ବାଟ ଛାଡ

ବାଟ ଜଗି ବସିଥିବା ଏ ଲୋକଟି କିଏ ? ସକଳ ଐଶ୍ୱର୍ଯ୍ୟର ସମାହାର ଭଳି ବାଟ ଓଗାଳୁଥିବା ଏ ଲୋକଟି ପ୍ରେମିକ ନା ଈଶ୍ଵର ?


ବାଟ ଛାଡ, ଯାଏ ଏଥର ବୋଲି
କାହାକୁ କହୁଥାଏ ମୁଁ
ବେଳେବେଳେ ?
ମୁଁ ତ ଯମୁନାକୁ ଯାଉନାହିଁ ପାଣି ଆଣି,
ମୋର ବାଟ ଓଗାଳି
ଠିଆ ହେଉନାହିଁ ଜଣେ ସୁନୀଳ
ବାଳକର କୁହୁକ,
କି ସେ ମାଗୁନାହିଁ ବାଟର ପାଉଣା ।

ବାଟର ପାଉଣା ?
ମୁଁ ତ ଦେଇ ଦେଇ ଆସିଚି ଜୀବନଯାକ
ଯେ ମାଗିଲା ତାକୁ, ଯାହାକୁ
ଦେବା କଥା ତାକୁ
ଖୋଜି ପାଇଲିନି ତ ଏଯାବତ୍ ।

ଶୁଆ ଦଳେ ଉଡିଗଲେ ଏକାଠି,
ଖଣ୍ଡିଏ ଆକାଶକୁ ସବୁଜ ଛାଇରେ
ଘୋଡାଇ ଦେଇ ।
କୁଆ ଦି'ଜଣ ନାଲି ଫଳ ଖୁମ୍ପୁଛନ୍ତି
ବର ଗଛ ତଳେ ।
ମୁଁ ପୁଣି ଦେଖୁଛି,
ରାମ ନାମ ସତ୍ୟ ବୋଲି ପ୍ରମାଣିତ କରିବାକୁ
ମଣିଷଟିଏ ଶୋଇଯାଇଚି
ଛ'ଖଣ୍ଡ କାଠ ଶେଯରେ
କେତେଜଣଙ୍କ କାନ୍ଧ ଉପରେ,
ନିଃଶବ୍ଦ, ନିଛାଟିଆ ।
ମୁଁ ଦେଖୁଛି ମୋ ଘର ଝାଡୁକରୁଥିବା ଝିଅଟିର ଆଖିର କରୁଣ, ଲୋଭିଲା ଦୃଷ୍ଟି ।
ମୋ କାନରେ ଅହରହ ବାଜୁଛି
ମୋର ସବୁଠୁ ପ୍ରିୟ ମଣିଷର ଶେଷ ଉଚ୍ଚାରଣ ।

ଏମାନଙ୍କୁ ବି ମୁଁ କହୁଛି
"ବାଟ ଛାଡ
ମୁଁ ଯାଏ ଏଥର "ବୋଲି ?
କାହିଁକି ?
ମୁଁ ଯେତେ ଆପଣାର ଭାବିଲେ ବି
ଏମାନେ ତ ମୋତେ ଜାଣନ୍ତି ନାହିଁ ।

କେହି ଜଣେ କହନ୍ତା ନାହିଁ ?
ବାଟ ଓଗାଳି ବସିରହନ୍ତା
ରାସ୍ତା ଘାଟ ଗଳି କନ୍ଦି ସବୁଠି
ଠିଆ ହୋଇ କହନ୍ତା
"ଯାଅନା, ରହିଯାଅ ବୋଲି ?"
ଅଥବା ମୁଁ ଯଦି ନେଇପାରନ୍ତି
ସମସ୍ତଙ୍କୁ ଆବୋରି ଧରି,ଏକାଠି ?

ଠିକ୍ ଏତିକିବେଳେ
ମୃଦୁ ନିଃଶ୍ବାସଟିଏ ଅଟକି ରହି
ଛାତି ଭିତରେ କହୁଛି "ଏଠାରୁ ତ
କେହି ଯାଇ ପାରିବ ନାହିଁ
ମୋର ଅନୁମତି ନଥିଲେ !"
ପ୍ରତ୍ୟୁତ୍ତର ରେ,
ମୋ ମୁହଁରୁ ହସ ଟିକେ, କି କାନ୍ଦଟିଏ କେଜାଣି
ବାହାରି, ଡେଣା ଦୋହଲାଇ
ଉଡ଼ିଗଲା, ହଜିଗଲା କେଉଁ ମଧୁବନ ଭିତରେ ।

Report an Error