ଅଲିଭା ସବୁଜିମା

ଗାଁରେ ଆଲୁଅର ମେଲଣ ଚାଲିଥିବାବେଳେ ରଂଗ'ପା ତା ମାମୁଁର ହାତ ଧରି ହଜିଗଲା ଅନ୍ଧାରରେ । ପ୍ରତି ହୋଲିରେ ଗାଁକୁ ଗଲେ ଅଜୟର ମନେପଡ଼େ ରଂଗ'ପା କଥା । ସେ ତା ଆଣ୍ଠୁ ଉପରୁ କପଡ଼ା ଟେକି ଦେଖେ ସେଦିନର ସେ ଗହୀରା କ୍ଷତର ଦାଗକୁ ।


ଅଜୟ କେବେ ବି ଦେଖିନି ରଂଗକୁ କାନ୍ଦକାନ୍ଦ ମୁହଁରେ । ଈଶ୍ୱରଙ୍କ ଗଢ଼ଣବେଳର ତ୍ରୁଟି ଯୋଗୁଁ ରଂଗର ଜୀବନ ସିନା ବିବର୍ଣ୍ଣ ହେଲେ ତାକୁ ନେଇ ସେ କେବେ ବି ବିବଶ କି ନିରାଶ ନଥିଲା ଭଳି ଲାଗେ । ରଂଗର ଶାରିରୀକ ଗଠନ ଖୁବ୍ ସୁନ୍ଦର ହେଲେ ବି ଟିକେ ଦାନ୍ତୁରୀ ଓ ଅସମ୍ଭବ ଭାବେ ନିର୍ବୁଦ୍ଧିଆଣୀ । କୌଣସି କାମକୁ ସେ ଢଙ୍ଗରେ କରି ପାରେନି । ଘରଠୁ ବାହାର ସମସ୍ତଙ୍କଠୁ ପ୍ରତି ମୁହୂର୍ତ୍ତରେ ଗଂଜଣା ସହିବାଟା ତା'ର ଦେହସୁହା । ଦେହର ଦହଗଂଜ ବଢିବା ଠାରୁ ଗଂଜଣାର ଭାର ଆହୁରି ବଢିଯାଇଛି । ହେ ! ରଂଗ ଏମିତି କ'ଣ ବସିଛୁ ? ହେ ! ରଂଗ ଉଦଣ୍ଡୀ ଭଳିଆ କ'ଣ ଡ଼େଉଁଛୁ ? ହେ ! ରଂଗ ସବୁବେଳେ ସବୁ କଥାରେ ଘୋଡ଼ା ଭଳି ଦାନ୍ତ କ'ଣ ଦେଖଉଛୁ ଇତ୍ୟାଦି ରଂଗ ପ୍ରତି ସାରା ଗାଁ ଲୋକଙ୍କର ଦୂର୍‌ଦୂର୍ ଭାବ । ନିଜ ଘରେ ତ ପ୍ରାୟ ଅଲୋଡ଼ା ରଂଗ । ଗାଳି, ମାଡ଼ ନିନ୍ଦା ଅପମାନ ଖାଇ କେମିତି ଦାନ୍ତ ଦେଖାଏ ରଂଗ ? ଆଶ୍ଚର୍ଯ୍ୟ ହୁଏ ଅଜୟ । ତା'ପ୍ରତି ମନରେ ସ୍ୱତଃ ଦୟାଭାବ ଜାଗ୍ରତ ହୁଏ । ରଂଗ, ବୟସରେ ଅଜୟଠୁ ପ୍ରାୟ ଦଶବର୍ଷ ବଡ଼ । ଜାତି, ଗୋତ୍ରର ଭିନ୍ନତା ସତ୍ତ୍ୱେ ଅଜୟ ତାକୁ ରଂଗ'ପା ବୋଲି ଡାକେ ।

ରଂଗ'ପା ପ୍ରତି ଅଜୟର ଭଲପାଇବା ବା ଅନ୍ତରଂଗତା ସେଦିନ ବେଶି ବଢିଗଲା ଯୋଉଦିନ ସେ ସ୍କୁଲ ପଡ଼ିଆରେ ସାଇକେଲ ଶିଖୁଶିଖୁ ପଡ଼ିଗଲା । ସେ ପଡ଼ିଛି ତଳେ ସାଇକେଲ ତା’ଉପରେ । ରଂଗ ଅପା ବାସନ ମାଜୁଥାଏ ସ୍କୁଲ ପୋଖରୀ ସେ କୂଳରେ । ଧାଇଁ ଆସି ଉଠାଇଲା ସାଇକେଲ୍‌କୁ । ପିନ୍ଧାଲୁଗାର କାନିରେ ଝାଡ଼ି ଦେଲା ତା ଧୂଳି ଧୂସର ଦେହକୁ । ବିଶଲ୍ୟକରଣୀ ପତ୍ର ହାତରେ ଦଳି ଲଗାଇଦେଲା ତା କ୍ଷତମାନଙ୍କରେ । ଅଜୟକୁ ସେଇ କିଛି ସମୟ ପାଇଁ ରଂଗଅପାର ମୁହଁ ଲାଗିଲା ତା ବୋଉର ମୁହଁ ପରି । ଗାଁଟିଏ ସବୁବେଳେ ଏମିତି । ଏଠି କେହି ନା କେହି ଥାଏ କାହାକୁ ଉଠାଇ ଦେବା ପାଇଁ । ସବୁ କଳି ଝଗଡ଼ା ଭିତରେ ଭାଇଚାରାର ମୃଦୁ ମଳୟ ବୋହୁଥାଏ ଡହଡ଼ହ ବୈଶାଖରେ ବି ।

ରଂଗଅପାର ବାସନ ମଜା ବିଳମ୍ବ ହେଇଗଲାରୁ ତା' ମା ତାକୁ ସେଦିନ ଚୁଟି ଝିଙ୍କି ଢେର୍ ମାରିଲା ଦାଣ୍ଡ ମଝିଟାରେ । କହିଲା - ‘ସାରା ଦିପହରୁ ଆସିଲୁଣି ବାସନ ମାଜିବାକୁ କ'ଣ କରୁଛୁ ଏଠି ? ଗୋରୁଗାଈ ତୋରାଣି ଟୋପେ ପାଇଁ ହମ୍ବାଳି ହେଉଛନ୍ତି, ଖରା ଗଡ଼ି ଯାଉଛି ଧାନ ଗଣ୍ଡିକ ହେଁସରେ ପଡ଼ିଛି ଲେଉଟା ହେଇନି, ଶୁଖଲା ପତର ସବୁ ଶୁଖି ଗଲାଣି ବର୍ଷା ଉଠେଇଲାଣି ଭିଜି ଯିବ କୋଉ କଥାକୁ ତୋର ନଜର ଅଛି ? ବାସନ ମାଜିବାକୁ ଆଇଚୁ ଯେ ଆଇଚୁ । ବାପ ସିଆଡ଼େ ଡ଼ାକ ଛାଡ଼ିଚି ରଂଗ ମୋ ପିଠିରେ ଟିକେ ତେଲ ଲଗେଇ ଦେ କମର ଆଜି କାହିଁକି କଟମଟ କରୁଚି... ।’ ଗୋଇଠାଏ ଦେଲା ତା ପେଟକୁ । ବସି ପଡ଼ିଲା ରଂଗଅପା ସେଇଠି ବୋଉଲୋ କହି । ବାସନ ସବୁ ଢଂ ଢାଂ କରି ପୁଣି ଦାଣ୍ଡ ଧୂଳିରେ ଗଡ଼ି ଅସନା ହେଇଗଲା । ରଂଗଅପା କିଛି କହିଲାନି । ସବୁ ଯାତନାକୁ ଦେହରେ ମାରି ବାସନ ସବୁକୁ ଅଣ୍ଡାଳିଲା ପୁଣି ଫେରିଲା ପୋଖରୀ କୂଳକୁ ।

ଅଜୟ ପଚାରିଲା - ‘ରଂଗ'ପା ତୁ ଆଜି ମୋରି ପାଇଁ ଢେର୍ ମାଡ଼ ଖାଇଲୁ ।’

-- ‘ନା ବେ ଅଜୁ ! ମୋ ବୋଉ କଥା ତୁ ଜାଣିନୁ ? ସେ ଭାରି ରାଗୀ ମଣିଷୁଟେ । ଟିକେଟିକେ କଥାରେ ଖାଲି ରାଗିବ ଆଉ ମାରିବ ।’

-- ‘କାହିଁ ସେ ତୋ ଭାଇ କୁନାକୁ ତ ମାରୁନି ? କେତେ ଦୁଷ୍ଟ ହେଉଛି ସେ ? କାହା ମୁଣ୍ଡ ଫଟେଇଲାଣି ତ କାହା ହାଣ୍ଡି ଭାଙ୍ଗିଲାଣି ପୁଣି କାହା ବାଡ଼ିରେ ପଶି କାକୁଡ଼ି, ନଡ଼ିଆ ଚୋରି କଲାଣି ତ କାହାକୁ ମାଡ଼ମାରି ଲହୁଲୁହାଣ କଲାଣି ତାକୁ ତ ଭାରି ଗେହ୍ଲା କରୁଛି ତୋ ବୋଉ ?’

ହାତେ ଲମ୍ବର ଜିଭ କାଢି ରଂଗ'ପା କହିଲା - ‘ହେଇ ! ଆମ କୁନା କଥା କହନା ସିଏ ସାନ ପିଲାଟେ । ସେ କ'ଣ ଭଲମନ୍ଦ ବୁଝିଲାଣି ? ବଡ଼ ହେଇଗଲେ ସବୁ ବୁଝିପାରିବ, ସବୁ ଜାଣିବ ସେତେବେଳେ କ'ଣ ଆଉ ଦୁଷ୍ଟ ହବ ?’

ଅଜୟ ମନେମନେ ଭାବିଲା ସତରେ ରଂଗ'ପା ତୁ ବୋକିଟା । ତୋ ନିଷ୍ପାପ ସରଳ ମନରେ ଜଟିଳତା ପ୍ରବେଶ କରି ପାରୁନି । ନହେଲେ ତୋ ସାବତ ମା'ର ସକଳ ଯାତନା, ତୋର - ମୋର ଭାବ, ତୋ ପ୍ରତି ତା’ ମନରେ ଥିବା ଆକଣ୍ଠ ଘୃଣାକୁ ତୁ ଏମିତି କ'ଣ ପିଇଯାଇ ପାରନ୍ତୁ ? ଭଲ ହେଇଛି ମୁଁ ବୁଝି ପାରୁଥିବା କଥା ତୁ ବୁଝିପାରୁନୁ । ବୁଝିଲେ ଭାରି କଷ୍ଟ ପାଇବୁ ।

-- ‘ଚାଲ, ତୁ ଆଉ ସାଇକେଲ୍ ଚଲାନା । କାଲିକି ଶିଖିବୁ । ଫେର୍ ଯଦି ପଡ଼ିବୁ କିଏ ଉଠେଇବ ତୋତେ ? ଏ ନିଛାଟିଆ ଖରାବେଳେ କିଏ ଅଛି ତୋତେ ଉଠେଇବାକୁ ?’

-- ‘ତୁ ଯା ମୁଁ ଆଜି ସାଇକେଲ୍ ଶିଖି କି ଯିବି । ଶୀଘ୍ର ଯା ନହେଲେ ତୋ ବୋଉ ତୋତେ ପୁଣି ମାରିବ ।’

ରଂଗ'ପା ଚାଲିଗଲା । ତା ଅଳତା ଭିଜା ଗୋରାପାଦ ପୋଖରୀ ହୁଡ଼ାର ଧୂଳିରେ ଆଙ୍କିଦେଲା କିଛି ଅନାବଶ୍ୟକ ପାଦଚିହ୍ନ ।

ସେଥର ହୋଲିରେ କୁନା ରାହା ଧରି କାନ୍ଦିଲା ରଂଗ ଆଉ ପିଚକାରୀ ପାଇଁ । ରଂଗଅପାର ବୋଉ ତାକୁ ନିସ୍ତୁକ୍ ବାଡ଼େଇଲା । କୁନା କବାଟ କିଳି ଶୋଇ ରହିଲା ଘରେ । ରଂଗ'ପା ମନମାରି ବସିଲା । ଯେତେ ଡାକିଲା ସେ କବାଟ ଫିଟାଇଲାନି ।

‘ଏ ଅଜୁ ! ରଂଗ ଖେଳୁଛୁ କି ? ଶୁଣ ! ଆମ କୁନାକୁ ଟିକିଏ ଡାକିଲୁ ଏଡ଼େ ବଡ଼ ଦିନରେ ଦେଖିଲୁ କେମିତି ଘରେ କବାଟ ଦେଇ ଶୋଇଛି ବୋଉ ମାରିଲା ବୋଲି ? ବୋଉ କ'ଣ ମୋତେ ମାରୁନି ? ମୁଁ କ'ଣ ରାଗୁଛି ? କବାଟ କିଳି ଶୋଉଛି ?’

ରଂଗ'ପାର ଏଇ ସରଳଭାବକୁ ଲୋକେ କହୁଛନ୍ତି ହୁଣ୍ଡି - ମାଧେଇ । ଅଜୁ ଡାକ ଦେଲା ଝରକାରେ - ‘କୁନା ! ଆ ରଂଗ ଖେଳିବା ଆ । ମୋ ପିଚକାରୀ ତୁ ନେ । ରଙ୍ଗ ଖେଳିବା ଆ.. ।’

କୁନା ଶୁଣିଲାନି କିଛି । ନିରାଶ ହେଲା ରଂଗ'ପା ।

-- ‘ହଉ ତୁ ଯା ତା ରାଗ ଶାନ୍ତହେଲେ ସେ ବଳେ ଆସିବ, ଯା ତୁ ରଂଗ ଖେଳିବୁ ଯା ।’

ରଂଗ'ପା କୋଉଠୁ ଆଣିବ ରଂଗ ଆଉ ପିଚକାରୀ କୁନା ପାଇଁ ? ତା ହାତରେ ତ କାଣି କଉଡ଼ିଟିଏ କିଏ କେବେ ଦେଇନି । ତା ବୋଉ ତ ସବୁ କୁଞ୍ଚି ପକେଇ ରଖୁଛି । ତା ବାପା ପକେଟ ଅଣ୍ଡାଳିଲା ରଙ୍ଗ । ତା’ ବୋଉ, ତା’ ବାପା ପକେଟ୍‌ରେ ସୁଉକିଟେ ବି ରଖେଇ ଦେଉନି । କ'ଣ କରିବ ସେ ।

ଏତିକିବେଳେ ପୁନିଆଁ ମାମୁଁ ଡାକିଲା - ‘ଏଇ ରଂଗ, ହୋଲି ଖେଳିବୁନି କି ?’

ପୁନିଆଁ ମାମୁଁ କଲିକତାରେ ରହେ । ଭାରି ସଉକିଆ । ହିସାବରେ ସେ ଗାଁ ସାରା ମାମୁଁ । ଶାମ୍ପୁକରା ହିପ୍ପି ବାଳକୁ ଲମ୍ବା କଲି । ଗାଁରେ ସେଇ କେବଳ ମଦ ପିଏ ଓ କ'ଣ ସବୁ ଇଆଡୁ ସିଆଡୁ ଗପେ । ସେଇଥିପାଇଁ ତାକୁ କେହି ଘରେ ପୂରେଇ ଦିଅନ୍ତି ନାହିଁ । ସେଇ ପୁନିଆଁ ମାମୁଁ ଜାଲରେ ପଡ଼ିଗଲା ବିଚାରୀ ହୁଣ୍ଡି ଆଳେଇ ରଂଗ'ପା । ସେ କି ଜାଣେ ଏତେ ମାୟା ? ଯାହାହେଉ ଠିକଣା ବେଳକୁ ପହଞ୍ଚି ଯାଇଥିଲା ରଂଗାଦାଦା । ପୁନିଆଁ ମାମୁଁ ଗାଲରେ ଶକ୍ତ ଜାବଡ଼ାଟାଏ ଦେଇ କହିଲା - ‘ତୋତେ ଧରମ ଛାଡ଼ିଲାଣି କିରେ ପୁନିଆଁ ? ହୁଣ୍ଡି ମାଧେଇ ଝିଅଟା, ହିସାବରେ ସେ ପୁଣି ତୋର ଭାଣିଜୀ ହେବ ? ଛି ! ଛି ! ତୋ ମୁହଁକୁ ଟିକେ ଲାଜ ନାହିଁ ?’

ପୁନିଆଁ ମାମୁଁ ରଂଗାଦାଦାର ଗୋଡ଼ ଧରି ପକେଇଲା କହିଲା - ‘ମୋର ଭୁଲ୍ ହେଇଯାଇଛି ରଂଗାଦି ମୋତେ କ୍ଷମାକର ! ମୋତେ ବଂଚାଅ ଗାଁ ଲୋକ ଶୁଣିଲେ ମୋତେ ନିଆଁପାଣି ବନ୍ଦ କରିଦେବବେ, ଏକଘରିକିଆ କରିଦେବେ, ଆମ ପରିବାରକୁ ବାଛନ୍ଦ କରିଦେବେ, ମୋର ମାନ ଇଜ୍ଜତ୍ ସବୁ ଦାଣ୍ଡରେ ଗଡ଼ିବ ।’

ରଂଗାଦି କହିଲା - ‘ଶୁଣ ! ପୁନିଆଁ ଏକଥା କାନକୁ ଦି' କାନ ନହୁଏ ଯେମିତି ? ହେଇ ! ରଂଗ ତୁ ଏଠି ହାଁ କରି ଠିଆ ହେଇଛୁ କ'ଣ ? ଯିବୁନା ଦେଖିବୁ ଏଇନେ ?

ରଂଗ'ପା କହିଲା - ‘ଯାଉଛି ଲୋ ଦାଦି, ଏଁ ତୁ ମୋ ଉପରେ ରାଗୁଛୁ କାହିଁକି ମୁଁ ତୋର କ'ଣ କଲି କି ?

ଧକ୍‌କାଟେ ପକାଇଲା ରଂଗ'ପାକୁ ରଂଗାଦି - ‘ଯିବୁନା ଦେଖିବୁ ?’

ରଂଗ'ପା ଡରି ଗଲା । ହେଲେ ହାତରେ ରଂଗ ଓ ପିଚକାରୀ ପାଇ ସେ ହସୁଥିଲା ଗଡ଼ ଜିତିବାର ହସ । ସବୁ ପାଇଯିବାର ହସ । କିଛି ବି ବୁଝିପାରୁନଥିଲା ସେ । ରଂଗାଦି ଆଉ କିଛି କହିବା ଆଗରୁ ରଂଗ'ପା ପଳେଇଗଲା ସେଠୁ । ମାତ୍ର ଏସବୁ ଘଟଣାର ମୂକସାକ୍ଷୀ ଥିଲା ଅଜୟ । ସେ ଛକିଥିଲା ପୁନିଆଁ ମାମୁଁ ଗୁହାଳକୋଣରେ ତା’ ସାଙ୍ଗ ସପନିକୁ ରଂଗ ମାରିବ ବୋଲି । ରଂଗାଦି ଉପରେ ଭାରି ଖୁସି ହେଲା ଅଜୟ ହେଲେ ଟିକେ ମନ ଊଣା ହେଲା ସେ କାହିଁକି କହୁଥିଲା ରଂଗ'ପାର ବୋଉକୁ ?

ରଂଗ'ପା ଫେରିଲାବେଳକୁ ତା’ ମୁହଁ ସାରା କଳାରଂଗ । ତଥାପି ରଂଗ'ପା ହସୁଚି, ତା ଧଳା ଦାନ୍ତଗୁଡ଼ାକ ଚିକ୍‌ଚିକ୍ ଦିଶୁଚି । କୁନା କବାଟ ଖୋଲିଲା ରଂଗ ପିଚକାରୀ ଧରି ଦୌଡ଼ିଲା ଗାଁ ଦାଣ୍ଡରେ । ହଠାତ୍ ନଜର ପଡ଼ିଗଲା ତା ବୋଉର ।

-- ‘କୁଆଡ଼େ ଯାଇଥିଲୁ ଲୋ ନାଁ ପକେଇ ? ତୋ ମୁହଁକୁ ଟିକେ ଲାଜ ନାହିଁ ? ଚୁଟିକୁ ଝିଙ୍କି ତଳେ ପକାଇ ରଂଗ'ପାର ଛାତିରେ ଚଢ଼ିଗଲା ଓ ଗୋଟେ ବାଉଁଶ କଣି ଛାଟରେ ପିଟି ପକାଇଲା । ବୋଉଲୋ ମରିଗଲି ଲୋ ଆଉ ଦିନେ ଏମିତି କରିବିନି ଲୋ କହି ହାତଯୋଡ଼ି ନେହୁରା ହେଉଥାଏ ରଂଗ'ପା । ଖରାରେ ସେତେବେଳକୁ ଗାଁ ଦାଣ୍ଡ ତାତି ଆସିଲାଣି । ଛତରୀ, ବାରବୁଲି, ଚୋରଣୀ କୋଉଠୁ ଆଣିଲୁ ପଇସା କହ ? ପ୍ରଥମ ଥର ପାଇଁ ରଂଗ'ପା ବାପାର ହାତ ଆପଣାଛାଏଁ ଉଠିଗଲା ରଂଗ'ପା ବୋଉର ଗାଲ ପର୍ଯ୍ୟନ୍ତ । ଗର୍ଜି ଉଠିଲା ତାଙ୍କ ସ୍ୱର ।

-- ‘ଚଣ୍ଡାଳୁଣୀ ମାରିଦବୁ ନା କ'ଣ ତାକୁ ? ଛାଡ୍ ତାକୁ ଛାଡ୍ କହୁଛି ।’

ସେଦିନ ରଂଗ'ପା ବୋଉର ଉଗ୍ରରୂପ ଦେଖି ଅଜୟ ଛାନିଆଁ ହେଇଗଲା ଓ ରଂଗ'ପାର ଭବିଷ୍ୟତ କଥା ଭାବି ହତାଶ ହେଇ ପଡ଼ିଲା । ସେ ରାଗ କ୍ରମେ ବଢ଼ିଲା ସିନା କମିଲା ନାହିଁ । ବାଦ୍ ପଡ଼ିଲାନି କୁନା । ଅଶ୍ରାବ୍ୟ ଗାଳିରେ ଫାଟି ପଡ଼ିଲା ଗାଁ ଦାଣ୍ଡ । ରୋଷେଇ ବାସ ବନ୍ଦ । ଆଗ ଫଇସଲା ତାପରେ ରୋଷେଇ । ଶେଷକଥା ଶୁଣେଇ ଦେଲା ରଂଗ'ପାର ବୋଉ ।

ସଂଜବେଳକୁ ଆସି ପହଂଚିଲେ ରଂଗ'ପାର ମାମୁଁ । ସବୁ ସମସ୍ୟାର ସମାଧାନ କରିଦେଲେ ସେ । ସବୁକଥା ଶୁଣିଲା ପରେ ସେ କହିଲେ - ‘ମୋ ଭାଣିଜୀ ଆଜିଠୁ ଆଉ କାହାରି ଉପରେ ବୋଝ ହେଇ ରହିବ ନାହିଁ । ମୁଁ ତାକୁ ମୋ ସାଙ୍ଗରେ ନେଇଯିବି ।’

ଗାଁର କୂଳଦେବତା ବୃନ୍ଦାବନଜୀଉ ସଜ ହେଉଥାନ୍ତି ଯିବା ପାଇଁ ମେଳନ ପଡ଼ିଆକୁ । ଭେରୀ, ତୁରୀ ରଂଗବାଜାରେ ଫାଟି ପଡ଼ୁଥାଏ ଗାଁ ଦାଣ୍ଡ । ଆଲଟ, ଚାମର, ଛତି ଧରି ପ୍ରସ୍ତୁତ ହେଉଥାନ୍ତି ହୁରିଆ ଭାଇମାନେ । ନାରଣ ମାଷ୍ଟ୍ରେ ଗାଉଥାନ୍ତିି ଭାଲେ ଗୌରାଚାନ୍ଦ...., ଭାଇଗା ସାହୁ ହାତ ଖେମଟା ଦେଉଥାଏ ଢୋଲକର କିରଣରେ । ଶଂଖ ହୁଳହୁଳି ଧ୍ୱନି ପରେ କାନ୍ଧୁଆମାନେ ଶୂନ୍ୟେଶୂନ୍ୟେ କାନ୍ଧ ଉପରକୁ ଟେକି ନେଉଥା'ନ୍ତି ପ୍ରଭୁ ଶ୍ରୀବୃନ୍ଦାବନ ଜୀଉଙ୍କୁ । ଆଣ୍ଠୁମାଡ଼ି ଶେଷ ପ୍ରଣାମ କଲା ରଂଗ'ପା ତାଙ୍କୁ । କୁନା କାନ୍ଦୁଥାଏ ଅପା ଅପା ବୋଲି । ଅଜୟର ଆଖିକୋଣରେ ଲୁହ ଟିକେ ବି ଜକେଇ ଆସିଲା । ଗାଁରେ ଆଲୁଅର ମେଲଣ ଚାଲିଥିବାବେଳେ ରଂଗ'ପା ତା ମାମୁଁର ହାତ ଧରି ହଜିଗଲା ଅନ୍ଧାରରେ । ପ୍ରତି ହୋଲିରେ ଗାଁକୁ ଗଲେ ଅଜୟର ମନେପଡ଼େ ରଂଗ'ପା କଥା । ସେ ତା ଆଣ୍ଠୁ ଉପରୁ କପଡ଼ା ଟେକି ଦେଖେ ସେଦିନର ସେ ଗହୀରା କ୍ଷତର ଦାଗକୁ । ଯେଉଁ କ୍ଷତ ଉପରେ ଦିନେ ରଂଗ'ପା ଲଗେଇ ଦେଇଥିଲା ବିଶଲ୍ୟକରଣୀ ପତ୍ର । ସମ୍ପର୍କର ଅଲିଭା ସବୁଜ ରଂଗ ।

Report an Error