ଅନେକବର୍ଷ ପରେ

ଅପରିଚୟ ଓ ପରିଚୟ ଭିତରେ ଏ କବିତାର ଖେଳ । ପ୍ରେମ ଓ ଅପ୍ରେମ ଭିତରେ ଏକ ସୂତ୍ର ନିର୍ମାଣ ଚାଲିଛି, ଯାର ସୂତ୍ରଧର ସ୍ଵୟଂ କବି ।


ନା
ଏବେ ନୁହଁ ,
ଆଜି ନୁହଁ,
ସେ ସମୟ ଆସିବ
ଅନେକବର୍ଷ ପରେ ।

ଯେବେ ତୋ
ଶିଉଳି ଲଗା ଅଣ୍ଟାରେ
ଖସିଯାଉ ନଥିବ ମୋ ହାତ,
ଯେବେ ମହଣ ମହଣ ଯୌବନରୁ
ତୁ ନିଷ୍କୃତି ପାଇସାରିଥିବୁ,
ତୋ ଦେହର ଋତୁ ପରିବର୍ତ୍ତନ ଯେବେ
ବିରତି ନେଇସାରିଥିବ,
ତୋ ରାତିଙ୍କର ସ୍ବପ୍ନରେ
ଆଉ ଆସୁନଥିବ ଅଜଣା ଫୁଲର ମହକ,
ଯେବେ ସୁନାର ନୀଡ଼ଟିଏର ଚିତ୍ର
ଯାହାକୁ ଏତେଦିନ ଧରି
ସାଇତିଥିଲୁ ମନରେ
ଧୂଳି ଧରୁଥିବ ପରସ୍ତପରସ୍ତ,
ଯେବେ ତୁ ଅଗଣାରେ ବସି
ପତ୍ରଝରା ଦେଖୁଥିବୁ,
ଯେବେ ମୁଁ ଆଙ୍ଗୁଳି ଚଳାଇ
କୁଡୁଡିରେ ଆଉ ଆଙ୍କିପାରୁନଥିବି

ତୋ ମୁହଁ,
ଯେବେ ମୋ ଭିତରେ
ଡହକୁ ଥିବା ନିଆଁରେ
ମୁଁ ଜାଳି ସାରିଥିବି ସବୁ ପୁଣ୍ୟ,
ଚଉରାଅଶୀଟି ବର୍ଷାଋତୁ ଭୋଗି
ଶେତା ପଡିସାରିଥିବ ମୋ ଚମଡା,
ଯେବେ ମୁଁ ଚୁମାରେ ଚୁମାରେ
ତୋତେ ତୋ ବିଷାକ୍ତ ଯନ୍ତ୍ରଣାରୁ
ମୁକ୍ତିଦେବାର କଳା ଭୁଲିସାରିଥିବି,
ନିଷ୍ପାପ ସଙ୍ଗୀତ ଯେତେ
ତାଙ୍କୁ ଆଉ ପ୍ରଜାପତି କରି
ଉଡେଇ ପାରୁନଥିବି ତୋ ବଗିଚାରେ,
ଦେହରୁ ଯେବେ ଉତ୍ତାରି ସାରିଥିବା

ଆମ ଦେହ,
ଲୁହରୁ ଝୁରିହେବା
ହସରୁ ପ୍ରାପ୍ତି,
କୋହରୁ ଆବେଗ,
ବିନିଦ୍ର ଭଗ୍ନାଂଶ ରାତିରୁ
ଟୋପାଏ ଜ୍ୟୋସ୍ନା ତାତିରୁ,
ପରିତ୍ୟକ୍ତ ଡାକଘର କାନ୍ଥରୁ
ଯେବେ ଧୀରେଧୀରେ ଲିଭୁଥିବ
ଆମ ଦୁହିଁଙ୍କ ନାମ,
ଯେବେ ଆଖିତଳ କଳାଦାଗରେ
ବଡ଼ ବିଭତ୍ସ ଦିଶୁଥିବ ସବୁ ସଂଭ୍ରମ,
ଯେବେ ଆଜିପରି ଆଉ ପରାର୍ଦ୍ଧେ ରାତିକୁ
ନେହୁରା ହୋଉ ସାଇତି ପାରୁନଥିବି
ତୋ ଆଖି ପାଇଁ କଜ୍ଵଳ,

ସେତିକିବେଳେ କହିବି
ତୋତେ ଭଲପାଏ ବୋଲି ।

କୋଉଠି ଥିବୁ ଯେ ତୁ ?
ଶୁଣିବୁ ତ ?
ଖବର ପଠେଇବି
ପବନ ଦେହରେ ଚିଠିଲେଖି
ତୋତେ ଭଲପାଏ ବୋଲି ।

ହୁଏତ ଆସିଯାଇପାରେ
ତୋ ଘରଯାଏ ....
ଚିହ୍ନିବୁ ତ ?
ସଭିଙ୍କୁ ଆଡେଇଦେଇ
ଧରିନେଇପାରେ ତୋ ହାତ
ମୋ ଥୁରୁଥୁରୁ ହାତରେ ...
ସେତିକିବେଳେ କହିଦେଇପାରେ
ଭଲପାଏ ବୋଲି ,
କହିଦେଇପରେ ...
"ସମୟ ହେଲାଣି,
କଣ ଅଛି ଜୀବନରେ କହିଲୁ ?
ଚାଲ୍ ମ, ଏବେ ଅନ୍ତତଃ
ମରିବା ସାଥିରେ"

Report an Error