ଆଣ୍ଡି ଓ୍ୱାରହଲ୍ - ୧

ଆଣ୍ଡିଙ୍କର ବିଖ୍ୟାତ ଲୋକମାନଙ୍କ ପ୍ରତି ଭୀଷଣ ଦୁର୍ବଳତା ଥିଲା । ତେଣୁ ସେ କେବଳ ବିଖ୍ୟାତ ଲୋକଙ୍କର ହିଁ ଛବି ଆଙ୍କିଛନ୍ତି । ଏଲ୍‌ଭିସ୍ ପ୍ରେସ୍‌ଲି, ମାରିଲିନ୍ ମନ୍‌ରୋ, ମାଓ ସେ ତୁଙ୍ଗ ସେଥିରୁ ଅନ୍ୟତମ । ଆଣ୍ଡିଙ୍କର ବିଶ୍ୱାସ ଥିଲା ଗୋଟିଏ ଛବି ଜଣକ ପାଖରେ ନରହି ଅନେକଙ୍କ ପାଖରେ ରହୁ ।


ଫଟୋ: ୱିକିମିଡିଆ

୧୯୮୭ ଫେବୃୟାରୀ ୨୨ରେ ଆଣ୍ଡି ଓ୍ୱାରହଲ୍ ୫୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲାବେଳକୁ ଏତେ ବିଖ୍ୟାତ ହୋଇସାରିଥିଲେ ଯେ ତାଙ୍କ ମୃତ୍ଯୁ କେବଳ ଆମେରିକା ନୁହେଁ କି ୟୁରୋପ ନୁହେଁ ସମଗ୍ର ବିଶ୍ୱର ଖବର ସଂସ୍ଥାମାନଙ୍କ ପାଇଁ ସେଦିନର ବିଶେଷ ଗୁରୁତ୍ୱପୂର୍ଣ୍ଣ ଖବର ଥିଲା ।

ଆଣ୍ଡି ଓ୍ୱାରହଲ୍ ଥିଲେ ସମଗ୍ର ଆମେରିକୀୟ ଯୁବପିଢ଼ିର ପ୍ରତିନିଧି । ସେ କେବଳ ଜଣେ କଳାକାର ନଥିଲେ, ଥିଲେ ତା’ଠାରୁ ଆହୁରି ଅଧିକା କିଛି । ଆଧୁନିକ ଅର୍ଥରେ ପ୍ରକୃତ ଆଧୁନିକ ସେ ଥିଲେ । ନିଜର କଳାକର୍ମ ଓ ଜୀବନଶୈଳୀ କିପରି ଏକାକାର କରାଯାଇପାରେ ତା’ର ଅନ୍ୟତମ ଉଲ୍ଲେଖଯୋଗ୍ୟ ଦୃଷ୍ଟାନ୍ତ ପାଲଟିଥିଲେ ସେ । ଜଣେ ସୃଜନଶିଳ୍ପୀ ଯେପରି ଜୀବନ ବଞ୍ଚୁଛି ଓ ଯେପରି ଜୀବନ ଦର୍ଶନରେ ବିଶ୍ୱାସ ରଖୁଛି ତା'ର ସୃଜନ ବି ସେଇପରି ହେବା ଚାହି । ଏମିତି ଏକ ଦର୍ଶନରେ ବିଶ୍ୱାସ ରଖୁଥିଲେ ଆଣ୍ଡି ।

ପେଣ୍ଟିଂ, ସ୍କ୍ରିନ୍ ପ୍ରିଣ୍ଟିଂ, ଚଳଚ୍ଚିତ୍ର, ସାହିତ୍ୟ, ସମ୍ପାଦନା, ରକ୍ ଗ୍ରୁପ୍‌ର ପରିଚାଳନା, କେବଳ ସମ୍ଭ୍ରାନ୍ତବର୍ଗଙ୍କ ପ୍ରତିକୃତିି ଆଙ୍କିବା, ଷ୍ଟୁଡିଓ ପରିଚାଳନା କରିବା, କଳାକୁ ନେଇ ବ୍ୟବସାୟ କରିବା ଭିତରେ ସେ ବାଣ୍ଟି ହୋଇ ରହିଥିଲେ ଓ ଏସବୁ ଭିତରେ ପୁଣି ବଞ୍ଚେଇ ରଖିଥିଲେ ସମ୍ପୂର୍ଣ୍ଣ ନୂଆ ଏବଂ ମୈାଳିକ ଚିନ୍ତାଧାରାମାନଙ୍କୁ ।

ଆମେରିକାରେ ଆଣ୍ଡି ତାଙ୍କର ସମସାମୟିକ ଚିତ୍ରଶିଳ୍ପୀମାନଙ୍କ ଠାରୁ ସର୍ବାଧିକ ଲୋକପ୍ରିୟ ଥିଲେ ଓ ଚିତ୍ରକଳା ସହ ଆଦୌ ସମ୍ପର୍କିତ ନଥିବା ଲୋକଟି ବି ତାଙ୍କୁ ଜାଣିଥିଲା କିମ୍ବା ତାଙ୍କ ନାଁ ଶୁଣିଥିଲା ।

ଆଣ୍ଡିଙ୍କ ପରି ଅନ୍ୟ କୌଣସି ଚିତ୍ରଶିଳ୍ପୀ ଏତେମାତ୍ରାରେ ଖବରକାଗଜରେ ଛପା ଯାଉନଥିଲେ କି ଟେଲିଭିଜନ୍‌ରେ ମୁହଁ ଦେଖାଉନଥିଲେ । ଏକଦା ହଲିଉଡ୍ ନାୟିକା ମାରିଲିନ୍ ମନ୍‌ରୋ, ପପ୍ ଗାୟକ ଏଲ୍‌ଭିସ୍ ପ୍ରେସ୍‌ଲି ଓ ମାଇକେଲ୍ ଜ୍ୟାକ୍‌ସନ୍‌, ଆମେରିକୀୟ ରାଷ୍ଟ୍ରପତି ଜନ୍ କେନେଡିଙ୍କ ପତ୍ନୀ ଜ୍ୟାକ୍‌ଲିନ୍ କେନେଡ଼ି ଯେମିତି ବିଶ୍ୱର ମିଡିଆବାଲାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲେ, ଆଣ୍ଡି ବି ସେମିତି ଗୁରୁତ୍ୱପୂର୍ଣ୍ଣ ଥିଲେ । ସବୁଠାରୁ ମଜା କଥାଟି ହେଲା, ଆଣ୍ଡି ଏ ସମସ୍ତ ବିଖ୍ୟାତ ବ୍ୟକ୍ତିବିଶେଷଙ୍କୁ ନିଜର ଛବିରେ ବ୍ୟବହାର କରିଥିଲେ ଓ ବିଶ୍ୱ କଳା ଇତିହାସରେ ଏମାନଙ୍କୁ ଅମର କରିଦେଇଥିଲେ ।

ବିଶ୍ୱ ଚିତ୍ରକଳାକୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶରୁ ମୁକ୍ତି ଦେବା ସହ ସାଧାରଣ ଜନତାଙ୍କ ରୁଚିକୁ ସମ୍ମାନ ଦେଇ ଆଣ୍ଡି କଳା ରାଜ୍ୟରେ ଏମିତି ଏକ ଚମକ ଆଣିଥିଲେ ଯେଉଁଥିରେ ଅତି ସାଧାରଣ, ଅସାଧାରଣକୁ ଉତ୍ତୀର୍ଣ୍ଣ ହୋଇଥିଲା ଏବଂ ଦୈନନ୍ଦିନ ଜୀବନ ସହ ମିଶି ରହିଥିବା ବସ୍ତୁଟି, ଭାବଟି ଅବା ଭଙ୍ଗୀଟି ମହିମାନ୍ୱିତ ହୋଇଯାଇଥିଲା ।

ଆଣ୍ଡି ଓ୍ୱାରହଲ୍ ୧୯୨୮ ମସିହା ଅଗଷ୍ଟ ୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାରେ ପେନ୍‌ସିଲ୍‌ଭାନିଆର ପିଟସ୍‌ବର୍ଗ ଠାରେ ଜନ୍ମ ନେଇଥିଲେ । ବାପା ଆଣ୍ଡ୍ର୍ୟୁ ଓ ମା’ ଜୁରିଆଙ୍କ ତୃତୀୟ ସନ୍ତାନ ଥିଲେ ଆଣ୍ଡି । ଆଣ୍ଡିଙ୍କ ପରିବାର ପ୍ରକୃତରେ କିନ୍ତୁ ଆମେରିକାର ମୂଳ ବାସିନ୍ଦା ନଥିଲେ । ଆଣ୍ଡିଙ୍କ ବାପା ସ୍ଲୋଭାକିଆରୁ ୧୯୧୪ରେ କାଲିଫର୍ଣ୍ଣିଆର ଅକ୍‌ଲାଣ୍ଡ ଆସିଥିଲେ ଓ ସେଠାରେ ସ୍ଥାୟୀ ବାସିନ୍ଦା ହୋଇଯାଇଥିଲେ । ଆଣ୍ଡିଙ୍କ ବାପା ଦେଶ ଛାଡ଼ି ଆସିଥିବାବେଳେ ତାଙ୍କ ମା' କିନ୍ତୁ ଆସିନଥିଲେ । ଆଣ୍ଡିଙ୍କ ଜେଜେବାପା ଓ ଜେଜିମା’ ଅର୍ଥାତ୍ ଜୁରିଆଙ୍କ ଶାଶୁ ଶ୍ୱଶୁରଙ୍କ ମୃତ୍ୟୁ ପରେ ସେ ୧୯୨୧ରେ ସବୁଦିନ ପାଇଁ ଆମେରିକା ଚାଲିଆସିଥିଲେ । ସେତେବେଳେ ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲା । ଆଣ୍ଡ୍ର୍ୟୁ ସ୍ଥାନୀୟ କୋଇଲା ଖଣିରେ କାମ କରୁଥିଲେ । ସେତିକିବେଳେ ଆଣ୍ଡିଙ୍କ ଜନ୍ମ ହୋଇଥିଲା । ଆଣ୍ଡି ଜନ୍ମତଃ ଆମେରିକୀୟ ଥିଲେ କିନ୍ତୁ ତାଙ୍କର ଉପର ଦି’ ଭାଇ ସ୍ଲୋଭାକିଆରେ ଜନ୍ମ ନେଇଥିଲେ । ପିଲାଦିନେ ଆଣ୍ଡି ସ୍ନାୟୁରୋଗରେ ପୀଡ଼ିତ ଥିଲେ । ସାରା ପିଲାବେଳ ସେ ପ୍ରାୟତଃ ଅସୁସ୍ଥ ରହୁଥିବାରୁ ତାଙ୍କର ଅନେକ ସମୟ ରୋଗଶଯ୍ୟାରେ ହିଁ କଟିଥିଲା । ଫଳରେ ସେଇ ପିଲାଦିନରୁ ହିଁ ତାଙ୍କ ମନରେ ଡାକ୍ତର ଏବଂ ଡାକ୍ତରଖାନା ପ୍ରତି ଏକ ପ୍ରକାର ଭୟାତୁର ମନୋଭାବ ରହିଗଲା । ଆଧୁନିକ ମନୋବିଜ୍ଞାନୀଙ୍କ ମତରେ ଏହା ଏକ ପ୍ରକାର ମାନସିକ ରୋଗର ଲକ୍ଷଣ । ଏହି ମାନସିକ ରୋଗରେ ଆଣ୍ଡି ସାରାଜୀବନ ଆକ୍ରାନ୍ତ ଥିଲେ ।

ପିଲାଦିନେ ଅସୁସ୍ଥ ହୋଇ ପ୍ରାୟତଃ ରୋଗ ଶେଯରେ ପଡ଼ିରହିବା ସମୟତକକୁ ଆଣ୍ଡି ମୁଖ୍ୟତଃ ଦୁଇଟି ବାଟରେ ଖର୍ଚ୍ଚ କରୁଥିଲେ । ଗୋଟିଏ ହେଲା ରେଡିଓ ଶୁଣିବା ଓ ଅନ୍ୟଟି ହେଲା ହଲିଉଡ୍‌ର ବିଖ୍ୟାତ ଚିତ୍ରତାରକାମାନଙ୍କ ଫଟୋ ବିଭିନ୍ନ ସିନେମା ପତ୍ରିକାରୁ କାଟି ସଂଗ୍ରହ କରି ନିଜ ଶୋଉଥିବା ଖଟର ବାଡ଼ ଓ ଖଟ ଆଖପାଖ କାନ୍ଥରେ ଲଗାଇବା । ସେଲିବ୍ରିଟିମାନଙ୍କ ଫଟୋ ଗହଣରେ ରହିବାକୁ ତାଙ୍କର ସେତେବେଳେ ପସନ୍ଦ ଥିଲା । ପରବର୍ତ୍ତୀ ସମୟରେ ଆଣ୍ଡି ସ୍ୱୀକାର କରିଛନ୍ତି ଯେ ଏହି ରୋଗଶେଯରେ ପଡ଼ିଥିବା ସମୟରେ ହିଁ ତାଙ୍କର ବ୍ୟକ୍ତିତ୍ୱ, କାମ କରିବାର ତରିକା ଏବଂ କେମିତି କାମକୁ ଠିକ୍‌ରେ ନିର୍ଭୁଲ୍ ଭାବରେ ସମ୍ପାଦନ କରିବାକୁ ହୁଏ ତା'ର ମୂଳଦୁଆ ପଡ଼ିଥିଲା ।

ପିଟସ୍‌ବର୍ଗର ସ୍କୁଲ ଅଫ୍ ଫାଇନ୍ ଆର୍ଟରେ ଆଣ୍ଡି ବ୍ୟବହାରିକ କଳାରେ ଶିକ୍ଷା ଲାଭ କରିଥିଲେ । ତା’ପରେ ୧୯୪୯ରେ ନ୍ୟୁୟର୍କ ଆସିଯାଇଥିଲେ । ନ୍ୟୁୟର୍କ ଆସିଲା ପରେ ଜଣେ ଅଳଂକରଣ ଶିଳ୍ପୀ ଭାବରେ ଏକ ବିଜ୍ଞାପନ ସଂସ୍ଥାରେ କାମ ଆରମ୍ଭ କରିଥିଲେ । ୧୯୫୦ରେ ଆଣ୍ଡି ମିଲର୍ ଜୋତା କମ୍ପାନୀ ପାଇଁ ଆଙ୍କିଥିବା ବିଜ୍ଞାପନ ଛବିଟି ହଠାତ୍ ଲୋକପ୍ରିୟ ହୋଇଗଲା । ଛବିଟିକୁ ଆଣ୍ଡି ଫ୍ରିଷ୍ଟାଇଲ୍‌ରେ ସ୍କେଚ୍ ପରି ସିଧାସଳଖ କାଳିରେ ଆଙ୍କିଥିଲେ । ଯେଉଁଥିରେକି କାଳି କାଗଜରେ ଚିଁ ଯାଇଥିଲା । ବିଜ୍ଞାପନଟି ଲୋକପ୍ରିୟ ହେବା ସହ ଆଣ୍ଡି ବି କିଛି ନାଁ କମେଇଲେ । ଆଣ୍ଡି ଜୋତା ବିଜ୍ଞାପନଟିକୁ ଯେଉଁ ମନୋପ୍ରିଣ୍ଟ ଶୈଳୀରେ ଆଙ୍କିଥିଲେ ସେଇ କୌଶଳରେ ଆଉ କିଛି ଡ୍ରଇଂ ବି କଲେ ଯାହାକୁ ୧୯୬୦ରେ ଏକ ପ୍ରଦର୍ଶନୀରେ ଲଗାଇଲେ । ବ୍ୟବହାରିକ ଚିତ୍ରକଳାରେ ଆହରଣ କରିଥିବା ଜ୍ଞାନ ଓ ଅନୁଭୂତିକୁ ନିଜର ସ୍ୱକୀୟ କଳା - କୈାଶଳ ସହ କେମିତି ଉପଯୋଗ କରାଯାଇ ଛବି ଅଙ୍କାଯିବ ଏନେଇ ଆଣ୍ଡି ବେଶ୍ ଭଲଭାବରେ ପରୀକ୍ଷା ନୀରିକ୍ଷା ଆରମ୍ଭ କରିବା ସହ ଗଭୀର ଚିନ୍ତା ବି କଲେ । ଫଳରେ ଆଣ୍ଡି ଶେଷରେ ଯେଉଁ ରାସ୍ତା ତିଆରି କଲେ ସେଥିରେ ଆଧୁନିକ ବିଶ୍ୱ ଚିତ୍ରକଳାକୁ ଏକ ନୂଆ ଭାଷା ମିଳିଲା ।

ଆଣ୍ଡି ଚିତ୍ରକଳା ରାଜ୍ୟରେ ପଶିଲାବେଳକୁ ପପ୍ଆର୍ଟର ଯୁଗ ଆରମ୍ଭ ହେଉଥାଏ । ପପ୍ ଆର୍ଟ ଆନ୍ଦୋଳନରେ କେତେଜଣ ପ୍ରଧାନ ଚିତ୍ରଶିଳ୍ପୀ ଆନ୍ଦୋଳନ ପାଇଁ ଏକ ନୂଆ ରାସ୍ତା ଧୀରେ ଧୀରେ ଫିଟାଉଥା'ନ୍ତି । ରଏ ଲିଚେନ୍‌ଷ୍ଟାଇନ୍, ଜାସ୍‌ପର୍ ଜନ୍ସ୍, ରବର୍ଟ ରୋଜେନବର୍ଗଙ୍କ ସହ ଆଣ୍ଡି ପପ୍ଆର୍ଟର ରାସ୍ତା ଧରିଲେ । ଲୋକପ୍ରିୟ ବସ୍ତୁ ଓ ବିଷୟକୁ ନେଇ କେମିତି କଳାତ୍ମକ କଥାଟି କୁହାଯାଇପାରିବ ତା'ର ସନ୍ଧାନ ଚାଲିଥାଏ । ନିଜର ଛବି ପାଇଁ ଆଣ୍ଡି ସେଥିପାଇଁ ଆଖି ପକାନ୍ତି କାର୍ଟୁନ୍ ଛବି, ବ୍ୟବସାୟିକ ଦ୍ରବ୍ୟର ବିଜ୍ଞାପନମାନଙ୍କ ଉପରେ । କିନ୍ତୁ ତାଙ୍କ ଆଗରୁ ଲିଚେନଷ୍ଟାଇନ୍ ଓ ଜାସ୍‌ପର୍ ଜନ୍ସ କାର୍ଟୁନ୍‌କୁ ବ୍ୟବହାର କରି ଛବି କରିସାରିଥିବାରୁ ଆଣ୍ଡି ଖୁବ୍ ଶୀଘ୍ର ଅଲଗା କିଛି କରିବାକୁ ଠିକ୍ କଲେ । ସେତିକିବେଳେ ତାଙ୍କର ଜଣେ ବନ୍ଧୁ ତାଙ୍କୁ କଥା ଛଳରେ କହିଲେ ସେ ସବୁଠାରୁ ଭଲପାଉଥିବା ଚିଜକୁ ନେଇ ଛବି କରୁନାହାନ୍ତି କାହିଁକି ? ଏଇ ପଦିଏ କଥାରେ ଆଣ୍ଡିଙ୍କୁ ରାସ୍ତା ମିଳିଗଲା ଓ ସେ ଭଲପାଉଥିବା ଓ ସବୁଦିନ ଖରାବେଳେ ଖାଇବା ସମୟରେ ଯେଉଁ କ୍ୟାମ୍ପବେଲ୍ ସୁପ୍ ପିଅନ୍ତି ତା'ର କ୍ୟାନ୍‌କୁ ନେଇ ଛବି କଲେ । ୧୯୭୧ରେ କାମଟି ନ୍ୟୁୟର୍କ ସଦ୍‌ବି ନିଲାମରେ ୧୦,୦୦୦ ଡଲାରରେ ବିକ୍ରି ହୋଇଯାଇଥିଲା । ଅବଶ୍ୟ ନିକଟ ଅତୀତରେ ସେଇ କାମଟି ଛଅ ମିଲିୟନ୍ ଡଲାରରେ ପୁଣି ଥରେ ନିଲାମ ହୋଇଯାଇଛି ।

ଆଣ୍ଡିଙ୍କର ବିଖ୍ୟାତ ଲୋକମାନଙ୍କ ପ୍ରତି ଭୀଷଣ ଦୁର୍ବଳତା ଥିଲା । ତେଣୁ ସେ କେବଳ ବିଖ୍ୟାତ ଲୋକଙ୍କର ହିଁ ଛବି ଆଙ୍କିଛନ୍ତି । ଏଲ୍‌ଭିସ୍ ପ୍ରେସ୍‌ଲି, ମାରିଲିନ୍ ମନ୍‌ରୋ, ମାଓ ସେ ତୁଙ୍ଗ ସେଥିରୁ ଅନ୍ୟତମ । ଆଣ୍ଡିଙ୍କର ବିଶ୍ୱାସ ଥିଲା ଗୋଟିଏ ମାତ୍ର ଛବି ଜଣକ ପାଖରେ ନରହି ଅନେକଙ୍କ ପାଖରେ ରହୁ । ତେଣୁ ସେ ଛବିମାନଙ୍କର ଅନେକ ସଂସ୍କରଣ ପ୍ରସ୍ତୁତ କରୁଥିଲେ । ଏଥିପାଇଁ ସିଲ୍କ ସ୍କ୍ରିନ୍ ପ୍ରିଣ୍ଟିଂର ସହାୟତା ନେଉଥିଲେ । ପ୍ରକୃତରେ ଆଣ୍ଡିଙ୍କର ଧାରଣାର ରୂପାୟନ ପାଇଁ ତାଙ୍କ ପାଖରେ ଅନେକ ସହାୟକ ଥିଲେ । ସହାୟକମାନଙ୍କ ସହାୟତାରେ ହିଁ ଆଣ୍ଡିଙ୍କର କଳାକର୍ମ ପ୍ରସ୍ତୁତ ହେଉଥିଲା । ଆଗରୁ ଥିବା ଚିତ୍ରକରଙ୍କର ବ୍ୟକ୍ତିଗତ ଷ୍ଟୁଡିଓର ଗାମ୍ଭୀର୍ଯ୍ୟକୁ ଆଣ୍ଡି ଭାଙ୍ଗି ଦେଇଥିଲେ । ଏପରିକି ସେ ତାଙ୍କ ଷ୍ଟୁଡିଓକୁ ଫ୍ୟାକ୍ଟ୍ରି ବୋଲି କହୁଥିଲେ । ଏପରି ଏକ ଫ୍ୟାକ୍ଟ୍ରି (କାରଖାନା) ଯେଉଁଠି କଳା ଏକ ବସ୍ତୁ (ପ୍ରଡକ୍ଟ) ଭାବରେ ବଜାରର ଆବଶ୍ୟକତା ପୂରଣ କରିବାକୁ ବ୍ୟବସାୟିକ ଢଙ୍ଗରେ ପ୍ରସ୍ତୁତ କରାଯାଉଥିଲା ।

ଚିତ୍ର ଅଙ୍କା ଯିବନି, ତିଆରି କରାଯିବ । ଯଦିଓ ଫ୍ୟାକ୍ଟ୍ରିର ମୁଖ୍ୟ ଆଣ୍ଡି ରହୁଥିଲେ ତଥାପି କଳାକୃତିଟି ଫ୍ୟାକ୍ଟ୍ରିରେ କାମ କରୁଥିବା ସବୁ ସଦସ୍ୟଙ୍କର ମିଳିତ ଉଦ୍ୟମର ଫଳଶ୍ରୁତି ହେଉଥିଲା । ଆଣ୍ଡି ବିଶ୍ୱାସ କରୁଥିଲେ, କଳାକାରର ନିଜସ୍ୱ ହୋଇ କୌଣସି ଶୈଳୀ ନରହୁ । ଓ ସମସ୍ତଙ୍କ ଭିତରେ ସବୁକିଛି କରିପାରିବାର ସମ୍ଭାବନା ଅଛି । ଏ କଥାଟିକୁ ସେ ଗଭୀର ଭାବରେ ବିଶ୍ୱାସ କରୁଥିଲେ । ଅବଶ୍ୟ ୭୦ ଦଶକର ଛବିଗୁଡ଼ିକ ଆଣ୍ଡିଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଥିଲା । କିନ୍ତୁ ଫ୍ୟାକ୍ଟ୍ରି ପୂରାଦମ୍‌ରେ ଚାଲିଲା ପରେ ସେଠି ହଜାର ହଜାର ସଂଖ୍ୟାରେ ଛବି ପ୍ରସ୍ତୁତ ହୋଇ ବଜାରକୁ ଯାଇଥିଲା । ୧୯୬୪ରେ ଏକ ଛବିର ସର୍ବାଧିକ ୧,୦୦୨ଟି ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ସେହିପରି ସେହି ବର୍ଷ ବ୍ରିଲୋ ବକ୍ସ ଛବି ମଧ୍ୟ ଶତାଧିକ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଜୁରିକ୍ ପ୍ରଦର୍ଶନୀ ପାଇଁ ମାତ୍ର ତିନୋଟି ହିଁ ପ୍ରଦର୍ଶିତ ହେବାକୁ ବଞ୍ଚିଥିଲା କାରଣ ଅନ୍ୟସବୁ ସଂସ୍କରଣ ବିକ୍ରି ହୋଇ ସାରିଥିଲା ।

କ୍ରମଶଃ

Report an Error