ଆମେ କେଉଁଠୁ ଆସିଛୁ ? ଆମେ କ'ଣ ? ଆମେ କୁଆଡେ ଯାଉଛୁ ?

ପିଲାଦିନରୁ ପଲ୍ ଗଗାଁ ଚିତ୍ରକର । ପରିବାର ସ୍ୱଚ୍ଛଳ । ତେଣୁ ସେ ପାରିବାରିକ ବ୍ୟବସାୟ ସହ ଅବସର ସମୟରେ ଛବି ଆଙ୍କୁଥିଲେ । ସେ ପରେ ଜଣେ ଷ୍ଟକ୍ ବ୍ରୋକର୍ ହିସାବରେ କାର୍ଯ୍ୟରତ ଥିଲେ । ନିଜର ଦାନିଶ୍ ପତ୍ନୀ ଏବଂ ଚାରୋଟି ସନ୍ତାନ ସହ ତାଙ୍କର ଏକ ସୁଖର ସଂସାର ଥିଲା ।


ଫଟୋ - ୱିକିମିଡିଆ କମନ୍ସ

ତେହାମନ
"ବାଛି ନେବାର ଠିକ୍
ପୂର୍ବ ମୁହୂର୍ତ୍ତରେ ଇଚ୍ଛାମାନେ ମୋର
ପ୍ରାୟତଃ ପଶୁ
ଆଉ ସେଇଥିପାଇଁ ସେ ଥିଲା ପବିତ୍ର,
ଯଦିଓ ଉଲଗ୍ନ ।" (ପଲ୍ ଗଗାଁ)

ବିଖ୍ୟାତ ଫରାସୀ ଚିତ୍ରଶିଳ୍ପୀ ପଲ୍ ଗଗାଁ (୧୮୪୮ - ୧୯୦୩)ଙ୍କର ଏଇ ଉଲ୍ଲେଖଟି ଏକ କିଶୋରୀ ଯାହାର ନାଆଁ ହେଉଛି ତେହାମନ ତାହା ସହ ନିଜର ସଂପର୍କ ବିଷୟରେ, ୧୮୯୫ ମସିହାରେ ଲିଖିତ । ବିଖ୍ୟାତ ଚିତ୍ରଶିଳ୍ପୀ ପଲ୍ ଗଗାଁଙ୍କର ତାହିତି ଦ୍ୱୀପରେ ତେହାମନ ସହ ସଂପର୍କର ସୂତ୍ରପାତ ହୁଏ । ଜଣେ ପେଡୋଫାଇଲ୍ ହିସାବରେ ଗଗାଁଙ୍କର ବେଶ୍ ଅପଖ୍ୟାତି ଥିଲା । ପେଡୋଫାଇଲ୍ କହିଲେ ସେହି କଦର୍ଯ୍ୟ ଧରଣର ବିକାରକୁ ବୁଝାଏ ଯେଉଁଠି ଜଣେ ବୟସ୍କ ଶାରୀରିକ ଭାବରେ ଖୁବ୍ ଅଳ୍ପ ବୟସର କାହାକୁ ଯୌନଶୋଷଣ କରିବାରେ ଆଗ୍ରହ ରଖିଥାଏ ।

ପଲ୍ ଗଗାଁଙ୍କ ସଂପର୍କରେ ଆସିଲାବେଳକୁ ତେହାମନର ବୟସ ମାତ୍ର ୧୨ ବର୍ଷ ଆଉ ଗଗାଁଙ୍କର ବୟସ ହେଉଛି ୪୭ । ବୟସ ଦୃଷ୍ଟିରୁ ନିହାତି ଅସମ ଦିଶୁଥିଲେ ବି ସେମାନଙ୍କର ପରସ୍ପର ପ୍ରତି ଶାରୀରିକ ଓ ମାନସିକ ଆକର୍ଷଣ ଥିଲା ଅତ୍ୟନ୍ତ ନିବିଡ । ସେମାନଙ୍କର ଏହି ଜଟିଳ ସଂପର୍କର ଆରମ୍ଭ ବେଳକୁ ପଲ୍ ଗଗାଁ ଏକ ଯୌନାଚାର ଜନିତ ଗଭୀର ସଂକ୍ରମଣର ଶିକାର ହୋଇଥିଲେ । ସେ ସମୟରେ ଏହି ଯୌନାଚାର ଜନିତ ଅସୁଖଟି ବାରବନିତାବିଳାସରୁ ସୃଷ୍ଟ ହେଉଥିଲା । ସେହି ଅସୁଖଟିର ନାଆଁ ହେଉଛି ସିଫିଲିସ୍ । ଶେଷରେ ସେହି ଅସୁଖରେ ପଲ୍ ଗଗାଁଙ୍କର ମୃତ୍ୟୁ ଘଟିଥିଲା ।

ଚିତ୍ରଶିଳ୍ପୀମାନଙ୍କ ଜଗତ ଭିନ୍ନ । ତାହା ଶଗଡଗୁଳାର ଜୀବନ ନୁହଁ । ସବୁ ସମୟରେ ଏକପ୍ରକାର ଆତ୍ମହନନକାରୀ ଜିଜୀବିଷା ସେମାନଙ୍କର ଭିତରେ କାର୍ଯ୍ୟକରୁଥାଏ । ସମସ୍ତ ସୃଜନଶୀଳ ସ୍ରଷ୍ଟାମାନେ ସେଇଥିପାଇଁ ଆମ ଭଳି ସାଧାରଣମାନଙ୍କଠାରୁ ଅଲଗା ଦିଶନ୍ତି । ସେମାନଙ୍କର ଜୀବନରେ ଆତ୍ମହନନର ଦୃଶ୍ୟମାନ ପ୍ରକ୍ରିୟାକୁ ଦେଖି ଆମେ ଅତ୍ୟନ୍ତ ସଂକୁଚିତ ହୋଇପଡୁ । ସେମାନଙ୍କର ଜୀବନକୁ ହୁଏତ ଆମେ ବାହାରେ ନାକ ଟେକୁ ମାତ୍ର ତାଙ୍କର ସାହିତ୍ୟକୁ ଆମେ ପୂଜାକରୁ । ସେଇଥିପାଇଁ ଆମେ ଯାହାର ସାହିତ୍ୟକୁ ଅସ୍ୱୀକାର କରୁ ତାହା ପାଇଁ ମୋଟାମୋଟି ଦୁଇଟି କଥା କହିଥାଉ, ଅମୁକଙ୍କ ସାହିତ୍ୟରେ ମୋଟାମୋଟି ମେଥୋଡ୍ ଟିଏ ଅଛି ମାତ୍ର ଏଥିରେ ପାଗଳାମୀ ବା ମ୍ୟାଡନେସ୍ କେଉଁଠି ? ଅଥବା କହିଥାଉ ଅମୁକଙ୍କ ଲେଖାରେ ପାଗଳାମୀ ତ ବହୁତ ଅଛି, ହେଲେ ମେଥଡ୍ ଟି ବା ନିୟନ୍ତ୍ରଣଟି କେଉଁଠି ଅଛି, ମାନ୍ୟବର ? ତେଣୁ ଆମ ପାଇଁ ସୃଜନରେ ସୁସଞ୍ଚ ଛାଂଚଟିଏ ରହିବା ଦରକାର ସବୁବେଳେ । ପାଗଳ ଜଣକ ଥିବ ଆଉ ସେହି ପାଗଳକୁ ନିୟନ୍ତ୍ରଣରେ ରଖିବା ପାଇଁ ମେସିନ୍ ଭଳି ମେସିନ୍ ଟିଏ ରହିବା ବି ଏକାନ୍ତ ଜରୁରୀ ।

ପଲ୍ ଗଗାଁଙ୍କ ସମସାମୟିକ ବିଖ୍ୟାତ ଅଥଚ ସଂପୂର୍ଣ୍ଣ ଅସ୍ୱୀକୃତ କଳାକାରମାନେ ପରେ ଯେଉଁମାନେ ଆମର ସର୍ବକାଳୀନ ଶ୍ରେଷ୍ଠ ବୋଲି ବିବେଚିତ ଯଥା ଭାନଗଗ୍ ଆଉ ଲୁଲୁ ତତ୍ତ୍ରେ ସମସ୍ତେ ନିଜର ଆତ୍ମହନନକାରୀ ଜୀବନଚର୍ଯ୍ୟା ପାଇଁ ସେମାନଙ୍କର ଚିତ୍ରକଳା ଅପେକ୍ଷା ଅଧିକ ପ୍ରସିଦ୍ଧ ଥିଲେ । ସମସ୍ତଙ୍କର ଜୀବନାବସାନ ନିଜ ନିଜର ଚରମ ଉଚ୍ଛୃଙ୍ଖଳତାର ପରିଣାମ ।

ଏଇଠି ଗୋଟିଏ ପ୍ରଶ୍ନ ଉଠିବ, ଆମର ସମାଜ ପାଇଁ ସତରେ କାହାର ବେଶୀ ଆବଶ୍ୟକତା ରହିଛି, ଜଣେ ଭଲ ମେଳାପୀ ନିହାତି ସାମାଜିକ ସଜ୍ଜନ, ନା ଜଣେ ନିହାତି ଉଚ୍ଚମାନର ଲେଖକ ଯାହାର ସମାଜ ସହ ଆଦୌ କୌଣସି ଦେଣ ନେଣ ନାହିଁ ? ଏଇ ଦୁଇଟି ଚରିତ୍ରରୁ ଗୋଟିକୁ ବାଛିବା ସେମିତି ସହଜ କଥା ନୁହଁ । ଏଇ ଦୁଇଟିଯାକ ପ୍ରଶ୍ନରୁ ଗୋଟିକ ପରେ ଗୋଟିଏ ପ୍ରତିପ୍ରଶ୍ନ ବାହାରି ଆମକୁ ଘଡିକୁ ଘଡି ଅଥୟ କରିଦେଉଥିବ । ସମସ୍ତ ସୃଜନ କଳାର ପାଠକ ହିସାବରେ ଆମେ କୌଣସି ସ୍ଥିର ବିନ୍ଦୁରେ ପହଂଚି ପାରୁ ନଥିବା ।

ସମାଜରେ କାହାର ଆବଶ୍ୟକତା ରହିଛି ବୋଲି ଯେଉଁ ଉପର ଲିଖିତ ପ୍ରସ୍ତାବନା ଦୁଇଟି ରଖାଯାଇଛି, ସେହି ପ୍ରଶ୍ନର କଥା ଉଠାଇଛନ୍ତି ବିଖ୍ୟାତ ଔପନ୍ୟାସିକ ସମରସେଟ ମମ୍, ତାଙ୍କର ଉପନ୍ୟାସ "ଦି ମୁନ୍ ଆଣ୍ଡ ସିକ୍ସ ପେନ୍ସ'' ରେ । ଏହି ଉପନ୍ୟାସଟି ଏକ ଚରିତ ଉପନ୍ୟାସ, ଯାହା ଆମର ଏଇ ବିଖ୍ୟାତ ଶିଳ୍ପୀ ପଲ୍ ଗଗାଁଙ୍କ ଜୀବନୀ ଆଧାରିତ । ତେଣୁ ସେଥିରେ ଗଗାଁଙ୍କ ଜୀବନର ଉଚ୍ଛୃଙ୍ଖଳତାକୁ ବର୍ଣ୍ଣନା କରିବା ଆଳରେ ସମରସେଟ୍ ମମ୍ ଗଗାଁଙ୍କ ପ୍ରତି ପାଠକର କେତେ ମାତ୍ରାରେ ସମର୍ଥନ ରହିଛି ସେ କଥାକୁ ଆକଳନ କରିବା ପାଇଁ ଚେଷ୍ଟା କରିଛନ୍ତି ।

ଜଣେ ଲେଖକ ପାଇଁ ସମ୍ପୂର୍ଣ୍ଣ ଭଲ ମଣିଷଟିଏ ଅତ୍ୟନ୍ତ ପୃଥୁଳ ବା ରୋଟୁଣ୍ଡ ଚରିତ୍ର । ତାହାକୁ ନେଇ କାହାଣୀର ବିଭିନ୍ନ ବାଙ୍କ ବୁଲିବାରେ ଆନନ୍ଦ ନାହିଁ । ଚରିତ୍ରଟି ଯେତିକି ଖଳ, ଯେତିକି ମନ୍ଦ ପ୍ରକୃତିର ହେବ ତାହାକୁ ନେଇ ଲେଖକ ସେତେ ଆନନ୍ଦରେ ତାହାର ମୃଗୟା କରିପାରିବ । ଧରନ୍ତୁ ଯଦି ରାମଚନ୍ଦ୍ର ମଙ୍ଗରାଜ ଅତ୍ୟନ୍ତ ପରମାର୍ଥପ୍ରେମୀ ଉଦାର ପ୍ରକୃତିର ହୋଇଥାନ୍ତେ ତେବେ କେବଳ ସେହି ଛଅ ମାଣ ଆଠଗୁଂଠ ପରିମାଣର ଜମିରେ କେବଳ ହିଁ ଭବ୍ୟ ମଂଗଳା ମନ୍ଦିରଟିଏ ହୋଇଥାନ୍ତା । ସାଆନ୍ତାଣୀଙ୍କ କୋଳରେ ଥାଆନ୍ତା ଭଗିଆ - ସାରିଆର ସଂତାନ । ଆଡ ଆଡ ହୋଇ ଜନ୍ତାଳର କଥା ବୁଝୁଥାନ୍ତା ଚଂପା । ପଙ୍ଗତରେ ଏକାଠି ବସିଲାବେଳେ ସାରିଆ କହନ୍ତା ମଙ୍ଗରାଜଙ୍କୁ, ଆପଣ ତ କିଛି ପାଟିରେ ଦେଲେ ନାହିଁ ମଉସା । ଶେଷରେ ସମସ୍ତେ ଆନନ୍ଦରେ ହରିବୋଲ ପକାଇ ଘରକୁ ଯାଇଥାନ୍ତେ । ଏମିତି ଆନନ୍ଦରେ ହରିବୋଲ ପକାଇବା ପାଇଁ କେତେ ପୃଷ୍ଠା ଦରକାର ହେବ ଯେ ?

ତେଣୁ ସମାଜରେ ସମସ୍ତେ ଭଲ ମଣିଷ ହୁଅନ୍ତୁ ସତ ମାତ୍ର କାହାଣୀରେ ସେମାନଙ୍କର ପ୍ରବେଶ ଆଉ ପ୍ରସ୍ଥାନ ବେଶ୍ ସଂକୁଚିତ ରହିବ । ଆଉ ସେଇଥିପାଇଁ କଳାକାରମାନେ ସେମାନଙ୍କର ବୈଚିତ୍ର୍ୟପୂର୍ଣ୍ଣ ଜୀବନ ପାଇଁ ଅତ୍ୟନ୍ତ ଲେଖକପ୍ରିୟ ଉପାଦାନ । ଆଉ ସେହି ଦୃଷ୍ଟିରୁ ଚରିତ ଉପନ୍ୟାସମାନେ ଆମର ଅଧିକ ପସନ୍ଦର ।

ପଲ୍ ଗଗାଁଙ୍କ ଜୀବନକୁ ଆଧାର କରି ଆଉ ଏକ ଉପନ୍ୟାସ ରହିଛି ଯେଉଁ ଉପନ୍ୟାସର ପ୍ରଚ୍ଛଦରେ ଗଗାଁଙ୍କ କୃତ ବାର ବର୍ଷ ବୟସର ସେଇ କିଶୋରୀ ତେହାମନର ସଂପୂର୍ଣ୍ଣ ଉଲଗ୍ନ ଥିବା ଛବିଟି ରହିଛି । ଉପନ୍ୟାସର ନାଆଁ, "ୱେ ଟୁ ପାରାଡାଇଜ୍" । ଲେଖକ ନୋବେଲ ପୁରସ୍କାର ବିଜେତା, ମାରିଓ ଭର୍ଗାସ୍ ଲସା ।

ପଲ୍ ଗଗାଁଙ୍କ ଦେହାବସାନ ୮ ମଇ ୧୯୦୩ରେ ତାହିତି ଦ୍ୱୀପପୁଞ୍ଜର ଦକ୍ଷିଣରେ ମାର୍କ୍ୱେସସ୍ ନାମକ ଏକ ଦ୍ୱୀପରେ ଘଟିଥିଲା । ସମସ୍ତେ ଯଥେଷ୍ଟ ଆଗରୁ ଜାଣିଥିଲେ ଯେ ଗଗାଁଙ୍କର ଏଇ ନିକଟରେ ମରଣ ସମ୍ଭବ ହେବ । ତେଣୁ ତାଙ୍କର ଦେହାବସାନକୁ ନେଇ କାହା ଭିତରେ ସେମିତି କିଛି କୌତୂହଳ ନଥିଲା । ବାରମ୍ବାର ହୃଦଘାତ୍, ଜ୍ୱର, ମଝିରେ ମଝିରେ ଅଚେତନ ଏବଂ ଦେହସାରା ସିଫିଲିସ୍ ଭଳି ଏକ ଦୂରାରୋଗ୍ୟ ଯୌନରୋଗର ସଂକ୍ରମଣ ନିଶ୍ଚିତ କରିଥିଲା ଯେ ପଲ୍ ଗଗାଁଙ୍କ ସମୟ ଆଉ ବେଶୀ ନାହିଁ, ଯଦିଓ ସେତେବେଳକୁ ସେ ମରଣ ଲଭିବା ଭଳି ଏକ ସ୍ୱାଭାବିକ ବୟସରେ ପହଞ୍ଚି ନଥିଲେ । ମୃତ୍ୟୁବେଳକୁ ତାଙ୍କର ବୟସ ହୋଇଥିଲା ମାତ୍ର ପଞ୍ଚାବନ ବର୍ଷ । ସେ ସମୟରେ ପୃଥିବୀରେ କେବଳ ଜଣେ ହିଁ ବିଶ୍ୱାସ କରୁଥିଲା ଯେ ପଲ୍ ଗଗାଁଙ୍କର ମରଣ ନାହିଁ । ଯିଏ ଜଣେ ଶାପଭ୍ରଷ୍ଟ ଦେବତା ଆଉ ଯାହାର ହାତର ଛୁଆଁରେ ଚାରିଆଡ ଏତିକି ଉଜ୍ଜ୍ବ ଳ ରଙ୍ଗର ଉତ୍ସବ ତାହାର ମରଣ କେମିତି ହେବ ? ସେହିଭଳି ବିଶ୍ୱାସରେ ଅବିଚଳିତ ଥିବା କିଶୋରୀ ଜଣକ ଥିଲା ତେହାମନ, ପଲ୍ ଗଗାଁଙ୍କ ଶେଷ ସମୟର ଜୀବନସଂଗିନୀ । ୧୮୯୧ରେ ପଲ୍ ଗଗାଁ ତାହିତି ଦ୍ୱୀପରେ ପହଞ୍ଚିବା ପରେ ତାଙ୍କର ମନେହୋଇଥିଲା ଯେ ପୃଥିବୀର ସବୁଠାରୁ ପ୍ରାଚୀନତା ବା ପ୍ରିମିଟିଭିଟି ତାହାର ସକଳ ବିଭବକୁ ଅକ୍ଷୁଣ୍ଣ ଭାବରେ ଧାରଣ କରି ସେହି ଦ୍ୱୀପରେ ଅବସ୍ଥାନ କରିଛି । ତେଣୁ ସେ ସେହି ପ୍ରାଚୀନତାକୁ ନିଜର ଛବିରେ ଧରିରଖିବା ପାଇଁ ପ୍ରଯତ୍ନ କରିବାକୁ କରିଥିଲେ । ତାହିତିର ଅଦ୍ଭୁତ ପ୍ରାକୃତିକ ଦୃଶ୍ୟପଟମାନ ଗଗାଁଙ୍କ ତୂଳୀରେ କ୍ରମଶଃ ଗାଢ ରଙ୍ଗରେ ପ୍ରତିଭାଷିତ ହେବାକୁ ଲାଗିଲା । ବିଶେଷ ଭାବରେ ତାହିତିର ରମଣୀମାନଙ୍କର ଉନ୍ମୁକ୍ତ ବକ୍ଷର ଚିତ୍ରାଙ୍କନରେ ସେ ବସ୍ତୁତଃ ଅଧିକ ଗାଢ ରଙ୍ଗର ପ୍ରୟୋଗ କରୁଥିଲେ । ଅନ୍ୟ ଭାବରେ କହିଲେ ତାହିତି ନାରୀର ମୁକୁଳା ସ୍ତନକୁ ଉଜ୍ଜ୍ବଳତା ପ୍ରଦାନ କରି ସେ ପୃଥିବୀ ସାମ୍ନାରେ ଆମର ଅପହୃତ ପ୍ରାଚୀନତାକୁ ଉପସ୍ଥାପନ କରିବାକୁ ଲାଗିଲେ । ସେହି ତାହିତି ଦ୍ୱୀପରେ ଉଚ୍ଛୃଙ୍ଖଳ ଯୌନାଚାର କାରଣରୁ ତାଙ୍କର ଯୌନବ୍ୟାଧି ସିଫିଲିସ୍ ର ସଂକ୍ରମଣ ହେଲା । ଏବଂ ତାଙ୍କ ଦ୍ୱାରା ଆବିଷ୍କୃତ ପୃଥିବୀର ଏହି ସଦ୍ୟଲବ୍ଧ ପ୍ରାଚୀନତାକୁ ନିଜର ଆଖପାଖରେ, ନିଜର ଆଲିଙ୍ଗନରେ ସବୁବେଳେ ଧରି ରଖିବା ପାଇଁ ତାହାର ବାପାକୁ ଅଳ୍ପ କିଛି ଶସ୍ତା ବିଦେଶୀ ପଦାର୍ଥ ଯଥା ଅତର, ଯଥା ଚୁରୁଟପାଇପ୍ ଆଦିର ବିନିମୟରେ ସେ ହାସଲ କରିଥିଲେ ତ୍ରୟୋଦଶବର୍ଷୀୟା କିଶୋରୀ, ତାହାର ନାଆଁ ଥିଲା, ଆମର ପରିଚିତ ଏହି ତେହାମନ ।

୧୮୮୭ ଖ୍ରଅରେ ଦକ୍ଷିଣ ପ୍ରଶାନ୍ତ ମହାସାଗରର ମାର୍ଟିନେକ୍ ଦ୍ୱୀପ ଆଉ ସେଇଠୁ ତାହିତି ଦ୍ୱୀପପୁଞ୍ଜକୁ ଯିବା ଘଟଣାକୁ ଏକ ବିଭାଜକ ରେଖା ହିସାବରେ ପଲ୍ ଗଗାଁଙ୍କ ଜୀବନରେ ଦେଖାଯାଇପାରେ । ପରବର୍ତ୍ତୀ କାଳରେ ତାଙ୍କର ଛବିକୁ ପୋଷ୍ଟ - ଇମ୍ପ୍ରେସନିଜମ୍ ର ଛବି ବୋଲି ବିଚାର କରାଯାଏ ଏବଂ ପଲ୍ ଗଗାଁ ଏହି ସମୟରେ ନିଜର ଚିତ୍ରକର୍ମ ଦ୍ୱାରା ପୃଥିବୀର ସମଗ୍ର ଚିତ୍ରଭାବନାକୁ ପ୍ରଭାବିତ କରିଥିବା ବିଷୟ କଳା ସମାଲୋଚକମାନେ କହିଥାନ୍ତି । ବସ୍ତୁତଃ ତାଙ୍କର ଜୀବନର ଏହି ଉଜ୍ଜ୍ବଳ ଚିତ୍ରକର୍ମ ଏବଂ ଅନୁଜ୍ଜଳ ଶରୀରକର୍ମ ଭଳି ଦ୍ୱିତୀୟ ଅଧ୍ୟାୟକୁ ଯିବା ପୂର୍ବରୁ ଆମକୁ ତାଙ୍କର ଜୀବନର ପ୍ରଥମ ପର୍ବ ପ୍ରତି ଟିକିଏ ଦୃଷ୍ଟିପାତ କରିବା ଉଚିତ ହେବ ।

ପିଲାଦିନରୁ ପଲ୍ ଗଗାଁ ଚିତ୍ରକର । ପରିବାର ସ୍ୱଚ୍ଛଳ । ତେଣୁ ସେ ପାରିବାରିକ ବ୍ୟବସାୟ ସହ ଅବସର ସମୟରେ ଛବି ଆଙ୍କୁଥିଲେ । ସେ ପରେ ଜଣେ ଷ୍ଟକ୍ ବ୍ରୋକର୍ ହିସାବରେ କାର୍ଯ୍ୟରତ ଥିଲେ । ନିଜର ଦାନିଶ୍ ପତ୍ନୀ ଏବଂ ଚାରୋଟି ସନ୍ତାନ ସହ ତାଙ୍କର ଏକ ସୁଖର ସଂସାର ଥିଲା । ସେ ପ୍ରାଥମିକ ଭାବରେ ସେସମୟର ଆଉ ଜଣେ ପ୍ରଖ୍ୟାତ ଫରାସୀ ଚିତ୍ରକର କାମିଲୋ ପିସାରୋଙ୍କର ଅନୁଗାମୀ ଥିଲେ । ତାଙ୍କର ଅନେକ ପ୍ରାଥମିକ ଛବିରେ କାମିଲୋ ପିସାରୋଙ୍କର ପ୍ରଭାବ ବେଶ୍ ଦେଖିବାକୁ ମିଳେ । ଏଇଠି କହିବା ଉଚିତ ହେବ ଯେ, ପ୍ରଖ୍ୟାତ ବ୍ରିଟିଶ ଚରିତ - ଔପନ୍ୟାସିକ ଇରଭିଙ୍ଗ ଷ୍ଟୋନ୍ କାମିଲୋ ପିସାରୋଙ୍କ ଜୀବନକୁ ନେଇ ଲେଖିଥିବା ଉପନ୍ୟାସର ନାଆଁ ହେଉଛି ଦି ପାସନ୍ ଅଫ୍ ଗ୍ଲୋରି । ଇରଭିଙ୍ଗ ଷ୍ଟୋନ୍ ଙ୍କର ଦୁଇଟି ଉପନ୍ୟାସ ସହିତ ଆମେ ବେଶ୍ ପରିଚିତ, ଦି ଲଷ୍ଟ୍ ଫର୍ ଲାଇଫ୍ ଏବଂ ଦି ଏଗୋନି ଆଣ୍ଡ ଏକଷ୍ଟାସି, ଏଇ ଦୁଇଟି ଉପନ୍ୟାସ ଯଥାକ୍ରମେ ଶିଳ୍ପୀ ଭିନସେଣ୍ଟ ଭାନଗଗ୍ ଏବଂ ଶିଳ୍ପୀ ମାଇକେଲୋ ଆଞ୍ଜେଲୋଙ୍କ ଜୀବନ ଆଧାରିତ । ସେ ଯାହାହେଉ ପଲ୍ ଗଗାଁ ପ୍ରାଥମିକ ଭାବରେ ସେସମୟର ଜଣେ ଉଦୀୟମାନ ଦୃଷ୍ଟି ଆକର୍ଷଣକାରୀ ଚିତ୍ରଶିଳ୍ପୀ ଥିଲେ । ପାରିସ୍ ରେ ଅନୁଷ୍ଠିତ ସର୍ବୋଚ୍ଚ କଳା ପ୍ରଦର୍ଶନୀ ଯଥା ୧୮୮୦ ମସିହାର ପଞ୍ଚମ ଇମ୍ପ୍ରେସନିଷ୍ଟ ଏକଜିଭିସନ୍ ରେ ନିଜର ଛବି ପ୍ରଦର୍ଶନ କରିବାର ସୁଯୋଗ ହୋଇଥିଲା । ତାହାପରେ ୧୮୮୧ ଏବଂ ୧୮୮୨ ମସିହାରେ ତାଙ୍କୁ ସେହି ସମାନ ସୁଯୋଗ ମିଳିଥିଲା । ମାତ୍ର ୧୮୮୨ରେ ଘଟିଥିବା ଅର୍ଥନୈତିକ ଦୁର୍ଗତିର କାରଣରୁ ତାଙ୍କର ଷ୍ଟକ୍ ବ୍ରୋକର୍ ଚାକିରି ଚାଲିଗଲା । ସେ ନିଜର ଦାନିଶ୍ ପତ୍ନୀ ଆଉ ଚାରିପୁତ୍ରକନ୍ୟାଙ୍କୁ ଧରି କୋପେନହାଗାନ ଚାଲିଗଲେ । ସେଇଠି ଆର୍ଥିକ ଅନାଟନ ତାଙ୍କ ପାଇଁ ଯେତିକି ଗଭୀର ହୋଇ ଉଠିଥିଲା ସମାନ ଭାବରେ ତାଙ୍କର ଚିତ୍ରାଙ୍କନ କରିବାର ଅଭୀପ୍ସା ସେତିକି ଉଗ୍ର ହୋଇ ଉଠୁଥିଲା । ଏହି ଦୁଇଟିଯାକ ମାନସିକ ସ୍ଥିତି କ୍ରମଶଃ ବିରୋଧାଭାସରେ ପରିଣତ ହୋଇଗଲା ଆଉ ପଲ୍ ଗଗାଁ ନିଶ୍ଚିତ ହେଲେ ଯେ ତାଙ୍କ ପାଇଁ ଆଉ ଏଇ ନିର୍ଦ୍ଧାରିତ ସଂସାର ନୁହଁ । ବିବାହ ଭାଙ୍ଗିଗଲା ଆଉ ପ୍ରାକ୍ତନ ଷ୍ଟକ୍ ବ୍ରୋକର୍ ଜଣକ ଯେତେବେଳେ ଆସି ପାରିସ୍ ରେ ପହଞ୍ଚିଗଲେ ସେତେବେଳକୁ ସେ ଜଣେ ସଂପୂର୍ଣ୍ଣ ଚିତ୍ରଶିଳ୍ପୀ, ଯିଏ ସ୍ଥିର କରିନେଇଥିଲା ଯେ ସେ ପୃଥିବୀକୁ ନିଜ ସର୍ତ୍ତରେ ଦେଖିବ ଆଉ ନିଜ ସର୍ତ୍ତରେ ବଞ୍ଚିବ । ଚିତ୍ର, ଦାରିଦ୍ର୍ୟ ଆଉ ଉଚ୍ଛୃଙ୍ଖଳତା ପଲ୍ ଗଗାଁଙ୍କ ଭଳି ସେତେବେଳର ପ୍ରତିଭାଧର ଆଉ ଅବହେଳିତ ଫରାସୀ ଚିତ୍ରକରମାନଙ୍କର ଏକମାତ୍ର ପରିଚୟ ଥିଲା । ୧୮୮୭ ବେଳକୁ ପଲ୍ ଗଗାଁ ଅନୁଭବ କଲେ ଯେ ଏହି ନଗରଜୀବନ ଅନ୍ତଃସାରଶୂନ୍ୟ । ଆମକୁ ଉତ୍ସ ଖୋଜିବାକୁ ପଡିବ । ଆଉ ସେହି ତଥାକଥିତ ଉତ୍ସ ପଲ୍ ଗଗାଁଙ୍କୁ ମିଳିଯାଇଥିଲା ଯେତେବେଳେ ସେ ତାହିତି ଦ୍ୱୀପପୁଞ୍ଜରେ ପହଞ୍ଚିଥିଲେ ୧୮୯୧ ରେ ।

ପଲ୍ ଗଗାଁ ତାଙ୍କର ଜୀବନର ଶେଷ ଦୁଇବର୍ଷ ତାହିତି ଦ୍ୱୀପପୁଞ୍ଜର ସଂପୂର୍ଣ୍ଣ ଦକ୍ଷିଣରେ ଥିବା ମାର୍କ୍ୱେସସ ଆଇଲାଣ୍ଡରେ ବିତାଇଥିଲେ । ସିଫିଲିସ୍ ର ପ୍ରବଳ ସଂକ୍ରମଣ ସତ୍ତ୍ୱେ ସେ ପ୍ରବଳ ଛବି ଆଙ୍କିଚାଲିଥିଲେ । ଯେତିକି ଆଙ୍କିଥିଲେ ତାହା ଭିତରୁ ଅଧିକାଂଶକୁ ସେ ନିଜେ ଧ୍ୱଂସ କରି ଦେଉଥିଲେ । ସେ ସମୟରେ ସେ ତାଙ୍କର ଜୀବନର ସର୍ବଶ୍ରେଷ୍ଠ ଛବିଟି ଆଙ୍କିଛନ୍ତି ବୋଲି କୁହାଯାଏ । ସେହି ଛବିର ଶୀର୍ଷକ ହେଉଛି ଟିକିଏ ଦୀର୍ଘ: "ଦାଉ ଭେନନସ୍ ନାଉସ୍ ? କ୍ୟୁ ସୋମେସ୍ ନାଉସ୍ ? ଅଉ ଅଲନସ୍ ନାଉସ୍ ?" ଫରାସୀ ଭାଷାରେ ଲିଖିତ ଏଇ ଶୀର୍ଷକର ରୂପାନ୍ତର କଲେ ତାହା ଏହିଭଳି ହେବ: "ଆମେ କେଉଁଠୁ ଆସିଛୁ ? ଆମେ କ'ଣ ? ଆମେ କୁଆଡେ ଯାଉଛୁ ?" । ଏହି ତିନୋଟି ପ୍ରଶ୍ନରେ ରହିଛି ପଲ୍ ଗଗାଁଙ୍କର ତଥା ଆମ ସମସ୍ତଙ୍କର ଜୀବନବୋଧ ।

ତାହା ହେଲେ ପଲ୍ ଗଗାଁର ଅର୍ଥ ଶେଷକୁ କ'ଣ ହେବ ?

ପଲ୍ ଗଗାଁ ପୃଥିବୀର ଚିତ୍ର - ଅବବୋଧକୁ ବଦଳାଇ ଦେଇଛନ୍ତି ବୋଲି କୁହାଯାଏ । ଆମର ସାଧାରଣ ଧାରଣାରେ ପ୍ରତ୍ୟେକ ଛବି ହେଉଛି ଏକ ଦ୍ୱି - ମାତ୍ରିକ ତଥା ଟୁ - ଡାଇମେନସନାଲ୍ କାନଭାସ ଉପରେ ଏକ ତ୍ରି - ମାତ୍ରିକ ଅର୍ଥାତ୍ ଥ୍ରି - ଡାଇମେସନାଲ୍ ପୃଥିବୀର ଉପସ୍ଥାପନା । ମାତ୍ର ପଲ୍ ଗଗାଁ ଏହାକୁ ଏହିଭଳି ପରିଭାଷିତ କରିଥିଲେ, ଯେମିତ ଏହା ଏକ ସମତଳ ବା ଫ୍ଲାଟ୍ ସର୍ଫେସ୍ ଉପରେ ରଙ୍ଗର ଏକ ଆଚ୍ଛାଦନ; ଏହା ଫଳରେ ସେ କହିବାକୁ ଚାହୁଁଥିଲେ ଯେ, ଛବି ବସ୍ତୁତଃ କାହାର କେଉଁଭଳି ପ୍ରତିନିଧିତ୍ୱ କରିଥାଏ ସେକଥା ନୁହଁ, ଏହା କ'ଣ ତାହା ହେଉଛି ଅସଲ କଥା । ସେ ଚାହୁଁଥିଲେ ତାଙ୍କର ଛବି ଦର୍ଶକ ଭିତରେ କୌଣସି ଅନ୍ୟ ଏକ ଛବିର ଉଦ୍ରେକ ନକରି ବରଂ ଯେମିତି କିଛି ଭାବର ସଂଚାର କରିବାକୁ ସମର୍ଥ ହେଉ ।

ସବୁ ସଂଧାନରେ, ପଲ୍ ଗଗାଁଙ୍କ ସହିତ କେଉଁଠୁ, କିଏ ଆଉ କୁଆଡେ ଭଳି ପ୍ରଶ୍ନର ଉତ୍ତର ଖୋଜିଲାବେଳେ ପ୍ରାଚୀନତା ଆମ ପାଖକୁ ଆସେ ନିଶ୍ଚୟ । ସେ କିଶୋରୀ ତେହାମନ । ଆମେ କିନ୍ତୁ ଜଣେ ଜଣେ ସାଧାରଣ ନିର୍ଦ୍ଦିଷ୍ଟ ପଥଚାରୀ । ଆମେ ପ୍ରଖ୍ୟାତ ପଲ୍ ଗଗାଁ ନୁହଁ ।

Report an Error