ଅରୂପ

ଏକ ଅଦୃଶ୍ୟ ଅଣାକାର ସତ୍ତାର ଆକଳନ ପାଇଁ ସବୁ ଶବ୍ଦ ତତ୍ପର, ହେଲେ ଆକଳନର ସୀମା ବାହାରେ ସେ ଅରୂପ ।


ତୁମଠି ହାତ ପହଞ୍ଚି ପାରେନାହିଁ
କାରଣ ତମେ କୁଆଡ଼େ ପବନ ପରି ଘୁଞ୍ଚି ଯାଅ
ନିଃଶ୍ବାସର ଦୋଳନରେ
ଏବଂ ବିଞ୍ଚି ହେଇଯାଅ ଫୁଲହେଇ
ମଳିନା ମାଟିର ପ୍ରତ୍ୟୟରେ

ଜୀବନ କିନ୍ତୁ ଧକ୍କା ଖାଏ ବସନ୍ତରେ
କେବେକେବେ ତୁମରି ଇଛାରେ
ବସନ୍ତ ପାଲଟିଯାଏ ବର୍ଷାର ଅଜଣା ଶ୍ଲୋକ
କାହାଣୀ ପରି ଗଡ଼ି ଯାଏ ଉପଲବ୍ଧିର ମହାସ୍ରୋତ
ନାହିଁ ଭିତରେ ହଁ ଓ
ବାଲି ଭିତରେ ମହାସମୁଦ୍ରକୁ
ଅନୁଭବ କରିହୁଏ
ତୁମକୁ ଖୋଜିଲେ

ତୁମରି ସ୍ଵରରେ
ମୁଖରିତ ହୋଇଯାଏ ଏବେ
ହୃଦୟର ଦ୍ଵାର
କେଜାଣି କେମିତି ମନେହୁଏ:
ତୁମେ ମୋର ଆଖିର ଚେତନା ଏବଂ
ମୁଁ ତୁମର କାଗଜର ଘର ।।

Report an Error