କିଛି ଚିକିତ୍ସକ ଭୟଙ୍କର

ଭୟଙ୍କର ଚିକିତ୍ସକ କହିଲେ ଆମେ ଗୋଟିଏ ସରଳ କଥାକୁ ବୁଝିଥାଉ । ସେ ହେଉଛି ଏମିତି ଏକ ଚିକିତ୍ସକ ଯାହା ପାଖକୁ ଚିକିତ୍ସା ଆଶାରେ ଗଲେ ରୋଗୀର ପ୍ରାଣନାଶ ହେବାର ଆଶଙ୍କା ଅଧିକ । ତେଣୁ ସାଧାରଣତଃ ଆମେମାନେ ଅସୁଖ ପାଇଁ ଜୀବନକୁ ବାଜି ଲଗାଇବାକୁ ଚାହୁଁନା ।


ଇତିହାସ ସବୁବେଳେ ବିଚିତ୍ର ଏବଂ ନିରପେକ୍ଷ । ଯାହା ଅତୀତରେ ଘଟିଯାଇସାରିଛି ତାହାକୁ ବଦଳେଇଦେବାର ସାମର୍ଥ୍ୟ ଆଜି କାହାର ନାହିଁ, ସେ ଯେତେ ସମର୍ଥବାନ ହେଉ ନା କାହିଁକି । ତେଣୁ ସେଦୃଷ୍ଟିରୁ ଇତିହାସ ବସ୍ତୁତଃ ଏକ ଅବସ୍ଥାନଗତ ସ୍ଥିରତା ଅର୍ଥାତ୍ ଷ୍ଟାଟିସିଟି ସହ ସମସ୍ତ କାଳଖଣ୍ଡମାନଙ୍କୁ ଅତିକ୍ରମ କରିଥାଏ । ଆଉ ମଣିଷ ହିସାବରେ ଆମର କ୍ଷମତାକୁ ଜାହିର କରିବା ପାଇଁ ଆମେ କେବଳ ଇତିହାସର ସେହି ସ୍ଥିର ଖଣ୍ଡମାନଙ୍କର କାର୍ଯ୍ୟକାରଣ ଖୋଜିଥାଉ, ବେଳେବେଳେ ତାହାକୁ ଅସ୍ୱୀକାର କରିଥାଉ ଆଉ ବେଳେବେଳେ ବି ଇତିହାସର ସେହି ସ୍ଥିରତାକୁ ଗ୍ରହଣ କରିନେଉ ଆମର ନିୟତି ଏହିପରି ଥିଲା ବୋଲି । ଆମେ ଆଖି ବନ୍ଦ କରିଦେଲେ ଯେ ହିମାଳୟ ପର୍ବତ (ଆମେ ତାହାକୁ ସ୍ୱଚକ୍ଷୁରେ ଦେଖିନଥିଲେ ବି) ପୃଥିବୀରେ ନାହିଁ, ଏକଥା ଯେପରି ଭ୍ରମାତ୍ମକ, ଠିକ୍ ସେହିପରି ଆମର ଘଟଣାର କାର୍ଯ୍ୟକାରଣ ଖୋଜିବା ବା ଘଟଣାକୁ ସ୍ୱୀକାର - ଅସ୍ୱୀକାର କରିବା ସହିତ ମୂଳ ଐତିହାସିକ ଘଟଣାର କିଛି ଯାଏ ଆସେ ନାହିଁ । ସେ ଘଟଣାଟି ଅତୀତରେ ଘଟିଯାଇଛି ଆଉ ତାହାର ଯଥାସ୍ଥାନରେ ଅପରିବର୍ତ୍ତନୀୟ ଭାବରେ ରହିଅଛି, ତାହାକୁ ଆମେ ପ୍ରତ୍ୟକ୍ଷ କରିଥାଉ ଅବା କରିନଥାଉ ।

ଏଇକଥା ଏମିତି କହିବାର ଉଦ୍ଦେଶ୍ୟ ହେଉଛି ଯେଉଁ ଘଟଣାମାନ ଘଟିସାରିଛି ତାହା ତ ଆଉ ବଦଳିଯିବାର ନାହିଁ, ତାହା ତ ସ୍ଥିର ସବୁ ସମୟ ପାଇଁ ମାତ୍ର ତାହାର ସ୍ଥିରତାକୁ ଅନୁଧ୍ୟାନ କରିବାବେଳେ ତାହାର ବୈଚିତ୍ର୍ୟକୁ ଆମେ ଆମର ସମକାଳର ପ୍ରେକ୍ଷାପଟ ସହ ଏକପ୍ରକାର ତୁଳନା କରିଥାଉ । ଆଉ ସେଥିରୁ ଆମେ ଆମର ସମକାଳର ପରିବର୍ତ୍ତନକୁ ବୁଝିବାକୁ ସମର୍ଥ ହୋଇଥାଉ । ଏହି ପରିବର୍ତ୍ତନକୁ ବୁଝିବା ହେଉଛି ଇତିହାସ ପାଠର ମୂଳ ଲକ୍ଷ୍ୟ ।

ଏଇ ଆଲେଖରେ ସେମିତି କିଛି ଐତିହାସିକ ତଥ୍ୟର ଅବତାରଣା କରାଯାଇଛି ଆଉ ଏହିଭଳି କରାଯିବା ପଛରେ ଚିକିତ୍ସକ ବୃତ୍ତି ଭଳି ଏକ ମହାନ ବୃତ୍ତି ପ୍ରତି ଅସୂୟାକୁ ଇତିହାସଗତ ଭାବରେ ଉନ୍ମୋଚନ କରିବାର ସାମାନ୍ୟତମ ଅଭିପ୍ରାୟ ନାହିଁ । ମଣିଷର ବୃତ୍ତିଗତ ଚରିତ୍ରରେ ସବୁସମୟରେ ବ୍ୟତିକ୍ରମ ରହିଛି । ସେମାନଙ୍କ ଭିତରୁ ସବୁସମୟରେ କିଛି ମଣିଷ ସମାଜ ପାଇଁ ହାନିକାରକ ସାଜିଛନ୍ତି ।

ଏବେ ପୃଥିବୀର କିଛି ସ୍ୱନାମଧନ୍ୟ ଚିକିତ୍ସକଙ୍କ ନିକଟକୁ ଯିବା ଯେଉଁମାନେ ସେମାନଙ୍କ ସମୟରେ ଯଥେଷ୍ଟ ପ୍ରସିଦ୍ଧ ଥିଲେ ଏବଂ ତାହା ସହିତ ଅତ୍ୟନ୍ତ ଭୟଙ୍କର ଥିଲେ । ଜଣେ ଚିକିତ୍ସକ ନିକଟରେ ଏହିଭଳି ବିରୋଧାଭାସ ସମ୍ଭବ କାରଣ ଆମଭଳି ଦେହଧାରୀ ମଣିଷମାନଙ୍କର ଅସୁଖ ହେବା ସ୍ୱାଭାବିକ ଆଉ ସେହି ଅସୁଖରୁ ଉପଶମ କାରଣରୁ ଆମେ ସେହି ଚିକିତ୍ସକମାନଙ୍କ ଉପରେ ଆତ୍ମସମର୍ପଣ କରିବା ଭଳି ନିର୍ଭରଶୀଳ ହୋଇଥାଉ । ସେତିକିବେଳେ ଆମର ଅସୁଖର ସମସ୍ତ ପରିଚାଳନାର ଦାୟିତ୍ୱ ସଂପୃକ୍ତ ଚିକିତ୍ସକଙ୍କ ଉପରେ ନ୍ୟସ୍ତ ରହିଥାଏ । ଆଉ ସେତିକିବେଳେ ଚିକିତ୍ସକମାନେ ଆମର ଅସୁଖକୁ କେଉଁଭଳି ପରିଚାଳନା କରିବେ ତାହା ଉପରେ ଆମର କି ଆଉ କାହାର କିଛି କହିପାରିବାର ସାମର୍ଥ୍ୟ ନଥାଏ । ତେଣୁ ଅସୁଖର ପରିଚାଳନା କରିବାବେଳେ ଚିକିତ୍ସକମାନେ ଏକ ପ୍ରକାର ନିରଙ୍କୁଶ ରହିଥାଆନ୍ତି । ସେମାନେ ସେ ସମୟରେ ସମସାମୟିକ ବା ଆଉ କେଉଁ ଚିକିତ୍ସକଙ୍କ ପଦ୍ଧତି ଅନୁସରଣ କରିବେ ତାହା ସେମାନଙ୍କର ନିଜ କଥା । ଅସୁଖ ପରିଚାଳନା ସମୟରେ ସେହିଭଳି ଏକ ନିରଙ୍କୁଶତା କାରଣରୁ ଜଣେ ଚିକିତ୍ସକ ନିଜର ଯଥାଯଥ ଚିକିତ୍ସାଜ୍ଞାନ ଏବଂ ତାହାକୁ ସମ୍ଭବତଃ ଅପପ୍ରୟୋଗ କରିବା କାରଣରୁ ଚିକିତ୍ସକ ହିସାବରେ ଭୟଙ୍କର ବା ହାନିକାରକ ପାଲଟିଯାଇଥାଏ ।

ଚିକିତ୍ସାଧୀନ ଅବସ୍ଥାରେ ରୋଗୀର ମୃତ୍ୟୁ କଥା ସେଇଠୁ ଆସେ ।

ଭୟଙ୍କର ଚିକିତ୍ସକମାନଙ୍କ ସଂପର୍କରେ ଆମର ଆଲୋଚନା ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀର ଗ୍ରୀକ୍ ଚିକିତ୍ସକ ଗାଲେନଙ୍କରଠାରୁ ଆରମ୍ଭ ହେଉ । ଇତିହାସ ଦୃଷ୍ଟିରେ ପୃଥିବୀର ଚିକିତ୍ସକ ତାଲିକାରେ ଚିକିତ୍ସାଶାସ୍ତ୍ରର ଜନକ ହିପୋକ୍ରାଟସଙ୍କ ପରେ ଗାଲେନଙ୍କ ନାଆଁ ଅଧ୍ୟୟନର ପରିସରକୁ ଆସିଥାଏ । ଚିକିତ୍ସା - ଇତିହାସରେ ହିପୋକ୍ରାଟସ୍ ସର୍ବପ୍ରଥମେ ମଣିଷର ଅସୁଖ ପଛରେ କୌଣସି ଅଲୌକିକ ଶକ୍ତିର ହାତ ରହିଥିବା ଭଳି ପ୍ରଚଳିତ ବିଶ୍ୱାସକୁ ଅସ୍ୱୀକାର କରିଥିଲେ । ମଣିଷର ଅସୁଖ ଏକ ସ୍ୱାଭାବିକ ଏବଂ ବ୍ୟକ୍ତିଗତ ପ୍ରକ୍ରିୟା ବୋଲି ବିଶ୍ୱାସର ପ୍ରଚଳନକୁ ସାବ୍ୟସ୍ତ କରିଥିଲେ । ମଣିଷର ଅସୁଖ କୌଣସି ବାହ୍ୟ ଉପଚାର ଦ୍ୱାରା ଉପଶମ କରାଯାଇପାରିବ ସେଇଭଳି ଚିକିତ୍ସା - ଧାରଣା ତାଙ୍କଠାରୁ ଆରମ୍ଭ ହୋଇଥିଲା । ତାଙ୍କ ପରେ ତାଙ୍କର ଚିକିତ୍ସା - ଧାରଣାକୁ ପାଶ୍ଚାତ୍ୟ ଚିକିତ୍ସା ଜଗତରେ ଅଧିକ ଫଳପ୍ରଦ ଏବଂ ପ୍ରସାର କରିଥିଲେ ଚିକିତ୍ସକ ଗାଲେନ୍ ।

ଗାଲେନ୍ ରୋମାନ ସମ୍ରାଟ ମାର୍କସ୍ ଅଉରେଲିସଙ୍କ ବ୍ୟକ୍ତିଗତ ଚିକିତ୍ସକ ଥିଲେ । ବିଶେଷ ଭାବରେ ଗାଲେନଙ୍କର ବ୍ୟୁତ୍ପତ୍ତି ମଣିଷର ଶରୀରତତ୍ତ୍ୱ ଉପରେ ଥିଲା । ତାଙ୍କୁ ଚିକିତ୍ସକ ହିସାବରେ ପୃଥିବୀର ସର୍ବପ୍ରଥମ ଶରୀରତତ୍ତ୍ୱବିତ୍ ବା ଆନାଟୋମିଷ୍ଟ ବୋଲି କୁହାଯାଏ । ମଣିଷ ଶରୀରର ଗଠନ କୌଶଳ ତଥା ମଣିଷର ଅଂଗପ୍ରତ୍ୟଙ୍ଗ ଆଦିର ଗଠନ କୌଶଳକୁ ବିଚାରକୁ ନେଇ ଗାଲେନ୍ ରୋଗୀର ଚିକିତ୍ସା କରୁଥିଲେ । ହିପୋକ୍ରାଟସଙ୍କ ସଂପର୍କରେ ବିଶେଷ କିଛି ପ୍ରାମାଣିକ ତଥ୍ୟ ଉପଲବ୍ଧ ନଥିବାବେଳେ ଗାଲେନଙ୍କର ଚିକିତ୍ସା - ପଦ୍ଧତି ସଂପର୍କରେ ଅନେକ ତଥ୍ୟ ମିଳିଥାଏ । ସେ ନିଜର ଚିକିତ୍ସା ବିଷୟରେ ଅନେକ କିଛି ଲେଖିଯାଇଛନ୍ତି । ଏବଂ ତାଙ୍କର ସେହି ଲେଖା ପରବର୍ତ୍ତୀ କାଳରେ ଚିକିତ୍ସକମାନଙ୍କୁ ଚିକିତ୍ସା - ପଦ୍ଧତିର ଶିକ୍ଷା ପ୍ରଦାନ କରିବା ସହିତ ଚିକିତ୍ସା ପ୍ରକ୍ରିୟାରେ ଅଧିକ ପ୍ରାୟୋଗିକ ଉପଚାର ନିମନ୍ତେ ଅନୁମାନ ଏବଂ ଗବେଷଣା କରିବା ପାଇଁ କ୍ଷେତ୍ର ନିର୍ଦ୍ଦେଶ କରିଅଛି ।

ଗାଲେନଙ୍କ ଚିକିତ୍ସା ପଦ୍ଧତିରୁ ଯେଉଁ ବିଶେଷ ତାତ୍ତ୍ୱିକ ଦିଗଟି ପରବର୍ତ୍ତୀ କାଳକୁ ପ୍ରଭାବିତ କରିଥିଲା ତାହା ହେଉଛି ପିଲୋସଫି ଅଫ୍ ମେଡିସିନ ବା ଅସୁଖ ପାଇଁ ଯେଉଁ ବାହ୍ୟ ଉପଚାରର ପ୍ରୟୋଗ ହେବ ତାହା ପଛରେ ଥିବା ଦାର୍ଶନିକ ଅବବୋଧ । ଏହି କଥାକୁ ଏମିତି କହି ହେବ, ମଣିଷର କୌଣସି ଅସୁଖ ତାହା ସହିତ ଏକ ବିଶେଷ ନିରାକରଣକୁ ସାଥିରେ ଧରି ଆସିଥାଏ ଆଉ ଆମର ବାହ୍ୟ ଉପଚାର ସେହି ନିରାକରଣକୁ ପ୍ରକ୍ରିୟାକୁ ସକ୍ରିୟ ଏବଂ ତ୍ୱରାନ୍ୱିତ କରିଥାଏ । ତେଣୁ ସେଇଠି ମଣିଷର ଅସୁଖର ନିଦାନଗତ ରୂପରେଖା ଏବଂ ବାହ୍ୟ ଉପଚାରର ପ୍ରୟୋଗକୁ ନେଇ ଯେତେକ ତର୍କସଂଗତ ଅନୁମାନ ବା ଲଜିକାଲ୍ ଡିସକସନ୍ ଏବଂ ସବାଶେଷରେ ଏ ସମସ୍ତ ପ୍ରକ୍ରିୟାର ନିରନ୍ତରତାର ଅନୁଭବ, ଚିକିତ୍ସା ପ୍ରକ୍ରିୟାରେ ନୂତନତା ଏବଂ ବିକାଶକୁ ସମ୍ଭବପର କରିଥାଏ ।

ବିଶେଷ ଭାବରେ ଗାଲେନ୍ ଜଣେ ଚିକିତ୍ସକ ହିସାବରେ ରୋଗୀର ନାଡୀ ବା ପଲସ୍ କୁ ଅଧ୍ୟୟନ କରି ଅସୁଖକୁ ନିର୍ଦ୍ଧାରଣ କରିବାରେ ଯଥେଷ୍ଟ ଦକ୍ଷତା ଅର୍ଜନ କରିଥିଲେ । ଏହା ସହିତ ତାଙ୍କର ଯେଉଁ ପରାମର୍ଶ ପରବର୍ତ୍ତୀ କାଳ ପାଇଁ ଅତ୍ୟନ୍ତ ପ୍ରଭାବୀ ଥିଲା ତାହା ହେଉଛି, କୌଣସି ଅସୁଖକୁ ନିରୂପଣ କରିବା ସମୟରେ ସଂପୃକ୍ତ ଚିକିତ୍ସକର ମଣିଷ ଶରୀରର ଗଠନତତ୍ତ୍ୱ ବା ଆନାଟୋମି ସଂପର୍କରେ ସବିଶେଷ ଧାରଣା ରହିବା ଆବଶ୍ୟକ । ତାଙ୍କର ଧାରଣାରେ ମଣିଷ ଶରୀରରେ ରକ୍ତ ତାହାର "ଲିଭର୍" ବା ଯକୃତରେ ସୃଷ୍ଟି ହୋଇ ସେଇଠୁ ହୃଦୟ ଏବଂ ଅନ୍ୟସ୍ଥାନକୁ ସଂଚାଳିତ ହୋଇଥାଏ । ଲିଭର୍ ଠାରୁ ରକ୍ତ ଆସି ହୃଦୟରେ ପହଞ୍ଚିବା ପରେ ସେଇଠି ତାହା ପବନର ସଂସ୍ପର୍ଶରେ ଆସି ମଣିଷ ଦେହରେ ଅସୁଖ ସୃଷ୍ଟି କରିଥାଏ । ସେହି କାରଣରୁ କିଛି ଅସୁଖ କ୍ଷେତ୍ରରେ ସେ ତାହାର ନିଦାନ ହିସାବରେ ଏହି "ମନ୍ଦରକ୍ତ" କୁ ଅପରେସନ୍ କରି ବାହାର କରିଦେବା ଭଳି ପଦ୍ଧତିର ଅନୁସରଣ କରୁଥିଲେ । ଅସୁଖ ବେଳରେ ଏହି ଭଳି ପଦ୍ଧତିକୁ "ବ୍ଲଡ୍ - ଲେଟିଙ୍ଗ୍" ବୋଲି କୁହାଯାଉଥିଲା । ଅସୁଖ ନିରୂପଣରେ ଗାଲେନଙ୍କର ଏହି ନିର୍ଣ୍ଣୟ ପରେ ଭ୍ରମାତ୍ମକ ବୋଲି ପ୍ରାମାଣିକତାର ଆଧାରରେ ଅସ୍ୱୀକୃତ ହୋଇଥିଲା ।

ମାତ୍ର ରୋମାନ କାଥୋଲିକ ଚର୍ଚ୍ଚ ମଣିଷର ଆନାଟୋମି ସଂପର୍କରେ ଗାଲେନଙ୍କର ଧାରଣାକୁ ପୃଥିବୀର ଏକମାତ୍ର ମଣିଷ ଶରୀର ସଂପର୍କିତ ବୈଧ ଧାରଣା ବୋଲି ତାଙ୍କର ମୃତ୍ୟୁ ପରେ ପ୍ରାୟ ଏକହଜାର ବର୍ଷ ଧରି ବିଚାର କରିଆସିଥିଲା । ଚର୍ଚ୍ଚର ତଥା ଧାର୍ମିକ ସ୍ୱୀକୃତି ରହିଥିବା କାରଣରୁ ଗାଲେନଙ୍କୁ ଆନାଟୋମି - ବିଚାରର ଆଦ୍ୟପୁରୁଷ ବୋଲି ମନେ କରାଯାଏ । ଏବଂ ସେହି ଧାର୍ମିକ କାରଣରୁ ବି ଜଣେ ଚିକିତ୍ସକ ହିସାବରେ ଗାଲେନ୍ ଙ୍କର ସମସ୍ତ ଖ୍ୟାତି ଇତିହାସରେ ଦରଜ ହୋଇ ରହିଅଛି ।

ରୋମାନ କାଥୋଲିକ ଚର୍ଚ୍ଚ ଏବଂ ସମ୍ରାଟ ମାର୍କସ୍ ଅଉରେଲିଅସଙ୍କ ବ୍ୟକ୍ତିଗତ ଚିକିତ୍ସକ ରହିଥିବା କାରଣରୁ ଗାଲେନ୍ ତାଙ୍କର ସମକାଳରେ ଜଣେ ଚର୍ଚ୍ଚିତ ଚିକିତ୍ସକ ହୋଇ ରହିଥିଲେ ଏବଂ ତାଙ୍କର ସମକାଳ ତଥା ପରବର୍ତ୍ତୀ କାଳର ଚିକିତ୍ସକମାନଙ୍କୁ ପ୍ରଭାବିତ କରିଥିବା ଯେତିକି ସତ ଜଣେ ଚିକିତ୍ସକ ହିସାବରେ ତାଙ୍କର ଭୟଙ୍କର ରୂପ ବି ସମାନ ପରିମାଣରେ ସତ । ମଣିଷର ଆନାଟୋମି ସଂପର୍କରେ ରୋମାନ କାଥୋଲିକ ଚର୍ଚ୍ଚ ଗାଲେନଙ୍କୁ ଅଥବା ତାଙ୍କର ଆନାଟୋମି - ଧାରଣାକୁ ଯେତେ ଚର୍ଚ୍ଚର "ଅଫିସିଆଲ୍" ଧାରଣା ବୋଲି ବୈଧତା ପ୍ରଦାନ କରୁ, ତାହା ତ୍ରୁଟିପୂର୍ଣ୍ଣ ଥିଲା । ମଣିଷ ଶରୀରକୁ ବ୍ୟବଚ୍ଛେଦ କରି ଶରୀର ଗଠନକୁ ସଠିକ ବୁଝିବା ପାଇଁ ସେ କହୁଥିଲେ ହେଁ ସେସମୟରେ ରୋମାନ କାଥୋଲିକ ଚର୍ଚ୍ଚ ଅନୁସାରେ ମଣିଷ ଶରୀରର ବ୍ୟବଚ୍ଛେଦ ନିଷିଦ୍ଧ ଥିଲା । ତେଣୁ ଗାଲେନ୍ ନିଜେ ମଣିଷର ଶରୀରକୁ ବ୍ୟବଚ୍ଛେଦ କରିବା ବା ଦେଖିବାର ସୁଯୋଗ ପାଇ ନଥିଲେ । ମଣିଷ ଶରୀରର ଆନାଟୋମି ସଂପର୍କରେ ତାଙ୍କର ଯାହା ଯାହା ଧାରଣା ତାହା କେବଳ ମୃତ କୁକୁର ଆଉ ଘୁଷୁରୀଙ୍କ ଶରୀରକୁ ନେଇ ସଂଭବପର ହୋଇଥିଲା । ସେ କହୁଥିଲେ ଯେ ମଣିଷର ମସ୍ତିଷ୍କ ହେଉଛି କଫର ଜମାଟ । ସେଇଥିପାଇଁ ମଥା ଉପରେ କଣା କରି ସେହି ଜମାଟବନ୍ଧା କଫରୁ କିଛି ବାହାର କରିଦେଲେ ମଣିଷର ମୁଣ୍ଡବଥା ରୋଗ ଭଲହୋଇଯିବ । ଏହା ବ୍ୟତୀତ କାଶ ହେଲେ ଗାଲେନ୍ ଗୋଟିଏ ବିଚିତ୍ର ଚିକିତ୍ସା କରୁଥିଲେ । ସେଇଥିପାଇଁ ସେ ତାଳୁରେ କଣା କରି ଘଣ୍ଟିକା ଉପରେ ଅସ୍ତ୍ରୋପଚାର କରୁଥିଲେ । ଆଉ ସବୁଠୁ ବିଚିତ୍ର କଥା ହେଉଛି ଅସ୍ତ୍ରୋପଚାର ପରେ ତାଳୁ ଆଉ ଘଣ୍ଟିକାର କ୍ଷତକୁ ଶୁଖିବା ପାଇଁ ସେ ପାରାର ରକ୍ତକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଥିଲେ ।

ଜଣେ ଚିକିତ୍ସକର ଚିକିତ୍ସାକ୍ଷେତ୍ରରେ ଏହିଭଳି କିଛି ଅନୁମାନ ଆଉ ପ୍ରୟୋଗର ଫଳାଫଳ କ'ଣ ହୋଇଥିବ ତାହା ଯଦି ଆଜିକାଲିର କୌଣସି ସାଧାରଣ ଲୋକ ଉପରେ ଅନୁମାନ କରିବାକୁ ଛାଡି ଦିଆଯାଏ ତାହାହେଲେ ନିଶ୍ଚୟ ଉତ୍ତର ଆସିବ, ରୋଗୀର ନିଃସନ୍ଦେହ ମୃତ୍ୟୁ । ତେଣୁ ଗାଲେନଙ୍କ ଭଳି ଜଣେ ଚିକିତ୍ସକ ଯାହାକୁ ପ୍ରକୃତ ଅର୍ଥରେ ଚିକିତ୍ସାଶାସ୍ତ୍ରର ଜନକ ବୋଲି ବିଚାର କରାଯାଏ ତାଙ୍କର ଚିକିତ୍ସାରେ ବସ୍ତୁତଃ ଯେତିକି ବ୍ୟକ୍ତି ରୋଗମୁକ୍ତ ହୋଇଛନ୍ତି ତାହାଠାରୁ ଯଥେଷ୍ଟ ଅଧିକ ମୃତ୍ୟୁ ମୁଖରେ ପଡିଛନ୍ତି । ଚିକିତ୍ସାଜଗତର ଇତିହାସରେ ଜଣେ ଚିକିତ୍ସକର ନିକଟରେ ଚିକିତ୍ସାଧୀନ ଥିବା ସମୟରେ ରୋଗୀର ମୃତ୍ୟୁ ସଂଖ୍ୟାକୁ ବିବେଚନା କଲେ ଗାଲେନଙ୍କ ଚିକିତ୍ସାରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ ହେବ । ଏହିଭଳି ଗୋଟିଏ ନିହାତି କଳଙ୍କ ଗାଲେନ୍କର ପ୍ରସିଦ୍ଧି ସହ ଜଡିତ ହୋଇ ରହିଛି । ସେ ଜଣେ ଚର୍ଚ୍ଚିତ ଚିକିତ୍ସକ ଆଉ ଭୟଙ୍କର ଚିକିତ୍ସକ ବି ।

ଭୟଙ୍କର ଚିକିତ୍ସକ କହିଲେ ଆମେ ଗୋଟିଏ ସରଳ କଥାକୁ ବୁଝିଥାଉ । ସେ ହେଉଛି ଏମିତି ଏକ ଚିକିତ୍ସକ ଯାହା ପାଖକୁ ଚିକିତ୍ସା ଆଶାରେ ଗଲେ ରୋଗୀର ପ୍ରାଣନାଶ ହେବାର ଆଶଙ୍କା ଅଧିକ । ତେଣୁ ସାଧାରଣତଃ ଆମେମାନେ ଅସୁଖ ପାଇଁ ଜୀବନକୁ ବାଜି ଲଗାଇବାକୁ ଚାହୁଁନା । ଗୋଟିଏ ଅସୁଖ ଯେତେ ଭୟାବହ ହେଉ ପଛକେ ତାହା ଆମର ଆୟୁଷ କେତେ ପରିମାଣରେ କବଳିତ କରିପାରିବ ତାହା କାହାକୁ ଗୋଚର ନୁହଁ । ତେଣୁ "ଜୀବନର ସୁଆଦ" ଯେହେତୁ ଆମର ଏକମାତ୍ର ଅଭିଳଷିତ ସୁଆଦ ତେଣୁ ଆମେ ସେହିଭଳି ମରଣପସରା ଧରି ବସିଥିବା ଚିକିତ୍ସକ ପାଖକୁ ଯିବାକୁ ଇଚ୍ଛା ପ୍ରକାଶ କରୁନା । କିନ୍ତୁ ଯେଉଁଠି ଚିକିତ୍ସକ ଜଣକ ଚର୍ଚ୍ଚିତ ତଥା ବିଖ୍ୟାତ ଅଥଚ ତାହାର ହାତରେ ରୋଗୀର ମୃତ୍ୟୁହାର ଅଧିକ ସେତେବେଳେ ଆମକୁ ବେଳେବେଳେ ଜୀବନକୁ ପାଣି ଛଡେଇ ସେହି ଚିକିତ୍ସକ ପାଖକୁ ଯିବାକୁ ହୋଇଥାଏ । ଏହାବ୍ୟତୀତ ଅଗତ୍ୟା ବୋଲି କଥାଟିଏ ଅଛି । ଯଦି ଆମ ପାଖରେ ସେମିତି କୌଣସି ବିକଳ୍ପ ନଥାଏ ଆମେ ସେଇଭଳି ଭୟଙ୍କର ଚିକିତ୍ସକର ଆଶ୍ରିତ ହୋଇଥାଉ ।

ଗାଏ ଫାଗନ୍ ହେଉଛନ୍ତି ସେମିତି ଜଣେ ଭୟଙ୍କର ଐତିହାସିକ ଚିକିତ୍ସକ । ଫରାସୀ ରାଜବଂଶର ବିଶ୍ୱସ୍ତ ଚିକିତ୍ସକ ଥିଲେ ସେ । ଅଷ୍ଟାଦଶ ଶତାବ୍ଦୀର ଫ୍ରାନ୍ସର ଭର୍ସାଇ ସହରସ୍ଥିତ ଜଣେ ବିଖ୍ୟାତ ଚିକିତ୍ସକ ସେ । ଯଦିଓ ତାଙ୍କ ପଛରେ ତାଙ୍କୁ "ରାଜକୁମାରମାନଙ୍କର ହତ୍ୟାକାରୀ" ବୋଲି କୁହାଯାଉଥିଲା । ୧୭୧୫ ଖ୍ରୀଷ୍ଟାବ୍ଦରେ ମାତ୍ର ପନ୍ଦର ଦିନର ବ୍ୟବଧାନରେ ତାଙ୍କର ଚିକିତ୍ସାଧୀନ ଥିବା ସମସ୍ତ ଫରାସୀ ରାଜକୁମାରଙ୍କର ମୃତ୍ୟୁ ଘଟିଥିଲା । ସେଇ ଘଟଣାକୁ ଅନୁଧ୍ୟାନ କରି କେହି କେହି ଏହାକୁ ହୁଏତ ଫରାସୀ ରାଜବଂଶ ବିରୁଦ୍ଧରେ ଜଣେ ଚିକିତ୍ସକର ଏକପ୍ରକାର ପ୍ରତିଶୋଧ ବୋଲି ବିଚାର କରିପାରନ୍ତି । ମାତ୍ର ଏହା ସତ ନୁହଁ । ଗାଏ ଫାଗନ ଥିଲେ ଫରାସୀ ରାଜବଂଶର ଜଣେ ନିହାତି ବଶମ୍ବଦ ଚିକିତ୍ସକ । ସେତେବେଳେ ଫ୍ରାନ୍ସରେ "ମିଳିମିଳା" ଏକ ମହାମାରୀ ହିସାବରେ ବ୍ୟାପିଥାଏ । ମିଳିମିଳାରେ ଆକ୍ରାନ୍ତ ହୋଇଥିବା ଫରାସୀ ରାଜକୁମାର ମାନେ ଗାଏ ଫାଗନଙ୍କ ଚିକିତ୍ସାରେ ତେଣୁ ରହିଥିଲେ । "ମିଳିମିଳା" ପାଇଁ ଫାଗନଙ୍କର ଚିକିତ୍ସାକ୍ରିୟାଟି ବଡ ଅଦ୍ଭୁତ ଥିଲା । ସଂକ୍ରାମିତ ରୋଗୀକୁ ବାରଂବାର ବିଭିନ୍ନ ପ୍ରକାର ବିଶୋଧକ ପଦାର୍ଥରେ ବିଶୋଧନ କରାଯାଉଥିଲା, ରୋଗୀ ଯେପରି ଥରକୁଥର ନିଜର ପେଟକୁ ଖାଲି ରଖିବା ପାଇଁ ଭଲ ଭାବରେ ବାନ୍ତି କରେ ତାହା ପ୍ରତି ସତର୍କ ଦୃଷ୍ଟି ରଖାଯାଉଥିଲା ଏବଂ ଏହାଛଡା ନିୟମିତ ଭାବରେ ରୋଗୀର ଶରୀରରୁ ଶିରାକୁ କାଟି ରକ୍ତପାତ ବା ବ୍ଲଡଲେଟିଙ୍ଗ୍ ମଧ୍ୟ କରାଯାଉଥିଲା । ଫାଗନଙ୍କର ଏହି ମିଳିମିଳା ଚିକିତ୍ସାରେ ସବୁ ରାଜକୁମାରଙ୍କର ପନ୍ଦର ଦିନର ଅନ୍ତରାଳରେ ମୃତ୍ୟୁ ଘଟିବା କଥା ଆମକୁ ଏବେ ଏତେ ଆଶ୍ଚର୍ଯ୍ୟ କରିବ ନାହିଁ । କହିବା କଥା ହେଉଛି ମିଳିମିଳା ସଂପର୍କରେ ଗାଏ ଫାଗନଙ୍କର ଯେଉଁ ନିଦାନଗତ ଅନୁମାନ ରହିଥିଲା ଯଥା ଏହା ପରିବେଶ ଦୂଷିତ କାରଣରୁ ତଥା ଏହା ମଣିଷର ପାକଯନ୍ତ୍ରରୁ ଅନ୍ୟତ୍ର ସଂକ୍ରମିତ ହୋଇଥାଏ, ତାହା ଭ୍ରମାତ୍ମକ ଥିଲା । ତେଣୁ ସେଇଥିପାଇଁ ସେ ଯାହା ଯାହା ତାହାର ନିରାକରଣର ପଦ୍ଧତି ହିସାବରେ ପ୍ରୟୋଗ କରିଥିଲେ ତାହା ଉପଯୁକ୍ତ ନଥିଲା ବରଂ କହିବାକୁ ଗଲେ ମାରାତ୍ମକ ଥିଲା । ଯିଏ ପରେ ପଞ୍ଚଦଶ ଲୁଇ ନାମରେ ଫ୍ରାନ୍ସର ସମ୍ରାଟ ହୋଇଥିଲେ ସେତେବେଳେ ସେ ବି ଶିଶୁ ଆଉ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ କିନ୍ତୁ ତାଙ୍କର ନର୍ସ ତାଙ୍କୁ ଡାକ୍ତର ଫାଗନଙ୍କ ଚିକିତ୍ସାରେ ରଖିବା ପାଇଁ ରାଜି ହୋଇନଥିଲା, ନିଜ ପାଖରେ ତାଙ୍କୁ ରଖିଥିଲା । ତାହାଫଳରେ ସେ ଏକମାତ୍ର ରାଜକୁମାର ହିସାବରେ ଜୀବିତ ରହିପାରିଥିଲେ ।

ଅଷ୍ଟାଦଶ ଶତାବ୍ଦୀର ଫ୍ରାନ୍ସର ଏହି ଚର୍ଚ୍ଚିତ ଡାକ୍ତର ଗାଏ ଫାଗନଙ୍କ ସଂପର୍କରେ କୁହାଯାଏ ଯେ ତାଙ୍କର "ମିଳିମିଳା" ସଂପର୍କିତ ସିଦ୍ଧାନ୍ତ ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ରହିଥିଲେ ବି ସେ ଅନ୍ୟ ଅସୁଖ ପାଇଁ ଜଣେ ସିଦ୍ଧହସ୍ତ ଚିକିତ୍ସକ ରହିଥିଲେ । ତେଣୁ ଗାଏ ଫାଗନଙ୍କୁ ଜଣେ ଭୟଙ୍କର ଚିକିତ୍ସକ ହିସାବରେ ଗଣନା କଲାବେଳେ ଏଇ କଥାଟି ଆସିବ ଯେ, ଜଣେ ଚିକିତ୍ସକର ସଫଳତା ଆଉ ବିଫଳତାର ତୁଳନାତ୍ମକ ମୂଲ୍ୟାୟନ କଲାବେଳେ ବେଳେବେଳେ ତାହାର ବିଫଳତା ଅର୍ଥାତ୍ ତାହାର ଚିକିତ୍ସାରେ ରୋଗୀ ମୃତ୍ୟୁହାର ବେଳେବେଳେ ସାମ୍ନାକୁ ଅଧିକ ଆସିଥାଏ ।

ଏହା ଭୟଙ୍କର ଚିକିତ୍ସକର ଆଉ ଏକ ମାପକାଠି ହୋଇଯାଏ ।

୧୯୦୦ ଖ୍ରୀଷ୍ଟାବ୍ଦବେଳକୁ ଆମେରିକାର କାନସାସ୍ ର ମିଲଫୋର୍ଡ ଜନପଦ ଅଂଚଳରେ ଜନ୍ ରିଚାର୍ଡ ବ୍ରିଙ୍କଲେ ଜଣେ ଡାକ୍ତର ହିସାବରେ କର୍ମରତ ଥିଲେ । ସେ ଗୋଟିଏ ଅଦ୍ଭୁତ ପଦ୍ଧତିର ଉଦ୍ଭାବନ କରିଛନ୍ତି ବୋଲି ପ୍ରଚାରିତ ହୋଇଥିଲା । ଛେଳିର ଅଣ୍ଡକୋଷକୁ ମଣିଷ ଦେହରେ ପ୍ରତିରୋପଣ କରି ପୁରୁଷର ଯୌନକାମନାକୁ ପୁନର୍ଜୀବିତ ତଥା ସକ୍ଷମ କରାଯାଇପାରିବ ବୋଲି ତାଙ୍କର ଦାବୀ ରହିଥିଲା । ସେ ସ୍ଥାନୀୟ ଜଣେ କୃଷକକୁ ଏହିଭଳି ଅଣ୍ଡକୋଷ ପ୍ରତିରୋପଣ କାର୍ଯ୍ୟ ପାଇଁ ରାଜି କରାଇପାରିଥିଲେ । ଏବଂ ଏହି ଘଟଣାର ବର୍ଷକ ପରେ ସଂପୃକ୍ତ କୃଷକର ପତ୍ନୀ ଗୋଟିଏ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲା । ଏହି ଘଟଣା ପରେ ବ୍ରିଙ୍କଲେଙ୍କ ପ୍ରସିଦ୍ଧି ଚାରିଆଡେ ବ୍ୟାପି ଯାଇଥିଲା । ଏହିଭଳି ଗୋଟିଏ ପ୍ରତିରୋପଣ ପାଇଁ ସେ ୭୫୦ ଡଲାର୍ ଅର୍ଥ ଦାବୀ କରିବାକୁ ଲାଗିଲେ ଏବଂ ଏହି ଭଳି ଅର୍ଥମୂଲ୍ୟ ଦେବା ପାଇଁ ସେ ସମୟରେ ଅନେକ ଲୋକ ଆଗଭର ହୋଇଥିଲେ । ବିଶେଷ ଭାବରେ ଲସ୍ ଏଞ୍ଜେଲସ୍ ଟାଇମସ୍ ସଂବାଦ ପତ୍ରିକାର ମାଲିକ ହାରି ଚାନ୍ଦେଲିଅର୍ ନିଜେ ଏହିଭଳି ଏକ "ଗୋଟ୍ - ଗ୍ଲାଣ୍ଡ ଥେରାପି" ଗ୍ରହଣ କରିଥିଲେ । ତାହାପରେ ବସ୍ତୁତଃ ସେ ହିଁ ଏହିଭଳି ଏକ ପ୍ରତିରୋପଣକୁ ଚିକିତ୍ସାଜଗତରେ ଚର୍ଚ୍ଚାର ପରିସର ଭିତରକୁ ଆଣିଥିଲେ । ଏହା ତେଣୁ କାଲିଫର୍ଣ୍ଣିଆର ଷ୍ଟେଟ୍ ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଆସିଥିଲା । ଆଉ ସେମାନେ ଯଥାଶିଘ୍ର ଏହାକୁ ଅର୍ଥାତ୍ ଏହିଭଳି ପ୍ରତିରୋପଣ କାର୍ଯ୍ୟକୁ ନିଷିଦ୍ଧ କରିବା ସହିତ ଡାକ୍ତର ବ୍ରିଙ୍କଲେଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏହା ଫଳରେ ବ୍ରିଙ୍କଲେଙ୍କ ଏହି ପ୍ରତିରୋପଣ ପଦ୍ଧତିରେ ପୂର୍ଣ୍ଣବିରାମ ଲାଗିଥିଲା ।

କାନସାସ୍ ର ଡାକ୍ତର ରିଚାର୍ଡ ବ୍ରିଙ୍କଲେଙ୍କୁ ଜଣେ ଭୟଙ୍କର ଡାକ୍ତର ତାଲିକାରେ ରଖିବା ପଛରେ କାରଣ ଟି ଏହିପରି ହେବ । ଧର୍ମଗତ ଆଧାରରେ ତଥା ସେସମୟର ପ୍ରଚଳିତ ଚିକିତ୍ସା ବିଜ୍ଞାନର ଆଧାରରେ ମଣିଷର ଅଙ୍ଗପ୍ରତ୍ୟଙ୍ଗ ସ୍ୱତନ୍ତ୍ର ଏବଂ ପବିତ୍ର ଏବଂ ଏହା କୌଣସି ମାନବେତର ଶରୀରର ଅଙ୍ଗପ୍ରତ୍ୟଙ୍ଗଠାରୁ ଶ୍ରେଷ୍ଠ । ସେ ଦୃଷ୍ଟିରୁ ମଣିଷ ଦେହରେ ମାନବେତର ପ୍ରାଣୀର ଶରୀରାଂଶର ବ୍ୟବହାର ଆଦୌ ଉଚିତ ନୁହଁ । ଯଦିଓ ଡାକ୍ତର ବ୍ରିଙ୍କଲେ ନିଜର ଉଦ୍ଭାବିତ ପଦ୍ଧତିରେ ସଫଳତା ଅର୍ଜନ କରିଥିଲେ ତଥାପି ଯେହେତୁ ଏହା ସେତେବେଳର ପ୍ରଚଳିତ ଚିକିତ୍ସା - ଧାରଣାର ପରିପନ୍ଥୀ ଥିଲା ସେଦୃଷ୍ଟିରୁ ଏହା ଗ୍ରହଣୀୟ ହୋଇନଥିଲା । ଏବଂ ସେଇଥିପାଇଁ ସେ ଜଣେ ଭୟଙ୍କର ଡାକ୍ତର, ନିଜର ସମସ୍ତ ସଫଳତା ସତ୍ତ୍ୱେ ।

ଭୟଙ୍କର ଡାକ୍ତରଙ୍କ ତାଲିକାରେ ନିଶ୍ଚୟ ରହିବେ ଡାକ୍ତର ଥିଓଡର୍ ମୋରେଲ୍ । ଡାକ୍ତର ମୋରେଲ୍ ଅସଲରେ ଜଣେ ଡାକ୍ତରୀ ଚିକିତ୍ସାପ୍ରାପ୍ତ ଡାକ୍ତର କି ନୁହଁ ସେକଥା ବସ୍ତୁତଃ କେହି ଜାଣନ୍ତି ନାହିଁ । ମାତ୍ର ୧୯୩୦ ମସିହାର ମଧ୍ୟଭାଗରୁ ହିଟଲର୍ ଙ୍କ ଶେଷ ସମୟ ଯାଏଁ ସେ ହିଟଲର୍ ଙ୍କ ବ୍ୟକ୍ତିଗତ ଡାକ୍ତର ଥିଲେ । ଅନ୍ୟପକ୍ଷରେ ହିଟଲର୍ ଡାକ୍ତର ମୋରେଲ୍ ଙ୍କ ଉପରେ ନିଜର ସମସ୍ତ ଅସୁଖର ଉପଶମ ପାଇଁ ନିର୍ଭରଶୀଳ ଥିଲେ । ସେହି ନିର୍ଭରଶୀଳତାର କାରଣରୁ ଡାକ୍ତର ମୋରେଲ୍ ହିଟଲରଙ୍କୁ ନିଜର ଏକପ୍ରକାର ଚିକିତ୍ସାଧୀନ ବନ୍ଦୀରେ ପରିଣତ କରିବାକୁ ସକ୍ଷମ ହୋଇଥିଲେ । ହିଟଲରଙ୍କର ବାୟୁଦୋଷ ଥିଲା, ଅନିଦ୍ରାଜନିତ ଅସ୍ଥିରତା ଭୋଗୁଥିଲେ ସେ । ଡାକ୍ତର ମୋରେଲଙ୍କ ଚିକିତ୍ସାରେ ହିଟଲରଙ୍କ ଅବସ୍ଥା ଏପରି ହୋଇଯାଇଥିଲା ଯେ ସେ ଦୈନିକ ପ୍ରାୟ ଅଠେଇଶ ପ୍ରକାର ଔଷଧ ଏବଂ ଇଂଜେକସନ୍ ନେଉଥିଲେ । ତାଙ୍କର ଦୁଇହାତ ଯାକ ଇଂଜେକସନର ଚିହ୍ନ ଏତିକି ଥିଲା ଯେ ତାହାକୁ ଘୋଡାଇରଖିବା ପାଇଁ ହିଟଲର୍ ସର୍ବଦା ପୂରାହାତର ପୋଷାକ ପରିଧାନ କରୁଥିଲେ । ହିଟଲରଙ୍କୁ ଡାକ୍ତର ମୋରେଲ୍ ଏକ ସ୍ୱତନ୍ତ୍ର ବଟିକା ସେବନ କରିବାକୁ ଦେଉଥିଲା ଯାହା କହିବାକୁ ଗଲେ ପ୍ରଚୁର ପରିମାଣର "କାଫେନ୍" ରହିଥିବା ଏକପ୍ରକାର ନିଶା ବଟିକା । ଏହି ବଟିକାର ମାତ୍ରାଧିକ ସେବନ ଫଳରେ ହିଟଲର୍ ଅନେକ ସମୟରେ ହାଲୁସିନେସନ୍ ଭୋଗୁଥିଲେ ।

ହିଟଲରଙ୍କର ଚିକିତ୍ସକ ଡାକ୍ତର ମୋରେଲଙ୍କୁ ଏହିଭଳି ଭୟଙ୍କର ଡାକ୍ତର ତାଲିକାରେ ରଖିବା ପଛରେ ଯୁକ୍ତିଯୁକ୍ତ ଆଧାରଟି ହେଉଛି ଜଣେ ଚିକତ୍ସକ ଯେତେବେଳେ ସେ ଚିକିତ୍ସା କରୁଥିବା ରୋଗୀକୁ ଏକପ୍ରକାର ବନ୍ଦୀ କରିପକାଏ ଅର୍ଥାତ୍ ଚିକିତ୍ସକ ଉପରେ ଥିବା ନିର୍ଭରଶୀଳତାକୁ ନିଜେ ଚିକିତ୍ସକ ନିର୍ବିକଳ୍ପ କରିଦେବାର ପ୍ରୟାସରେ ଥାଏ ସେତେବେଳେ ସେ ଭୟଙ୍କର । ନିଶ୍ଚିତ ଭୟଙ୍କର ।

ଏ ପ୍ରସଂଗରେ ଆହୁରି ଅନେକ କଥା କୁହାଯାଇପାରେ । ଭୟଙ୍କର ଚିକିତ୍ସକମାନଙ୍କର ଆହୁରି ଅନେକ ସ୍ୱରୂପ ରହିଛି । ଯେତେବେଳେ ଜଣେ ଚିକିତ୍ସକ କୌଣସି ମାନସିକ ଅସୁଖରେ ପୀଡିତର ଚିକିତ୍ସା କରିଥାଏ ସେତେବେଳେ ସେ ଯାହାଯାହା ପଦ୍ଧତିର ଅନୁସରଣ କରିବ ତାହାର ଉପଯୋଗିତା ସଂପର୍କରେ ଏକମାତ୍ର ବଖାଣକାର ହେବ ସେଇ ରୋଗୀ ଯିଏ ମାନସିକ ଭାବରେ ଅସୁସ୍ଥ । ସେ ସୁସ୍ଥ ହେଲେହେଁ ଆମେ ଡାକ୍ତରର ଜୟଜୟକାର କରିବୁ । ମାତ୍ର ସେ ଯେଉଁ ପର୍ଯ୍ୟନ୍ତ ତାହାର ମାନସିକ ଅସୁଖରେ ପୀଡିତ ରହିଛି ସେ ପର୍ଯ୍ୟନ୍ତ ଚିକିତ୍ସକ ଜଣକ ଯାହାଯାହା ପଦ୍ଧତିର ଅନୁସରଣ କରିବ ତାହାକୁ କୌଣସି ମତେ ପ୍ରଶ୍ନ କରାଯାଇପାରିବ ନାହିଁ ।

ଆମେ ଯେତେବେଳେ ରୋଗମୁକ୍ତି ହେବା ଭଳି ଧୂସର ଇଲାକାରେ ରହିଥାଉ, ଆମ ଆଗରେ ଯେତେବେଳେ ଝୁଲୁଥିବା କାଠପଟାରେ ଲେଖାଥାଏ, ଟ୍ରଷ୍ଟ ମି, ଆଇ ଆମ୍ ଏ ଡକ୍ଟର, ଠିକ୍ ସେତିକିବେଳେ କୌଣସି କୌଣସି ଚିକିତ୍ସକର ଅଜ୍ଞତା, ସୈଦ୍ଧାନ୍ତିକ ତଥା ନିଦାନଗତ ନିର୍ଣ୍ଣୟ, ହଟ୍ଟକାରିତା, ଅବିମୃଶ୍ୟକାରିତା, କାଳ୍ପନିକ ଉନ୍ମାଦନା ଅଂଧାର ହୋଇ ଆସେ, ଭୟଙ୍କର ବେଶରେ ।

Report an Error