କାରିଗରମାନଙ୍କ ଗାଁ, ଧିରେ ହଜିଯାଉଛି ନାଁ

ଖିଚିଂରୁ କେଉଁଝର ଆଡ଼କୁ ଆସିଲେ ଠିକ୍ ତିନି କିଲୋମିଟର ପରେ ରାସ୍ତା ଦୁଇକଡ଼ରେ ଦେଖିବାକୁ ମିଳିବ ପଥର କାମ ଚାଲିଥିବା ୧୫ କି ୨୦ ସରିକି ଦୋକାନ । ଟିକେ ଭିତରକୁ ଗଲେ ଗାଁ । କିନ୍ତୁ କାରିଗରମାନେ ନିଜ ୱାର୍କସପ୍ ରାସ୍ତା ପାଖକୁ ଉଠେଇ ଆଣିଛନ୍ତି ବିକ୍ରିବଟାରେ ସୁବିଧା ହେବ ବୋଲି ।


ଫଟୋ - ସୁମିତ୍ରା ପାଢୀ

ପାଞ୍ଚ ଦିନ, ଏକ ହଜାର କିଲୋମିଟର, ପନ୍ଦରଟି ସ୍ଥାନ ଓ ମୋ ଦୁଇଚକିଆ ଯାନ । ସେଇ ଭିତରେ ଅନେକ ଛୋଟ ଛୋଟ ଘଟଣା, ଅନୁଭୂତି ଓ ଭାବନା ।

ଯାତ୍ରା ଆରମ୍ଭ ହେଲା ଆମ ଗାଁ ଘର ବିଷ୍ଣୁବିନ୍ଧା, ଭଦ୍ରକରୁ । ବାଟରେ ବାସୁଦେବପୁର ମାମୁଁ ଦୋକାନରୁ ରାସ୍ତାରେ ଖାଇବା ପାଇଁ ଛେନାମୁଡୁକି ଧରି, ଏଡ଼ତାଳରୁ ନାନୀ ଘରୁ ଆଉ କିଛି ଜିନିଷପତ୍ର ଧରି ପହଞ୍ଚିଲୁ ମୋ ଭାଇର ଶ୍ଵଶୁର ଘର ଚରମ୍ପାରେ । ସେଇଠୁ ପେଟେ ଖାଇଦେଇ 'ଟିକେ ଖରା ଗଡ଼ୁ ଯିବା' କହି ଶୋଇ ପଡିଲୁ ଯେ ଉଠିଲାବେଳକୁ ୪ଟା । ଘରୁ ବାହାରିଲାବେଳକୁ ୪.୩୦ । ଦିନ ଥାଉ ଥାଉ ପହଞ୍ଚିବାର ଥାଏ ଯାଜପୁର ଟାଉନ୍ । କିନ୍ତୁ ୧୬ ନମ୍ବର ଜାତୀୟ ରାଜପଥରେ ହିଁ ଅନ୍ଧାର ହୋଇଗଲା । ତା'ପରେ ଛତାବର ଛକରୁ ଗାଁର ଖରାପ ରାସ୍ତା ଦେଇ ପିଇସି ପୁଅ ଘରେ ପହଞ୍ଚିଲାବେଳକୁ ସନ୍ଧ୍ୟା ସାତ । ସେପଟେ ପୁଣି କାଳୀ ପୂଜା ପାଇଁ ବଜାର ସାରା ରାସ୍ତା ଭିଡ଼ । ସବୁଠି ଚାଲିଥାଏ ମେଲୋଡ଼ି, ମୀନାବଜାର ।

୩୧ ତାରିଖ ଦିନ ବନ୍ଧୁ ଘର ବୁଲା ସରିଗଲା । ନଭେମ୍ବର ଏକ ତାରିଖ ସକାଳୁ ବାହାରିଲୁ କେଉଁଝର ଅଭିମୁଖେ । ସାଙ୍ଗରେ ଆଉ ଗୋଟେ ବାଇକ୍ ରେ ଯାଉଥାନ୍ତି ମୋ ଭାଇ - ଭାଉଜ । ଯୋଜନା ତ ଥାଏ ପୂରା କେଉଁଝର ବୁଲା ସାରି ଫେରିବୁ । ହେଲେ ବିଭିନ୍ନ ଜାଗାରେ ସୁଟିଂ କରିବାରେ ଏତେ ସମୟ ଯାଉଥାଏ ଯେ ମାତ୍ର ୧୫ ଖଣ୍ଡେ ଜାଗା ବୁଲି ହେଲା । ସେ ଭିତରେ ଥିଲେ; ଘଟଗାଁ, ଗୁଣ୍ଡିଚାଘାଇ ଜଳପ୍ରପାତ, ଜଗଦଳା ଡ୍ୟାମ୍‌, ହାଣ୍ଡିଭଙ୍ଗା ଜଳପ୍ରପାତ, କାଇଯୋଡ଼ା ଜଳପ୍ରପାତ, ଖଣ୍ଡାଧାର ଜଳପ୍ରପାତ, ସାନଘାଗରା ଜଳପ୍ରପାତ, ବଡ଼ଘାଗରା ଜଳପ୍ରପାତ, ମାଛକାନ୍ଦଣା ନଈ, ସିଦ୍ଧମଠ, କେଉଁଝର ରାଜଉଆସ, ବଳଦେବ ମନ୍ଦିର, ରାସମନ୍ଦିର, ଖିଚିଂର କିଚକେଶ୍ଵରୀ ମନ୍ଦିର, ମୁଗୁନି ପଥର ମୂର୍ତ୍ତି କାରିଗରଙ୍କ ଗାଁ କେସ୍‌ନା, କାଂଝରୀ ଡ୍ୟାମ୍, ସୀତାବିଞ୍ଜି ଓ ମାଟିଘୋଡ଼ା ତିଆରିର ଗାଁ ହଳଧରପୁର । ବାକି ରହିଗଲେ ଆହୁରି ୧୦ରୁ ଅଧିକ ଜଳପ୍ରପାତ ।

ବୁଲିଲାବେଳେ ସବୁଠୁ ଯେଉଁ କଥାଟି ଅଧିକ ବିଚଳିତ କରିଥିଲା ତାହା ହେଉଛି ଲୋକଙ୍କର ସମସ୍ୟା । ମୁଁ ଭୁବନେଶ୍ୱରରେ ରହେ ବୋଲି ଶୁଣିଲା ପରେ ଲୋକେ ଭାବୁଥିଲେ ମୋ ହାତରେ ତାଙ୍କ ସମସ୍ୟା ସମାଧାନ କରିବାର ବାଟ ଅଛି । ମୋର ନିଶ୍ଚୟ ସରକାର ଓ ସରକାରୀ ଦପ୍ତର ସହ ଭଲ ପରିଚୟ ଅଛି ଓ ମୁଁ ଚାହିଁଲେ ସେମାନଙ୍କ ସମସ୍ୟା ସିଧାସଳଖ ସରକାରଙ୍କ ପାଖରେ ପହଞ୍ଚାଇ ପାରିବି । ମୋ ହାତରେ କିଛି ନାହିଁ ବୋଲି କହିବା ପରେ ବି ସେମାନେ ବିଶ୍ୱାସ କରୁଥିଲେ ମୁଁ ତାଙ୍କ ପାଇଁ କିଛି ତ କରିବି ନିଶ୍ଚୟ । ସେଇଥିପାଇଁ ଆଜି ଭାବିଲି ସେମାନଙ୍କ କଥା ମୋତେ ଅନ୍ତତଃ ଲେଖିଦେବାକୁ ହେବ ।

କେଉଁଝର ଜିଲ୍ଲାର ହଳଧରପୁର ଓ ମୟୂରଭଞ୍ଜ ଜିଲ୍ଲାର କେସ୍‌ନାକୁ ଛାଡ଼ି ଅନ୍ୟଗୁଡ଼ିକ ଥିଲା ଦର୍ଶନୀୟ ସ୍ଥାନ । ତେଣୁ ସେ ବିଷୟରେ ବିଶେଷ କିଛି କହିବାର ନାହିଁ । ଏଇ ଦୁଇଟି ଥିଲା ଶିଳ୍ପୀଙ୍କ ଗାଁ, ଶିଳ୍ପର ଗାଁ । ଗୋଟିଏ କଳା ମୁଗୁନି ପଥରରେ ମୂର୍ତ୍ତି ଗଢୁଥିବା କାରିଗରଙ୍କ ଗାଁ ତ ଅନ୍ୟଟି ମାଟିରେ ଘୋଡ଼ା, ହାତୀ, ହାଣ୍ଡି, ଫୁଲଦାନୀ, ବ୍ୟବହାର ଉପଯୋଗୀ ଓ ସାଜସଜ୍ଜା ଉପକରଣ ସବୁ ଗଢୁଥିବା ଟେରାକୋଟା କାରିଗରଙ୍କ ଗାଁ । ତାଙ୍କୁ ଦେଖି ମନେ ହେଲା, ଆମେ ଆମ ଶିଳ୍ପକୁ ନେଇ ଯେତିକି ଗର୍ବ କରୁଛୁ, ଆମ ଶିଳ୍ପୀ ସେତିକି ଅବହେଳିତ ହୋଇ ଅଛନ୍ତି ।

ପ୍ରଥମେ କହିବି ହଳଧରପୁର କଥା । ମାଟି ଘୋଡ଼ା ତିଆରି କରୁଥିବା ଗାଁର କଥା । ଘଟଗାଁ ତାରିଣୀରୁ କେଉଁଝର ଯିବା ରାସ୍ତାରେ ଅଳ୍ପ ବାଟ ଗଲେ ବାଁ ପଟକୁ ପଡ଼ିବ ଗୋଟେ ପିଚୁ ସଡ଼କ । ସେଇ ରାସ୍ତାରେ ଦୁଇ ତିନି କିଲୋମିଟର ଭିତରକୁ ଗଲେ ପଡ଼ିବ ହଳଧରପୁର ଗାଁ । କୁମ୍ଭାରମାନଙ୍କ ଗାଁ । ରାସ୍ତା ପଚାରି ପଚାରି ମୁଁ ସେଠି ପହଞ୍ଚିଲାବେଳକୁ ଦିନ ଦେଢ଼ଟା ବାଜିଯାଇଥାଏ । ତଥାପି ଷାଠିଏ ସତୁରୀ ବର୍ଷର କେତେଜଣ ବୟସ୍କ ଲୋକ ଚକ ଘୂରେଇ ଗଢୁଥାନ୍ତି ଘୋଡ଼ାର ଗୋଡ଼, ଫୁଲକୁଣ୍ଡ ଆଦି । ଜଣଙ୍କ ଘର ପାଖରେ ଅଟକି ମୁଁ ଏଇ ଗଢ଼ିବା ଦେଖୁଥାଏ, ମୋ ପାଖ ଦେଇ ପ୍ରାୟ ୫୦ ସରିକି ଗଢ଼ା ସରିଥିବା ଛୋଟ ବଡ଼ ମାଟି ଜିନିଷ ଧରି କିଛି ଯୁବକ ଗଲେ ଗାଁ ମୁଣ୍ଡ ପାଖ ଭାଟିରେ ରଖିବାକୁ । ସେଇଠି ପୋଡ଼ା ହେବ ସେ I ୧୦ - ୧୫ ଜଣଙ୍କ ସହ କଥା ହୋଇ ଗାଁ ଶେଷ ମୁଣ୍ଡରେ ପହଞ୍ଚିଲାବେଳକୁ ଯିଏ ଆମ ଘରେ କାମ ସରିଗଲାଣି କହି ସାନ ଭାଇକୁ ଫେରେଇ ଦେଇଥିଲେ ସେ ଆସି ମୋତେ ଡାକିନେଲେ 'ଆମର କାମ ହଉଚି ପା' ଦେଖିବେ ଆସନ୍ତୁ କହି । ତାଙ୍କ ଘର ପଛପଟେ ଥିବା ଗାଁର ଏକମାତ୍ର ଭାଟି ବି ଦେଖେଇଲେ । ପାଖ ଟଭା ଗଛରୁ ଦୁଇ ଚାରୋଟି ମିଠା ଟଭା ମୋ ପାଇଁ ତୋଳି ଦେଲେ । ସେଇଠୁ କଥା ହୋଇ ଫେରୁ ଫେରୁ ଗାଁ ଦାଣ୍ଡରେ ଭେଟ ହେଲେ ଆଉ ଚାରି ପାଞ୍ଚଜଣ ।

ସେମାନଙ୍କ କହିବା କଥା ହେଲା, ରାଜଧାନୀ ଭୁବନେଶ୍ୱରରେ ପ୍ରତିବର୍ଷ ମୃତ୍ତିକା ନାମରେ ଟେରାକୋଟା ମେଳା ହେଉଛି, ହେଉଛି ବି ଆହୁରି କିଛି ହସ୍ତଶିଳ୍ପ ମେଳା । କିନ୍ତୁ ପ୍ରକୃତରେ ଯେଉଁମାନେ କାମ କରୁଛନ୍ତି ବା ଯେଉଁମାନେ ଅସଲ କାରିଗର ସେମାନେ ଏଠାକୁ ଆସିପାରୁନାହାଁନ୍ତି । ନା ସେମାନେ ଏସବୁ କେବେ କେଉଁଠି ହେଉଛି ତା'ର ଖବର ପାଉଛନ୍ତି ନା ଯୋଗ ଦେବା ପାଇଁ ଆବେଦନ କରିପାରୁଛନ୍ତି । ନା ଆବେଦନ କଲେ ତାଙ୍କୁ ଜାଗା ମିଳୁଛି । କିନ୍ତୁ ଯେଉଁମାନେ ସେମାନଙ୍କଠୁ ଜିନିଷ କିଣି ନେଉଛନ୍ତି, ଅର୍ଥାତ୍ ଯେଉଁମାନେ ବେପାରୀ ସେମାନେ ୧୦୦୦ କି ୧୫୦୦ ଦେଇ ମେଳାରେ ନିଜ ପାଇଁ ଜାଗା ଅକ୍ତିଆର୍ କରି ରଖୁଛନ୍ତି ଆଗରୁ । ବର୍ଷ ବର୍ଷ ଧରି ମେଳାକୁ ସେଇମାନେ ହିଁ ଆସୁଛନ୍ତି । ଅସଲି କାରିଗର ଘରେ ବସିରହୁଛି ନିଜ ଜିନିଷ ଗରାଖ ପାଖେ ସିଧାସଳଖ ନ ପହଞ୍ଚାଇପାରିବା ଦୁଃଖରେ, ହାତକୁ ଦି ପଇସା ନ ଆସିବା ଦୁଃଖରେ । ତାଙ୍କ ଶେଷ ଅନୁରୋଧ ଥିଲା, ମ୍ୟାଡାମ୍ କାହାକୁ ଟିକେ କୁହାକୁହି କରି ଆମେ କେମିତି ମେଳାକୁ ଯାଇପାରିବୁ ସେ ବ୍ୟବସ୍ଥା କରିଦିଅନ୍ତୁ ନା । ଏଇ ରଖନ୍ତୁ ଆମ ଫୋନ୍‌ ନମ୍ବର, ବୁଝାବୁଝି କରି ଆମକୁ ଜଣାଇବେ । କେତେ ବିଶ୍ୱାସ ତାଙ୍କର, ଆଉ କେତେ ଅସହାୟ ମୁଁ. . . I

ଏଥର କେସ୍‌ନା କଥା । ଖିଚିଂରୁ କେଉଁଝର ଆଡ଼କୁ ଆସିଲେ ଠିକ୍ ତିନି କିଲୋମିଟର ପରେ ରାସ୍ତା ଦୁଇ କଡ଼ରେ ଦେଖିବାକୁ ମିଳିବ ପଥର କାମ ଚାଲିଥିବା ୧୫ କି ୨୦ ସରିକି ଦୋକାନ । ଟିକେ ଭିତରକୁ ଗଲେ ଗାଁ । କିନ୍ତୁ କାରିଗରମାନେ ନିଜ ୱାର୍କସପ୍ ରାସ୍ତା ପାଖକୁ ଉଠେଇ ଆଣିଛନ୍ତି ବିକ୍ରିବଟାରେ ସୁବିଧା ହେବ ବୋଲି । ମୁଗୁନି ପଥର ମୂର୍ତ୍ତିର ଡିମାଣ୍ଡ ସହରମାନଙ୍କରେ ଓ ଦେଶ ବିଦେଶରେ ଖୁବ୍ ବେଶୀ । ଭୁବନେଶ୍ୱରରୁ ବେପାରୀମାନେ ଯାଇ ନିୟମିତ କେସ୍‌ନାରୁ ଗଦା ଗଦା ମୂର୍ତ୍ତି ଗାଡ଼ିରେ ଲଦି ଆଣୁଛନ୍ତି । ରାଜ୍ୟ ବାହାରୁ ବି ଆସୁଛନ୍ତି ବେପାରୀ, ଆସୁଛି କଳାପ୍ରେମୀଙ୍କ ସ୍ପେଶାଲ୍ ଅର୍ଡର୍ ଦିଆ କାମ । ତେବେ ଏପଟେ କଳା ମୁଗୁନି ପଥର ଖଣିର ଲିଜ୍‌ କେବେଠୁ ସରିଗଲାଣି । ପାଖ ଗାଁର କାହା ବାଡ଼ିରୁ କେତେବେଳେ କେମିତି କିଏ କିଛି ଖୋଳି ଦେଉଛି ତ ଦାମ୍ ଦୁଇଗୁଣା ଓ ବାଟରେ ସରକାରୀ ଅଧିକାରୀଙ୍କ ହାତରେ ଜବତ ହୋଇଯିବାର ଭୟ । ଲୋକଙ୍କ କହିବା କଥା; ଆମ ବାପ ଜେଜେବାପା ଅମଳରୁ ଯେଉଁ ଖଣି ଆରମ୍ଭ ହୋଇଥିଲା ତା'ର ଉପରି ଭାଗ ବି ସରିନି ଏଯାଏଁ । ତେଣୁ ପଥର ସରିଲା କେଉଁଠି ? ଆଉ କାରିଗରି କାମ କେତେ ପରିବାର କରୁଛନ୍ତି ଯେ ପଥର ସରିଯିବ ? ପଥର ଅଛି, ସରକାର ଚାହିଁଲେ ସବୁ ହେବ । ପଥର କାରିଗରି ପାଇଁ ପ୍ରସିଦ୍ଧ ବାଲେଶ୍ୱର ଜିଲ୍ଲାର ବଉଳଗଡ଼ିଆ ଗାଁରେ ବି ସେଇ ଏକା ସମସ୍ୟା ଦେଖିଥିଲି । ସେ ବିଷୟରେ ମୁଁ ଭାରତ ସରକାରଙ୍କ ସଂସ୍କୃତି ବିଭାଗରୁ ପାଇଥିବା ଜୁନିୟର୍ ରିସର୍ଚ୍ଚ ଫେଲୋସିପ୍ ରିପୋର୍ଟରେ ବିଶଦ ଭାବରେ ଲେଖିଛି । ଯଦି ସରକାର ଏଇ ଶିଳ୍ପ, ଶିଳ୍ପୀ ଓ ଶିଳ୍ପ ଗ୍ରାମଟିର ଇତିହାସ ଓ ସ୍ୱାତନ୍ତ୍ର୍ଯ ମରିନଯାଉ ବୋଲି ସତରେ ଚାହାଁନ୍ତି ତେବେ ଶିଳ୍ପୀଙ୍କ ସହ ସିଧାସଳଖ କଥା ହୋଇ ଗୋଟେ ସମାଧାନ କ'ଣ ବାହାର କରିପାରିବେନି ? ମୁଁ କିନ୍ତୁ ଅନନ୍ୟୋପାୟ । ଆମ ଶିଳ୍ପୀଙ୍କୁ ପଥର ଚୋରାରେ ଆଣି ଶିଳ୍ପକୁ ବଞ୍ଚେଇ ରଖିବାର ପ୍ରଚେଷ୍ଟା କରିବା ସହ ପେଟ ପୋଷିବାର କଷ୍ଟ କରୁଥିବାର ଦେଖିପାରୁନି ।

ଏମିତି ସବୁ ମୁହୂର୍ତ୍ତରେ ମନେହୁଏ ସତରେ କେତେ ଅସହାୟ ମୁଁ ! ବୁଲିବାର ଆନନ୍ଦରେ ଭଟ୍ଟା ପଡ଼େ । ଗୋଡ଼ ଆଗକୁ ଯିବାକୁ ମଙ୍ଗେନି । ଏମାନଙ୍କ ପାଇଁ କ'ଣ କରିହେବ ଭାବୁ ଭାବୁ ସୂର୍ଯ୍ୟାସ୍ତ ଆଡ଼େ ଅନେଇ ଉଦାସ ମନ ଓ ଅବଶ ଦେହ ପଡ଼ି ରହେ ଅନେକ ସମୟ ।

Report an Error