ଆଣ୍ଡି ଓ୍ୱାରହଲ୍ - ୪

ଆଣ୍ଡି ୱାରହଲ୍ ଙ୍କ ସମଗ୍ର ଜୀବନକୁ ଅତି ପାଖରୁ ନିରିଖେଇ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଦିଶେ । କଥାଟି ହେଲା ଆଣ୍ଡି ସାରାଜୀବନ କିଛିନା କିଛି ତିଆରି କରିଛନ୍ତି ଓ ସେସବୁକୁ ବଜାରକୁ ପଠାଇ ବେପାର କରିଛନ୍ତି, ପଇସା ପାଇଛନ୍ତି, ନାଁ କରିଛନ୍ତି ।


ଫଟୋ - ୱିକିମିଡିଆ କମନ୍ସ

୧୯୫୦ ପ୍ରାରମ୍ଭରୁ ହିଁ ଆଣ୍ଡି ବହି ଛପାଛପି ଆରମ୍ଭ କରିଦେଇଥିଲେ । ପ୍ରଥମେ ସେ ନିଜର କିଛି ପେଣ୍ଟିଂ ଥିବା ଅନେକଗୁଡିଏ ପୋର୍ଟଫାେଲିଓ ତିଆରି କରିଥିଲେ । 25 Cats Name Sam and One Blue Pussy ନାମକ ଏକ ବନ୍ଧେଇ ବହି ସେ ପ୍ରକାଶ କରିଥିଲେ । ବହିଟି ଆର୍ଚିସ୍ କାଗଜରେ ଛପାଯାଇଥିଲା । ସମୁଦାୟ ୧୯୦ଟି ବହି ପ୍ରସ୍ତୁତ କରାଯାଇଥିଲା । ବହିଗୁଡିକୁ ଆଣ୍ଡି ପ୍ରାୟତଃ ତାଙ୍କର ଚିହ୍ନା ବନ୍ଧୁ ଓ ତାଙ୍କ ଗରାଖମାନଙ୍କୁ ଉପହାର ହିଁ ଦେଇଥିଲେ । ୨୦୦୬ ମେ ମାସରେ ମୂଳ ବହିଟି ୩୫,୦୦୦ ଆମେରିକୀୟ ଡଲାରରେ ନିଲାମ ହୋଇଯାଇଥିଲା । ଆଣ୍ଡି ନିଜେ ପ୍ରକାଶ କରିଥିବା ଅନ୍ୟ ତିନୋଟି ବହି ହେଲା (୧) A Gold Book, (୨) Wild Raspberries, (୩) Holy Cats । ପରବର୍ତ୍ତୀ ସମୟରେ ସେ ଯେତେବେଳେ ବିଖ୍ୟାତ ହୋଇଗଲେ, ସେତେବେଳେ ଆହୁରି ଅନେକ ବହି ଲେଖିଥିଲେ ଓ ସେଗୁଡିକୁ ବିଭିନ୍ନ ବ୍ୟବସାୟୀ ପ୍ରକାଶନ ସଂସ୍ଥା ଛାପିଥିଲେ ।

୧୯୬୮ରେ ଆଣ୍ଡିଙ୍କର ‘a’ ନାମରେ ଏକ ଉପନ୍ୟାସ ପ୍ରକାଶ ପାଇଲା । ଏପରି ଏକ ଉପନ୍ୟାସ ଅବଶ୍ୟ ଆଗରୁ କୌଣସି ଔପନ୍ୟାସିକ ଲେଖିନଥିଲେ କିମ୍ବା ଚିନ୍ତା ବି କରିନଥିଲେ । ମୂଳରୁ ଶେଷ ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ବନାନ ଅଶୁଦ୍ଧିରେ ଭରପୂର ଏହି ଉପନ୍ୟାସଟି ବୋଧହୁଏ ପୃଥିବୀର ଏକମାତ୍ର ଉପନ୍ୟାସ ଯାହାକୁ ତା’ର ଲେଖକ ଲେଖିସାରିଲା ପରେ ଆଉ ଥରୁଟିଏ ବି ପଢିନଥିଲେ । କୋର୍ଟର କାର୍ଯ୍ୟପ୍ରଣାଳୀର ରେକର୍ଡ ପରି ସିଧାସଳଖ ଓ ସତ୍ୟ ଆଧାରିତ ଆଣ୍ଡିଙ୍କ ଫ୍ୟାକ୍ଟ୍ରିର ଘଟଣାବଳି ହିଁ ‘a’ ଉପନ୍ୟାସର ବିଷୟବସ୍ତୁ । ୧୯୭୮ରେ The Philosophy of Andy Warhol (From A to B & Back Again) ପ୍ରକାଶ ପାଇଲା । ଏଥିରେ ମୁଖ୍ୟତଃ ଆଣ୍ଡିଙ୍କର ସବୁଦିନିଆ ଫୋନ୍ କଥାବାର୍ତ୍ତାକୁ ରେକର୍ଡ କରାଯାଇ ଛପାଯାଇଥିଲା । ତାପରେ ୧୯୮୦ରେ Popism: The Warhol Sixties ପ୍ରକାଶ ପାଇଲା । ଆଣ୍ଡି ଓ Pat Hacktt ମିଶି ଏଥିରେ ୬୦ଦଶକରେ ପପ୍ଆର୍ଟର ପ୍ରଭାବ ଓ ପ୍ରସାର ସଂପର୍କରେ ଲେଖିଥିଲେ । ୧୯୮୯ରେ ଆଣ୍ଡିଙ୍କର ନିତିଦିନିଆ ଡାଏରୀ Hackttଙ୍କ ଦ୍ୱାରା ସଂପାଦିତ ହୋଇ 'The Andy Warhol Diaries’ ନାମରେ ପ୍ରକାଶିତ ହେଲା । ଡାଏରୀ ପୁଣି ଆଣ୍ଡି ନିଜେ ଲେଖୁନଥିଲେ ଫୋନ୍ ରେ Hackttଙ୍କୁ ଡାକୁଥିଲେ । ତେବେ ସେ ଯାହାହେଉ ଏଇଥିରୁ ଆଣ୍ଡିଙ୍କର କଳାକୁ ନେଇ ବ୍ୟକ୍ତିଗତ ଚିନ୍ତାଧାରା ଓ ସାଂସ୍କୃତିକ ଅବବୋଧକୁ ଅଧିକ ପଢିହୁଏ ।

୧୯୬୯ରୁ ଆଣ୍ଡି ‘ଇଣ୍ଟରଭିୟ୍ୟୁ’ ନାମକ ଏକ ଚଳଚ୍ଚିତ୍ର ଓ ଫ୍ୟାସନ୍ ପତ୍ରିକା ପ୍ରକାଶ କରୁଥିଲେ । ଯାହା ଆଜିବି ପ୍ରକାଶ ପାଉଛି । କିଛି ଚିତ୍ରଶିଳ୍ପୀଙ୍କ ଦ୍ୱାରା ପ୍ରକାଶ ପାଉଥିବା ‘କିସ୍’ ନାମକ ଏକ ଯୌନ ପତ୍ରିକାରେ ସେ ନିୟମିତ ସ୍ତମ୍ଭ ବି ଲେଖୁଥିଲେ  ।

ଆଣ୍ଡିଙ୍କର ଅନେକ ଅଜବ ରୁଚି ଥିଲା ଓ ସେ ରୁଚିକୁ ସେ ଖୁବ୍ ନିଷ୍ଠାର ସହ ପାଳନ କରୁଥିଲେ । ଯଥା, ଏଇ ଯେମିତି ସବୁୁବେଳେ ପାଖରେ ଗୋଟେ ଛୋଟିଆ ଟେପ୍ ରେକର୍ଡର ରଖିବା ଓ ଯୁଆଡେ ବି ଗଲେ ଯାହା ସାଙ୍ଗରେ ବି କଥା ହେଲେ ତାକୁ ରେକର୍ଡ କରିବା । ଆଣ୍ଡି ସେ ଟେପ୍ ରେକର୍ଡକୁ ନିଜର ସ୍ତ୍ରୀ ବୋଲି ବିି କହୁଥିଲେ ଏବଂ ପ୍ରାୟତଃ ପାଖରୁ ଛାଡୁନଥିଲେ । ସେମିତି ଏକଦା ସେ ତାଙ୍କର ନିତିଦିନିଆ ଜୀବନରୁ କିଛି କିଛି ସଂଚୟ କରିବା ଆରମ୍ଭ କଲେ  । ଖବରକାଗଜ, ସୋଭେନିୟର୍, ପିଲାଦିନର କିଛି ଚିଜ, ବ୍ୟବହୃତ ଟ୍ରେନ୍ ଟିକେଟ୍, ବଳକା କିଛି ଖାଦ୍ୟ, ଚିଠିପତ୍ର ଆଦିକୁ ସେ ଗୋଟେ ଲେଖା କାର୍ଡବୋର୍ଡ ବାକ୍ସରେ ସିଲ୍ କରି ଅଲଗା ଅଲଗା ତାରିଖ ଲେଖି ରଖିବା ଆରମ୍ଭ କଲେ । ମଲାବେଳକୁ ସେମାନଙ୍କ ସଂଖ୍ୟା ୬୦୦ରେ ପହଂଚିଥିଲା । ବାକ୍ସଗୁଡିକ ଏବେ ଆଣ୍ଡି ୱାରହଲ୍ ମ୍ୟୁଜିୟମ୍ ରେ ସ୍ଥାନ ପାଇଛି ।

ସିନେମା ପରି ଆଣ୍ଡିଙ୍କର ଟେଲିଭିଜନ ପ୍ରତି ମଧ୍ୟ ଦୁର୍ବଳତା ଥିଲା । ଟେଲିଭିଜନ ଦେଖିବାକୁ ସେ ବହୁତ ପସନ୍ଦ କରୁଥିଲେ । ପ୍ରଥମରୁ ‘The Nothing Special’ ନାମକ ଏକ ଟେଲିଭିଜନ୍ ଶାେ' କରିବାକୁ ସେ ଠିକ୍ କରିଥିଲେ କିନ୍ତୁ ପରେ ୧୯୮୨ରେ ‘Andy Warhol's TV’ ଓ ୧୯୮୬ରେ ଏମ୍ ଟିଭିରେ ‘Andy Warhol's Fifteen Minutes’ ନାମକ ଶାେ' କେବଲ୍ ଟିଭିରେ ଆରମ୍ଭ କରିଥିଲେ । ନିଜର ‘ଶାେ'’ ଛଡା ଆହୁରି ଅନେକ ଅଲଗା ‘ଶାେ'’ରେ ବି ଆଣ୍ଡି ନିୟମିତ ଭାଗ ନେଉଥିଲେ ।

ଫ୍ୟାସନ୍ ଦୁନିଆ ସାଙ୍ଗରେ ବି ଆଣ୍ଡିଙ୍କର କିଛି କମ୍ ସଂପୃକ୍ତି ନଥିଲା  । ଏକଦା ସେ ଏମିତି ବି କହିଥିଲେ ଯେ ‘ମୁଁ ଖଣ୍ଡେ ପେଣ୍ଟିଂ କିଣି ଆଣି କାନ୍ଥରେ ଟଙ୍ଗାଇବା ଅପେକ୍ଷା ପୋଷାକ ଗୋଟେ କିଣିବାକୁ ପସନ୍ଦ କରିବି ।’

ଆଣ୍ଡି ୱାରହଲ୍ ଙ୍କ ସମଗ୍ର ଜୀବନକୁ ଅତି ପାଖରୁ ନିରିଖେଇ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ଦିଶେ । କଥାଟି ହେଲା ଆଣ୍ଡି ସାରାଜୀବନ କିଛିନା କିଛି ତିଆରି କରିଛନ୍ତି ଓ ସେସବୁକୁ ବଜାରକୁ ପଠାଇ ବେପାର କରିଛନ୍ତି, ପଇସା ପାଇଛନ୍ତି, ନାଁ କରିଛନ୍ତି । ଲୋକ ଲଗେଇ ଛବି ତିଆରିଛନ୍ତିି, ସିନେମା ପ୍ରଯୋଜନା କରିଛନ୍ତି, ବହି ପ୍ରକାଶ କରିଛନ୍ତି, ମ୍ୟୁଜିକ୍ ଆଲବମ୍ ପ୍ରଡ୍ୟୁସ୍ କରିଛନ୍ତି, ରକ୍ ଗ୍ରୁପ୍ ଚଳେଇଛନ୍ତି, ଏପରିକି ଫ୍ୟାକ୍ଟ୍ରିର ସୁପରଷ୍ଟାର ଭାବରେ ମଣିଷ ବି ତିଆରିଛନ୍ତି । “The Philosophy of Andy Warhol” ବହିରେ ଆଣ୍ଡିଙ୍କର ଅସଲ ମତଲବଟି ଲେଖାଯାଇଛି । ଯଥା “ଟଙ୍କା ରୋଜଗାର ହିଁ କଳା, କାମ କରିବା ହିଁ କଳା ଏବଂ ଭଲ ବ୍ୟବସାୟ କରିବା ସବୁଠାରୁ ଭଲ କଳା ।’

ଆଜି ବି ସେ କିଛି କମ୍ ଲୋକପ୍ରିୟ ବା କମ୍ ପ୍ରସିଦ୍ଧ ନୁହନ୍ତି । ଆଣ୍ଡିଙ୍କ ସ୍ମୃତିକୁ ସାଇତି ରଖିବାକୁ ଆମେରିକାରେ ତାଙ୍କ ନାଁରେ ଦୁଇଟି ମ୍ୟୁଜିୟମ୍ । ପିଟସବର୍ଗରେ ଥିବା “The Andy Warhol Museum"ରେ ଆଣ୍ଡିଙ୍କ ୧୨,୦୦୦ କାମ ରଖାଯାଇଛି । ଏହା ଏକକ ଶିଳ୍ପୀଙ୍କ ପାଇଁ ପ୍ରତିଷ୍ଠା ପାଇଥିବା ବିଶ୍ୱର ଯେକୌଣସି ମ୍ୟୁଜିୟମ୍ ଠାରୁ ବଡ । ଅନ୍ୟ ମ୍ୟୁଜିୟମ୍ ଟି ଆଣ୍ଡିଙ୍କ ଭାଇ ଜନ୍ ୱାରହଲ୍, ସ୍ଲୋଭାକ୍ ସଂସ୍କୃତି ବିଭାଗ ଓ ଆଣ୍ଡି ୱାରହଲ୍ ଫାଉଣ୍ଡେସନ୍ ନ୍ୟୁୟର୍କଙ୍କ ମିଳିତ ଉଦ୍ୟମରେ “Andy Warhol Museum of Modern Art” ନାମରେ ୧୯୯୧ରେ ସ୍ଲୋଭାକିଆର Medzilaborce ନାମକ ଛୋଟିଆ ସହରରେ ପ୍ରତିଷ୍ଠିତ ।

ଆଣ୍ଡି ୱାରହଲ୍ ଙ୍କ ଦେହାନ୍ତ ପରେ ସେ ଅନେକ ଚଳଚ୍ଚିତ୍ର ଓ ଡକ୍ୟୁମେଣ୍ଟାରୀରେ ଚିତ୍ରିତ ହୋଇଛନ୍ତି । ଅନେକ କଳାକାର ଭିନ୍ନ ଭିନ୍ନ ଚଳଚ୍ଚିତ୍ର ପାଇଁ ଆଣ୍ଡି ଭୂମିକାରେ ଅଭିନୟ କରିଛନ୍ତି । Stanislaw Muchaଙ୍କ ଦ୍ୱାରା ୨୦୦୧ରେ ନିର୍ମିତ “Absolute Warhol” ନାମକ ବୃତ୍ତ ଚିତ୍ରଟିରେ ଆଣ୍ଡିଙ୍କ ପରିବାର ଓ ସ୍ଲୋଭାକିଆରେ ଆଣ୍ଡିଙ୍କ ପୈତୃକ ଘର ଥିବା ସେହି ସହର ବିଷୟରେ ଅନେକ ତଥ୍ୟ ରହିଛି ।

ଆଣ୍ଡି ଓ୍ୱାରହଲ୍ - ୩ 

Report an Error