ଓଡ଼ିଆ ସମ୍ବାଦପତ୍ରର ଆଦିକାଳ: ଏକ ଭିନ୍ନଦୃଷ୍ଟି (୩)

୧୮୫୬ ପରେ ଓଡିଶାରେ ସମ୍ବାଦପତ୍ରର ଯୁଗ ଆରମ୍ଭ ହେଲା । ତେବେ ଭାରତରେ ସମ୍ବାଦପତ୍ର ଆରମ୍ଭ ହେବାର ପ୍ରାୟ ୨୦୦ ବର୍ଷ ପରେ ଯାଇ ଆମେ ଓଡିଆରେ ଛାପା ଗଣମାଧ୍ୟମର ଚେହେରା ଦେଖିଲୁ । ଓଡିଆ ସମ୍ବାଦପତ୍ରର ପ୍ରଥମ କିଛିବର୍ଷକୁ ନେଇ ଏକ ଐତିହାସିକ ଆଲୋଚନା ।


ଦୁର୍ଭିକ୍ଷ ପରବର୍ତ୍ତୀ ଓଡ଼ିଆ ଜାତୀୟତାବାଦ:

ନ’ଅଙ୍କ ଦୁର୍ଭିକ୍ଷକୁ ଓଡ଼ିଆ ଜାତିର ଇତିହାସରେ ଏକ ଯୁଗାନ୍ତକାରୀ ଘଟଣା ବୋଲି କୁହାଯାଇପାରେ । ଲକ୍ଷ ଲକ୍ଷ ଓଡ଼ିଆ ଅନାହାରରେ ପୀଡ଼ିତ ହୋଇ ଏହି ଦୁର୍ଭିକ୍ଷରେ ମୃତ୍ୟୁବରଣ କଲେ । ଖାଦ୍ୟାଭାବ ଅପେକ୍ଷା ବିଦେଶୀ ଶାସକଙ୍କର ଅପରିଣାମଦର୍ଶୀ ଆଚରଣ ଏହି ଦୁର୍ଭିକ୍ଷ ପାଇଁ ଦାୟୀ ବୋଲି ଦୁର୍ଭିକ୍ଷ କମିଶନ ସ୍ପଷ୍ଟ ଉଲ୍ଲେଖ କରିଥିଲେ । ହାକିମ ଏବଂ ଅମଲାଙ୍କ ଉଦାସୀନତା ହେତୁ ଲକ୍ଷ ଲକ୍ଷ ଓଡ଼ିଆ ପୋକମାଛି ପରି ମୃତ୍ୟୁବରଣ କରିବାର ପରବର୍ତ୍ତୀ ଅଧ୍ୟାୟଟି ଓଡ଼ିଆ ଜାତିର ଜୀବନରେ ଏକ କ୍ରାନ୍ତିର ସୂତ୍ରପାତ କରିଥିଲା । କହିବା ବାହୁଲ୍ୟ ଯେ, ଏହି କ୍ରାନ୍ତିଟି ଆସିଥିଲା ସମ୍ବାଦପତ୍ର ମାଧ୍ୟମରେ । ଓଡ଼ିଆ ଜାତିର ଅସ୍ତିତ୍ୱ ଏବଂ ଅସ୍ମିତାକୁ ପ୍ରତିଷ୍ଠିତ କରିବା ପାଇଁ ଉତ୍କଳ ଦୀପିକା ମାଧ୍ୟମରେ ଉଦ୍ୟମ ଆରମ୍ଭ ହେଲା । ଦୁର୍ଭିକ୍ଷ ପରେ ଓଡ଼ିଶାକୁ ଏବଂ ଓଡ଼ିଆ ଜାତିକୁ ଅତ୍ୟନ୍ତ ହୀନଚକ୍ଷୁରେ ଦେଖୁଥିବା ବିଦେଶୀ ଶାସକ ତଥା ବଙ୍ଗୀୟ ଭଦ୍ରଲୋକମାନଙ୍କ ପ୍ରତି ତୀବ୍ର କଟାକ୍ଷ ପ୍ରକାଶ କରିଥିଲା ଉତ୍କଳ ଦୀପିକା । ୨୯/୬/୧୮୬୭, ସଂଖ୍ୟା - ୨୬ରେ ଉତ୍କଳ ଦୀପିକା ଲେଖିଥିଲା -

‘ଦୁର୍ଭିକ୍ଷ ପଡ଼ିଲାଦିନୁ ଓଡ଼ିଶା ଲୋକମାନେ ଦୈବୀ ଦଣ୍ଡ ଛଡ଼ା ଯେତେ ପ୍ରକାରରେ ସ୍ଥାନୀୟ ହାକିମ ଏବଂ ଗଭର୍ଣ୍ଣମେଣ୍ଟଙ୍କ ଦ୍ୱାରା ନିନ୍ଦନୀୟ ଓ ଅପମାନିତ ହୋଇଅଛନ୍ତି ତାହା କାହାରିକୁ ଅବିଦିତ ନାହିଁ । ଯେବେ ଆମ୍ଭମାନଙ୍କ ଅବସ୍ଥା ଭଲ ଥିଲା ଅର୍ଥାତ୍ ଏପରି କୌଣସି ଦୁର୍ବିପାକ ପଡ଼ିନଥିଲା, ସେତେବେଳେ ଆମ୍ଭେମାନେ ସମସ୍ତଙ୍କର ପ୍ରିୟସ୍ପଦ ହୋଇଥିଲୁଁ ଓ ରାଜପୁରୁଷମାନେ ଆପଣା ଇଚ୍ଛାନୁସାରେ ଆମ୍ଭମାନଙ୍କଠାରୁ କର ଗ୍ରହଣ କରି ସ୍ୱଚ୍ଛନ୍ଦରେ ରହିଥିଲେ ଓ କେହି ଭ୍ରମରେ ସୁଦ୍ଧା ଆମ୍ଭମାନଙ୍କର କଥା ସ୍ମରଣ କରିନଥିଲେ । ବର୍ତ୍ତମାନ ଦୁର୍ଭିକ୍ଷ ହେବାର ଯହୁଁ ଆମ୍ଭମାନଙ୍କ ଅବସ୍ଥା ଅତ୍ୟନ୍ତ ମନ୍ଦ ହେଲା ଓ ସରକାର ଆମ୍ଭଠାରୁ କର ନପାଇ ଆହୁରି ଆମ୍ଭ ପ୍ରତିପୋଷଣ ନିମିତ ଅଧିକତର ଖର୍ଚ୍ଚାନ୍ତ ହେଲେ, ତେତେବେଳେ ଆମ୍ଭମାନଙ୍କର ଚର୍ଚ୍ଚା ଅନୁଷଣ କରିବାକୁ ହେଲା ଓ ବ୍ୟୟ ହେତୁରୁ ସମସ୍ତେ ଆମ୍ଭ ଉପରେ ବିରକ୍ତ ହେଲେ । ସର୍ବତ୍ରରେ ଓଡ଼ିଆଙ୍କର ନିନ୍ଦା ହେଲା ଓ ଓଡ଼ିଆମାନଙ୍କ ସ୍ୱଭାବ ଦୁର୍ଭିକ୍ଷର କାରଣ ସ୍ୱରୂପ ମଧ୍ୟ ବ୍ୟକ୍ତ ହେଲା ।

‘କଲିକତା ରିଭିଉ’ ପତ୍ରିକାରେ ଜଣେ ଲେଖକ ଓଡ଼ିଆଙ୍କ କେତେକ ନିନ୍ଦାବାକ୍ୟ ଆରୋପ କରିଥିଲେ । ସାର ହେନେରି ରିକେଟ୍ ସାହେବ ଉକ୍ତ ବିଷୟ ପାଠ ମାତ୍ର ସହ୍ୟ କରି ନପାରି ସ୍ୱଭାବତଃ ତାହା ଖଣ୍ଡନ ନିମିତ୍ତ ଉକ୍ତ ପତ୍ରିକାରେ ଏକ ପତ୍ର ପ୍ରକାଶ କରିଅଛନ୍ତି । ସମୁଦାୟ ପତ୍ର ଆମ୍ଭେମାନେ ଦେଖିନାହୁଁ ମାତ୍ର ତହିଁର କିୟଦଂଶ ହିନ୍ଦୁ ପେଟ୍ରିୟଟରେ ପାଠ କରିଅଛୁ । ତାହା ଏହି: -

‘ସତ୍ୟ ଅଟେ ଯେ, ଯେତେବେଳେ ଷ୍ଟାରଲିଂ ସାହେବ ଓଡ଼ିଶାର ବିବରଣୀ ଲେଖିଥିଲେ ସେ ସମୟରେ ଓ ତହିଁର କେତେଦିନ ଅନ୍ତ ପର୍ଯ୍ୟନ୍ତ ସୁଦ୍ଧା ଓଡ଼ିଶାରେ ସରକାରୀ କର୍ମମାନ ବିଦେଶୀୟ ଲୋକଙ୍କୁ ଦିଆଯାଉଥିଲା । ପୁରୀ ଓ ଖୋରଧାର କଲେକ୍ଟର ଶ୍ରୀଯୁକ୍ତ ଉଇଲିୟମ୍ ଉଇକିନ୍‌ସନ୍ ସାହେବ ଏକା ଓଡ଼ିଆମାନଙ୍କୁ ସରକାରୀ ଚାକିରିରେ ଆପଣାର ଉପଯୁକ୍ତତା ଦେଖାଇବାର ସୁଯୋଗ ପ୍ରଥମେ ଦେଇଥିଲେ । ଏ ମହତାନୁଷ୍ଠାନର ପ୍ରଶଂସା ତାଙ୍କର ଅଟଇ । ଶ୍ରୀଯୁକ୍ତ ମିଲସ ସାହେବ ଓ ଆମ୍ଭେ ତାହାଙ୍କ ପଶ୍ଚାଦ୍‌ଗାମୀ ହେଲୁଁ ଓ ଅଳ୍ପ ବର୍ଷ ମଧ୍ୟରେ ଏ ପ୍ରଦେଶର ସରକାରୀ କର୍ମ ଚଳାଇବାର ପ୍ରାୟ ସମସ୍ତ ପଦମାନ ଓଡ଼ିଆଙ୍କ ଦ୍ୱାରା ପୂର୍ଣ୍ଣ ହେଲା । ଏ ପ୍ରଦେଶର ବନ୍ଦୋବସ୍ତର ସମସ୍ତ ବିସ୍ତାରିତ କାର୍ଯ୍ୟମାନ ଓଡ଼ିଆ ଡେପୁଟି କଲେକ୍ଟରଙ୍କ ଦ୍ୱାରା ନିର୍ବାହ ହେଲା ଏବଂ ଆମ୍ଭେ ବଢ଼ାଇ କରି କହୁନାହୁଁ; ମାତ୍ର ସଚରିତ୍ରତା, ଉପଯୁକ୍ତତା ଏବଂ ସତତା କି ଯାହା ବିଶ୍ୱସ୍ତ ଭାରାର୍ପଣ ଓ ଚିତ୍ତ ସଂସର୍ଗରୁ ଜାତ ହେଲେ ସେ ସମସ୍ତ ଉତ୍କଳସ୍ଥ ଲୋକମାନଙ୍କର ଭାଗ୍ୟ ପ୍ରତି ଯଥାର୍ଥ ଫଳଦାୟକ ହେଲା । ଆମ୍ଭେ ଓଡ଼ିଆଙ୍କ ସହବାସରେ ବ୧୨ର୍ଷ କାଳ ଯାପନ କଲୁଁ ଓ ସେମାନେ ଆମ୍ଭ ପ୍ରତି ଯେରୂପ ବ୍ୟବହାର କରିଥିଲେ ତାହା ବର୍ତ୍ତମାନ ଆମ୍ଭର ଏକ ଅତ୍ୟନ୍ତ ଆନନ୍ଦଜନକ ସ୍ମରଣର ପ୍ରସଙ୍ଗ ହୋଇଅଛି । ଅତଏବ ଆମ୍ଭେ ଏ ପ୍ରକାର ନିନ୍ଦାବାକ୍ୟ କି ଯାହା ପତ୍ରିକାରେ ଲେଖାଅଛି ତାହା ବିରୁଦ୍ଧ କିଞ୍ଚିତ ମାତ୍ର ନକହି କଦାପି ରହିନପାରୁ ।’

କେବଳ ଏହି ରିପୋର୍ଟ ନୁହେଁ, ଆହୁରି ଅସଂଖ୍ୟ ରିପୋର୍ଟ ଦୀପିକାରେ ଓଡ଼ିଶାର ଜାତୀୟତାକୁ ପ୍ରତିଷ୍ଠିତ କରିବା ପାଇଁ ପ୍ରକାଶିତ ହୋଇଥିଲା । ତେବେ ଏହି ଜାତୀୟତା ଓ ଅସ୍ମିତାବୋଧ ପଛରେ ରହିଥିବା କେତୋଟି କାରଣ ମଧ୍ୟରୁ ପ୍ରଥମ କାରଣଟି ଥିଲା ଓଡ଼ିଆ ମଧ୍ୟବର୍ଗର ପ୍ରତିଷ୍ଠା । ନବ୍ୟ ଇଂରାଜୀ ଶିକ୍ଷିତ ଓଡ଼ିଆଙ୍କର ମୁଖପତ୍ର ଭାବରେ ଉତ୍କଳ ଦୀପିକା ଇଂରାଜୀ ଶାସନ ବ୍ୟବସ୍ଥା, ସାହିତ୍ୟ, ସଂସ୍କୃତିକୁ ବେଶ୍ ପ୍ରଶଂସା କରିଛି । ତା’ ସହିତ ଓଡ଼ିଆ ଜାତିର ଇତିହାସ, ଗରିମା ଏବଂ ସାହିତ୍ୟକୁ ମଧ୍ୟ ଉଲ୍ଲେଖ କରିଛି । ଉତ୍କଳ ଦୀପିକା ମାଧ୍ୟମରେ ବଙ୍ଗାଳି ବନାମ୍ ଓଡ଼ିଆ ଯୁଦ୍ଧର ସୂତ୍ରପାତ ଘଟିଛି । ପରେ ପରେ ସୂତ୍ରପାତ ଘଟିଛି ସାହିତ୍ୟରେ ପାରମ୍ପରିକତା ବନାମ ଆଧୁନିକତାର । ଜାତୀୟତାବୋଧ କ୍ଷେତ୍ରରେ ଉତ୍କଳ ଦୀପିକାର ଦୃଷ୍ଟିକୋଣ ଅତ୍ୟନ୍ତ ଉଦାର ହୋଇଥିବା ବେଳେ ସାହିତ୍ୟରେ ଏହା ଥିଲା ରକ୍ଷଣଶୀଳତାର ସପକ୍ଷ ।

ଉପସଂହାର :

The colonial era saw the press playing its separate roles as an ally of the administration and as an adversary, sometimes skillfully, sometime slumsily. At the dawn of the 20th century two streams were clearly in evidence: the Indian-owned newspapers, which their British owned counterparts dubbed as the native press, and the British – owned local counterparts called (ଦ ମିଡ଼ିଆ ଅଣ୍ଡର ପ୍ରେସର - ବି.ଆର.ପି. ଭାସ୍କର) ।

ଏହି ଦୃଷ୍ଟିରୁ ଦେଖିଲେ ଉତ୍କଳ ଦୀପିକାର ଉପନିବେଶବାଦୀ ବିଚାର ଏବଂ ତା’ ବିରୋଧରେ ପ୍ରଚାରର ଏକ ଅଦ୍ଭୁତ ବିରୋଧାଭାସ ଆମେ ପାଇବା । ଗଢ଼ି ଉଠୁଥିବା ଓଡ଼ିଆ ଅସ୍ମିତାର ସଂରଚନା କ୍ଷେତ୍ରରେ ଏହା ଏକ ବିଶିଷ୍ଟ ଭୂମିକା ଗ୍ରହଣ କରୁଛି । ପ୍ରତ୍ୟେକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ଏକ ଜାତୀୟତାବାଦୀ ଆନ୍ଦୋଳନକୁ ଏବଂ ଭାରତୀୟ ବ୍ରିଟିଶବିରୋଧୀ ମାନସିକତାକୁ ଏହା ଉପସ୍ଥାପନା କରୁଛି । ୧୮୬୬ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ବିଂଶ ଶତାବ୍ଦୀର ପ୍ରାରମ୍ଭବେଳକୁ ଏକ ନୂଆ ରୂପ ଗ୍ରହଣ କରୁଛି । ଏହି ସମୟରେ ଉତ୍କଳ ସମ୍ମିଳନୀର ସଙ୍ଗଠନ ଏବଂ ଓଡ଼ିଶା ରାଜନୀତିରେ ମଧୁସୂଦନ ଦାସ ତଥା ଗୋପବନ୍ଧୁ ଦାସଙ୍କର ଉଦୟ ଘଟୁଛି । ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଉତ୍କଳ ଦୀପିକାର ସତ୍ତା ବିରୋଧୀ ଚରିତ୍ର ଆହୁରି ସ୍ପଷ୍ଟ ହୋଇଉଠିଛି । ଯାହାର ପ୍ରମାଣ ୧୩.୫.୧୯୦୮ରେ ଦୀପିକାରେ ପ୍ରକାଶିତ ଗୋପବନ୍ଧୁ ଦାସଙ୍କର ଏକ ପତ୍ର । ସମ୍ପାଦକଙ୍କୁ ପତ୍ର ସ୍ତମ୍ଭରେ ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ - ଯେତେବେଳେ ଆମ୍ଭେମାନେ ଦେଖୁଅଛୁ ‘ମୋଟର କାର୍‌’, ବାଇନାଚ ପ୍ରଭୃତିରେ ସରକାରର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଅଛି; କିନ୍ତୁ ଲୋକେ ପ୍ରକୃତରେ ଅନାହାରରେ ମଲାବେଳେ ଦାତବ୍ୟ ସାହାଯ୍ୟ ପାଇ ରାଜଭଣ୍ଡାର ଉପରେ ଅର୍ଥାଭାବ, ସେତେବେଳେ ଆମ୍ଭେମାନେ ସରକାରଙ୍କର ଅପତ୍ୟ ସ୍ନେହୋପମ ପ୍ରଜାବାତ୍ସଲ୍ୟର ଅର୍ଥ ବୁଝିବାକୁ ସକ୍ଷମ । ଏହା ଦେଖି ଆମ୍ଭମାନଙ୍କର ଗୋଟିଏ କଥା ମନେପଡ଼େ - ରୋମ୍‌ନଗର ନିଆଁ ଲଗାଇଦେଇ ସେଠାରେ ରାଜା ‘ନେରୋ’ ଦୃଶ୍ୟ ଦେଖି ଗୀତ ଗାଉଥିଲା । ପ୍ରକୃତରେ ଓଡ଼ିଶାର ଦୁର୍ଭିକ୍ଷ ପୀଡ଼ିତ ଜାଗାସବୁ ଜଳୁଅଛି । ଗ୍ରୀଷ୍ମ, କ୍ଷୁଧା ଓ ତୃଷାରେ ଶତଶତ ଲୋକ ଯେପରିକି ଭାଜିହୋଇ ଯାଉଅଛନ୍ତି ।

ଅତଏବ ହେ ଦେଶବାସୀବର୍ଗ ! ଯଦି ତୁମ୍ଭେ ତୁମ୍ଭର ପଡ଼ୋଶୀ ଭାଇ କୁଟୁମ୍ବକୁ ସୁଖପାଅ, ସ୍ନେହକର, ତେବେ ଏହାହିଁ ପରୀକ୍ଷା ସମୟ । ଏତିକିବେଳେ ଏହି ଶତ ଶତ ଦୁର୍ଭିକ୍ଷଦଗ୍ଧ ଲୋକଙ୍କ ପାଇଁ ନିଜ ନିଜର ‘କୃପାସୁଧା ଝରି ଢ଼ାଳେ’ ହେଲେ ଢ଼ାଳିଦିଅ । ସେମାନଙ୍କୁ ତୁମ୍ଭର ସେଇ ଭାଇମାନଙ୍କୁ - ଏହି ପ୍ରଚଣ୍ଡ ଜ୍ୱାଳା ଯନ୍ତ୍ରଣାରୁ ଉଦ୍ଧାର କର ।

ଓଡ଼ିଆ ଅସ୍ମିତାବୋଧ ସହିତ ଭାରତୀୟ ଜାତୀୟତାବୋଧର ଶୁଭାରମ୍ଭ ଘଟୁଛି ଏହି ସମୟରେ । ଉତ୍କଳ ସମ୍ମିଳନୀର ଉଦ୍ଦେଶ୍ୟ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଗଠନର ସ୍ୱପ୍ନ ଏବଂ ଏକ ସ୍ୱାଧୀନ ଭାରତର ସମାନ୍ତରାଳ ସଂକଳ୍ପ ଓଡ଼ିଆ ସମ୍ବାଦପତ୍ରରେ ଫୁଟି ଉଠୁଛି ।

ସମାପ୍ତ

Report an Error