ଆସ ଦିହେଁ ମିଶି ଲେଖିବା କବିତା

ଶବ୍ଦ ନାଆ ହୁଏ, ନାବିକ ହୁଏ ଶବ୍ଦ ବେଳେବେଳେ ସମୁଦ୍ର ବି ହୁଏ - ତାରି ଭିତରେ କବି କେଉଁଠି ଥାଏ ?


ଆସ, ଦିହେଁ ମିଶି ଲେଖିବା କବିତା ଏଇ ଶତାବ୍ଦୀର
କବିତାରେ ଡେଇଁଯିବା ସୀମା ସରହଦ ପୃଥିବୀର ।

ହସକୁ ଡେଇଁଯାଏ କବିତା,
ଠିକ୍ ସେମିତି ଆମେ ଡେଇଁଯିବା
ଆଖିସବୁରେ ଢ଼େଉ ଖେଳୁଥିବା ଲୁହସବୁକୁ ।

ଶବ୍ଦ ନାଆ ହୁଏ, ନାବିକ ହୁଏ
ଶବ୍ଦ ବେଳେବେଳେ ସମୁଦ୍ର ବି ହୁଏ ।
କବିତା ଭିତରକୁ ପଶି, ଆସ ଆଉଥରେ
ଉବୁଟୁବୁ ହେବା ।

ମଶାଣିର ନିଆଁ ଲିଭି ବସିଲାଣି
କିଛି କିଛି ନିଆଁବୋଳା ଶବ୍ଦ ଖୋଜିବା
ଆସ ଦିହେଁ ମିଶି,
ଶୀତ ଲହରୀରେ ଗଛର ଡାଳପତ୍ର
ମଣିଷର ପାପୁଲି ଥଣ୍ଡା ପଡ଼ିଲାଣି ।

ଜାଣିଥିଲେ, ତମେ ଜାଣିଥିବ ଠିକଣା ନିରୁଦ୍ଦିଷ୍ଟ ଈଶ୍ୱରଙ୍କର,
ନିଆଁ ଲଗେଇ ଗାଡିକୁ ଧାଇଁ ପଳେଇଥିବା ଦୁର୍ବୃତ୍ତମାନଙ୍କର,
ତମକୁ ଜଣା ଫୁଲ ଫୁଟେଇବାର କଳା,
ତମେ ହିଁ ଆଙ୍କିପାର ପୃଥିବୀର ପିଠିରେ ଟାଟୁ
ଗଲା ବିଶ୍ବଯୁଦ୍ଧର ।

ଆସ, ଦିହେଁ ମିଶି ଲେଖିବା ଏଯାଏଁ ଲେଖା ହେଇନଥିବା କବିତା ମହାମାରୀର ।

ଆସ ପରସ୍ପରର ମୁହଁକୁ ମୁଖା ପରିକା ପିନ୍ଧିବା
ଯେତେବେଳେ ମଣିଷ ଶୂନ୍ୟ ହେବାକୁ ବସିଛି ପୃଥିବୀ,
ଆସ, କବିତାରେ ଖୋଜିବା ଅନ୍ୟ ଏକ ଗ୍ରହ ।

ବିଷାକ୍ତ ଆଜିର ଏଇ ପବନ
ବିଷାକ୍ତ ଏଠି ଜଳ, ଜୀବନ
ସୂର୍ଯ୍ୟ ବି ଏଠି କୃତ୍ରିମ
ଜହ୍ନ ଦିଶେ ଖଣ୍ଡିଆ, ଆତତାୟୀ ଆତତାୟୀ
ମଣିଷର ମନ ।

ତମେ ଯୁଆଡେ ଅନେଇବ ଫୁଲ ଫୁଟିବ,
ତମେ ଯୁଆଡେ ଯିବ, ପଛେ ପଛେ ସକାଳ ଯିବ ।
ଆମେ ଦିହେଁ ମିଶି ଆସ, ରାତିକୁ ନେଇ ଖୁବ ଦୂରରେ ଛାଡ଼ିଆସିବା ।

ରାତି ହିଂସ୍ର
ବୋବାଉଥିବା ଏକଲା କୁକୁରର ଥମୁନଥିବା ଏକ ଲମ୍ବ କାନ୍ଦ,
ରାତି ଏଠି ସମବେତ କଂଠରେ ପ୍ରାର୍ଥନାରତ ତାରାମାନଙ୍କର ନୀରବ ଡାକ,
ରାତି ନିଇତି ମୋ ପାଖକୁ ଆସୁଥିବା ତମର ଏକ ଅଧଲେଖା ଚିଠିର ଆକାଶ ।

ଆସ, ଏକାଠି ପଢିବା ଏଇ ରାତିକୁ
ଯା'ର ପ୍ରତିଟି ଅକ୍ଷର ଦରମରା ମୁମୂର୍ଷୁ
ଆସ, ଫିଟେଇବା ବାଟ ଏଇ ରାତିର ଯା'ର
ଅସଂଖ୍ୟ ଗୁମ୍ଫା, ପ୍ରହେଳିକାପୂର୍ଣ୍ଣ କବାଟ ।

ଆସ, ସବୁ ରାସ୍ତା ଦେଇ ଯିବା, ସବୁ ଥର ପରି ଓ ପୁଣି ଫେରିଆସିବା ପରସ୍ପର ପାଖକୁ ।

Report an Error