ବାୟା ଚଢେଇ

ବାୟା ଚଢେଇ, ଗୋଟେ ଏଗାର ବର୍ଷର ଝିଅ ଓ କବି । ତିନୋଟି ବିନ୍ଦୁରେ ତିନୋଟି ଜୀବନକୁ ଯୋଡୁଥିବା ଏ କବିତା ।


ବେଳେବେଳେ ମୁଁ ବସିଯାଏ
ଏକ ବିଳାସପୂର୍ଣ୍ଣ ନୌକା ଗୃହରେ
ଯାହା କେବେ ବି ନଦୀର କୂଳ
ଛାଡିବାକୁ ନାରାଜ ।

ପୁଣି ନିଜକୁ ଦେଖେ
ଭାଗେ ମାଟିଆ, ଭାଗେ ଶାଗୁଆ
ଏକ ପ୍ରାନ୍ତରରେ, ଏକେଲା ତାଳ ଗଛ ତଳେ ମୁଁ, ପାଖରେ ପଡିଥିବା ବାୟା ବସାକୁ
କୋଳରେ ଧରେ ।

ଯେତେ ବାଆ କଲେ ବି ତ
ବସା ଦୋହଲୁଥିବାର କଥା,
ବୈରାଗୀ ବାୟା ଚଢେଇଟା
ହଜି ଯାଇଛି କୁଆଡ଼େ ?

କେବେ ହଠାତ୍ ମୁଁ ପହଂଚି ଯାଏ
ସେ ଏଗାର ବର୍ଷର ଝିଅଟି ପାଖରେ ।

ନଖ କାମୁଡି ଯେ କଷୁଥାଏ
ପଞ୍ଚମ ଶ୍ରେଣୀର ଅଙ୍କ ।

ତାର ମନ ତ ସଦାବେଳେ
କାଶତଣ୍ଡୀ ବଣର ଚହଲା ହାୱା,
ମାଛ, କଇଁଛଙ୍କର ଜଳୀୟ ଶିହରଣ, ତାର ମନ ତ ଅକାତକାତ, ଅଥୟ ଅବିରତ
କିମିତି ସେ ଠିକ୍ ଠିକ୍
କଷି ପାରିଥାନ୍ତା ଜୀବନ ଗଣିତ ?

ତା ପରେ ମୁଁ ପ୍ରସ୍ତ ପ୍ରସ୍ତ ଖୋଲେ
ମୋ ରାତିମାନଙ୍କୁ, ସେଠି ଶୁଣେ
ଓସ୍ତଗଛ ଡାଳରେ ଉଲୁକ,
ହୁଁ ହାଁ ଚଢେଇର ଡାକ,
ଦେଖେ ଖଳା ବାଡ଼ିରେ
ସର୍ପ ରାଜା ସର୍ପ ରାଣୀଙ୍କର ସଂଗମ ନୃତ୍ୟ ।

ସତରେ କଣ ମୁଁ ସେଇ ପିଲାଦିନ
ଯାହାକୁ ଦିନେ ଡାକି ନେଇଥିଲା
ଏକ ନଛୋଡବନ୍ଧା ଜୀବନର ଭୂତ
ସାରା କେନାଲରୁ ପାଣି ବୋହିବାକୁ
ଆଦେଶ ଦେଲା ଯେ,
ସେ ପାଣି କେବେ ସରିଲା ନାହିଁ କି
ସରିଲା ନାହିଁ ଭୂତର ଆଧିପତ୍ୟ ।

ଆଉ ମନେ ନାହିଁ ମୁଁ ଲୁଚି ପଳାଇଲି କେବେ
ପଛରେ ଛାଡ଼ିଗଲି ସଂସାର ବାଣିଜ୍ୟ,
ଗୋଟିଏ କ୍ଷତ ବଲବଲ ଧୂଳି ବଲବଲ ଆଖି ମିଟିମିଟି
କଣ୍ଢେଇକୁ ବଢ଼ାଇ ଦେଲି
ସମୟାନ୍ତରକୁ ।

ଏବେ ମୁଁ ଏମତି ଜାଗାରେ ଠିଆ
ଯେଉଁଠି ଏପାଖେ ଶୂନ୍ୟ ସେପାଖେ ଶୂନ୍ୟ,
ତଳେ ଶୂନ୍ୟ ଉପରେ ଶୂନ୍ୟ ।

ଡେଇଁ ପଡିବି ଯଦି ଏଇନା
ପଡ଼ିବି ଯେଉଁଠାରେ
ବୈରାଗୀ ବାୟା ଚଢେଇଟି
ମୋତେ ଅପେକ୍ଷା କରିଥିବ କି ସେଠାରେ ?

Report an Error