ଆଣ୍ଡି ଓ୍ୱାରହଲ୍ - ୩

୧୯୬୬ରେ ନିର୍ମିତ ‘ଚେଲସି ଗାର୍ଲସ୍’ ଆଣ୍ଡିଙ୍କର ସବୁଠାରୁ ଲୋକପ୍ରିୟ ଓ ଆଲୋଚିତ ଚଳଚ୍ଚିତ୍ର । ବେଶ୍ ମୈାଳିକ ଚିନ୍ତାଧାରାର ଏହି ଚଳଚ୍ଚିତ୍ରଟିରେ ଦୁଇଟି ୧୬ ଏମ୍.ଏମ୍. ଅଲଗା ଅଲଗା ଚଳଚ୍ଚିତ୍ରକୁ ଏକାବେଳକରେ ଗୋଟିଏ ପରଦା ଉପରେ ପ୍ରଦର୍ଶନ କରାଯାଇଥିଲା ।


ଫଟୋ - ୱିକି ମିଡିଆ କମନ୍ସ

ଆଣ୍ଡି ବିଧିବଦ୍ଧ ଭାବରେ ଚଳଚ୍ଚିତ୍ର ନିର୍ମାଣର କଳା କୌଶଳ ଶିକ୍ଷା କରିନଥିଲେ କିମ୍ବା ଚଳଚ୍ଚିତ୍ରର ପ୍ରଚଳିତ ଧାରାର ନୀତି ନିୟମ ମାନି ଚଳଚ୍ଚିତ୍ର ଆଦୌ ନିର୍ମାଣ କରିନଥିଲେ । କିନ୍ତୁ ତାଙ୍କୁ ଆଜି ବିଶ୍ୱର ହାତଗଣତି କେତେଜଣ ମାନ୍ୟଗଣ୍ୟ ଚଳଚ୍ଚିତ୍ର ନିର୍ମାତାଙ୍କ ମଧ୍ୟରେ ଜଣେ ଭାବରେ ଗଣାଯାଉଛି । ଆଣ୍ଡିଙ୍କର ଚଳଚ୍ଚିତ୍ର ଜଗତରେ ପ୍ରବେଶ ପଛରେ ବି ଗୋଟେ କାରଣ ରହିଛି । ସେ ୧୯୮୫-୮୬ବେଳକୁ ରକ୍ ଗ୍ରୁପ୍ ଭେଲଭେଟ୍ ଅଣ୍ଡରଗ୍ରାଉଣ୍ଡ୍ ସହ ସଂପୃକ୍ତ ଥାଆନ୍ତି । ଗ୍ରୁପ୍ ପାଇଁ ନ୍ୟୁୟର୍କର ସେଣ୍ଡ ମାର୍କେଟପ୍ଲେସ୍ ରେ ଗୋଟିଏ ଡିସ୍କୋଥେକ୍ ବି ଖୋଲେଇଥା'ନ୍ତି । ଥରେ ସେଇଠି ସେ ତାଙ୍କର ମଲ୍ଟିମିଡିଆ ପ୍ରଦର୍ଶନୀର ଆୟୋଜନ କରିଥିଲେ । ଯେଉଁଥିରେ ନାଚ, ଗୀତ, ଆଲୋକ ଓ ଚଳଚ୍ଚିତ୍ରକୁ ମିଶାଇ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପ୍ରକୃତରେ ଆଣ୍ଡି ଅନେକ ଦିନରୁ ଏକ ସାମଗ୍ରିକ କଳାର ସନ୍ଧାନରେ ଥିଲେ । ତାଙ୍କୁ ଲାଗିଲା ଚଳଚ୍ଚିତ୍ର ହିଁ ସେଇ ମାଧ୍ୟମ । ନିଜକୁ ପ୍ରକାଶ କରିବାର ସର୍ବୋତ୍କୃଷ୍ଟ ସର୍ବୋତ୍ତମ ମାଧ୍ୟମ ।

ଷାଠିଏ ଦଶକରେ ଆଣ୍ଡି ୱାରହଲ୍ କିଛି ବୋହେମିଆନ୍ ଏସେଣ୍ଟ୍ରିକ୍ ଲୋକଙ୍କ ସହ ବସାଉଠା କଲେ । ଏମାନଙ୍କୁ ଆଣ୍ଡି ‘ସୁପରଷ୍ଟାର’ ବୋଲି କହୁଥିଲେ । ଏମାନଙ୍କୁ ହିଁ ନେଇ ଫ୍ୟାକ୍ଟ୍ରି ପ୍ରଡକ୍ସନ୍ ର ସବୁ ଚଳଚ୍ଚିତ୍ର ଆଣ୍ଡି ତିଆରି କରିଥିଲେ । ଏହାଛଡା ଏଥିମଧ୍ୟରୁ ଏମିତି କିଛି ବନ୍ଧୁ ବି ଥିଲେ ଯାହାଙ୍କ ସହ ଶେଷ ପର୍ଯ୍ୟନ୍ତ ଆଣ୍ଡିଙ୍କର ବନ୍ଧୁତା ଅତୁଟ ଥିଲା । ଏହାଛଡା ନ୍ୟୁୟର୍କ ଅଣ୍ଡରୱାର୍ଲ୍ଡ କଳା ରାଜ୍ୟର ବିଖ୍ୟାତ ଲେଖକ ଓ ଚଳଚ୍ଚିତ୍ର ନିର୍ମାତାଙ୍କୁ ମଧ୍ୟ ଆଣ୍ଡିଙ୍କ ସିନେମାରେ ଦେଖିବାକୁ ମିଳିଥାଏ ।

ଆଣ୍ଡି ୧୯୬୩ ରୁ ୧୯୬୮ ମଧ୍ୟରେ ପ୍ରାୟ ଷାଠିଏଟି ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ତାଙ୍କର ପ୍ରସିଦ୍ଧ ‘ସ୍ଲିପ୍’ ନାମକ ସିନେମାର ବିଷୟବସ୍ତୁ ଥିଲା ଜଣେ ଲୋକ ଏକାଦିକ୍ରମେ ଛଅଘଣ୍ଟା ଧରି ଶୋଇ ରହିଛି । ସିନେମାର ଅଭିନେତା ଥିଲେ ଜଣେ କବି । ପଇଁତିରିଶ ମିନିଟ୍ ଅବଧିର ଅନ୍ୟ ଏକ ଚଳଚ୍ଚିତ୍ର 'ବ୍ଲୋ ଜବ୍' ରେ ଜଣଙ୍କ ମୁହଁର ଭାବଭଙ୍ଗୀ ହିଁ କେବଳ ସ୍ଥାନିତ । ତାହା ପୁଣି ମୁଖ ମୈଥୁନରେ ଆଉ ଜଣେ ଲିପ୍ତ ଥିବାବେଳେ ଅପର ଜଣକର ମୁଖଭଙ୍ଗୀ । ଅବଶ୍ୟ ସିନେମାରେ ସିଧାସଳଖ ମୈଥୁନ କାର୍ଯ୍ୟଟି ଦୃଶ୍ୟାୟିତ ହେଇନି । ୧୯୬୪ର ‘ଏମ୍ପାୟାର' ଚଳଚ୍ଚିତ୍ରଟି ହେଉଛି ଆଠ ଘଣ୍ଟା ଧରି କେବଳ ନ୍ୟୁୟର୍କ ସହରର ଏମ୍ପାୟାର ଷ୍ଟେଟ୍ ବିଲ୍ଡିଂର ନିରବଚ୍ଛିନ୍ନ ଉପସ୍ଥାନ । ଆଣ୍ଡି ୧୯୬୫ରେ ‘ଭିନାଏ’ ନାମକ ଯେଉଁ ଚଳଚ୍ଚିତ୍ରଟି ନିର୍ମାଣ କରିଥିଲେ ତାହା ଏକ ଲୋକପ୍ରିୟ ଉପନ୍ୟାସ ଉପରେ ପର୍ଯ୍ୟବେସିତ ।

୧୯୬୬ରେ ନିର୍ମିତ ‘ଚେଲସି ଗାର୍ଲସ୍’ ଆଣ୍ଡିଙ୍କର ସବୁଠାରୁ ଲୋକପ୍ରିୟ ଓ ଆଲୋଚିତ ଚଳଚ୍ଚିତ୍ର । ବେଶ୍ ମୈାଳିକ ଚିନ୍ତାଧାରାର ଏହି ଚଳଚ୍ଚିତ୍ରଟିରେ ଦୁଇଟି ୧୬ ଏମ୍.ଏମ୍. ଅଲଗା ଅଲଗା ଚଳଚ୍ଚିତ୍ରକୁ ଏକାବେଳକରେ ଗୋଟିଏ ପରଦା ଉପରେ ପ୍ରଦର୍ଶନ କରାଯାଇଥିଲା । ଦୁଇଟି ଚଳଚ୍ଚିତ୍ରର ବିଷୟ ବି ଅଲଗା ଥିଲା । ଆଣ୍ଡିଙ୍କର ସିନେମା ନିର୍ମାଣର ଏହି ମୈଳିକତାର ପ୍ରଭାବକୁ ପରବର୍ତ୍ତୀ ସମୟରେ ଅନ୍ୟ ନିର୍ଦ୍ଦେଶକମାନେ ବି କିଛି କିଛି ଗ୍ରହଣ କରି ସେମାନଙ୍କ ସିନେମାରେ ବ୍ୟବହାର କରିଥିଲେ । 'ବ୍ଲ୍ୟୁ ମୁଭି' ନାମକ ଅନ୍ୟ ଏକ ଚଳଚ୍ଚିତ୍ରରେ ୩୩ ମିନିଟ୍ ର ଜଣେ ପୁରୁଷ ଓ ନାରୀର ଅନ୍ତରଙ୍ଗ ଦୃଶ୍ୟ ଦୃଶ୍ୟାୟିତ । ଖୋଲାମେଲା ଯୌନ ଦୃଶ୍ୟର ବର୍ଣ୍ଣନା ଓ ଚଳଚ୍ଚିତ୍ରର ଅଭିନେତ୍ରୀ ଭିଭାଙ୍କ ଆପତ୍ତି ଯୋଗୁଁ ସିନେମାଟି ତିଆରି ହେବାର ତିରିଶ ବର୍ଷ ପର୍ଯ୍ୟନ୍ତ ପ୍ରଦର୍ଶନ ହୋଇପାରିନଥିଲା । ଆଣ୍ଡିଙ୍କର ନିର୍ଦ୍ଦେଶନାରେ ନିର୍ମିତ ହୋଇଥିବା ଚଳଚ୍ଚିତ୍ରମାନଙ୍କ ମଧ୍ୟରେ ଏଇଟି ଶେଷ ଥିଲା ଓ ୨୦୦୫ରେ ନ୍ୟୁୟର୍କରେ ପ୍ରଥମକରି ପ୍ରଦର୍ଶିତ ହୋଇଥିଲା । ୧୯୬୮ରେ ଗୁଳିକାଣ୍ଡ ପରେ ଆଣ୍ଡି ନିଜକୁ ଆପାତତଃ ଏସବୁରୁ ଓହରାଇ ନେଇଥିଲେ ଓ ତାଙ୍କର ସହ ନିର୍ଦ୍ଦେଶକଙ୍କ ହାତରେ ଦାୟିତ୍ୱ ଛାଡିଦେଇଥିଲେ । ଆଣ୍ଡି ଦାୟିତ୍ୱ ଛାଡିଲା ପରେ ଫ୍ୟାକ୍ଟିରୁ ଯେଉଁସବୁ ପରବର୍ତ୍ତୀ ସିନେମା ତିଆରି ହେଲା, ସେସବୁ ଆଣ୍ଡିଙ୍କ ଚିନ୍ତାଧାରାରୁ ଦୂରରେ ଥିଲା ଓ ମୁଖ୍ୟ ଧାରାର ବ୍ୟବସାୟିକ ସିନେମାର ଅଧିକ ନିକଟତର ଥିଲା ।

ଆଣ୍ଡିଙ୍କର ବ୍ୟକ୍ତିତ୍ୱର ଅନ୍ୟତମ ଦିଗ ଥିଲା ତାଙ୍କର ସଂଗୀତ ପ୍ରତି ଥିବା ଦୁର୍ବଳତା । ଭେଲଭେଟ୍ ଅଣ୍ଡରଗ୍ରାଉଣ୍ଡ ନାମକ ଏକ ରକ୍ ଗ୍ରୁପ୍ ସହ ତାଙ୍କର ସଂପୃକ୍ତି ଥିଲା । ଗ୍ରୁପ୍ ର ପ୍ରଥମ ଆଲବମ୍ ପ୍ରସ୍ତୁତ ହେଲା ଓ ଆଣ୍ଡି ତା'ର କଭର ଡିଜାଇନିଂ କରିଥିଲେ । ଆଣ୍ଡି ଅନେକ ରକ୍ ଓ ପପ୍ କଳାକାରଙ୍କ ଆଲବମ୍ ପାଇଁ କଭର ଡିଜାଇନ୍ କରିଛନ୍ତି । ଆଣ୍ଡି ନ୍ୟୁ ୱେଭ୍ ବ୍ୟାଣ୍ଡ୍ ଦ୍ୱାରା ବହୁତ ପ୍ରଭାବିତ ଥିଲେ । ଆଣ୍ଡି କେବଳ ସଂଗୀତ କଳାକାରଙ୍କୁ ଭଲପାଉନଥିଲେ ସେମାନେବି ତାଙ୍କୁ ଭଲପାଉଥିଲେ । ଆଣ୍ଡି ଖୋଦ୍ କିଛି ଗୀତର ବିଷୟ ଥିଲେ । ସଂଗୀତ ଦୁନିଆର ଅନେକ ବିଖ୍ୟାତ ଲୋକଙ୍କ ସହ ଆଣ୍ଡିଙ୍କର ବନ୍ଧୁତା ଥିଲା । ସେଥିରୁ କେତେଜଣଙ୍କର ପ୍ରତିକୃତି ବି ସେ ଆଙ୍କିବା ପାଇଁ ବରାଦ ପାଇଥିଲେ ।

ଆଣ୍ଡି ଓ୍ୱାରହଲ୍ - ୨

Report an Error