ବାଇଗଣୀ ରଙ୍ଗର ଫୁଲ

କାର୍ତ୍ତିକା ଆଉ ନାହିଁ ! ମୁଁ ବିଶ୍ୱାସ କରିପାରୁନି, କାରଣ ତା'ର ସେ ନୂଆବର୍ଷ କାର୍ଡ୍ ସେମିତି ନୂଆ ଭଳି ଲଫାଫାରେ ପଶି ମୋ ଥାକରେ ଅଛି । ତା'ର ସେ ବାଇଗଣୀ ରଙ୍ଗର ଫୁଲ, ଯାହାର ନାଁ ମୋର ମନେ ରହେନି, ସେ ଫୁଲର ସ୍ମୃତି ଏବେ ବି ମୋ ମନରେ ସତେଜ ଅଛି ।


ଏଇ କଥାଟି ସେହି ପିଲାର ଯାହାକୁ ମୁଁ ଦେଖିଥିଲି ମୋ ଆଦ୍ୟ ଯୌବନରେ । କଲେଜ ସମୟର ସେହି ଛୁଟିରେ ତାକୁ ଭେଟିଥିଲି ମୁଁ ମୋ ସାଙ୍ଗ ଘରେ । ସେହି ଛୁଟିପରେ ଆଉ କେବେ ତାକୁ ଦେଖିବାର ସୁଯୋଗ ପାଇନାହିଁ ଏବଂ ପରବର୍ତ୍ତୀ ସମୟରେ ସେହି ପିଲାଟିର କଥା ମୁଁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଛି । ଏବେ ଏଇ କିଛି ଦିନ ତଳେ ଯେବେ ସାଙ୍ଗଟି ସହ କଥା ହେଲି ତା ଗାଁ ବିଷୟରେ, ସେହି ପିଲାଟି କଥା ମୋର ମନେ ପଡିଗଲା । କାହିଁକି ତା କଥା ସେଦିନ ହଠାତ୍ ମନେ ପଡ଼ିଲା କହିପାରିବିନି । କିନ୍ତୁ ମନେ ପଡ଼ିଲା ଖୁବ୍ ।

ତାଙ୍କ ଘରଟି ମୋର ଜଣେ ସାଙ୍ଗର ଘର ପାଖରେ ଥିଲା । ସାଙ୍ଗଟା ହଷ୍ଟେଲରେ ମୋର ରୁମମେଟ୍ ଥିଲା । ମୁଁ ସାଙ୍ଗଘରକୁ ଛୁଟିରେ ଥରେ ଯାଇଥାଏ । ସେବେ ଦେଖିଲି ସାବନା ରଙ୍ଗର ଛୋଟିଆ ଛୁଆଟେ ସାଙ୍ଗ ଘରେ ସକାଳେ ସଞ୍ଜେ ଆସି ଛୋଟ ମୋଟ କିଛି କାମ କରୁଛି, ଯେମିତିକି ସାଙ୍ଗ ଘର ଦାଣ୍ଡରେ ଝାଡୁ ଲଗେଇବା, ଚିଠା ନେଇ ଦୋକାନକୁ ଯିବା, ଲଣ୍ଡ୍ରିରୁ ସଫା ଲୁଗା ଆଣି ରଖିବା, ଗଛରେ ପାଣିଦେବା, ସାଙ୍ଗର ଜେଜେଙ୍କୁ ପାଇଖାନା ନେଇଯିବା ଇତ୍ୟାଦି ଇତ୍ୟାଦି । ହଁ ଛୁଆଟିର ନାଁ କାର୍ତ୍ତିକା । ଶୁଣିଲି ସେ ଯେଉଁ ଛୋଟ ମୋଟ କାମ ଦୁଇଟା କରିଦେଇ ଯାଏ ତାହା ବଦଳରେ ସେ ଟଙ୍କା ନିଏ । ପିଲାଟିର ମୁହଁଟିର ଗଢ଼ଣ ବେଶ୍ ସୁନ୍ଦର କିନ୍ତୁ ଭ୍ରୂଲତା ଉପରେ ଥିଲା ଛୋଟିଆ ଆବୁଟେ । ମୋ ସାଙ୍ଗ କହୁଥିଲା, " କାର୍ତ୍ତିକା ଭଲ ପାଠ ପଢ଼େ, କିନ୍ତୁ ଟଙ୍କା ଅଭାବରୁ କାମ କରିବାକୁ ବାଧ୍ୟ ହେଉଛି" । ସେ ସ୍କୁଲ୍ ଯାଉଥିଲା, ସ୍କୁଲରୁ ଫେରି କାମ କରୁଥିଲା । ରାତିରେ ଲଣ୍ଠନ ଲଗେଇ ସ୍କୁଲ ପଢ଼ା ସାରୁଥିଲା । ଏମିତି କଟୁଥିଲା କାର୍ତ୍ତିକାର ଦିନ । କାର୍ତ୍ତିକାର ବଡ଼ ଭାଇଟେ ବି ଥିଲା । ତା' ବଡ଼ଭାଇର ନାଁ ଥିଲା ବିନାୟକ । ସମସ୍ତେ ତାକୁ 'ବିନ' ଡାକୁଥିଲେ । ବିନ ଜମା ପାଠ ପଢ଼େନି । ଘରେ ବି କାହାକୁ କୌଣସି କାମରେ ସାହାଯ୍ୟ କରେନି । ଦିନେ ସ୍କୁଲ୍ ଗଲେ ଚାରିଦିନ ଯାଏନି । ଦିନ ସାରା ଗାଁ ଛକ, ବଜାରରେ ବୁଲୁଥାଏ । ଘରେ ନିଜ ମାଆ, ବାପାଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରେ । ସାନ ଭାଇକୁ ମାରଧର କରେ । ଏସବୁ କଥା କାର୍ତ୍ତିକାର ମାଆ ଆସି ସାଙ୍ଗ ଘରେ କହନ୍ତି ବୋଲି ସେମାନଙ୍କଠୁ ଶୁଣିଥିଲି ।

ମୁଁ ଯେତିକି ଦିନ ସାଙ୍ଗ ଘରେ ରହିଛି ସବୁଦିନ କାର୍ତ୍ତିକାକୁ ଦେଖେ ସେ ତରବର ହେଇ ଆସୁଛି, ନିଜ କାମ ସବୁ ଶୀଘ୍ର ଶୀଘ୍ର ସାରି ଘରକୁ ଫେରିଯାଉଛି । ଦିନେ ମୁଁ ଆଉ ମୋ ସାଙ୍ଗ ତାଙ୍କ ଛାତ ଉପରେ ବସି ଗୋଟେ ଓଡ଼ିଆ ଉପନ୍ୟାସକୁ ଏକଧ୍ୟାନରେ ପଢ଼ୁଥିଲୁ । ସେହି ସମୟରେ କାର୍ତ୍ତିକା ହଠାତ ଆସି ଆମକୁ ଚମକାଇ ଦେଲା । ଆମେ ଡରିଯାଇ ବହିଟାକୁ ଲୁଚେଇ ଦେଲୁ । କାର୍ତ୍ତିକା ହାତରେ ଥିଲା ଦୁଇ ଗ୍ଲାସ୍ ବେଲପଣା । ସେ ହସି ହସି ମୋତେ ପଚାରିଲା, "ଦିଦି ତୁମେ ଭଦ୍ରକ କଲେଜରେ ସାଇନ୍ସ୍ ପଢୁଛ ?"

ମୁଁ କହିଲି,"ହଁ, ତୁ ବି ସାଇନ୍ସ୍ ପଢ଼ିବୁ କି ?"

ସେ ଟିକେ ମନ ଦୁଃଖ କଲା ଭଳି କହିଲା, "ଇଚ୍ଛା ତ ବହୁତ ଅଛି, କିନ୍ତୁ ରେଜଲ୍ଟ୍ କ'ଣ ହେଉଛି ଦେଖାଯାଉ । ପଢ଼ିଲେ ଏଇ ପାଖରେ ପଢ଼ିବି । ଏତେ ଦୂରକୁ ଘରେ ଛାଡ଼ିବେନି" ।

ମୋ ସାଙ୍ଗ ତାକୁ କହିଲା, "ହଁ ହଁ ଛାଡ଼ିବେ, ତୁ ମନ ଦେଇ ପଢ଼ । ଆଗ ମାଟ୍ରିକଟା ସରୁ ତାପରେ ଏତେ କଥା ଚିନ୍ତା କରିବୁ । ହଉ ଶୁଣେ, ଆଜି ଦୋକାନକୁ ଗଲେ ଚିଠାରେ 'ମ୍ୟାଗି' ଦୁଇ ପ୍ୟାକେଟ୍ ଲେଖିଦେଇଥିବୁ । ଗ୍ଲାସ୍ ଆମେ ନେଇଯିବୁ ତୁ ଏବେ ଯାଆ ଏଠୁ" ।

ମୋ ସାଙ୍ଗ ଆର୍ଟ୍ସ୍ ପଢୁଥିଲା, ମୁଁ ସାଇନ୍ସ୍ । ମୋ ସାଙ୍ଗ ମୋଠୁ ବେଶି ପରିଶ୍ରମୀ ଓ ବେଶି ସଫଳ ଥିଲା, ତଥାପି କାହିଁକି କେଜାଣି କାର୍ତ୍ତିକାର ନଜରରେ ମୁଁ ବେଶି ଭଲ ସ୍ଟୁଡେଣ୍ଟ୍ ଥିଲି । ସେ ବାରମ୍ବାର ମୋତେ ଆମ ପାଠ ଆଉ କଲେଜ୍ କଥା ପଚାରୁଥିଲା । ସେ ଯେତେବେଳେ ମୋଠୁ କଲେଜ୍ ବିଷୟରେ ଶୁଣୁଥିଲା ତା' ଆଖି ଚିକମିକ୍ କରି ଉଠୁଥିଲା ।

ଦିନେ ସକାଳୁ ଉଠୁ ଉଠୁ ଦେଖିଲି କାର୍ତ୍ତିକା ମେଞ୍ଚାଏ କଙ୍କଡା ଧରି ଆସି ସମସ୍ତଙ୍କୁ ଡାକୁଛି । ମୁଁ ଉଠିଯାଇ ସାଙ୍ଗଘର ବାରଣ୍ଡାରେ ଠିଆ ହେଲି ତ ସେ କହିଲା, "ଦିଦି କହୁଥିଲ ପା କେବେ କଙ୍କଡା ଖାଇନ, ମୁଁ ନେଇ ଆସିଛି, ଆଜି ବଡ଼ମାଆ ରାନ୍ଧିଦେବେ ଖାଇବ ।"

ମୁଁ ସାଙ୍ଗର ମାଆଙ୍କ ମୁହଁକୁ ଅନେଇ କହିଲି, "ନା ନା ମାଉସୀ, ମୁଁ ଖାଇନି ମାନେ କେବେ ଖାଇବାକୁ ବି ଚାହିଁନି । ଇଏ କାହିଁକି ଆଣିଲା ମୁଁ ଜାଣେନି" ।

ମୋ କଥା ଶୁଣି କାର୍ତ୍ତିକାର ମନ ବୋଧେ ଦୁଃଖ ହେଇଗଲା । ସେ କହିଲା, "ହଉ ନଖାଅ । ଆଜି ନ ଖାଇଲେ ଆଉ କେବେ ବି ଖାଇପାରିବନି କି ଇଆର ସ୍ୱାଦ ଜାଣି ପାରିବନି" । ଏତିକି କହି ସେ ଚାଲିଗଲା ତା କାମରେ । ସାଙ୍ଗର ମାଆ ବିରକ୍ତ ହେଇ ତାଙ୍କ ଘରେ କାମ କରୁଥିବା ଜଣେ ମହିଳାଙ୍କୁ କହିଲେ, "ଆଜି ମଙ୍ଗଳବାର, ଏଗୁଡ଼ାକ ମୁଁ ଛୁଇଁବିନି । ସେଇଠି ଥାଉ, କାର୍ତ୍ତିକା ବୋଉ ଯଦି ଆସେ ତାକୁ ଦେଇଦେବ, ନହେଲେ ସେପଟ ଗାଡିଆରେ ଫିଙ୍ଗିଦେବ" ।

ଦୁଇଦିନ ପରେ ମୋତେ ସାଙ୍ଗଘରୁ ନିଜ ଘରକୁ ଫେରିବାର ଥିଲା । କାର୍ତ୍ତିକା ଆସି କହିଲା, "ଦିଦି ତୁମ ଠିକଣା ଆଉ ନମ୍ବର୍ ଦେଇଥାଅ, ମୋର ରେଜଲ୍ଟ୍ ବାହାରିଲେ ଜଣେଇବି । "

ମୁଁ କହିଲି, "ମୋନାଠୁ ବୁଝିନେବି ତୋ ରେଜଲ୍ଟ୍" ।

ସେ କହିଲା, "ଅପା ମୋ କଥା ତୁମକୁ କହିବେନି" ।

ମୁଁ ଆଶ୍ଚର୍ଯ୍ୟ ହେଇ ପଚାରିଲି, "କାହିଁକି କହିବନି ?"

ସେ ଚୁପ୍ ହେଇଗଲା କିଛି ସମୟ, ତାପରେ କହିଲା, "ତୁମେ ତାହେଲେ ତୁମ ଘର ଠିକଣା ଦେବନି ?"

ମୁଁ ହସିଲି ଆଉ କହିଲି, "ମୋ ଘର ଠିକଣା ଦେଲେ ତୁ କ'ଣ ଯିବୁ ମୋ ଘରକୁ ? ଆଉ ମୁଁ କ'ଣ ସବୁବେଳେ ଘରେ ଥାଏ ଯେ ତୁ ଚିଠି ଦେଲେ କି ଫୋନ୍ କଲେ ମୁଁ ଉତ୍ତର ଦେଇପାରିବି ?"

ସେ ପୁଣି କହିଲା, "ହଉ ତାହେଲେ ହଷ୍ଟେଲ୍ ଠିକଣାଟା ଦିଅ ମୁଁ ନୂଆବର୍ଷ କାର୍ଡ୍ ପଠେଇବି"।

ମୁଁ ଗୋଟେ କାଗଜରେ ହଷ୍ଟେଲ ଠିକଣା ଲେଖି ତାକୁ ଦେଇଦେଲି ।

ସେଦିନ ବାରଟା ବେଳ ବସ୍ ରେ ମୋର ଫେରିବାରେ ଥିଲା । ସକାଳୁ ସକାଳୁ କାର୍ତ୍ତିକା ଆସି ମୋତେ ଝର୍କା ସେପଟୁ ହାତ ଠାରି ଡାକିଲା ତା ସାଙ୍ଗରେ ବାଡ଼ି ପାଖର ପୋଖରୀ ଆଡ଼େ ଯିବା ପାଇଁ । ମୋତେ ତା' ଉପରେ ଭାରି ଚିଡ଼ି ଲାଗିଲା । ମୁଁ ମୋ ସାଙ୍ଗ ମୋନାକୁ କହିଲି,"ତୁ ପା କହୁଥିଲୁ ଇଏ ଭଲ ପଢ଼େ, ଭଲ ପିଲାଟେ । ଇଆର ଲକ୍ଷଣରୁ ତ ସେମିତି କିଛି ଜଣା ପଡୁନି । ଏ କ'ଣ ମୋତେ ପୋଖରୀ ଆଡ଼କୁ ଡାକୁଛି?"

ମୋନା କହିଲା, "ହଁ ଭଲ ତ ପଢ଼େ । କ୍ଲାସରେ ପୋଜିସନ୍ ବି ରଖୁଛି । ହଉ ଛାଡ୍ ତା' କଥା । ଇଗ୍ନୋର୍ ହିମ୍ ।"

ମୁଁ ଆଉ ସେଦିନ କାର୍ତ୍ତିକା ସାଙ୍ଗରେ ବାଡ଼ି ପୋଖରୀ ଆଡ଼େ ଗଲିନାହିଁ । କିନ୍ତୁ ଫେରିଲାବେଳେ ସାଙ୍ଗ ଘରେ କାମ କରୁଥିବା ମହିଳାଜଣଙ୍କ ମୋତେ ବାଇଗଣୀ ରଙ୍ଗର କିଛି ଫୁଲ ଦେଇ କହିଲେ, "କାର୍ତ୍ତିକା ପୋଖରୀ ଆଡିରୁ ଛିଡେଇ ରଖି ଦେଇ ଯାଇଛି ତୁମ ପାଇଁ । ତା'ର ସ୍କୁଲ ବେଳ ହେଇଗଲା ତ ସେ ପଳେଇଲା,ଆଉ ତୁମ ସହ ଭେଟ ହେଇପାରିଲାନି ତା'ର । ଏଇ ନିଅ" ।

ମୁଁ ସେ ଟିକି ଟିକି ବାଇଗଣୀ ରଙ୍ଗର ଫୁଲକୁ ହାତରେ ଧରିଲି । ସେମିତି ଫୁଲ ମୁଁ ଆଉ କେବେ କୋଉଠି ଦେଖିନି । କି ସୁନ୍ଦର ଫୁଲ, କେଡ଼େ ସୁନ୍ଦର ବାସ୍ନା ! ଆଃ.. ଆଜି ବି ସେ ଚମତ୍କାର ଫୁଲର ଉଜ୍ଜ୍ୱଳ ରଙ୍ଗ ଆଉ ବାସ୍ନା ମୋର ମନେ ଅଛି ।

ପରବର୍ଷ କଲେଜରେ ମୋର ଫାଇନାଲ୍ ଇୟର୍ ଥିଲା । କାର୍ତ୍ତିକା ସେହି ନୂଆବର୍ଷରେ ମୋତେ ଗୋଟେ ଗ୍ରୀଟିଙ୍ଗ୍ସ୍ କାର୍ଡ୍ ପଠେଇଥିଲା । ମୁଁ ତା' କାର୍ଡର କିଛି ଉତ୍ତର ଦେଇନଥିଲି । ସେହି ବର୍ଷ ମାର୍ଚ୍ଚରେ ବୋଧେ ସେ ମାଟ୍ରିକ ପରୀକ୍ଷା ଦେଇଥିଲା । ତା'ର ରେଜଲ୍ଟ୍ ବି ମୁଁ ବୁଝି ନଥିଲି । ମୋ ପରୀକ୍ଷା ପରେ ମୁଁ ହଷ୍ଟେଲ୍ ଛାଡିଦେଲି । ମୋନା ଓଡିଶା ବାହାରକୁ ପଳେଇଲା ପଢ଼ିବା ପାଇଁ । ମୁଁ ଆଉ ତା ସହ ଏତେ ଯୋଗାଯୋଗ ରଖିନଥିଲି । ଅଳ୍ପ କିଛି ବର୍ଷ ପରେ ମୋନା ବାହା ହେଇ ଲଣ୍ଡନ୍ ସିଫ୍ଟ୍ ହେଇଗଲା ବୋଲି ତା ସୋସିଆଲ୍ ମିଡ଼ିଆ ପ୍ରୋଫାଇଲରୁ ଜାଣିବାକୁ ପାଇଲି । ତା'ପରେ ଆମେ ଆମ ସଂସାରିକ ଜଂଜାଳରେ ଖୁବ୍ ବ୍ୟସ୍ତ ହେଇଗଲୁ ଓ ଆମର ଯୋଗାଯୋଗ ଏକଦମ୍ ଜିରୋ ହେଇଗଲା କହିଲେ ଚଳେ ।

ଏଇ କିଛି ଦିନ ତଳେ ମୋନାର ଗୋଟେ ପୋଷ୍ଟ୍ ଦେଖିଲି ସେ ଇଣ୍ଡିଆ ଆସିଛି । ମୁଁ ତାକୁ ମେସେଜ୍ ଦେଲି । ସେ ନମ୍ବର୍ ମାଗିଲା । ମୁଁ ଦେଲି । ସେ କଲ୍ କଲା । ଆମେ ଆମ କଲେଜ ଆଉ ହଷ୍ଟେଲ୍ ଲାଇଫ୍ ବିଷୟରେ ଅନେକ କଥା ହେଲୁ । ମୋର ହଠାତ୍ କାର୍ତ୍ତିକା କଥା ମନେ ପଡ଼ିଲା । ମୁଁ ପଚାରିଲି, "ଆରେ ସେ ପିଲାଟା ଯୋଉ ତୁମ ଘରେ କାମ କରୁଥିଲା, କ'ଣ ତ ତା ନାଁଟି ? ହଁ କାର୍ତ୍ତିକା, ତା'ର ମାଟ୍ରିକ୍ ରେଜଲ୍ଟ୍ କ'ଣ ହେଲା ?"

ମୋନା କହିଲା, "ତୁ ବି ନା ! କୋଉ କାଳର କଥା ଆଜି ପଚାରୁଛୁ ! ତା ମାଟ୍ରିକ ପରୀକ୍ଷା ଦେବାର ଗୋଟେ ଦଶନ୍ଧି ପରେ ରେଜଲ୍ଟ୍ କ'ଣ ହେଲା ଆଜି ପଚାରୁଛୁ, ଆଉ ଆଶା ବି ରଖିଛୁ ମୁଁ ତା' ପରସେଣ୍ଟେଜ୍ ମନେ ରଖିଥିବି ଆଉ ତୋତେ କହିବି!" ।

ମୁଁ କହିଲି, "କାଇଁ ତୁ ତ କହୁଥିଲୁ ସେ ଭଲ ପଢ଼େ, କ'ଣ ମନେ ରଖିଲା ଭଳି ରିଜଲ୍ଟ୍ ଆସିଲାନି କି ?"

ମୋନା ଟିକେ ଗମ୍ଭୀର ସ୍ୱରରେ କହିଲା, "ହଁ ପରୀକ୍ଷାରେ ବହୁତ ଭଲ କରିଥିଲା ସେ, ରିଜଲ୍ଟ୍ ବି ବହୁତ ଭଲ ହେଇଥିଲା, ମନେ ରଖିଲା ଭଳି । କିନ୍ତୁ ମୋର ଆଜିକାଲି ବେଶି କିଛି ମନେ ରହୁନି ରେ" ।

ଆଚ୍ଛା । ଆଉ ସେ କୋଉଠି ପଢିଲା ?

ପ୍ଲସ୍ ଟୁ ସାଇନ୍ସ୍ ପଢିଲା ଘର ପାଖର କଲେଜରେ । ଶୁଣିଥିଲି ପଢାପଢିରେ ତା'ର ଆଗ୍ରହ ଦେଖି ଜଣେ ମ୍ୟାଥ୍ ଟିଚର୍ ତାକୁ ମାଗଣାରେ ପଢ଼େଇଲେ ଆଉ କୋଚିଂ ବି ଦେଲେ ମାଗଣାରେ । ଜାଣିଛୁ ସେ ଫାର୍ଷ୍ଟ୍ ଆଟେମ୍ପ୍ଟ୍ ରେ ମେଡିକାଲ୍ ଏଣ୍ଟ୍ରାନ୍ସ୍ କ୍ୱାଲିଫାଇ କରିଯାଇଥିଲା । ଆମ ଗାଁର ସେ ହେଇଥାନ୍ତା ପ୍ରଥମ ଡାକ୍ତର । ତାଙ୍କ ଗରିବ ପରିବାରର ଅବସ୍ଥା ସୁଧୁରି ଯାଇଥାନ୍ତା ।

"ଡ଼କ୍ଟର ହେଇଥାନ୍ତା ମାନେ ? ସେ କଣ ଡାକ୍ତରୀ ପଢିଲାନି ?", ମୁଁ ଆଶ୍ଚର୍ଯ୍ୟ ହେଇ ମୋନାକୁ ପଚାରିଲି । ମୋନା ଟିକେ ସମୟ ନୀରବ ରହିଲା ପରେ କହିଲା, "ନା ପଢ଼ିପାରିଲାନି । "

ମୁଁ ବ୍ୟସ୍ତ ହେଇ ପଚାରିଲି, "କାହିଁକି ରେ ? ଅସୁବିଧା କ'ଣ ହେଲା ?"

ମୋନା କହିଲା, "କ୍ୟାନ୍ସର୍ । ତା କପାଳରେ, ଭ୍ରୂଲତା ଉପରେ ଗୋଟେ ଆବୁ ଭଳିଆ ହେଇଥିବା ଦେଖିଥିବୁ ବୋଧେ । ସେଇଟା ଥିଲା ସେ ଦେଖିଥିବା ତା'ର ସବୁ ସ୍ୱପ୍ନର ଶତ୍ରୁ । ତାଙ୍କ ଘରେ କେହି ଜାଣି ପାରିନଥିଲେ ବୋଧେ । ଆମେ ବି ଜାଣି ପାରିନଥିଲୁ । ଜାଣିଲାବେଳକୁ ବହୁତ ଡେରି ହେଇଯାଇଥିଲା । ଜାଣିଛୁ ମାଆ କହୁଥିଲେ ସେ ମୃତ୍ୟୁ ସହ ସଂଗ୍ରାମ କରୁଥିବାବେଳେ ବି ସବୁ ଡାକ୍ତରଙ୍କୁ କହୁଥିଲା ସେ ମେଡିକାଲ୍ ଏଣ୍ଟ୍ରାନ୍ସ୍ କ୍ୱାଲିଫାଇ କରିଛି, ସେ ଭଲ ଡାକ୍ତରଟିଏ ହେବ । ତୋତେ ଯେମିତି ସେ ସାଇନ୍ସ୍ ପାଠ ବିଷୟରେ ପଚାରୁଥିଲା ସେଠି ରୋଗ ଶଯ୍ୟାରେ ଶୋଇ ଡାକ୍ତରଙ୍କୁ ମେଡିକାଲ୍ ପାଠ ବିଷୟରେ ପଚାରୁଥିଲା । "

ମୋନାର କଥା ଶୁଣି ମୁଁ ତା'ର ସେହି ଚିକମିକ ଆଖି ଦୁଇଟିକୁ ମନେ ପକେଇ ଆଖିରୁ ଦୁଇ ବୁନ୍ଦା ଲୁହ ଢାଳି ଦେଲି । ମୋନା କହିଲା, "ମରିବା ଆଗରୁ ସେ ଥରେ ଗାଁର ସେହି ପୋଖରୀ କୂଳର ବାଇଗଣୀରଙ୍ଗର ଫୁଲକୁ ଦେଖିବାକୁ ଇଚ୍ଛା କରିଥିଲା । ଦେଖି ପାରିଲାନି, ଚାଲିଗଲା" ।

କାର୍ତ୍ତିକା ଆଉ ନାହିଁ ! ମୁଁ ବିଶ୍ୱାସ କରିପାରୁନି, କାରଣ ତା'ର ସେ ନୂଆବର୍ଷ କାର୍ଡ୍ ସେମିତି ନୂଆ ଭଳି ଲଫାଫାରେ ପଶି ମୋ ଥାକରେ ଅଛି । ତା'ର ସେ ବାଇଗଣୀ ରଙ୍ଗର ଫୁଲ, ଯାହାର ନାଁ ମୋର ମନେ ରହେନି, ସେ ଫୁଲର ସ୍ମୃତି ଏବେ ବି ମୋ ମନରେ ସତେଜ ଅଛି । ଆଃ କି ସୁନ୍ଦର ସେ ଫୁଲ ! ଆଃ କେଡ଼େ ମଧୁର ମହକ ଥିଲା ସେ ଫୁଲରେ !

Report an Error