର
କଂପୁଥିବା ଧଳାଝୀନ ଘେର ?
ଛୁଇଁବ ଯଦି ଛୁଅଁ
ଭୁଷିବ ଯଦି ଭୁଷି ପାର
ଆପତ୍ତି ନାହିଁ ଆଶଂକା ନାହିଁ...
ଦ୍ଵାରର ଏପାଖ ସେପାଖ:
ଦୁଇ ପାଖ ଏକା,
ବାକି ସବୁ ବାହାଦୁରୀ
ସାହିତ୍ୟ - ମାଷ୍ଟ୍ରଂକର -
ଅସୁର ମଂଜିର ମହାପଲ୍ଲବନ ? ଅତିକଥନ ?
କିଏ ଜାଣେ ମୋର ବି ହୁଏତ
ଦି' ପାଖକୁ ମନ ?

ଦିଗବୃତ୍ତର ସସ୍ରଦିଗରୁ
ନିଜକୁ ନିଜେ ଡାକେ ମୁଁ
ନାଦଶର ମୁଁ ନୀରବେ ଛୁଟାଏ ?
ଟାଣପଥର ଆଁ କରେ
ରକ୍ତ ଆଉ ରସ ସହିତ
ପ୍ରଣବ ଜଗାଏ ?

ତେବେ ?
ଏତେ ଦ୍ଵାର: ସବୁ କଣ ଘର ଭିତରେ ?
ଦାଂଡ ବାଟ ହାଟ ଘାଟ ଖଟ କାଠ
ମିଛରେ ମିଛରେ ?
ଗୋଟିଏ କୁକ୍ଷିର ଦ୍ଵାର ଖୋଲି ଦେଲେ
ପୁନଃପ୍ରବେଶ ବି ସେଇ କୁକ୍ଷିର ଭିତରେ ?

ଏଇ ମୁଁ ଜନ୍ମୁଛି ଏବେ
ପ୍ରତି ମୁହୂର୍ତ୍ତରେ ?
ରସରୁ ରସକୁ ଭାସି ନିରବତାର ଅଶ୍ରୁତ ରାଗରେ ?
ଦ୍ରୁତରେ ବିଳଂବିତରେ
ଆରୋହ ଅବରୋହରେ, ମହାଥଗନରେ ?

ଶମନ ବସିଛି ମୋର ସହସ୍ରାର ଶିଖରରେ―
ସବୁ ଡାକ ସବୁ ନିରବତା
ମାଟି ରକ୍ତ ସକାଳ ସଂଜ
ଏପାଖ ସେପାଖ ଗୁମର
ଘର ଦୁଆର ଗଳି ବିଶ୍ଵ
ତାର କବଳରେ ?

ଜାଣେନା କ'ଣ ପଚାର ?
କିପରି ଦବାକୁ ହୁଏ କୌଣସି ଉତ୍ତର ?
ଏଇ ମୁଁ ଜନ୍ମୁଛି ଦେଖ
ଏଇ ମୁଁ ଜନ୍ମୁଛି ଏବେ ମୁହୁର୍ମୁହୁଃ
ଶୂନ୍ୟ ଅଂଧାର ଚକଟି
କାଳ ଗଢ଼ିଦେଉଥିବା ପିଂଡୁଳା ରୂପରେ ?
ଏଇ ମୁଁ ଜନ୍ମୁଛି ଦେଖ, ଏହିପରି
ଏଇ ମୁହୂର୍ତ୍ତରେ ?

Report an Error