ଆଉଜଣେ ରତ୍ନାକର

ମାଟି ଭିତରେ ମାଟି ହୋଇ ରହିଯିବା କିମ୍ବା ରତ୍ନାକର ସେମିତି ଦସ୍ୟୁ ହୋଇ ରହିଯିବା କେବଳ ଏକ ବାସ୍ତବତା । ଏ କବିତା ସେ ବାସ୍ତବତାକୁ ବିସ୍ତାରିତ କରୁଥିବା ଏକ ଉଡାଣ ।


ଜଣେ ସବୁ ଛାଡ଼ି ଘୋଷୁଥିଲା
ଜଣେ ସବୁ ଭୁଲି ଖଟୁଛି
ଜଣେ ବସିବସି ଦେହସାରା ମାଟି ଚରେଇଦେଲା
ଆଉ ଜଣେ ମାଟି ସହ ମାଟି !
ତା ଦେହରୁ ମାଟି ଛଡେଇବାକୁ ନଥିଲେ କେହି
ଇଏ ନାହି କଣାରେ ଆଙ୍ଗୁଳି ଖେଞ୍ଚି ନିଜେ କାଢୁଛି ମାଟି !

ସେ ବଦଳିଯିବାର ଲକ୍ଷ୍ଯରେ ଥିଲା
ଇଏ ବଦଳେଇବାର
ସେ ବସି ବସି ଲେଖୁଥିଲା ଭାଗ୍ୟ
ଇଏ ମାଟି ପିଠିରେ ଗାର ଟାଣି
ଲିଭୋଉଛି କପାଳର ଯେତେ କଳାଦାଗ !
ସେ ଧ୍ୟାନ ମୁଦ୍ରାରେ ଜାଳୁଥିଲା ତା ଅତୀତର ଗୋଟେ ଗୋଟେ ପୃଷ୍ଠା
ଇଏ ନଟରାଜ ବନି ଖୋଜୁଥିଲା ଗୋଟେ ସୁନାରେ ଆଉଟା ସକାଳ !

ତା ରକ୍ତ ସବୁକୁ ଶୀତଳ କରୁଥିଲା ମାଟି
ଆ ତମାମ୍ ରକ୍ତକୁ ଗରମ କରି ପେଗ୍ ବନୋଉଛି ମାଟି
ତାକୁ ବାଲ୍ମିକୀ ସଜେଇ ଦେଲା ଏ ମାଟି
ଆଉ ଇଏ ?
ଓଃ ଇଏ ଆଜନ୍ମ ଗୋଟିଏ ମାଟି !.

Report an Error