ଓଡ଼ିଆ ସମ୍ବାଦପତ୍ରର ଆଦିକାଳ: ଏକ ଭିନ୍ନଦୃଷ୍ଟି (୨)

୧୮୫୬ ପରେ ଓଡିଶାରେ ସମ୍ବାଦପତ୍ରର ଯୁଗ ଆରମ୍ଭ ହେଲା । ତେବେ ଭାରତରେ ସମ୍ବାଦପତ୍ର ଆରମ୍ଭ ହେବାର ପ୍ରାୟ ୨୦୦ ବର୍ଷ ପରେ ଯାଇ ଆମେ ଓଡିଆରେ ଛାପା ଗଣମାଧ୍ୟମର ଚେହେରା ଦେଖିଲୁ । ଓଡିଆ ସମ୍ବାଦପତ୍ରର ପ୍ରଥମ କିଛିବର୍ଷକୁ ନେଇ ଏକ ଐତିହାସିକ ଆଲୋଚନା ।


ଫଟୋ - ଓଡିଆ ବିଭବ

ପ୍ରବୋଧ ଚନ୍ଦ୍ରିକା:

ବ୍ରିଟିଶ ସରକାର ଓ ତାଙ୍କ ସେନାବାହିନୀ ଯେ କନ୍ଧମାଳ ଜିଲାରେ ତୀବ୍ର ବିରୋଧର ସାମ୍ନା କରିଥିଲେ ସେ ସମ୍ପର୍କୀୟ ପ୍ରଥମ ଖବର ଓଡିଶାର ପ୍ରଥମ ସମ୍ବାଦପତ୍ର “ପ୍ରବୋଧ ଚନ୍ଦ୍ରିକା”ରେ ପ୍ରକାଶ ପାଇଥିଲା । ସମ୍ବାଦଟି ହେଉଛି ଏହିପରି - ‘କନ୍ଧମାଳଠାରୁ ସମାଚାର ମିଳିଅଛି କି ଡିସେମ୍ବର ମାସ ୬ତାରିଖ ଅତି ପ୍ରଭାତରେ ଅନେକ କନ୍ଦମାନେ ଏକତ୍ର ହୋଇ ତୀର କମାନ ଘେନି କନ୍ଧମାଳରେ ଥିବା ଏଜେଣ୍ଟ ସାହେବଙ୍କ ଉପରେ ଚଢ଼ାଉ କଲେ । ସାହେବଙ୍କ ସଙ୍ଗେ କେତେଜଣ ଲସ୍କର ଥିବାରେ ଏବଂ କନ୍ଦମାନେ ଆପଣା ତରଫରୁ ତୀର ଚଳାଇବାରୁ ଉକ୍ତ ସାହେବ ସେମାନଙ୍କ ଉପରେ ଗୁଳି ମାରିବାକୁ ଲସ୍କରମାନଙ୍କୁ ହୁକୁମ ଦେଲେ । ତହିଁରେ ଜଣେ କନ୍ଦଠାରେ ଗୁଳିବାଜି ସେ ମରିଯିବାରୁ ଅନ୍ୟସବୁ କନ୍ଦମାନେ ପଳାଇଯାଇ କିଛି ଦୂରରେ ପୁନର୍ବାର ଜମା ହୋଇ ଅଛନ୍ତି । କନ୍ଦମାନେ କି ହେତୁରୁ ସରକାରଙ୍କ ବିରୋଧରେ ଏହି ପ୍ରକାର ବିଦ୍ରୋହ କର୍ମ କରୁଅଛନ୍ତି, ତାହା ଅଦ୍ୟାବଧି ନିଶ୍ଚୟ ରୂପେ ଜଣାଯାଇ ନାହିଁ । (ପ୍ରବୋଧ ଚନ୍ଦ୍ରିକା, ସଂଖ୍ୟା - ୧, ଜାନୁଆରୀ ୧୮୫୬) ।’

୧୬୬ବର୍ଷ ତଳେ ପ୍ରବୋଧ ଚନ୍ଦ୍ରିକାର ସମ୍ପାଦକ ଆଦିବାସୀଙ୍କ ଭିତରେ ରହିଥିବା ପ୍ରଚଣ୍ଡ ବିଦ୍ରୋହୀ ସତ୍ତାର ଯେଉଁ କାରଣ ଖୋଜି ପାଇନଥିଲେ, ଆଜିବି ସେ କାରଣ ଅଖ୍ୟାତ । କନ୍ଧମାଳ ସମସ୍ୟାର ମୂଳ ଖୋଜି ପାଇବା ପାଇଁ ଏହି ୧୬୬ବର୍ଷ ଭିତରେ ଆମେ ଯେ ପ୍ରୟାସ କରିନାହୁଁ ସେକଥା ପ୍ରମାଣ ଦେବାର ଆବଶ୍ୟକତା ନାହିଁ । ପ୍ରବୋଧ ଚନ୍ଦ୍ରିକା ଥିଲା ମିଶ୍‌ନାରୀମାନଙ୍କ ଦ୍ୱାରା ପ୍ରତିଷ୍ଠିତ ସମ୍ବାଦପତ୍ର । ଯଦିଓ ଏଥିରେ ଧର୍ମପ୍ରଚାରର ଉଦ୍ଦେଶ୍ୟ ନାହିଁ ବୋଲି କୁହାଯାଇଥିଲା । ଏହାର ପ୍ରକାଶନ ଉଦ୍ଦେଶ୍ୟ ପ୍ରସଙ୍ଗରେ କୁହାଯାଇଥିଲା “ଅତଏବ କେଉଁ ସ୍ଥାନରେ କି ଆଶ୍ଚର୍ଯ୍ୟ କର୍ମ ହେଉଅଛି, ତାହା ଶ୍ରବଣରେ ଆଉ ସୁଗଳ୍ପ ପାଠରେ ସମସ୍ତଙ୍କର ଅନ୍ତଃକରଣରେ ଯେଉଁ କ୍ଷଣକାଳୀନ ଆହ୍ଲାଦ ଓ ହର୍ଷ ଜନ୍ମଇ, ତଭିନ୍ନ ଅନେକ ନିତାନ୍ତ ଆବଶ୍ୟକ ଆଉ ଚିରଶ୍ରେୟଦାୟକ ଜ୍ଞାନ ଏ କ୍ଷୁଦ୍ରପତ୍ରିକା ଗ୍ରହଣରେ ଏ ଦେଶୀୟଲୋକ ପ୍ରାପ୍ତ ହୋଇପାରିବେ ବୋଲି ଦୃଢ଼ ପ୍ରତ୍ୟୟ ହୋଇଅଛି । କୌଣସି ବିଶେଷ ଧର୍ମର ପ୍ରଚାର ଏ ପୁସ୍ତକର ଅଭିପ୍ରାୟ ନୁହଇ । ଏ ସକାଶେ ତାହା ଆପଣା ଗୃହରେ ଗ୍ରହଣ କରି ପାଠକଲେ କାହାରି ଇଷ୍ଟଧର୍ମ ହାନି ହେବ, ଏ ପ୍ରକାର ଶଙ୍କା କେହି ନକରିବେ” ।

ଖ୍ରୀଷ୍ଟଧର୍ମ ପ୍ରଚାର ସମେତ ଅନ୍ୟାନ୍ୟ ସାମାଜିକ ଏବଂ ରାଜନୈତିକ ଘଟଣାର ସୂଚନା ମଧ୍ୟ ପ୍ରବୋଧ ଚନ୍ଦ୍ରିକା ପ୍ରଦାନ କରିଛି । ସ୍ୱାଭାବିକ ଭାବରେ ଦେଶୀୟ ଲୋକମାନଙ୍କର ଅଜ୍ଞାନତା ଏବଂ ଦାରିଦ୍ର୍ଯ ପ୍ରତି ଏହାର ଦୟାଭାବ ରହିଛି । ଏହି ଦୟାଭାବକୁ ଆମେ ଔପନିବେଶିକ ମାନସିକତାର ପ୍ରତିଫଳନ ବୋଲି ମଧ୍ୟ କହିପାରିବା । ୧୮୫୭ ବିଦ୍ରୋହ ସମ୍ପର୍କରେ ଓଡ଼ିଆ ସମ୍ବାଦପତ୍ରରେ କୌଣସି ସୂଚନା ନରହିବା ସ୍ୱାଭାବିକ । କାରଣ ବିଦ୍ରୋହର ପ୍ରାୟ ୧୦ବର୍ଷ ପରେ ଯାଇ ଆମର ପ୍ରଥମ ପୂର୍ଣ୍ଣାଙ୍ଗ ସମ୍ବାଦପତ୍ର ‘ଉତ୍କଳ ଦୀପିକା’ ପ୍ରକାଶିତ ହୋଇଛି । ତେବେ ବ୍ରିଟିଶ ବିରୋଧୀମାନଙ୍କ ପ୍ରତି ‘ପ୍ରବୋଧ ଚନ୍ଦ୍ରିକା’ କିମ୍ବା ‘ଉତ୍କଳ ଦୀପିକା’ ଆଦୌ ସମ୍ବେଦନଶୀଳ ନଥିଲେ । ଉତ୍କଳ ଦୀପିକାର ଦୃଷ୍ଟିଭଙ୍ଗୀ ଯଦିଓ ପରବର୍ତ୍ତୀ ସମୟରେ ପରିବର୍ତ୍ତିତ ହୋଇଛି, ପ୍ରାରମ୍ଭିକ କାଳରେ ଏହା ବ୍ରିଟିଶ ସପକ୍ଷବାଦୀ ଏବଂ ଓଡ଼ିଆ ଜାତୀୟତାବାଦୀ ଚିନ୍ତା ଭିତରେ ଏକ ସମନ୍ୱୟ ଆଣିବାର ପ୍ରୟାସ କରିଛି । ପ୍ରବୋଧ ଚନ୍ଦ୍ରିକାର ଅନ୍ୟ ଏକ ସମ୍ବାଦରୁ ଆମେ ସମ୍ବଲପୁରର ସୁନ୍ଦର ସାଏଙ୍କ ବିଷୟରେ ସୂଚନା ପାଇଥାଉ ।

“ସମ୍ବଲପୁର ଆସିଷ୍ଟାଣ୍ଟ କମିଶନର ଶ୍ରୀଯୁକ୍ତ କାପ୍ତାନ ଲି ସାହେବ ଲେଖିଅଛନ୍ତି କି ସମ୍ବଲପୁରର ରାଜବଂଶୀୟ ‘ସୁନ୍ଦର ସା’ ନାମକ ଜଣେ ବ୍ୟକ୍ତି ହଜାରିବାଗରେ କୟେଦ ଥିଲା । ତାକୁ ବିଦ୍ରୋହି ସୈନ୍ୟମାନେ ମୁକ୍ତ କରିଦେବାରୁ ସେ ସମ୍ବଲପୁରଠାରେ ପହଞ୍ଚି ରାଜ - ବିଦ୍ରୋହାଚରଣରେ ପ୍ରବୃତ୍ତ ହେବାର ସମ୍ଭାବନା ଅଛି । ଅତଏବ କଟକଠାରୁ ତିନି କମ୍ପାନୀ ଓ ନାଗପୁରଠାରୁ ତିନି କମ୍ପାନୀ ସୈନ୍ୟ ସମ୍ବଲପୁରଠାକୁ ଯିବାର ଆଜ୍ଞା ହୋଇଅଛି ଏବଂ ବ୍ରହ୍ମପୁରଠାରେ ଯେଉଁ ୫ନମ୍ବରୀ ପଲଟଣ ଅଛନ୍ତି ତହିଁମଧ୍ୟରୁ ପାଞ୍ଚ କମ୍ପାନୀ କଟକ ଆସିବା ନିମନ୍ତେ ପ୍ରସ୍ଥାନ କରିଅଛନ୍ତି । ପ୍ରାୟ ଏହିମାସ ତା୧୫ରିଖ ମଧ୍ୟରେ କଟକଠାରେ ପହଞ୍ଚିବେ । (ସେପ୍ଟେମ୍ବର ୧୮୫୭, ପ୍ରବୋଧ ଚନ୍ଦ୍ରିକା) ।

କଳେବର କ୍ଷୁଦ୍ର, ଦୃଷ୍ଟିଭଙ୍ଗୀରେ ଔପନିବେଶିକ ଏବଂ ଆଚରଣରେ ଖ୍ରୀଷ୍ଟିଆନ ହେଲେ ମଧ୍ୟ ପ୍ରବୋଧ ଚନ୍ଦ୍ରିକାର ସମ୍ବାଦ ପରିବେଷଣ ଶୈଳୀ ଥିଲା ବେଶ୍ ନିରପେକ୍ଷ । କଟକରୁ ପ୍ରକାଶିତ ହେଉଥିଲେ ମଧ୍ୟ ଏଥିରେ କନ୍ଧମାଳ, ବୌଦ୍ଧ, ସମ୍ବଲପୁର ଇତ୍ୟାଦି ଅଞ୍ଚଳର କିଛି କିଛି ଖବର ନିଶ୍ଚୟ ସ୍ଥାନ ପାଉଥିଲା । ପୂର୍ଣ୍ଣାଙ୍ଗ ଖବରକାଗଜ ନହେଲେ ମଧ୍ୟ ପ୍ରବୋଧ ଚନ୍ଦ୍ରିକା ଥିଲା ଉତ୍କଳ ଦୀପିକା ପ୍ରତିଷ୍ଠା ପଛରେ ପରୋକ୍ଷ ପ୍ରେରଣା ।

ଉତ୍କଳ ଦୀପିକା:

୧୮୬୬ରେ ଉତ୍କଳ ଦୀପିକାର ପ୍ରତିଷ୍ଠା ସହିତ ଓଡ଼ିଆ ସମ୍ବାଦପତ୍ରରେ ବିଧିବଦ୍ଧ ଶୁଭାରମ୍ଭ ହେଲା ବୋଲି କୁହାଯାଇପାରେ । ଓଡ଼ିଆଙ୍କ ଦ୍ୱାରା ପ୍ରତିଷ୍ଠିତ, ପରିଚାଳିତ ଏବଂ ସମ୍ପାଦିତ ଏହି ପତ୍ରିକା ଓଡ଼ିଶାର ଜାତୀୟ ଜୀବନକୁ ନୂଆ ଏକ ସନ୍ଦେଶ ପ୍ରଦାନ କରିଥିଲା । ବାବୁ ବିଚିତ୍ରାନନ୍ଦ ଦାସ ଏବଂ ଗୌରୀଶଙ୍କରଙ୍କ ଉଦ୍ୟମ କ୍ରମେ ପ୍ରତିଷ୍ଠିତ ଉତ୍କଳ ଦୀପିକାର ପ୍ରଥମ ସଂଖ୍ୟା ହିଁ ଏହାର ଉଦ୍ଦେଶ୍ୟକୁ ସ୍ପଷ୍ଟ କରିଥିଲା । ୧୮୬୫ - ୬୬ର ନ’ଅଙ୍କ ଦୁର୍ଭିକ୍ଷରେ ଯେତେବେଳେ ଓଡ଼ିଆ ଜାତିର ମେରୁଦଣ୍ଡ ଭାଙ୍ଗିଯାଇଛି, ସେଠି ଓଡ଼ିଆଙ୍କର ଦୁଃଖ କହିବା ପାଇଁ ଉତ୍କଳ ଦୀପିକାର ଆବିର୍ଭାବ ଘଟୁଛି । ୧୮୬୬ ଅଗଷ୍ଟରୁ ପ୍ରାୟ ପ୍ରତ୍ୟେକ ସଂଖ୍ୟାରେ ଉତ୍କଳ ଦୀପିକା ଦୁର୍ଭିକ୍ଷର କରୁଣଚିତ୍ର ପ୍ରକାଶିତ କରିଛି ଏବଂ ଏ ସଂକ୍ରାନ୍ତୀୟ ସରକାରୀ ଉଦାସୀନତାକୁ ସମାଲୋଚନା କରିଛି । ଦୁର୍ଭିକ୍ଷ କମିଶନଙ୍କ ଗତିବିଧି ଏବଂ ଆଚରଣ ସମ୍ପର୍କରେ ଉତ୍କଳ ଦୀପିକାର ମନ୍ତବ୍ୟ ବେଶ୍ ଶାଣିତ ଏବଂ ସ୍ପଷ୍ଟ । ନିମ୍ନରେ ଏ ସଂକ୍ରାନ୍ତୀୟ କେତୋଟି ରିପୋର୍ଟ ଉଲ୍ଲେଖ କରାଗଲା ।

"ଆମ୍ଭେମାନେ ଗତ ସପ୍ତାହ ପତ୍ରିକାରେ ଦୁର୍ଭିକ୍ଷ ଅନୁସନ୍ଧାନ କମିଶନମାନ କାର୍ଯ୍ୟାରମ୍ଭ ବିଷୟ ଲେଖିଥିଲୁ । ଏ ସପ୍ତାହରେ ମୋର୍କାର ଆସିଷ୍ଟାଣ୍ଟ ବା ସର୍ଟସ ହେବ ଓ ଭଦ୍ରକର ଆସିଷ୍ଟାଣ୍ଟ ସର୍ଟ ସାହେବ ଓ ଦୁର୍ଭିକ୍ଷ ସଂକ୍ରାନ୍ତ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକାରକମାନଙ୍କର ଜବାନବନ୍ଦୀ ନିଆଯାଇଅଛି । ଏମାନେ କି କହିଅଛନ୍ତି ତାହା ସର୍ବସାଧାରଣଙ୍କର ଜାଣିବାର ଉପାୟ ନାହିଁ । ଏ ବିଷୟରେ କମିଶନରମାନେ ତଳଲିଖିତ ବିଜ୍ଞାପନ ଦେଇଅଛନ୍ତି ।"

"ଦୁର୍ଭିକ୍ଷ ଅନୁସନ୍ଧାନ ଖାସ କମିଶନରମାନଙ୍କ ସଭାରେ କୌଣସି ଭଦ୍ରଲୋକ ଉପସ୍ଥିତ ରହିବାର ଇଚ୍ଛା ହେଲେ ତହିଁ ନିମନ୍ତେ ଆହ୍ୱାନ କରାଯାଇଅଛି, ମାତ୍ର ସେଠାରେ ଯେ ଜବାନବନ୍ଦୀ ନିଆଯିବ, ତାହା ବର୍ତ୍ତମାନ କେହି ଲିଖିତ ନେଇପାରିବେ ନାହିଁ" । (୧ମ ଭାଗ, ୨୯/୧୨/୧୮୬୬, ସଂଖ୍ୟା ୨୧)

ଆମ୍ଭେମାନେ ଅବଗତ ହେଲୁ ଯେ, କମିଶନରମାନେ ଦୁଇ ଏକ ଦିନରେ ନିଶ୍ଚୟ ଏକ ସ୍ଥାନରୁ କଲିକତାକୁ ଗମନ କରିବେ, ମାତ୍ର ଯେ କର୍ମ ସକାଶେ ଏମାନେ ଏଠାକୁ ଆସିଥିଲେ, ତାହା କେତେଦୂର ସମ୍ପନ୍ନ କଲେ ତାହା ଆମ୍ଭେମାନେ ଜାଣିପାରିଲୁ ନାହିଁ । କାରଣ ଏମାନଙ୍କର କାର୍ଯ୍ୟର ବୃତ୍ତାନ୍ତ ସାଧାରଣଙ୍କର କର୍ଣ୍ଣଗୋଚର ହେଲାନାହିଁ । ଏମାନେ ଏଠାକୁ ଆସିଲା ଦିନୁ ଦୋମହଲା କୋଠା ଉପରେ ସ୍ଥାନୀୟ ହାକିମ କିମ୍ବା ଅମଲା ଓଗେରଙ୍କଠାରୁ ଦୁର୍ଭିକ୍ଷର ଫଳାଫଳର ଅନୁସନ୍ଧାନ କରୁଅଛନ୍ତି ଓ ଯଦ୍ୟପି କି କେତେକ ସମ୍ଭ୍ରାନ୍ତ ସ୍ୱାଧୀନ ବ୍ୟକ୍ତିଙ୍କ ଜବାନବନ୍ଦୀ ନେଇଅଛନ୍ତି ଏବଂ ସେମାନେ ନିର୍ଭୟ ରୂପେ ସତ୍ୟ କହିଥିବାର ଆମ୍ଭମାନଙ୍କର ବିଶ୍ୱାସ ହେଉଅଛି; ମାତ୍ର ତାଙ୍କ ସଂଖ୍ୟା ଅଳ୍ପଥିବାରୁ ଅଧିକ ଲୋକଙ୍କ କଥାରେ ଅନୁଗାମୀ ହେବେ, ଏ ରୂପ ଆଶଙ୍କା ହେଉଅଛି । କମିଶନରମାନଙ୍କୁ ମଫସଲ ଯାଇ କିଛିଦିନ ଓଡ଼ିଶାର ଦୁର୍ଦ୍ଦଶା ଦେଖିବାର ଆବଶ୍ୟକ ଥିଲା । ତାହାକଲେ ପ୍ରକୃତ କଥାମାନ ସେମାନଙ୍କର ଯେ ରୂପ ହେବ କେବଳ । ସାହାଯ୍ୟ ସଂକ୍ରାନ୍ତ କେତେକ ବ୍ୟକ୍ତିଙ୍କ ମୁଖରେ ସମୟ ବିଷୟ ଅବଗତ ହେବାର ଆସି ଏଠାକୁ ନଆସି ମଧ୍ୟ ରିପୋର୍ଟ ଦ୍ୱାରା ପୂର୍ଣ୍ଣ ହୋଇପାରନ୍ତା । ଆମ୍ଭେମାନେ ଭରସା କରୁ ଯେ, କମିଶନରମାନେ ଯେ ରୂପ ପରିଶ୍ରମ ଓ ଯତ୍ନପୂର୍ବକ ଏଠାରେ କର୍ମ କରିଅଛନ୍ତି, ସେ ରୂପ ମଧ୍ୟ କିଞ୍ଚିତ ଅତିରିକ୍ତ ପରିଶ୍ରମ ସ୍ୱୀକାରପୂର୍ବକ ମଫସଲର ଅବସ୍ଥା ସ୍ୱଚକ୍ଷୁରେ ଦର୍ଶନ କରନ୍ତୁ । ତା’ହେଲେ ପ୍ରଜାମାନେ ଉତ୍ତମ ରୂପେ ଜାଣିପାରିବେ ଯେ ଶ୍ରୀମତୀ ମହାରାଣୀ ତାହା ଦୁଃଖଜାଣିବା ଏବଂ ସେଥିରେ ନିବାରଣୋପାୟ କରିବା ଲାଗି କି ପର୍ଯ୍ୟନ୍ତ ସମୁଚ୍ଛୁକ ଅଛନ୍ତି ଓ ତଦ୍ଦ୍ୱାରା ରାଜଭକ୍ତିର ଭାବମାନ ଦୃଢ଼ତର ରୂପେ ସେମାନଙ୍କ ଚିତ୍ତରେ ସ୍ଥାନ ପାଇବ ।

‘କମିଶନରମାନଙ୍କଠାରେ ଆମ୍ଭମାନଙ୍କର ଆଉ ଏକ ପ୍ରାର୍ଥନା ଅଛି ଯେ, ସର୍ବସାଧାରଣଙ୍କ ଜ୍ଞାତବ୍ୟ କାରଣ ତାହାଙ୍କ ଲେଖା ହୋଇଥିବା ଜବାନବନ୍ଦୀର ଖୋଲାସା ପ୍ରଶ୍ନ କରନ୍ତୁ ଯେ ରୂପେ କି ରିପୋର୍ଟ ପୂର୍ବରେ ଯାହାର ଯେ ଆପତ୍ତି ଥିବ, ସେ ସମସ୍ତ ବ୍ୟକ୍ତ ହୋଇଥିବ । ଆମ୍ଭେମାନେ ଶୁଣୁଅଛୁ ଯେ ବଙ୍ଗଳା ନୀଳଚାଷ ଅନୁସନ୍ଧାନୀ କମିଶନରମାନେ ଏହି ପ୍ରକାର କରିଥିଲେ; ଅତଏବ ଏମାନଙ୍କର ଏ ରୂପ କରିବା ପକ୍ଷରେ କିଛି ବାଧା ହୋଇନପାରେ' । (୨ଭାଗ, ସନ ୧୨/୧/୧୮୬୭, ସଂଖ୍ୟା - ୨) ।

‘ଦୁର୍ଭିକ୍ଷ କମିଶନରମାନେ ଗତ ରବିବାର ଓ ସୋମବାର ସୁଦ୍ଧା କଟକରୁ ପୁରୀକୁ ଯାତ୍ରା କଲେ । ସେଠାରେ ଜାହାଜରେ ସମୁଦ୍ରପଥରେ ବାଲେଶ୍ୱରରେ ପ୍ରବେଶ ହେବେ ଓ ସେଠାରେ କର୍ମ ଶେଷକରି କଲିକତାକୁ ଯାଇ ଫେବୃଆରୀ ମାସର ପ୍ରଥମାବସ୍ଥାରେ ରିପୋର୍ଟ ଦାଖଲ କରିବାର ସମ୍ଭବ ହେଉଅଛି; ମାତ୍ର ଏ ରୂପ ହେଲେ ସୁଦ୍ଧା ପାର୍ଲିଆମେଣ୍ଟରେ ଆଗତସଭାରେ ଯେ ଏମାନଙ୍କ ରିପୋର୍ଟ ଆଗତ ହୋଇପାରିବ, ବିଶ୍ୱାସ ହେଉନାହିଁ । (୨ୟ ଭାଗ, ୧୯/୧/୧୮୬୭, ସଂଖ୍ୟା - ୩)

‘ଲଣ୍ଡନନଗରୀରୁ ଜୁଲାଇ ମାସ ୨ତାରିଖରେ ତାର ଡାକ ଦ୍ୱାରା ଆସିଥିବା ସମ୍ବାଦରୁ ଜଣାଗଲା ଯେ, ଓଡ଼ିଶା ଦୁର୍ଭିକ୍ଷ ରିପୋର୍ଟ ପାର୍ଲିଆମେଣ୍ଟ ସଭାରେ ଆଗତ ହୋଇଅଛି । ଆମ୍ଭମାନଙ୍କର ଗଭର୍ଣ୍ଣର ଜେନେରାଲ ଶ୍ରୀଯୁକ୍ତ ଲରେନସ ସାହେବ ଆପଣାର ଯେଉଁ ମନ୍ତବ୍ୟ ଲାଗି ଅତି ବୃହତ୍ ଅଟଇ ଓ ସେଥିରେ ଗଭର୍ଣ୍ଣର ଜେନେରାଲ ସାହେବ ଲେଖିଅଛନ୍ତି ଯେ ଏ ଦୁର୍ଘଟଣା ସମ୍ପର୍କରେ ବଙ୍ଗଳାର ଗଭର୍ଣ୍ଣମେଣ୍ଟ ସାବଧାନତା, ବିଚକ୍ଷଣତା ଓ ବହୁଦର୍ଶିତାର ଅଭାବ ପ୍ରଦର୍ଶନ କରିଅଛନ୍ତି ଓ ଏ ସମୟ ଅଭାବର କୌଣସି ଉପଯୁକ୍ତ କାରଣ ନାହିଁ ।

ଲଣ୍ଡନନଗରୀର ଟାଇମ୍ସ ନାମକ ପତ୍ରିକା ମୁଦ୍ରିତ କରି ସେଥିରେ ଭାରତବର୍ଷୀୟ ଗଭର୍ଣ୍ଣମେଣ୍ଟକୁ ଏହି ରୂପେ ଦୋଷୀ କରିଅଛନ୍ତି ଯେ ସେ ଦୁର୍ଭିକ୍ଷ ଆରମ୍ଭରେ କୌଣସି ଉପାୟ ଚେଷ୍ଟା କରିନାହାନ୍ତି ।

ଅତଏବ ଦେଖାଯାଏ ଯେ ଦୁର୍ଭିକ୍ଷ କମିଶନରମାନେ ସ୍ଥାନୀୟ ଗଭର୍ଣ୍ଣମେଣ୍ଟ ଓ କର୍ମଚାରୀମାନଙ୍କୁ ରକ୍ଷା କରିବାରେ ଯେତେ ଚେଷ୍ଟା କରିଅଛନ୍ତି, ତାହା କିଛି ସଫଳ ହୋଇନାହିଁ । ପାର୍ଲିଆମେଣ୍ଟରେ ଯଥାର୍ଥ ବିଚାର ହେବ ଓ ଯେ ଯେଉଁ ପ୍ରକାର କର୍ମ କରିଅଛନ୍ତି, ସେ ପରିମାଣରେ ନିନ୍ଦା ବା ପ୍ରଶଂସା ପାଇବେ; ମାତ୍ର ଆଶ୍ଚର୍ଯ୍ୟର ବିଷୟ ଯେ କମିଶନରମାନେ ଆପଣା ରିପୋର୍ଟରେ ଲେପ୍‌ଟନାଣ୍ଟ ଗଭର୍ଣ୍ଣରଙ୍କୁ ନିର୍ଦ୍ଦୋଷ କରିବାରେ ଚେଷ୍ଟା କରିଅଛନ୍ତି; କିନ୍ତୁ ଗଭର୍ଣ୍ଣର ଜେନେରାଲ ସାହେବ ତାଙ୍କର ନିନ୍ଦା ରିପୋର୍ଟରେ କରିଅଛନ୍ତି । ଏ ସ୍ଥଳେ କମିଶନରମାନଙ୍କ ମତ ପ୍ରାୟ ଧାର୍ଯ୍ୟ ହେବନାହିଁ ।

‘କମିଶନରମାନେ ଆପଣା ରିପୋର୍ଟରେ ଦୁର୍ଭିକ୍ଷ ସଂକ୍ରାନ୍ତ ସମସ୍ତ ବିଷୟ ବାହୁଲ୍ୟ ରୂପେ ଲେଖିଛନ୍ତି; ମାତ୍ର ଅପୂର୍ବ କୌଶଳ ଦ୍ୱାରା କୌଣସି ହାକିମଙ୍କୁ ଏଥିରେ ବିଶେଷ ଦୋଷୀ କରିନାହାନ୍ତି । ଓଡ଼ିଶା ହାକିମମାନଙ୍କ ପକ୍ଷରେ ସାଧାରଣ ରୂପେ ଏହି ରାୟ ଦେଇଅଛନ୍ତି ଯେ, ସେମାନଙ୍କର ସାହସ କିଛିମାତ୍ର ନାହିଁ । କେବଳ ଶ୍ରୀଯୁକ୍ତ ବାର୍ଲୋସାହେବ ପୁରୀ କଲେକ୍ଟରଙ୍କର ପ୍ରଶଂସା କରିଅଛନ୍ତି ଓ ଅପର ସ୍ଥାନରେ ହାକିମ ମଧ୍ୟରୁ ନଦୀୟାର କଲେକ୍ଟର ଓ କମିଶନର ସାହେବଙ୍କର ବିଶେଷ ପ୍ରଶଂସା ହୋଇଅଛି ।’ (୨ୟ ଭାଗ, ୨୦/୭/୧୮୬୭, ସଂଖ୍ୟା - ୨୯)

ଦୁର୍ଭିକ୍ଷ ସଂକ୍ରାନ୍ତୀୟ ଏହିସବୁ ବିସ୍ତୃତ ରିପୋର୍ଟ ଉଲ୍ଲେଖ କରିବା ପଛରେ ଆମର ଏକମାତ୍ର ଉଦ୍ଦେଶ୍ୟ ହେଲା - ଉତ୍କଳ ଦୀପିକାର ଭୂମିକା ବିଷୟରେ ଆଉ ଟିକିଏ ସ୍ପଷ୍ଟ ବିଶ୍ଲେଷଣ ପ୍ରସ୍ତୁତ କରିବା । ଗୋଟିଏ ପଟେ ଇଂରେଜ ସରକାର ଏବଂ ବ୍ରିଟିଶ ପାର୍ଲିଆମେଣ୍ଟ ପ୍ରତି ଉତ୍କଳ ଦୀପିକାର ଆନୁଗତ୍ୟ ପ୍ରକାଶିତ ହେଉଥିବାବେଳେ ଅନ୍ୟପକ୍ଷରେ କମ୍ପାନୀର ସ୍ଥାନୀୟ ପ୍ରଶାସକମାନଙ୍କ ପ୍ରତି ଏହା କଠୋର ମନୋଭାବ ପ୍ରଦର୍ଶନ କରିଛି । ଅନେକ ସମୟରେ ସତ୍ୟର ଆଭାସ ମାତ୍ର ମିଳୁଛି । ତେବେ ବ୍ରିଟିଶ ରାଜତ୍ୱରେ ସମ୍ବାଦପତ୍ରକୁ ତିଷ୍ଠାଇ ରଖିବା ପାଇଁ ଯେତେପ୍ରକାର ଚାପର ସମ୍ମୁଖୀନ ଉତ୍କଳ ଦୀପିକା ହୋଇଥିବ ତାହା ସହଜେ ଅନୁମେୟ । ଉତ୍କଳ ଦୀପିକାରେ ବ୍ରିଟିଶ ଶାସନର ପ୍ରଶସ୍ତିକୁ ସମ୍ବାଦପତ୍ର ବଞ୍ଚାଇ ରଖିବାର ଆବଶ୍ୟକତା ବୋଲି ଆମେ କହିପାରିବା । ଏହି ଧାରା ଆଜି ପର୍ଯ୍ୟନ୍ତ ବରକରାର ରହିଛି । ସମ୍ବାଦପତ୍ରର ଅସ୍ତିତ୍ୱକୁ ବଞ୍ଚାଇ ରଖିବାକୁ ହେଲେ କିଛିଟା ସଲାସୁତୁରା କରିବାକୁ ପଡ଼େ ବୋଲି ଆଜି ମଧ୍ୟ ଓଡ଼ିଆ ସମ୍ବାଦପତ୍ରର ସମ୍ପାଦକମାନେ କହିଥାନ୍ତି । ତେବେ ଗୌରୀଶଙ୍କର ଏବଂ ବିଚିତ୍ରାନନ୍ଦଙ୍କର ସାହସିକତା ଅନ୍ତତଃ ଆଜିର ସମ୍ବାଦପତ୍ରରେ ବିରଳ ।

କ୍ରମଶଃ

Report an Error