ଅମୁଲ୍ ଦି ଟେଷ୍ଟ ଅଫ ଇଣ୍ଡିଆ

ଲୋକପ୍ରିୟ ଅମୁଲ୍ ର କାହାଣୀ ଖୁବ୍ ରୋମାଞ୍ଚଭରା । ସେଇ କାହାଣୀକୁ ନେଇ ୧୯୭୬ ମସିହାରେ ଶ୍ୟାମ ବେନେଗଲ୍ ‘ମନ୍ଥନ’ ନାମରେ ଗୋଟେ ଚମତ୍କାର ହିନ୍ଦୀ ସିନେମା ତିଆରି କରିଥିଲେ । ସିନେମା ପାଇଁ ଆବଶ୍ୟକ ହେଇଥିବା ଅର୍ଥରାଶିକୁ ପାଞ୍ଚ ଲକ୍ଷ ଚାଷୀ ଦୁଇ ଦୁଇ ଟଙ୍କା ଲେଖା ଦେଇ ଭରଣା କରିଥିଲେ ।


ପିଲାଦିନେ ଦୁଇଟି ଜିନିଷ ପ୍ରତି ଥିଲା ଦୁର୍ବାର ଆକର୍ଷଣ । ପ୍ରଥମଟି ଥିଲା ଚିନି ଓ ଦ୍ୱିତୀୟଟି ଥିଲା ଅମୁଲ୍ । ଦୁଇଟିଯାକ ଆମପରି ପିଲାମାନଙ୍କ ହାତ ପାହାନ୍ତିରେ ନଥିଲା । ମାସକୁ ଥରେ କଣ୍ଟ୍ରୋଲ୍ ଦୋକାନରୁ ଚିନି ଆସୁଥିଲା । ମା ତାକୁ ପୁରୁଣା ଅମୁଲ୍ ର ଟିଣ ଡବାରେ ପୂରେଇ ସାଇତି ରଖୁଥିଲା । ଜଳଖିଆ ଖାଇଲାବେଳକୁ ଦେଉଥିଲା । ଆଉ ଅମୁଲ୍ ଅକାଳେ ସକାଳେ ଆସୁଥିଲା । ଆମମାନଙ୍କୁ ଅମୁଲ୍ ର ସ୍ୱାଦ ସେତେବେଳକୁ ସ୍ୱର୍ଗୀୟ ମନେହେଉଥିଲା । ବଡ଼ କଷ୍ଟରେ ମାଗି ମାଗି ଚାମୁଚେ ଅମୁଲ୍ ଗୁଣ୍ଡ ମିଳୁଥିଲା ଓ ତାକୁ ଆମେ ଚାଟି ଚାଟି ଖାଉଥିଲୁ । କେବେ କେବେ ମିଲ୍କ ପାଉଡର୍ ନାମରେ ଗୁଣ୍ଡଦୁଧ ବି ସ୍କୁଲରେ ମିଳୁଥିଲା, କିନ୍ତୁ ତା'ର ସ୍ୱାଦ ଅମୁଲ୍ ପରି ନଥିଲା । ଲୋକେ ଗାଈଦୁଧର ଚା' ଠାରୁ ଅମୁଲ୍ ଚା' ପିଇବାକୁ ସମ୍ଭ୍ରାନ୍ତୀୟ ମନେକରୁଥିଲେ । ବିଶେଷ ଅତିଥି ଆସିଲେ ଅମୁଲ୍ ଦୁଧରେ ଚା' ତିଆରି କରାଯାଉଥିଲା । ମୁଁ ସେଇ ପିଲାଦିନେ ନିଷ୍ପତ୍ତି ନେଇଥିଲି ବଡ଼ ହେଲେ ଚାକିରି ବାକିରି କଲେ ଏକାଥରେ ପୁଳେ ଅମୁଲ୍ ଡବା କିଣି ଘରେ ରଖିବି ଓ ଯାଉଣୁ ଆସୁଣୁ ଚାମୁଚେ ଲେଖା ଖାଇବି । ମୋ ସାନ ଭାଇର ବି ସେଇ ଏକା ପରି ମନାେସ୍କାମନା ଥିଲା । ଏବେ ଅବଶ୍ୟ ମୋତେ ଅମୁଲ୍ ଚା' ଭଲ ଲାଗେନି । କିନ୍ତୁ ସୁବିଧା ସୁଯୋଗ ପାଇଲେ ଅମୁଲ୍ ଚାମୁଚେ ପାଟିରେ ପକେଇ ଖାଇବାକୁ ଭଲଲାଗେ । କୋଷ୍ଠକାଠିନ୍ୟର ଭୟରେ ବେଶୀ ଖାଇପାରେନି । ଅମୁଲ୍ ତାର ବିଜ୍ଞାପନରେ ଠିକ୍ କଥା କୁହେ; ଅମୁଲ୍ ଦି ଟେଷ୍ଟ ଅଫ ଇଣ୍ଡିଆ । ତେବେ ପିଲାଦିନର ସେ ଚମତ୍କାରୀ ସ୍ୱାଦ ମୁଁ କିନ୍ତୁ ଆଉ ଆଜିର ଅମୁଲ୍ ରେ ପାଏନି ।

ଘରେ ଆମର ବେଶ୍ କେତେଟା ପୁରୁଣା ଅମୁଲ୍ ଡବା ଥିଲା । ସେଥିରେ ମା ବିଭିନ୍ନ ଖାଦ୍ୟ ପଦାର୍ଥ ସବୁ ସାଇତି ରଖୁଥିଲା । ଗାଁରେ ଅନେକଙ୍କ ଘରେ ପୁରୁଣା ଅମୁଲ୍ ଡବା ସବୁ ଥିଲେ । ଅମୁଲ୍ ଡବା ଅନେକଙ୍କ ଘରେ ଏତେ ପରିମାଣର ଥିବାର କାରଣ ନୁହେଁ ଯେ ସେବେ ଆମ ଗାଁର ଲୋକେ ଅମୁଲ ଚା' ପିଇବାକୁ ପସନ୍ଦ କରୁଥିଲେ । ପ୍ରକୃତ କାରଣଟି ହେଲା ସାନ ସାନ ପିଲାଙ୍କୁ ସେବେ ଅମୁଲ୍ ଦୁଧ ପୁଷ୍ଟିକର ଶିଶୁଖାଦ୍ୟ ଭାବରେ ଖାଇବାକୁ ଦିଆଯାଉଥିଲା । ଘର ତିଆରି ଶିଶୁ ଖାଦ୍ୟକୁ ଛାଡିଦେଲେ ବଜାରରେ ଅମୁଲ୍ ହିଁ ଏକମାତ୍ର ଶିଶୁଖାଦ୍ୟ ଭାବରେ ଉପଲବ୍ଧ ଓ ବହୁଳ ପ୍ରଚଳିତ ଥିଲା । ମୋଟା ରୋଟା ଗୁଲୁଗୁଲିଆ ପିଲାଙ୍କୁ ଅମୁଲ୍ ଛୁଆ କୁହାଯାଉଥିଲା । ଅମୁଲ୍ ଡବା ଉପରେ ବି ଗୋଟେ ସୁନ୍ଦରିଆ ପିଲାର କଳା ଧଳା ମୁହଁ ଛପା ଯାଇଥିଲା । ପରେ ସେ ପିଲାମୁହଁ ବଦଳରେ ଠେକୁଆ ମୁହଁ ଦିଆଗଲା । ସେବେ ଆମେ ଯେକୌଣସି ମୋଟା ରୋଟା ଗୁଲୁଗୁଲିଆ ପିଲାଙ୍କୁ ସ୍କୁଲରେ ଅମୁଲ୍ ଛୁଆ ବୋଲି କହି ଚିଡାଉଥିଲୁ । ଶିଶୁଖାଦ୍ୟ ଭାବରେ ଅମୁଲର ବ୍ୟବହାର ସାମାଜିକ ଜୀବନରେ ଗୋଟେ ଧାରଣାର ପ୍ରଚଳନ କଲା, ଯେଉଁଠି ଲୋକେ ବିଶ୍ୱାସ କଲେ ଅମୁଲ୍ ଦୁଧ ପିଲାକୁ କେବଳ ଗୋଲ ମୋଟଲ୍ କରିବ ସିନା ଆବଶ୍ୟକୀୟ ବଳ ଯୋଗାଇ ଶାରୀରିକ ଭାବରେ ଶକ୍ତିଶାଳୀ କିନ୍ତୁ କରିପାରିବନି ।

ଏବେ ଅମୁଲ୍ ବିଷୟରେ ଜାଣିବା । ଅମୁଲ୍ ର ଜନ୍ମ ୧୯୪୬ ଡିସେମ୍ବର ୧୪ ତାରିଖରେ ଗୁଜରାଟରେ ହେଇଥିଲା । ମାନେ ଭାରତ ସ୍ୱାଧୀନତା ପାଇବାର ଗୋଟେ ବର୍ଷ ଆଗରୁ । ଅମୁଲ୍ ବ୍ୟକ୍ତିଗତ କମ୍ପାନୀ ଭାବରେ ନୁହେଁ ବରଂ ଏକ ସମବାୟ ସମିତି ଭାବରେ ଆରମ୍ଭ ହେଇଥିଲା । ଆନନ୍ଦ ମିଲ୍କ ୟୁନିୟନ୍ ଲିମିଟେଡ୍ ହିଁ ସଂକ୍ଷେପରେ ଅମୁଲ୍ ହେଇଛି । ସଂସ୍କୃତରେ ଅମୁଲ୍ୟ ବୋଲି ଶବ୍ଦଟିଏ ଅଛି । ଅମୁଲ୍ କୁ ପରିଚାଳନା କରନ୍ତି ଗୁଜରାଟ କୋ ଅପରେଟିଭ୍ ମିଲ୍କ ମାର୍କେଟିଙ୍ଗ ଫେଡେରେସନ୍ ଲିମିଟେଡ୍ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥାରେ ତ୍ରିଭୂବନଦାସ କିଶିଭାଇ ପଟେଲ୍ ଅମୁଲ୍ ର ପ୍ରଥମ ଚେୟାରମ୍ୟାନ୍ ହେଇଥିଲେ ଓ ୧୯୪୯ରେ ଭର୍ଗେଶ କୁରିଆନଙ୍କୁ ତାଙ୍କୁ ଆସି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । କୁରିଆନ୍ ପ୍ରଥମେ ଜେନେରାଲ୍ ମ୍ୟାନେଜର୍ ପରେ କିଶିଭାଇଙ୍କ ଦେହାନ୍ତ ପରେ ତିରିଶ ବର୍ଷ ଧରି ଚେୟାରମ୍ୟାନ୍ ହେଇ ରହିଥିଲେ । କୁରିଆନଙ୍କ ଅଧ୍ୟବସାୟ, ନିଷ୍ଠା ଓ ଦୂରଦୃଷ୍ଟି ହିଁ ଅମୁଲ୍ କୁ ପରିଚୟ ଦେଇଥିଲା । ଭାରତରେ ସେଇଠୁ ଆରମ୍ଭ ହେଇଥିଲା ଅପରେସନ୍ ଫ୍ଲଡ ବା ଦୁଧ ବନ୍ୟା ।

ଦୁଧଚାଷୀଙ୍କ ଦୁରାବସ୍ଥା ଓ ଦୁଧ ବେପାରୀଙ୍କ ଦୌରାତ୍ମ୍ୟରୁ ସେମାନଙ୍କୁ ରକ୍ଷା କରିବାକୁ ଏକ ବ୍ୟବସ୍ଥାର ଆବଶ୍ୟକତା ଥିଲା । ସେ ସମୟରେ ବମ୍ବେ ସହର ପାଇଁ ଆବଶ୍ୟକୀୟ ଦୁଧ ମୁଖ୍ୟତଃ ଗୁଜରାଟର ଆନନ୍ଦ ଅଞ୍ଚଳରୁ ଆସୁଥିଲା । ଦୁଧ ବେପାରୀମାନେ ତାଙ୍କ ଇଚ୍ଛା ମୁତାବକ ଦର ଧାର୍ଯ୍ୟ କରୁଥିଲେ ଓ ବିଭିନ୍ନ ବାଗରେ ଦୁଧଚାଷୀଙ୍କୁ ଶୋଷଣ କରୁଥିଲେ । ସ୍ଥାନୀୟ କୃଷକ ନେତା ତ୍ରିଭୂବନଦାସ ପଟେଲ ଏ ବିଷୟରେ ଯେବେ ସର୍ଦ୍ଦାର ପଟେଲଙ୍କୁ ଜଣେଇଲେ ପଟେଲ୍ ଉପଦେଶ ଦେଲେ ଯେ ସେମାନେ ଏକ ସମବାୟ ସମିତି ଗଠନ କରନ୍ତୁ । ସେଇଠୁ ଏକ ସମବାୟ ସମିତି ଆରମ୍ଭ ହେଲା ଓ ଅନେକ ଲଢେଇ ପରେ ଯାଇଁ ସମିତି ସିଧାସଳଖ ବମ୍ବେକୁ ଦୁଧ ପଠେଇଥିଲା । ଚାଷୀମାନେ ଦୁଇ ପଇସା ଅଧିକ ରୋଜଗାର କରିଥିଲେ ।

ଘଟଣାର କାହାଣୀ ଆରମ୍ଭ ହେଇଥିଲା ଗୁଜରାଟର କଇରା ଅଞ୍ଚଳରୁ । ସ୍ଥାନୀୟ ଚାଷୀଙ୍କ ଆର୍ଥିକ ଅବସ୍ଥା ଆଦୌ ଭଲ ନଥିଲା । କେବଳ ଚାଷ ଉପରେ ନିର୍ଭର କରି ପରିବାରର ଭରଣ ପୋଷଣ କାଠିକର ପାଠ ଥିଲା । ସେମାନେ ପାଳିଥିବା ଦୁଧିଆଳୀ ମଇଁଷିଙ୍କ ଦୁଧରୁ ବି ସେମିତି କିଛି ଲାଭ ବାହାରୁନଥାଏ । ଦୁଧକୁ କିଣୁଥିବା ବେପାରୀମାନେ ଚାଷୀମାନଙ୍କର ଅସହାୟତାରୁ ଭଲ ଲାଭ ଉଠଉଥିଲେ । କାରଣ ଦୁଧକୁ ଅନ୍ୟ ଦ୍ରବ୍ୟ ପରି ଅଧିକ ସମୟ ସଂରକ୍ଷଣ କରାଯାଇପାରୁନଥିଲା । ନିରକ୍ଷର ଚାଷୀମାନେ ବୁଝି ପାରୁନଥିଲେ ଯେ, ତାଙ୍କ ପାଖରୁ କମ୍ ଦରରେ ଦୁଧ କିଣି ବେପାରୀ କଣ୍ଟ୍ରାକ୍ଟର ବେଶ୍ ଭଲ ମୁନାଫା କମଉଛି କେମିତି । ବମ୍ବେ ସରକାର ୧୯୪୫ରେ ବମ୍ବେ ମିଲ୍କ ସ୍କିମ୍ ଆରମ୍ଭ କଲେ । ଗୁଜରାଟର ଆନନ୍ଦରୁ ବମ୍ବେ ସହରର ଦୂରତା ଚାରି ଶହ ସତେଇଶ କିଲୋମିଟର । ତେଣୁ ବିନା ଶୀତଳୀକରଣ ପ୍ରକ୍ରିୟାରେ ଏତେ ଦୂର ଯାଏଁ ଦୁଧ ଯାଇପାରିବନି । ତେଣୁ ବମ୍ବେ ସରକାର ପୋଲସନ୍ ନାମକ ଏକ କମ୍ପାନୀ ସହ କଥା ହେଲେ । କଥା ହେଲା; ପୋଲସନ୍ ପାଶ୍ଚରାଇଜଡ୍ ଦୁଧ ବମ୍ବେରେ ପହଞ୍ଚାଇବ । ବମ୍ବେର ସମସ୍ୟା ସମାଧାନ ହେଲା । ପୋଲସନ୍ କମ୍ପାନୀ ତା' ଭାଗ ଲାଭ ପାଇଲା । ନିତିଦିନର ଦୁଧ ବିକ୍ରୀ ନିଶ୍ଚିନ୍ତ କରାଇ ଚାଷୀମାନଙ୍କ ପାଖରୁ ଦୁଧ ସଂଗ୍ରହ କରୁଥିବା କଣ୍ଟ୍ରାକ୍ଟରମାନେ ଭଲ ମୁନାଫା କମେଇଲେ । କିନ୍ତୁ ଦୁଧଚାଷୀମାନଙ୍କ ଅବସ୍ଥାରେ କିଛି ବି ପରିବର୍ତ୍ତନ ଆସିଲାନି । ପୂର୍ବାବସ୍ଥା ବଳବତ୍ତର ରହିଲା । ଚାଷୀମାନେ ସେମାନଙ୍କ ଦୁର୍ଦ୍ଦଶା ଜଣାଇବାକୁ ସର୍ଦ୍ଦାର ପଟେଲଙ୍କୁ ଭେଟିଲେ । ପଟେଲ୍ ମଧ୍ୟ ଚାହୁଁଥିଲେ ଚାଷୀମାନଙ୍କର ଅବସ୍ଥାରେ ସୁଧାର ଆସୁ । ଆଜିର ରାଜନେତାଙ୍କ ପରି ସେ ଚାଷୀ ମାରଣ ଓ ପୁଞ୍ଜିପତି ପୋଷଣକାରୀ ନୀତିରେ ନଥିଲେ । ପଟେଲ୍ ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ତାଙ୍କ ସହଯୋଗୀ ମୋରାର୍‌ଜୀ ଭାଇ ଦେଶାଇଙ୍କୁ କଇରା ପଠେଇଲେ ଦୁଧଚାଷୀଙ୍କ ଆନ୍ଦୋଳନକୁ ନେତୃତ୍ୱ ଦେଇ ଆଗକୁ ନେବାକୁ । ଚାଷୀମାନଙ୍କର ଦାବି ଥିଲା ବିନା କଣ୍ଟ୍ରାକ୍ଟରରେ ସେମାନଙ୍କ ସମବାୟ ପାଖରୁ ଦୁଧ ସିଧାସଳଖ କିଣାଯାଉ । ସରକାର କିନ୍ତୁ ଚାଷୀଙ୍କ କଥା ଶୁଣିଲେନି । ତେଣୁ ପନ୍ଦର ଦିନ ପର୍ଯ୍ୟନ୍ତ ଦୁଧଚାଷୀ ସେମାନଙ୍କ ଦୁଧ କାହାକୁ ବି ବିକ୍ରୀ ନକରି ଆନ୍ଦୋଳନ କଲେ । ଆନନ୍ଦରୁ ଠୋପାଏ ବି ଦୁଧ ଏଥର ବମ୍ବେରେ ପହଞ୍ଚିଲାନି । ପନ୍ଦରଦିନ ପରେ ବମ୍ବେର ମିଲ୍କ କମିଶନର୍ ତାଙ୍କ ସହଯୋଗୀକୁ ଧରି ଆନନ୍ଦରେ ପହଞ୍ଚିଲେ ଓ ଚାଷୀ ନେତାଙ୍କ ସହ କଥା ହେଇ ସେମାନଙ୍କ ଦାବିକୁ ମାନିନେଲେ । ପ୍ରଥମେ ଅଳ୍ପ ଚାଷୀ ସମବାୟ ସମିତିରେ ଯୋଗ ଦେଇଥିଲେ । କିନ୍ତୁ ପରେ ପରେ ଆହୁରି ଚାଷୀ ସେଥିରେ ସାମିଲ୍ ହେଲେ । ଅଧିକ ଦୁଧ ଆସିବାରୁ ବଳକା ଦୁଧକୁ ଗୁଣ୍ଡଦୁଧକୁ ରୂପାନ୍ତରିତ କରିବାର କାରଖାନା ବସାଗଲା । ସେଇଠୁ ଆରମ୍ଭ ହେଲା ଅମୁଲ୍ ଦୁଧଗୁଣ୍ଡର ରାଜୁତି । ବଟର୍ ତିଆରି କାରଖାନା ବି ବସିଲା ।

ଅମୁଲ୍ ମଡେଲର ସଫଳତା ପରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରରେ ତା'ର ପରୀକ୍ଷା କରାଗଲା ଓ ସଫଳତା ମଧ୍ୟ ମିଳିଲା । କ୍ରମେ ଭାରତ ବିଶ୍ୱର ଏକ ନମ୍ବର ଦୁଧ ଉତ୍ପାଦନକାରୀ ଦେଶ ହେଇଗଲା । ଆମ ଓଡ଼ିଶାରେ ଅମୁଲ୍ ମଡେଲରେ ଓମଫେଡ୍ ଆରମ୍ଭ କରାଯାଇଥିଲା ।

ଅମୁଲ୍ ତାର ଦୁଧ ଓ ଅନ୍ୟାନ୍ୟ ଜିନିଷ ବିଷୟରେ ଗ୍ରାହକମାନଙ୍କୁ ଅବଗତ କରାଇବାକୁ ବିଜ୍ଞାପନ ଆରମ୍ଭ କଲା । ବିଭିନ୍ନ କାରଣରୁ ଅମୁଲ୍ ର ବିଜ୍ଞାପନ ଅନେକଙ୍କୁ ଭଲଲାଗେ । ସହରର ଠାଏ ଠାଏ ଅମୁଲ୍ ର ବିଜ୍ଞାପନ ଥିବା ହୋର୍ଡିଂ ମୋର ଅତ୍ୟନ୍ତ ପ୍ରିୟ । ସାମ୍ପ୍ରତିକ ଘଟଣାକୁ ନେଇ ଅମୁଲ୍ ବଟରର ବିଜ୍ଞାପନ ଆଜି ବି ବେଶ ଲୋକପ୍ରିୟ । ୧୯୬୬ରେ ଅମୁଲ୍ ଦୈନନ୍ଦିନ ଜୀବନର ଘଟଣାକୁ ନେଇ ତା'ର ବିଜ୍ଞାପନ ଆରମ୍ଭ କରିଥିଲା । ଦୀର୍ଘଦିନ ଧରି ଚାଲିଥିବା ଲୋକପ୍ରିୟ ବିଜ୍ଞାପନ ଭାବରେ ଗିନିଜ୍ ୱାର୍ଲଡ ରେକର୍ଡ ବି ଅମୁଲ୍ ନାମରେ ରହିଛି । ପୋଲକା ଡଟ୍ ଥିବା ଫ୍ରକ୍ ପିନ୍ଧିଥିବା, ଚୁଳକୁ ଟେକି ବାନ୍ଧିଥିବା ଅମୁଲ୍ ଗାର୍ଲକୁ କିଏ ବା ନଚିହ୍ନେ ? ଅମୁଲକୁ ଲୋକପ୍ରିୟ କରିବାକୁ ୧୯୬୭ରେ ବମ୍ବେର ଏକ ବିଜ୍ଞାପନ କମ୍ପାନୀ ବ୍ରାଣ୍ଡଆମ୍ବାସଡର ଭାବରେ ଅମୁଲ୍ ଗାର୍ଲକୁ ତିଆରି କରିଥିଲେ । ଆଜି ତ ଅମୁଲ୍ ତା'ର ବ୍ରାଣ୍ଡକୁ ଦି ଟେଷ୍ଟ ଅଫ ଇଣ୍ଡିଆ ସ୍ଲୋଗାନ ଦେଇ ବିକ୍ରୀ କରେ ।

ଲୋକପ୍ରିୟ ଅମୁଲ୍ ର କାହାଣୀ ଖୁବ୍ ରୋମାଞ୍ଚଭରା । ସେଇ କାହାଣୀକୁ ନେଇ ୧୯୭୬ ମସିହାରେ ଶ୍ୟାମ ବେନେଗଲ୍ ‘ମନ୍ଥନ’ ନାମରେ ଗୋଟେ ଚମତ୍କାର ହିନ୍ଦୀ ସିନେମା ତିଆରି କରିଥିଲେ । ସିନେମା ପାଇଁ ଆବଶ୍ୟକ ହେଇଥିବା ଅର୍ଥରାଶିକୁ ପାଞ୍ଚ ଲକ୍ଷ ଚାଷୀ ଦୁଇ ଦୁଇ ଟଙ୍କା ଲେଖା ଦେଇ ଭରଣା କରିଥିଲେ । ଭାରତରେ କ୍ରାଉଡ୍ ଫଣ୍ଡିଂରେ ସିନେମା ନିର୍ମାଣ କରିବାରେ ଏଇଟି ପ୍ରଥମ ଘଟଣା ଥିଲା । ସିନେମାରେ ଗିରୀଶ କନ୍ନଡ, ସ୍ମିତା ପାଟିଲ୍, ନାସିରୁଦ୍ଦିନ୍ ସାହା ଓ ଅମରିଶ ପୁରୀ ଆଦିଙ୍କ ସହ ଆମ ଓଡ଼ିଆ ଅଭିନେତା ସାଧୁ ମେହେର ମଧ୍ୟ ଅଭିନୟ କରିଥିଲେ । ସିନେମା ଜାତୀୟ ପୁରସ୍କାର ପାଇଥିଲା । ସିନେମାଟିକୁ ସମସ୍ତେ ଦେଖିବା କଥା । ଭାରତରେ ଏବେ ସମବାୟ ଆନ୍ଦୋଳନ ଏକପ୍ରକାର ଅସଫଳ ହେଇସାରିଛି । ଯେଉଁଠି ଦିଇଟା ମଣିଷଙ୍କ ମନ ଏକାଠି ହେଇପାରୁନି ସେଠି ଅନେକଙ୍କୁ ନେଇ କିଛି ବି ସମବାୟ ଭାବରେ କରିବା ଦିବାସ୍ୱପ୍ନ ହେଇସାରିଲାଣି । ଆଜି ସମବାୟ ଢାଞ୍ଚାରେ ଗଢା ଅମୁଲ୍ ର ବାର୍ଷିକ ଟର୍ଣ୍ଣଓଭର ବାବନ ହଜାର କୋଟି ଟଙ୍କା । ଆଜି ବି ଅମୁଲ୍ ସହ ଯୋଡି ହେଇ ରହିଛନ୍ତି ହଜାର ହଜାର ଦୁଧଚାଷୀ । ଅମୁଲ୍ ଦିନକୁ ପ୍ରାୟ ୧୮,୬୦୦ ଗାଁରୁ ସଂଗୃହୀତ ହୋଇଥିବା ୨୬.୩ ମିଲିୟନ ଲିଟର୍ ଦୁଧ ବଜାରରେ ବିକ୍ରୀ କରେ । ଅମୁଲ୍ ମଡେଲକୁ ଦେଶ ଓ ଦେଶ ବାହାରର ପାଠ୍ୟକ୍ରମରେ ସାମିଲ୍ କରାଯାଇ ପିଲାଙ୍କୁ ସେ ବିଷୟରେ ପାଠ ମଧ୍ୟ ପଢାଯାଉଛି ।

Report an Error