ଅଜ୍ଞାତ ଦ୍ଵୀପରେ ଭାଲୁରାଜା

ସାହିତ୍ୟ କେବଳ ବଡଙ୍କ ପାଇଁ ନୁହେଁ, ଏହା ପିଲାଙ୍କ ଲାଗି ମଧ୍ୟ । ସେହି ଭାବନାରୁ "ପିଲାଙ୍କ ପାଇଁ" ସ୍ତମ୍ଭର ପରିକଳ୍ପନା । ଏଥିରେ ପିଲାଙ୍କ ପାଇଁ ଓ ପିଲାଙ୍କ ବିଷୟରେ ଲେଖା ସ୍ଥାନିତ ହେଉଛି ।


ଆର୍କଟିକର କୌଣସି ଏକ ସ୍ଥାନରେ ବରଫ ତରଳିବା ପ୍ରକ୍ରିୟା ଆରମ୍ଭ ହେଇଥାଏ । ଧଳା ଭାଲୁଟିଏର ଏଇ କଥାରେ ଜମା ନିଘା ନଥାଏ । ସେ ତା' ଛୁଆକୁ ଗେଲ କରି ତାକୁ କାହାଣୀ ଶୁଣାଉଥାଏ । ଛୁଆଟି କୋଳରେ ଥାଇ ଗେଲ ହଉଥାଏ ।

ହଠାତ୍ ସେମାନେ ବସିଥିବା ବରଫ ଚଟାଣଟି ଖଣ୍ଡ ହେଇ ଭାସିବାରେ ଲାଗିଲା । ଛୁଆଟି ଡରିଯାଇ ମା'କୁ ଚାହିଁଲା ।

ମା' ଭାଲୁଟି କୌଣସିପ୍ରକାର ନିଜ ଡରକୁ ଲୁଚାଇ ଛୁଆଟିକୁ ସାହସ ଦେବାରେ ଲାଗିଲା । କ୍ରମେ ବରଫ ସବୁ ଖଣ୍ଡ ଖଣ୍ଡ ହୋଇ ପ୍ରବଳ ପାଣି ସୁଅରେ ଭାସିବା ଆରମ୍ଭ ହେଲା । ମଝି ମଝିରେ ବରଫ ଖଣ୍ଡ ସବୁ ନିଜ ନିଜ ମଧ୍ୟରେ ବାଡେଇ ହେଇଯାଉଥାଏ ।

ଭାଲୁଛୁଆଟି ମା'କୁ କହେ, "ମତେ ଡର ଲାଗୁଚି ମା । ଏମାନେ କାହିଁକି ଆମକୁ ଧକ୍କା ଦଉଛନ୍ତି ?"

"ଏଇଟା ଗୋଟେ ଖେଳ, ବୁଝିଲୁ ଧନ । ଦେଖ୍ କେତେ ମଜା ଲାଗୁଚି ।" ମା ଡରକୁ ଢୋକି କହେ ।

ପୁଣି ଯେତେବେଳେ ଧକ୍କା ଲାଗେ ଛୁଆଟି ଖୁସିରେ ହସେ । ଆଉ ମା', ବିକଳ ହୋଇ ମନେମନେ ଭଗବାନଙ୍କୁ ଡାକୁଥାଏ । ଏମିତି ବହୁତ ଦୂର ଯିବା ପରେ, ରାତି ହେଇଗଲା । ଦିହିଁଙ୍କି ଭୋକ, ଶୋଷ ଲାଗିଲା । ଛୁଆଟା ମା' କୋଳରେ ପଶି ଶୋଇଗଲା । ହେଲେ ମା' କୁ ନିଦ ନାହିଁ । ପ୍ରବଳ ସୁଅ । ନିଜେ ବଞ୍ଚିବ କେମିତି ? ଛୁଆକୁ ବଞ୍ଚେଇବ କେମିତି ଭାବି କରୁଣ ଅବସ୍ଥାକୁ ଲୁଚେଇ ଦୁଃଖରେ ଥାଏ । ଅକାତ ପାଣି । ଥଳକୂଳ ଦେଖାଯାଉନଥାଏ । ଦୁଃଖରେ ମା'ର ଆଖିରୁ ପାଣି ଗଡିବାରେ ଲାଗିଲା ।

ଛୁଆଟି ପଚାରିଲା, "ମା ତୁମେ କ'ଣ କାନ୍ଦୁଚ କି ?"

ମା କହିଲା, "ଆରେ ନା, ନିଦ ଆସୁନି ତ, ପାଣିରେ ଖେଳୁଚି ।

ସକାଳ ହେଲା । ଦୂରରେ ଗଛପତ୍ର ଭରା ଦ୍ବୀପ ଗୋଟିଏ ଦେଖାଗଲା । ଭାଲୁଛୁଆ ପଚାରିଲା, "ମା ଏଇଠି କ'ଣ ଖାଇବାକୁ ମିଳିବ ?" ମା ଭାଲୁ କହିଲା, "ହଁ, ଏଇଠି ବହୁତ ଖାଇବା ପିଇବା ମିଳିବ ।"

କିନ୍ତୁ ସେ ଜାଣିନଥାଏ ପାଣି ସୁଅ ସେଇଯାଏଁ ସେମାନଙ୍କୁ ନେବ ନା ନାହିଁ । ମନ ଖୁସିରେ ଛୁଆଟି ଚାରିଆଡେ ଚାହିଁଥାଏ । ବେଳେବେଳେ ଲାଗୁଥାଏ ଦ୍ବୀପର ବହୁତ ପାଖକୁ ଆସିଗଲେଣି । ପୁଣି ଦୂରେଇ ଯିବା ଭଳି ଲାଗୁଥାଏ । ଏମିତି କିଛି ସମୟ ପରେ ସେମାନେ ସେହି ଦ୍ବୀପରେ ପହଞ୍ଚି ପାରିଲେ ।

କିନ୍ତୁ ସେମାନେ ବରଫରେ ରହିବା ଜୀବ । ମାଛ ଖାଇବା ପ୍ରାଣୀ । ଦ୍ବୀପରେ ସେମାନଙ୍କ ଯୋଗ୍ଯ ଖାଦ୍ୟ ବା କାହିଁ । ଏତେ ଗଛପତ୍ର ସେମାନେ ଆଗରୁ କୋଉଠି ବା ଦେଖିଛନ୍ତି ? ଛୁଆଟି ଭୋକ ବିକଳରେ ଗଛପତ୍ର ସବୁ ଚୋବେଇ ଚାଲିଲା । ଘାସ ଉପରେ ଖୁସିରେ ଗଡିଲା । ଧଳା ଭାଲୁଛୁଆଟି ମାଟିଆ ଦେଖାଗଲା ।

ସେହି ଦ୍ବୀପରେ ଥିବା ପଶୁମାନେ ନୂଆ ପ୍ରାଣୀ ଦେଖି ଦୂରେଇ ରହିଲେ । ମା ଭାଲୁଟି କିଛି ନ ଖାଇ ଦୁର୍ବଳ ହେଇଗଲା । ଛୁଆଟି ପାଇଁ ସାଙ୍ଗହେବା ବିଶେଷ ଅସୁବିଧା ହେଲା ନାହିଁ । ଛୋଟ ଛୋଟ ବିଲୁଆ ଛୁଆ, ହରିଣ ଛୁଆ, ନେଉଳ, ଶିଆଳ ଏମାନେ ସବୁ ସେହି ଛୁଆଭାଲୁଟିକୁ ନିଜର କରି ନେଲେ । ଛୁଆଟି ତାଙ୍କ ଭାଷା ଶିଖିବାରେ ଜମା ଅଧିକ ସମୟ ନ ନେଇ, ସେମାନଙ୍କ ମଧ୍ୟରୁ ଜଣେ ହେଇପାରିଲା । କ୍ରମେ ସେ ନେଉଳଠାରୁ ମାଛ ଧରିବା କୌଶଳ ଦେଖି ନିଜେ ମାଛଧରାରେ ପାରଙ୍ଗମ ହୋଇପାରିଲା ଓ ମା ଭାଲୁ ପାଇଁ ବି ଖାଦ୍ୟର ଅଭାବ ରହିଲା ନାହିଁ ।

ସେହି ଜଙ୍ଗଲରେ କେବେ ଯଦି କିଛି ବିପଦ ଆସେ, ଭାଲୁଛୁଆଟି କହେ, ଏଇଟା ତ' ଗୋଟେ ଖେଳ । ପ୍ରତ୍ୟେକ ବିପଦକୁ ସେ ଖେଳିବା ଭଳି ସାମ୍ନା କରେ । ସେଥିପାଇଁ ସେ ଆଜି ସେହି ଜଙ୍ଗଲର ରାଜା ।

Report an Error