ଅନ୍ଧାରର ପ୍ରେମଚିତ୍ର

ତିନୋଟି ପୃଷ୍ଠଭୂମି । ତିନୋଟି ପ୍ରେମ ତିନୋଟି ଭିନ୍ନ ପୃଥିବୀର ନକ୍ସା । ଅନ୍ଧାର ଓ ରକ୍ତରେ ଲେଖା ହୋଇଥିବା ଏ ପ୍ରେମ କବିତା ।


ତାରିଖ ମନେ ନାହିଁ ।

ଖାଲି ମନେ ଅଛି ଆକାଶର
ଗୋଟେ କୋଣରେ ଝୁଲୁଥିବା
ଫାଳେ ଓଠ ପରି ଜହ୍ନ ।

ବାସ୍ନା ନୁହଁ ବାରୁଦ ଥିଲା ପବନରେ ।

ପୋଡ଼ା ମାଂସ ଓ ବାମ୍ଫରେ ସିଝୁଥିବା ଗଛ ।

ସେତେବେଳେ ଇ ମୋର ମନେ ପଡ଼ିଲା ତମ କଥା ।
ସେଇ ଦିନଠୁ ସବୁ ପ୍ରେମ କବିତାରେ କେବଳ ରକ୍ତଛିଟା ।

9

ତାରିଖ ମନେ ଅଛି ।

ଫେବୃଆରୀ ୧୪ର ସକାଳ ।

ସେଦିନ ପାର୍କ ଭିତରେ ଦଳେ
ପାଗଳ ମାଙ୍କଡ଼ ।

ସେମାନେ ଖୋଜୁଥିଲେ
କୋଉ ଗଛରେ ଝୁଲୁଛି ଆମର
ପ୍ରେମମଗ୍ନ ଛାଇ ।

କୋଉ ବୁଦାମୂଳେ
ମନ୍ଦାରଡ଼ାଳ ପରି
ଥର ଥର କମ୍ପୁଛି ଆମର ଦେହ ।

ମାଙ୍କଡ଼ମାନଙ୍କର ଗଦା ପ୍ରହାରରେ
ପ୍ରେମକୁ ମାରି
ନୂଆ ଏକ ସିଂହାସନ
ତିଆରି କରିବାର ସଂକଳ୍ପ ।

ସେଇଦିନଠୁ ପ୍ରେମ
ଏକ ସାମ୍ବିଧାନିକ ପାପ ।

ସମୟ ବାହାରେ
ଠିଆ ହୋଇଛି
ଆମର ରକ୍ତଚିତ୍ର ।

ତମେ ମୁଣ୍ଡରେ ପଖାଳ ବୋହି
ମୋତେ ଖୁଆଇବାକୁ ଆସୁଛ
ମୁଁ କୀଟନାଶକ ପିଇ
ପାଳୁଛି ମୋର
ଲହ ଲହ ଫସଲର
ମରଣ ଉତ୍ସବ ।

ତା’ପରଠୁ
ଆମର ପ୍ରେମ
ମଲାକ୍ଷେତରେ ପାଚିଲା ଧାନର ଉତ୍ସବ ।

Report an Error