ଓଡ଼ିଆ ସମ୍ବାଦପତ୍ରର ଆଦିକାଳ: ଏକ ଭିନ୍ନଦୃଷ୍ଟି (୧)

୧୮୫୬ ପରେ ଓଡିଶାରେ ସମ୍ବାଦପତ୍ରର ଯୁଗ ଆରମ୍ଭ ହେଲା । ତେବେ ଭାରତରେ ସମ୍ବାଦପତ୍ର ଆରମ୍ଭ ହେବାର ପ୍ରାୟ ୨୦୦ ବର୍ଷ ପରେ ଯାଇ ଆମେ ଓଡିଆରେ ଛାପା ଗଣମାଧ୍ୟମର ଚେହେରା ଦେଖିଲୁ । ଓଡିଆ ସମ୍ବାଦପତ୍ରର ପ୍ରଥମ କିଛିବର୍ଷକୁ ନେଇ ଏକ ଐତିହାସିକ ଆଲୋଚନା ।


ଫଟୋ - ଓଡିଆ ବିଭବ

“ଆଦ୍ୟ ଆମ୍ଭମାନଙ୍କର ଶ୍ରୁତିଗୋଚରରେ ଆସିଲା ଯେ, ମାହାଙ୍ଗା ଗ୍ରାମରେ କେତେଦିନ ହେଲା ଗୋଟିଏ ଅନାହାର ପୀଡ଼ିତ ସ୍ତ୍ରୀଲୋକ ଜାତିରେ ଗୁଡ଼ିଆଣୀ, ପ୍ରବେଶ କରିଅଛି । ତାହାର ଅବସ୍ଥା ଅତି ଘୃଣାକର । ମନୁଷ୍ୟ ମାଂସ ଭକ୍ଷଣରେ ତାହାର ଅତ୍ୟନ୍ତ ପ୍ରୀତି । ଅନ୍ନଭୋଜନ ପାଉଥିଲେ ମଧ୍ୟ ସେ ଶ୍ମଶାନକୁ ଯାଇ ମୃତ୍ୟୁପିଣ୍ଡ ମୃତ୍ତିକା ମଧ୍ୟରୁ ବାହାର କରି କଞ୍ଚାମାଂସ ଭୋଜନ କରେ । ଏକଦା ଗୋଟିଏ ଅଳ୍ପବୟସ୍କା ସୁନ୍ଦରୀ ବାଳିକା ଦାଣ୍ଡରେ ବୁଲୁଥିଲା । ସେ ରାକ୍ଷସୀ ତାକୁ ଦେଖି ତାହାଠାକୁ ଆସି ତାହାର ଶରୀରରୁ ଦୁଇପୁଳା ମାଂସ କାମୁଡ଼ି ଖାଇଲା । ବାଳିକା ଉଚ୍ଚସ୍ୱରରେ ରୋଦନ କରନ୍ତେ କେତେଜଣ ଦୌଡ଼ିଆସି ବାଳିକାକୁ ରକ୍ଷାକଲେ । ତାହାର ଏ ରୂପ କଦାକାର ନିମନ୍ତେ ପୂର୍ବେ ଥରେ ତାହା ଶରୀରରେ ତପ୍ତ ଲୌହ ଦ୍ୱାରା ଚେଙ୍କ ଦିଆଯାଇଥିଲା ।

(ଉତ୍କଳ ଦୀପିକା, ୧୧ ଅଗଷ୍ଟ, ୧୮୬୬)

ଓଡ଼ିଆ ସମ୍ବାଦପତ୍ରର ଆଦ୍ୟକାଳରେ ବାହାରିଥିବା ଏହି ସମ୍ବାଦଟିକୁ ଆମେ କିପରି ଓ କେଉଁ ଭାଷାରେ ତର୍ଜମା କରିବା ? ଊନବିଂଶ ଶତାବ୍ଦୀରେ ଭୋକର ଭୂଗୋଳ ପାଲଟିଥିବା ଓଡ଼ିଶାରେ ଯେତେବେଳେ ସମ୍ବାଦପତ୍ର ପ୍ରତିଷ୍ଠିତ ହେଉଛି, ସେତେବେଳେ କେଉଁ ଦିଶା ଓ ଦୃଷ୍ଟିକୁ ଆଖିରେ ରଖି ଆମର ଆଦିକାଳର ସାମ୍ବାଦିକମାନେ କାମ ଆରମ୍ଭ କରିଛନ୍ତି ? ଏମିତି ଏକ ପ୍ରଶ୍ନରୁ ଆମେ ଆଜି ସମ୍ବାଦପତ୍ରର ଇତିହାସ ଖୋଜିବା । ଓଡ଼ିଆ ସମ୍ବାଦପତ୍ର ରାଜ୍ୟର ଉପନିବେଶବାଦ ବିରୋଧରେ ତଥା ଏକ ଜାତୀୟ ଅସ୍ମିତାର ପୁନରୁତ୍ଥାନ ସକାଶେ ପ୍ରତିଷ୍ଠିତ ହୋଇଥିଲା ବୋଲି କୁହାଯାଏ । ତେବେ ମୌଳିକ ଦୃଷ୍ଟିରୁ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ଭାବରେ ପ୍ରକାଶିତ ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା ଏବଂ ସମ୍ପାଦକ ଗୌରୀଶଙ୍କର ରାୟ ଥିଲେ ବ୍ରିଟିଶ ସରକାରଙ୍କର ଜଣେ କର୍ମଚାରୀ । କମ୍ପାନୀର ଅଧସ୍ତନ କର୍ମଚାରୀ ହୋଇଥିବା ସତ୍ତ୍ୱେ କମ୍ପାନୀ ସରକାରଙ୍କ ବିରୋଧରେ ଗୌରୀଶଙ୍କର ଲେଖନୀ ଚାଳନା ଆଜି ଆମକୁ ଆଶ୍ଚର୍ଯ୍ୟ କରିଦିଏ ।

ଭାରତୀୟ ସମ୍ବାଦପତ୍ର ଓ ଓଡ଼ିଶା:

ଆମ ଦେଶରେ ୧୬୭୪ରେ ବମ୍ବେରେ, ୧୭୭୨ରେ ମାଡ଼୍ରାସ ଏବଂ ୧୭୭୯ରେ କଲିକତାରେ ପ୍ରିଣ୍ଟିଂପ୍ରେସ୍ ପ୍ରତିଷ୍ଠିତ ହୋଇସାରିଥିଲା । ସେହି ତୁଳନାରେ ଓଡ଼ିଶାକୁ ପ୍ରିଣ୍ଟିଂପ୍ରେସ୍ ଆସିଲା ୧୮୩୭ରେ, ଅର୍ଥାତ ୧୬୩ ବର୍ଷ ପରେ । ୧୮୦୩ରେ ଇଂରେଜମାନଙ୍କ ଓଡ଼ିଶା ଅଧିକାର ପରେ ଓଡ଼ିଶାରେ ଇଂରାଜୀ ଶିକ୍ଷା ଓ ସଭ୍ୟତାର ପ୍ରସାର ଆରମ୍ଭ ହୋଇଥିଲା । ଓଡ଼ିଶାରେ ପ୍ରିଣ୍ଟିଂପ୍ରେସ୍ ପ୍ରତିଷ୍ଠାକୁ ଏହି ଔପନିବେଶିକ ଶିକ୍ଷା ଓ ସଭ୍ୟତାର ଏକ ଅଂଶ ଭାବରେ ବିବେଚନା କରାଯାଇପାରିବ । ଖ୍ରୀଷ୍ଟିଆନ ମିଶନାରୀମାନଙ୍କ ଧର୍ମପ୍ରଚାର ପାଇଁ ଏହି ପ୍ରେସ୍ ପ୍ରଥମେ ଆରମ୍ଭ ହେଲା କଟକରେ । ସେମାନଙ୍କ ଉଦ୍ୟମରେ ପ୍ରଥମ ଓଡ଼ିଆ ସମ୍ବାଦପତ୍ର ‘ପ୍ରବୋଧ ଚନ୍ଦ୍ରିକା’ ଏବଂ ପତ୍ରିକା ‘ଜ୍ଞାନାରୁଣ’ ପ୍ରକାଶିତ ହେଲା ୧୮୫୬ରେ । ଭାରତୀୟ ସମ୍ବାଦପତ୍ରର ଇତିହାସ ସେତେବେଳକୁ ଭିନ୍ନ ଏକ ମୋଡ଼ ନେଇସାରିଛି । ବଙ୍ଗଳାରେ ରାଜା ରାମମୋହନ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ‘ବେଙ୍ଗଲ ଗେଜେଟ୍‌’ ସଂସ୍କାର ଏବଂ ସାମାଜିକ ନବନିର୍ମାଣର ବାର୍ତ୍ତା ପ୍ରଦାନ କରିସାରିଛି । ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ବିରୋଧରେ ରାମମୋହନ ରାୟଙ୍କର ସଂଗ୍ରାମର ପରିଣତି ସ୍ୱରୂପ ବେଙ୍ଗଲ ଗେଜେଟ୍ ଏକ ଐତିହାସିକ ଭୂମିକା ନିର୍ବାହ କରିଛି । ୧୮୫୭ ସିପାହୀ ବିଦ୍ରୋହ ସମୟରେ ଭାରତୀୟ ସମ୍ବାଦପତ୍ର ଭାବରେ ‘ଊର୍ଦ୍ଦୁ ଅଖୱାର୍‌’ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯ ଜୁଲାଇ ୧୮୫୭ରେ ଏହି ସମ୍ବାଦପତ୍ର ଲେଖିଥିଲା -

“ହେ ମୋର ଦେଶବାସୀ ! ଇଂରେଜମାନଙ୍କର ଖଳ ବୁଦ୍ଧି ଏବଂ ଚାଲାକି ବିଷୟରେ ତମେମାନେ ସଚେତନ ରୁହ । ସେମାନଙ୍କର ବଢ଼ୁଥିବା ଧନ ଓ ଶକ୍ତି ଦେଖି ତମେମାନେ ହୁଏତ ଡରିଯାଉଥିବ । ସେମାନଙ୍କୁ ଅତିକ୍ରମ କରିବା ସହଜ ନୁହେଁ ବୋଲି ଭାବୁଥିବ । କିନ୍ତୁ ଯେଉଁମାନେ ଆମର ମୁସଲମାନ ଭାଇଭଉଣୀ ଅଛନ୍ତି, ସେମାନେ କୋରାନ, ତଫସିର୍ ଏବଂ ହଦ୍ଦିସ୍‌କୁ ପଢ଼ନ୍ତୁ ଏବଂ ହିନ୍ଦୁ ଭାଇମାନେ ତାଙ୍କର ଜ୍ଞାନ ଏବଂ ଧର୍ମକୁ ବିଚାରକୁ ନେଇ ଦେଖନ୍ତୁ ଯେ, ଏ ପୃଥିବୀରେ ଏକମାତ୍ର ଆଦି ପୁରୁଷ ହିଁ ସତ୍ୟ । ଆଉ କେହି ନୁହେଁ ।“

ଧର୍ମନିରପେକ୍ଷତା ଏବଂ ଉପନିବେଶବାଦ ବିରୋଧରେ ଯେଉଁ ଡାକରା ଊର୍ଦ୍ଦୁ ଅଖୱାର୍ ସେତେବେଳେ ପ୍ରଦାନ କରିଥିଲା, ତାହା ଦିଲ୍ଲୀରୁ କଟକକୁ ପହଞ୍ଚିବା ପାଇଁ ଯଥେଷ୍ଟ ସମୟ ଲାଗିଥିଲା । ରାଜା ରାମମୋହନ ରାୟ, ଦାଦାଭାଇ ନାରୋଜି ପ୍ରମୁଖଙ୍କର ଭୂମିକା ଓଡ଼ିଶାରେ ବାବୁ ବିଚିତ୍ରାନନ୍ଦ ଦାସ, ବାବୁ ଗୌରୀଶଙ୍କର ରାୟ ପ୍ରମୁଖ ଗ୍ରହଣ କରିଥିଲେ । ତେବେ ଏହି ଭୂମିକା ନେବାରେ ଅନ୍ୟାନ୍ୟ ସମ୍ବାଦପତ୍ରମାନେ ଏକ ଜାତୀୟ ଦୃଷ୍ଟିଭଙ୍ଗୀ ନେଇ କାର୍ଯ୍ୟ କରୁଥିବାବେଳେ ଓଡ଼ିଆ ସମ୍ବାଦପତ୍ରର ଦୃଷ୍ଟିଭଙ୍ଗୀଟି ଥିଲା ପୂରାପୂରି ସ୍ଥାନୀୟ । କାରଣ ସ୍ପଷ୍ଟ - ବିଖଣ୍ଡିତ ଓଡ଼ିଆ ଜାତିର ଅସ୍ମିତା ପ୍ରତିଷ୍ଠା ଏବଂ ଭାଷାଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନର ସଂକଳ୍ପ ଏମାନଙ୍କ ଦୃଷ୍ଟିଭଙ୍ଗୀକୁ ସ୍ଥାନୀୟତାରେ ସୀମିତ ରଖିବାକୁ ଏକରକମ ବାଧ୍ୟ ହୋଇଥିଲା ।

କ୍ରମଶଃ

Report an Error