ଇବ୍ ନଦୀର ଠିକଣା

ରାଜେନ୍ଦ୍ରୀୟ କାବ୍ୟଶୈଳୀରେ ଭାବ ଓ ରସର ବିପୁଳତା ଆପଣମାନେ ଦେଖୁଛନ୍ତି । "ଭାବ ରାଜେଂଦ୍ର" ସେ ବିପୁଳତାର ସୃଜନ ପସରା ।


ଫଟୋ - କେଦାର ମିଶ୍ର

ଯିଏ ଯାହା କହୁନା କାହିଁକି
ତରଳର ଭାରି ମନଲୋଭା ଗୁଣ ଥାଏ:
ନିଗିଡ଼ିବା ଛଳଛଳେଇବା
ଟୁବଟୁବ୍ ଫୋଟକା ଫିଟାଇବା
କେତେବେଳେ ଢେଉଢେଉକା ହସିବା ତ
ବେଳେବେଳେ କୁଳକୁଳେଇ
ବହିବହିବହି ବହିଯିବା...
ଥାଏ, ତରଳର ଲକ୍ଷ୍ୟଟିଏ ଥାଏ ।

ଇତିହାସ ତ ନଜିରରେ ଭରପୂର
ତରଳକୁ ସାକ୍ଷୀ କରି
ବସତି ଥାପିବା, ବିହନ ବୁଣିବା
ବଂଶୀ ଫୁଂକିବା, ମଂତୁରିବା
ବଡ଼ବଡ଼ିଆଂକୁ ସଂଖୋଳି ବିଦା କରିଦବା
ମୁଠାଏ ଶାବନା ସ୍ତନରେ କ୍ଷୀରାବଧି ହାଂଦୋଳିବା
ଏପାରି ସେପାରି ହେବା
ଏରକା ଖେଂଚାଖେଂଚି ହୋଇ ନିପାତ ହୋଇଯିବା...

ତରଳ ଯଦି ବାଂଫ ହୋଇ ଉଡ଼ିଯାଏ
ସେଇଟା ବୁଝିହୁଏ ।
ଥଗନ ହେଲେ ବାଧେ ।
ଆଧାର ଆଉ ଆଧେୟ
ଖେଳା କରଂତି ବେଳେବେଳେ
ଆୟତ୍ତ ବାହାରେ ।

ମୁଁ ତ ନୟାଂତ ହୋଇଗଲିଣି
ତରଳର ଅଦଉତିରେ ।
କେଡ଼େ ଅପମାନ, ଦେଖୁନ,
ଆୟୁଷ ବିତିଗଲା ପଛକେ
ନା ଭରି ଦେଇପାରିଲି ଜଳିଯାଉଥିବା ଆଂଜୁଳା
ନା ଯୋଡ଼ିଯାଡ଼ି
ଖଂଡହରର ଭଂଗା ଖପରାକୁଢ଼ରୁ
ସଜାଡ଼ି ଥାପି ଦେଇ ପାରିଲି
ଆବାହନର ମହାକୁଂଭ !

ଯୋବ୍ରାରେ ଥରେ
ସିରିଂଜ୍ ଭର୍ତ୍ତି ତରଳକୁ ଦେଖାଇ
ଡାକ୍ତର ମତେ କହିଲେ: "ଅସଂଭବ୍
ତମର ରକ୍ତ
ମ୍ୟାଚ୍ କରୁନି କୌଣସି ଗ୍ରୁପରେ..."
ମୁଁ ତାଂକୁ କହିନି, ସେ ବି ବୁଝି ନ ଥାଂତେ,
ତାହା ଇବ୍ ନଦୀର ପାଣି
ଲାଲ୍ ମଦ ପରି ଆକଟିଚି ମୋର ଧମନୀ
ଆଉ ହୃତଚେତନାରେ...

ନାନା କିସମର ତରଳ ଥାଏ, ଜାଣିଚ ?
ଝରଣା, ତମର ସାନଝିଅ,
ହିଂଦୁସ୍ତାନୀ ସାଧୁଚି ପରା, ବେଶ୍
ଭଲ କଥା ।
ଭୋକାଲରେ ପହଁରିଯାଉ ତରଳ ତରଳ
ଅପରାହ୍ନରୁ ନିଶାର୍ଦ୍ଧ ଆଡ଼କୁ ।
ଧୀର ବିଳଂବିତରେ ଯାଉ ।
ଯଦି ଫେରିଆସେ ଅଣନିଃଶ୍ଵାସୀ ହୋଇ କୂଳକୁ,
କୋଳେଇ ନବ, ସର୍ବାଂଗ ପୋଛିପାଛି ଦବ,
କହିବ, ଏମିତି ଅଗମ ତାରଲ୍ୟ
ରାଗ ସ୍ନାହାନରେ ଆସିଯାଏ ।
ଲୟ ରହିଥାଉ ନିୟତ,
ରିଆଜ୍ ଚାଲିଥାଉ ।

ତରଳ ହବ ତ ଲାଭା ପରି ହବ
ଏପରି ଧାଡ଼ି ଲେଖିଥିବା କବି
ଆଜି ଠିଆ ହୋଇଚି କେମିତି, ଦେଖ,
ଆଇଁଷିଣିଆ ଗଂଧର
ଅଫହ୍ଵାଇଟ୍ ରଂଗର
ସାଢ଼େ ତିନିହାତ ଉଚ୍ଚତାର
ଅଚଳ ଅଥର୍ବ ବୀର୍ଯ୍ଯସ୍ତଂଭ ପରି
ନିର୍ମୁହାଣ ଅପଂତରାରେ ।

ଧିକ୍ ମତେ,
ମୁଁ ବି ଭୁଲିଯାଇଚି
ଅସଲ ଇବ୍ ନଦୀର ଠିକଣା
ଭୁବନେଶ୍ଵରରେ ।

Report an Error