ଅରୁଣୋଦୟ

ମୁଁ ଥାଏ କି ନଥାଏ ତମ ଛାତିରେ, ଅମର ହୋଇ ରହିଯାଉ ମୋର ବେଦନା, ଖୋଦେଇ ହୋଇ ରହୁ ମୋର ସ୍ପନ୍ଦନ, ହେ ନୂଆ ସକାଳର ଅରୁଣ, ମୋର ସଲାମ ଘେନ ।


ଭଲପାଇବାର ଭାଷାରେ ଉଜ୍ଜଳ ଦିଶୁଥିବା
ହେ ମୋର ପୃଥିବୀ
ହେ ମୋର ସମୟ
ତମକୁ ସଲାମ
ଅନ୍ଧାରର ଟୋପି ପିନ୍ଧିଥିବା ହେ ଦୁର୍ଭାଗ୍ୟ
ବୋମା ପରି ବରଫ ବର୍ଷୁଥିବା ପ୍ରାନ୍ତରର
ହେ ନିଷ୍ଠୁର ମହାକାଳ
ତମକୁ ସଲାମ
ରକ୍ତର ନଦୀରେ ଟୋପାଏ ନିଆଁର ହେ ମହାଜୀବନ
ତମକୁ ସଲାମ ।

ତମକୁ ସଲାମ ହେ ବିତି ଯାଉଥିବା ସମୟ
ଓ ପୁରୁଣା ଟାଇପ ରାଇଟରର ଅକ୍ଷର
ମୋର ପାପୁଲିରେ ହେ ଚିରସ୍ଥାୟୀ କ୍ଷତର ଚିତ୍ରାଙ୍କନ
ହେ କୋଟି କଙ୍କାଳର ଐତିହାସିକ ଦେଶ
ହେ ଫୁଲ ! ହେ ପାଇନ ଗଛ !
ହେ ଅଚଳ ଟେଲିଫାନର କଳଙ୍କିଲଗା ତାର !
ହେ ବିଦେଶୀ ପକ୍ଷୀର ପ୍ରେମିକ ପବନ !
ମୋର ସଲାମ ଘେନ
ମୋର ସଲାମ ଘେନ ।

ପ୍ରାର୍ଥନାର ହେ ପ୍ରାଚୀନ ନିରବତା !
ପ୍ରେମର ଅନ୍ଧାରରେ ଶିହରୁଥିବା ହେ ଲାଜକୁଳୀ ଲଟା !
କୋଣାର୍କ ପଥରର ହେ ଜଡ ଦେବତା !
ହେ ଲୁହଟୋପା ! ହେ ରକ୍ତର ପୋଷାକ !
ହେ ଷଡଯନ୍ତ୍ରର ଜଘନ୍ୟ ମେସିନ !
ହେ ଅଧା ଆକାଶର ଇନ୍ଦ୍ରଧନୁ ମନ !
ମୋର ସଲାମ ଘେନ
ମୋର ସଲାମ ଘେନ ।

ମୁଁ ଥାଏ କି ନଥାଏ
ତମ ଛାତିରେ ଅମର ହୋଇ ରହିଯାଉ ମୋର ବେଦନା
ଖୋଦେଇ ହୋଇ ରହୁ ମୋର ସ୍ପନ୍ଦନ
ହେ ନୂଆ ସକାଳର ଅରୁଣ
ମୋର ସଲାମ ଘେନ
ମୋର ସଲାମ ଘେନ ।

Report an Error