ଆଣ୍ଡି ଓ୍ୱାରହଲ୍ - ୨

ଆଣ୍ଡିଙ୍କର ହଲିଉଡ୍ ପ୍ରତି ଭୀଷଣ ଦୁର୍ବଳତା ଥିଲା । ଥରେ ସେ କହିଥିଲେ, “ମୁଁ ଲସ୍ ଏଞ୍ଜଲସକୁ ଭଲପାଏ, ହଲିଉଡ୍କୁ ଭଲପାଏ । ସତରେ ସେ ସବୁ ଜାଗା ସୁନ୍ଦର । କାରଣ ସେଠି ସବୁକିଛି ପ୍ଲାଷ୍ଟିକ୍, କିନ୍ତୁ ମୁଁ ପ୍ଲାଷ୍ଟିକ୍ କୁ ଭଲପାଏ ଓ ମୁଁ ପ୍ଲାଷ୍ଟିକ୍ ହେବାକୁ ଚାହେଁ ।”


ଫଟୋ - ୱିକି ମିଡିଆ କମନ୍ସ

ଆଣ୍ଡି ଆଗରୁ ଅବଶ୍ୟ ନିଜ ହାତରେ ନିଜର ଛବି ସବୁକୁ ଆଙ୍କୁଥିଲେ । କିନ୍ତୁ କାମଟି ଧୀରେ ଧୀରେ ତାଙ୍କର ପସନ୍ଦ ହେଲାନି, ତାପରେ ପରିଶ୍ରମ କରିବାକୁ ତାଙ୍କର ଇଚ୍ଛା ନଥିଲା । ତେଣୁ ୧୯୬୨ବେଳକୁ ସେ ସିଲ୍କ ସ୍କ୍ରିନ୍ ଦ୍ୱାରା ଛବି କରିବା ଆରମ୍ଭ କଲେ । ଅବଶ୍ୟ ବିଖ୍ୟାତ ଚିତ୍ରଶିଳ୍ପୀ ମାର୍ସଲ୍ ଦୁସୋଁ ସେତେବେଳକୁ କହିସାରିଲେଣି ଚିତ୍ର ସବୁ ନିହାତି ହାତରେ ଅଙ୍କାଯିବା ଜରୁରୀ ନୁହେଁ । ଆଣ୍ଡି ତାଙ୍କର ସିଲ୍କ ସ୍କ୍ରିନ୍ ପ୍ରିଣ୍ଟିଂ ପାଇଁ କୈଣସି ଏକ ଫଟୋଗ୍ରାଫ୍ କୁ ତାଙ୍କର ପ୍ରାଥମିକ ଉତ୍ସ ଭାବରେ ଗ୍ରହଣ କରୁଥିଲେ । ପ୍ରଥମେ ସାଧାରଣ ଫଟୋଗ୍ରଫ୍ କୁ ନେଇ କାମ ଆରମ୍ଭ କଲାପରେ ମନ ନ ବୁଝିବାରୁ ସେ ଫଟୋଗ୍ରାଫ୍ ଦିଗକୁ ଆଖି ପକାଇଲେ । Orange Disaster ଛବିଟି ଖବରକାଗଜରେ ପ୍ରକାଶିତ ଏକ ସଡକ ଦୁର୍ଘଟଣାର ଫଟୋଗ୍ରାଫ୍ ଥିଲା । ତାକୁ ଆଣ୍ଡି ଏକ କଳାକୃତିରେ ବଦଳାଇ ଦେଇଥିଲେ । ଏହାଛଡା ତାଙ୍କର Mushroom Clouds, Electric Chairs, Police Dog ଆଦି ଛବି ମଧ୍ୟ ସେଇ ଖବରକାଗଜରୁ ନିଆଯାଇଛି ।

ସକାଳର ଖବରକାଗଜ, ବ୍ରେକଫାଷ୍ଟ ଟେବୁଲ୍ ଉପରକୁ ସାଙ୍ଗରେ କିଛି ଦୁଃଖଦ, କିଛି ବିପର୍ଯ୍ୟୟର ଖବର ସବୁଦିନ ଆଣି ଆସିଥାଏ । ଖବର ପାଖକୁ ଥାଏ ତା'ର ଫଟୋଟି । ଖବରକାଗଜ ପଢିପାରୁନଥିବା ଲୋକଟି ବି ଫଟୋ ଦେଖି ଖବର ବୁଝିଯାଏ । ଗୋଟିଏ ସଡକ ଦୁର୍ଘଟଣା, ଆତ୍ମହତ୍ୟା କି ପରମାଣୁ ବୋମାର ଧମାକା ସବୁ ତ ଖବର । ଆଣ୍ଡି ସେଥିରୁ ଅକ୍ଷରରେ ଛପା ଖବରକୁ ବାଦ୍ ଦେଇ କେବଳ ଫଟୋକୁ ନେଉଥିଲେ ଓ ପ୍ରସଙ୍ଗରୁ ଅଲଗା କରି ମ୍ୟୁଜିୟମରେ, ଡ୍ରଇଂ କି ଡାଇନିଂ ରୁମ୍ ର କାନ୍ଥରେ ଝୁଲିବାଯୋଗ୍ୟ ରଂଗୀନ ଛବିକୁ ରୂପାନ୍ତରିତ କରିଦେଉଥିଲେ । ଷାଠିଏ ଦଶକର ପ୍ରଖ୍ୟାତ ସାପ୍ତାହିକ ‘Esquire’ରୁ ସେ ଯେଉଁ ଝରକାରୁ ଡେଉଁଥିବା ସ୍ତ୍ରୀ ଲୋକ ଓ କାର୍ ଦୁର୍ଘଟଣାର ଛପା ଫଟୋ ନେଇଥିଲେ ତାହା ଛବିରେ ରୂପାନ୍ତରିତ ହୋଇସାରିଛି । ସେହିପରି ତାଙ୍କ '13 Most Wanted' ଛବିଟି ଆମେରିକାର ସବୁ ପୋଷ୍ଟ ଅଫିସ୍ ରେ ପୋଲିସ୍ ଦ୍ୱାରା ଲଗାଯାଇଥିବା ଅପରାଧୀଙ୍କ ପୋଷ୍ଟରରୁ ନିଆଯାଇଛି । ଆଣ୍ଡି ତାଙ୍କର ଫ୍ୟାକ୍ଟ୍ରି ଓ ଚିତ୍ରଦର୍ଶନ ସମ୍ପର୍କରେ ଯାହା କୁହନ୍ତୁ ପଛେ ଫ୍ୟାକ୍ଟ୍ରି ଭିତର ପ୍ରକୃତ ତଥ୍ୟ ବାହାରକୁ ଆସିଲା ଯେତେବେଳେ ୧୯୬୮ ଜୁନ୍ ୩ରେ ଭାଲେରୀ ସୋଲାନସ୍ (Valeri Solanas) ଫ୍ୟାକ୍ଟ୍ରି ଭିତରେ ଆଣ୍ଡି ଓ କ୍ୟୁରେଟର୍ ତଥା କଳାସମାଲୋଚକ Mario Amayaଙ୍କୁ ଗୁଳି କରି ଆହତ କରିଦେଲେ । Marioଙ୍କର କ୍ଷତ ଏତେ ଗଭୀର ନଥିଲା । ସେ ଦୁର୍ଘଟଣା ପରଦିନ ହିଁ ଡାକ୍ତରଖାନାରୁ ବାହାରି ଆସିଲେ କିନ୍ତୁ ଆଣ୍ଡିଙ୍କର ଅବସ୍ଥା ସଂଗୀନ୍ ଥିଲା । ହୃଦକ୍ରିୟା ବନ୍ଦ ହେବାକୁ ବସିଥିଲା । ଡାକ୍ତରମାନଙ୍କର ଅକ୍ଲାନ୍ତ ଚେଷ୍ଟା ପରେ ସେଇଟି ଠିକ୍ ହେଇ ଚାଲିଥିଲା ଓ ଆଣ୍ଡିଙ୍କୁ ପୁର୍ନଜନ୍ମ ମିଳିଥିଲା । ଦୁର୍ଘଟଣାର ପରଦିନ ହିଁ Valeriଙ୍କୁ ଗିରଫ୍ କରାଯାଇଥିଲା । କରିଥିବା କାଣ୍ଡ ସମ୍ପର୍କରେ ସଫେଇ ଦେଇ Valeri କହିଥିଲେ ଯେ, ଆଣ୍ଡିଙ୍କର ତାଙ୍କ ଉପରେ ଧୀରେ ଧୀରେ ବଢୁଥିବା ମାତ୍ରାଧିକ ପ୍ରଭାବକୁ ସେ ସମ୍ଭାଳି ପାରିନଥିଲେ । ଆମେରିକାର ବିଖ୍ୟାତ ପପ୍ ଆର୍ଟିଷ୍ଟ ଆଣ୍ଡି ୱାରହଲ୍ ଗୁଳିକାଣ୍ଡ ଘଟଣା ଯେତେ ଦୂର ଖବର ସଂସ୍ଥାମାନଙ୍କ ପାଇଁ ରୋଚକ ଖବର ଥିଲା ସେପରି ହେଇ ପାରିଲାନି, କାରଣ ଏ ଘଟଣାର ଠିକ୍ ଦିଇ ଦିନ ପରେ ରାଷ୍ଟ୍ରପତି କେନେଡିଙ୍କ ହତ୍ୟାକାଣ୍ଡ ସମଗ୍ର ବିଶ୍ୱବାସୀଙ୍କୁ ସ୍ତବ୍ଧ କରିଦେଇଥିଲା ।

ସେ ଯାହାବି ହେଉ ଆଣ୍ଡିଙ୍କ ପରବର୍ତ୍ତୀ ଜୀବନ ଉପରେ ଓ ଫ୍ୟାକ୍ଟ୍ରି ଉପରେ ଏହି ଘଟଣାଟିର ପ୍ରଭାବ କିନ୍ତୁ ରହିଗଲା । ଏପରିକି କେହି କେହି ଫ୍ୟାକ୍ଟ୍ରି ଶେଷ ହେଇଗଲା ବୋଲି କହିଥିଲେ । କାରଣ ୧୯୭୦ବେଳକୁ ଆଣ୍ଡି ଫ୍ୟାକ୍ଟ୍ରି ଅପେକ୍ଷା ସେଲିବ୍ରିଟିମାନଙ୍କ ପ୍ରତିକୃତି ଆଙ୍କିବା କାମରେ ସମୟ ବେଶୀ ଖର୍ଚ୍ଚ କରିଥିଲେ ।

୧୯୮୦ବେଳକୁ ଆଣ୍ଡି ଉଭୟ ପଇସା ଓ ନାଁ ପୁଣି ଥରେ କମେଇବା ଆରମ୍ଭ କଲେ । ଏଥିପାଇଁ ଅନେକ କାରଣ ଦାୟୀ ଥିଲେ ମଧ୍ୟ ମୁଖ୍ୟତଃ କିଛି ଯୁବ କଳାକାରଙ୍କ ସହ ବନ୍ଧୁତା ହିଁ ତାଙ୍କୁ ଆଉଥରେ ଖବରକୁ ଆଣିଥିଲା ।

ବିଖ୍ୟାତ ଲୋକଙ୍କୁ ପସନ୍ଦ କରିବା, ସେମାନଙ୍କ ଗହଣରେ ରହିବା ସହ ନିଜେ ବିଖ୍ୟାତ ହେବା ଆଣ୍ଡିଙ୍କର ଇଚ୍ଛାଥିଲା । ଶେଷରେ ବେଶ୍ ବିଖ୍ୟାତ ବି ହୋଇପାରିଥିଲେ ସେ । ୧୯୬୮ରେ ଆଣ୍ଡି ଗୋଟେ ମତ ଦେଇଥିଲେ ଯେ “ଭବିଷ୍ୟତରେ, ସମସ୍ତେ ଅନ୍ତତଃ ପନ୍ଦର ମିନିଟ୍ ପାଇଁ ପ୍ରସିଦ୍ଧ ହେଇପାରିବେ ।” ଆଣ୍ଡି ଏଇ ଧାଡିକୁ ନେଇ M.T.Vରେ ଏକ ସୋ’ ମଧ୍ୟ ଆରମ୍ଭ କରିଥିଲେ । ପେଜ୍ ଥ୍ରୀରେ ସ୍ଥାନ ପାଇବା ହେଉ ବା କୌଣସି ରିଆଲିଟି ସୋ’ରେ ଭାଗ ନେବା ହେଉ, ଆଜି ଯିଏ କେହିବି ମିଡିୟା ଆଶୀର୍ବାଦରେ ପନ୍ଦର ମିନିଟିଆ ପ୍ରସିଦ୍ଧିର ଅଧିକାରୀ ହେଇପାରିବ । ଚାଳିଶ ବର୍ଷ ତଳର ଆଣ୍ଡିଙ୍କ ଏ ବକ୍ତବ୍ୟ ଆଜି ଆହୁରି ସତ ଲାଗୁଛି ।

ନାଁ କମେଇବା ସହ କିଛି କମ୍ ବଦନାମ୍ ବି ହେଇନାହାଁନ୍ତି ଆଣ୍ଡି । ୧୯୭୦ରେ କେବଳ ସେଲିବ୍ରିଟିମାନଙ୍କ ମୁହଁ ଆଙ୍କି ସେ ଯେଉଁ ପ୍ରଦର୍ଶନୀ କରିଥିଲେ ସେଥିପାଇଁ ତାଙ୍କୁ ଭୀଷଣ ସମାଲୋଚନା ବି କରାଯାଇଛି । ‘ବେପାରୀ ଚିତ୍ରଶିଳ୍ପୀ’ ଭାବରେ ତାଙ୍କୁ ନାମିତ କାରାଯାଇ ତାଙ୍କର ସେ ପ୍ରଖ୍ୟାତ ଲୋକମାନଙ୍କ ପ୍ରତିକୃତିମାନଙ୍କୁ ଅତି ହାଲୁକା ଓ କେବଳ ବେପାର ଉଦ୍ଦେଶ୍ୟରେ ଅଙ୍କାଯାଇଥିବା ଛବି ଭାବରେ ସମାଲୋଚନା କରାଯାଇଥିଲା । ଅବଶ୍ୟ ଆଉ କିଛି ସମାଲୋଚକ ଠିକ୍ ଏଇ କଥାଟିକୁ ଅଲଗା ବାଗରେ ଯୁକ୍ତାତ୍ମକ ଯୁକ୍ତି ଦେଖାଇ କହିଲେ ଯେ ଆଣ୍ଡି ଏପରି ହାଲୁକା ଓ ବେପାରୀ ସୁଲଭ ବ୍ୟବହାର ଦେଖାଇବା ହିଁ ଜଣେ ସଚେତନ ପ୍ରତିଭାଧାରୀ ଚିତ୍ରଶିଳ୍ପୀର ୭୦ ଦଶକରେ ଆମେରିକୀୟ ମାନସିକତା ପ୍ରତି ଏକ ପ୍ରତିକ୍ରିୟା ମାତ୍ର ।

ଆଣ୍ଡିଙ୍କର ହଲିଉଡ୍ ପ୍ରତି ଭୀଷଣ ଦୁର୍ବଳତା ଥିଲା । ଥରେ ସେ କହିଥିଲେ, “ମୁଁ ଲସ୍ଏଞ୍ଜଲସକୁ ଭଲପାଏ, ହଲିଉଡ୍ କୁ ଭଲପାଏ । ସତରେ ସେ ସବୁ ଜାଗା ସୁନ୍ଦର । କାରଣ ସେଠି ସବୁକିଛି ପ୍ଲାଷ୍ଟିକ୍, କିନ୍ତୁ ମୁଁ ପ୍ଲାଷ୍ଟିକ୍ କୁ ଭଲପାଏ ଓ ମୁଁ ପ୍ଲାଷ୍ଟିକ୍ ହେବାକୁ ଚାହେଁ ।”

ଆଣ୍ଡିଙ୍କର ଯୌନ ଜୀବନ ଉପରେ ଅନେକ ସମାଲୋଚକ ଅନେକ କଥା କହିଛନ୍ତି । ଆଣ୍ଡି ଅନେକ ଲଙ୍ଗଳା ଯୌନ ଉଦ୍ଦୀପକ ଫଟୋ ଉଠେଇଛନ୍ତି ଓ ଡ୍ରଇଂ ବି କରିଛନ୍ତି । ସେଥିରୁ ମାତ୍ର ଗୋଟିଏ ନାରୀର ଡ୍ରଇଂ ଅଛି, ବାକି ସବୁ ପୁରୁଷମାନଙ୍କର । ସେ ଯେତେବେଳେ ପ୍ରଥମକରି ଏକ ଗ୍ୟାଲେରୀକୁ ଛବିଟି ଦେଇଥିଲେ ସେଇଟି ବି ଗୋଟେ ଲଙ୍ଗଳା ପୁରୁଷର ଛବି ଥିଲା, କିନ୍ତୁ ପ୍ରଦର୍ଶନୀବାଲା ଛବିଟିକୁ ଖୋଲାମେଲା ସମଲିଙ୍ଗୀ (Gay) ଆବେଦନସର୍ବସ୍ୱ ହୋଇଯାଉଛି କହି ଫେରାଇ ଦେଇଥିଲେ । ତେଣୁ ଅନେକ ଆଣ୍ଡିଙ୍କୁ ପପ୍ ଆନ୍ଦୋଳନର ଅନ୍ୟତମ ଗେ ଶିଳ୍ପୀ ଜାସ୍ପର୍ ଜନ୍ସ ଓ ରବର୍ଟ ରୋଜେନବର୍ଗଙ୍କ ପରି ଜଣେ ଗେ ପପ୍ ଆର୍ଟିର୍ଷ୍ଟ ଭାବରେ ଗଣନ୍ତି ।

ଆଣ୍ଡି କିଛି କମ୍ ଧର୍ମ ବିଶ୍ୱାସୀ ନଥିଲେ । ସବୁଦିନ ପ୍ରାୟ ଚର୍ଚ୍ଚ ଯାଉଥିଲେ ଓ ଦା ଭିନଞ୍ଚିଙ୍କର Last Supper (ଶେଷ ରାତ୍ରୀ ଭୋଜନ) କୁ ନେଇ ଭିନ୍ନ ଭିନ୍ନ ଭାବରେ ପ୍ରାୟ ୧୦୦ଟି ଛବି କରିଥିଲେ । Details of Renaissance ସିରିଜ୍ ରେ ବି ସେଇ ଧର୍ମୀୟ ମନୋଭାବ ଦେଖିବାକୁ ମିଳେ । ଆଣ୍ଡିଙ୍କ ଭାଇ ଆଣ୍ଡିଙ୍କୁ ଜଣେ ଧର୍ମପ୍ରାଣ ବ୍ୟକ୍ତି ଭାବରେ ଚିତ୍ରଣ କରନ୍ତି । ତାଙ୍କ ଭାଇଙ୍କ କହିବା କଥା ହେଲା, ଆଣ୍ଡି କେବଳ ଧର୍ମୀୟ ଅଭ୍ୟାସଗୁଡିକୁ ଗୁପ୍ତ ରଖୁଥିଲେ । କାରଣ ସେଇଟି ବ୍ୟକ୍ତିଗତ ଓ ଅନ୍ୟମାନେ ନ ଜାଣିଲେ ଭଲ । ଆଣ୍ଡି ତାଙ୍କର ପୁତୁରାକୁ ଧର୍ମଯାଜକ ହେବାପାଇଁ ପାଠ ପଢିବାବେଳେ ପଇସା ପତ୍ର ଦେଉଥିଲେ ଓ ଜଣେ ଅଲଗା ଧର୍ମାବଲମ୍ବୀକୁ କ୍ୟାଥଲିକ୍ କରାଇବାରେ ବି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଆଣ୍ଡିଙ୍କର ପିଲାଦିନରୁ ଡାକ୍ତର ଓ ଡାକ୍ତରଖାନା ପ୍ରତି ଭୟ ଥିଲା । ସେଇ ଭୟ ହିଁ ଶେଷରେ ତାଙ୍କର ଜୀବନ ନେଇଥିଲା । ତାଙ୍କର ଗଲ୍ ବ୍ଲାଡରରେ ଥିବା ଅସୁବିଧାଟିକୁ ଜାଣି ଜାଣି ଡାକ୍ତରଙ୍କ ପାଖରୁ ଲୁଚେଇ ରଖିଥିଲେ ସେ । ଶେଷରେ ଅବସ୍ଥା ସାଂଘାତିକ ହେଲା ପରେ ଅପରେସନ୍ କରାଗଲା । ଅପରେସନ୍ ବି ସଫଳ ଥିଲା । କିନ୍ତୁ ହଠାତ୍ ଅସ୍ତ୍ରୋପଚାର ପରବର୍ତ୍ତୀ ହୃଦଯନ୍ତ୍ର ସମ୍ପର୍କିତ କିଛି ଅସୁବିଧା ଯୋଗୁଁ ଶୋଇବା ଅବସ୍ଥାରେ ହିଁ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

ଆଣ୍ଡିଙ୍କ ମରଶରୀର ପିଟସବର୍ଗ ନିଆଯାଇଥିଲା ଓ ବେଶ୍ ବର୍ଣ୍ଣାଢ୍ୟ ଭାବରେ ତାଙ୍କ ବାପା ଓ ମା’ଙ୍କ କବର ପାଖରେ ତାଙ୍କ କଫିନ୍ କୁ ପୋତି ଦିଆଯାଇଥିଲା । ଆଣ୍ଡିଙ୍କ ଅନ୍ତେ ତାଙ୍କର ଶେଷ ଇଚ୍ଛା ମୁତାବକ ପ୍ରାୟ ସବୁ ସମ୍ପତ୍ତିକୁ ନେଇ ଏକ ଫାଉଣ୍ଡେସନ୍ କରାଯାଇଥିଲା । ଆଣ୍ଡିଙ୍କର ଏତେ ସମ୍ପତ୍ତି ଥିଲା ଯେ ସେସବୁକୁ ନିଲାମ କରି ଅର୍ଥ ଠୁଳ କରିବାକୁ ବିଖ୍ୟାତ ନିଲାମ ସଂସ୍ଥା, ସଦବିକୁ ପ୍ରାୟ ନଅ ଦିନ ସମୟ ଲାଗିଥିଲା । ଓ ନିଲାମରୁ ପ୍ରାୟ ୨୦ ମିଲିୟନ୍ ଆମେରିକୀୟ ଡଲାର୍ ଠାରୁ ଅଧିକ କିଛି ଅର୍ଥ ମିଳିଥିଲା । ସେଇ ଅର୍ଥରେ ୧୯୮୭ରେ ‘ଆଣ୍ଡି ୱାରହଲ୍ ଫାଉଣ୍ଡେସନ୍ ଫର୍ ଦ ଭିଜୁଆଲ୍ ଆର୍ଟ’ ପ୍ରତିଷ୍ଠା ହେଲା ।

ଆଣ୍ଡି ଓ୍ୱାରହଲ୍ - ୧

Report an Error