ଆକାଶନାମା

ମେଘ ନଥିବା ଆକାଶ କ'ଣ ସୁନ୍ଦର ? ମେଘ ଇ ଆକାଶର ସୌନ୍ଦର୍ଯ୍ୟ । କିନ୍ତୁ ଆକାଶ କ'ଣ କେବେ ତାହା ସ୍ବୀକାର କରେ ? ନିରୀହ ମେଘ କ'ଣ ସେଥିପାଇଁ ଲୁହ ଗଡାଏ ? ମେଘ କ'ଣ ନିଜ ଅସ୍ତିତ୍ବକୁ ଜାହିର କରିନପାରି ପାଣି ହେଇ ବହିଯାଏ ଓ ପୁଣି ଆକାଶ ସଂଲଗ୍ନା ହେବା ଆଶାରେ ଜନ୍ମ ନିଏ ?


ଫଟୋ - କେଦାର ମିଶ୍ର

ପୃଥିବୀ ଓ ଆକାଶ ମଝିରେ ମୁଁ ଭାସୁଚି । ମିଛ ନୁହଁ । ଅତିଭୌତିକ କଥା ବା କୌଣସି ଦୁଃଖଦ ବର୍ଣନାର ଅଂଶ ବି ନୁହଁ । ମୁଁ ବର୍ତ୍ତମାନ ଉଡାଜାହାଜରେ ଅଛି । ମୋ ଯାତ୍ରାର କିଛି ରାସ୍ତା ମୁଁ ଉଡାଜାହାଜରେ ଯିବା ଠିକ୍ ବୋଲି ଭାବିଥିଲି କାରଣ ସମୟ ଢେର ବଞ୍ଚିଯିବ । ମୋ ଭଳି ଅନେକେ ସେହି କାରଣ ହେତୁ ଏହିଭଳି ଯାତ୍ରାକୁ ଶ୍ରେୟସ୍କର ଭାବୁଥିବେ ।

ଜୀବନ, ଚିନ୍ତା, ମାନ, ଅଭିମାନ, ହତାଶା, ବ୍ୟସ୍ତତା ଏହିସବୁ ବଢି ଚାଲେ । କିନ୍ତୁ ସମୟ....? ସମୟ ସରି ସରି ଯାଏ । ଆଉ ଫେରେନି ।

ହଁ, ମୁଁ ମୋ ଉଡାଜାହାଜ ଯାତ୍ରାର ଅୟମାରମ୍ଭରେ ଥିଲି । ପୁଣି ଫେରୁଛି ସେଠିକି । ମୋ ସିଟ୍ ଟି ଉଡାଜାହାଜର ଝରକା ପାଖେ ଥିବା ହେତୁ ମୁଁ ଚାହିଁଥାଏ ଆକାଶକୁ ଓ ଆକାଶ ତଳର ପୃଥିବୀକୁ । ନଦୀ, ନାଳ ସବୁ ସରୁ ପାଣିଧାର ଭଳି ଦେଖାଯାଉଥାଏ । ଗଛ ଗୁଡିକ ବୋନସାଇ ଭଳି କୌତୁକିଆ ଓ ଘର, ବହୁତଳ ପ୍ରାସାଦମାନ ପିଲାଙ୍କ ଖେଳନା ଭଳି ଦେଖାଯାଉଥାନ୍ତି ।

ମେଘମାଳାର ବିଶାଳ ଶଯ୍ୟା ଉପରେ ଉଡାଜାହାଜ ଟି ସତେବା ଥୁଆ ହେଇଛି ବୋଲି ମନେହେଉଛି ମତେ ଏହି ମୁହୂର୍ତ୍ତରେ । ଗତି ଯେହେତୁ ବାରି ହେଉନାହିଁ ତେଣୁ ଲାଗୁଛି ସବୁ ଥମ୍ ହେଇ ରହିଯାଇଛି । ମେଘ ସବୁ କେଉଁଠି ଥାକ ଥାକ, ପୁଣି କେଉଁଠି ଢେଉ ଢେଉକା । ଅପୂର୍ବ ଲାଗୁଛି କିଛି ଜାଗାରେ ଘର ବା ଗଛ ଆକାର ନେଇ ଠିଆ ହେଇଛନ୍ତି ମେଘ ସବୁ । ଉପରୁ ତୀକ୍ଷ୍ଣ ସୂର୍ଯ୍ୟାଲୋକ । ଆକାଶ ସୁନ୍ଦର ନୀଳବର୍ଣ୍ଣ । ମେଘ ଓ ଆକାଶକୁ ଅଲଗା କରି ଏଇଠି ହିଁ ଦେଖିହୁଏ ।

କିଛି ସହର ଦେଇ ଯିବାବେଳେ ପୁଣି ସେହି ଖେଳନା ଘର, ପିଲାଙ୍କ ସ୍କୁଲ ପ୍ରୋଜେକ୍ଟ ଭଳି ରାସ୍ତା ଓ ସହର । ମଣିଷ ତ, ଦୃଶ୍ୟପଟ୍ଟ ରେ ଆସନ୍ତି ନାହିଁ । ଚିଲ ପକ୍ଷୀ ଗୋଟିଏ ଦୁଇଟି କାଁ ଭାଁ ଦେଖାଯାଉଥିଲେ । ବୋଧେ ଅଜସ୍ର ସାହସ ନେଇ ଆସିଥିଲେ ଏହି ବିରାଟ ଦେଖାଯାଉଥିବା ପକ୍ଷୀ ସହିତ ପ୍ରତିଯୋଗିତା କରି ନିଜ ଜାତିଭାଇଙ୍କ ପାଖେ ବାହାବା ନେବା ପାଇଁ । କିନ୍ତୁ କାହିଁ କୁଆଡେ ଗଲେଣି । ପ୍ରାକୃତିକ ଡେଣା ବା କାହିଁ ତିଷ୍ଠିବ ଏହି ଧାତବ ଡେଣା ପାଖେ ?

ପୁଣି ଉହୁଙ୍କି ଦେଖିଲି ଝରକାରେ । ଏଥର ବୋଧେ ଉଡାଜାହାଜ ଟି କିଛି ଉପରକୁ ଉଠି ଯାଇଛି । ତଳେ କେବଳ ମେଘମାଳା ।

ଉପରେ ବିସ୍ତୀର୍ଣ୍ଣ ନୀଳ ଆକାଶ । କି ସୃଷ୍ଟି ସତେ । ମତେ ମନେହେଲା ଜଙ୍ଗଲକୁ ଯଦି ଉପରୁ ଦେଖାଯାଏ ଗଛ ଗୁଡିକର ଅଗ୍ରଭାଗ ଯେମିତି ଦେଖାଯାଏ ମେଘ ମଧ୍ୟ ସେଇଭଳି ଆକାରର ଦୃଶ୍ୟମାନ ହେଉଛି । କେବଳ ରଙ୍ଗର ପ୍ରଭେଦ ଯାହା । ମେଘଗୁଡିକ କ'ଣ ଆଇମା' କାହାଣୀର କୋଉ ପରୀର କୁଞ୍ଚିତ କୁନ୍ତଳ ? ନା ୟେ କୌଣସି ଯକ୍ଷର ଉଦ୍ୟାନର କୁହୁକ ବୃକ୍ଷ ? ଆରେ, ସତେ ତ, କୁହୁକ ନୁହଁ ତ' କ'ଣ ବା କହିହେବ ? କୋଉଠି ପକ୍ଷୀର ପର ଭଳି ତ କୋଉଠି ନଦୀ, ମାଛ ର ଭ୍ରମ ବି ହୁଏ ।

ପୁଣି ମାନସପଟରେ କାଳିଦାସଙ୍କ ମେଘଦୂତ ଭାସିଆସିଲା ।

ମହାନ କାବ୍ୟ ନିଶ୍ଚୟ । କିନ୍ତୁ ମହାନ କବି କାଳିଦାସ କେବେ କ'ଣ ମେଘକୁ ଏହିଭଳି ଦେଖିଥିବେ ? କେବେ ସେ କ'ଣ ଆକାଶ ଓ ମେଘକୁ ଅଲଗା କରି ଭାବି ପାରିଥିବେ ?

ଆକାଶକୁ ଚାହିଁ ଦେଖିଲି । ମନେହେଲା ସେ ନିର୍ଲିପ୍ତ । ନା ତାହାର କିଛି ପାଇବାର ଇଚ୍ଛା ଅଛି, ନା କାହାକୁ କିଛି ଦେବାର ନିଷ୍ଠା । ଆପଣା ଗର୍ବ ନେଇ ନିଜକୁ ବିଛେଇ ଦେଇଛି । ଆକାଶ ଚାହୁଁଛି ସବୁକିଛି ଘୋଡେଇ ଦେଇ ଏକାକାର କରିଦେବ ନୀଳବର୍ଣ୍ଣରେ । ଓଃ, ଅସହ୍ୟ । ଆକାଶ ର ଔଦ୍ଧତ୍ୟ ଅସହ୍ୟ ।

ମେଘ ନଥିବା ଆକାଶ କ'ଣ ସୁନ୍ଦର ? ମେଘ ଇ ଆକାଶର ସୌନ୍ଦର୍ଯ୍ୟ । ମେଘ ଆକାଶର ଅଳଙ୍କାର । କିନ୍ତୁ ଆକାଶ କ'ଣ କେବେ ତାହା ସ୍ବୀକାର କରେ ? ନିରୀହ ମେଘ କ'ଣ ସେଥିପାଇଁ ଲୁହ ଗଡାଏ ? ମେଘ କ'ଣ ନିଜ ଅସ୍ତିତ୍ବକୁ ଜାହିର କରିନପାରି ପାଣି ହେଇ ବହିଯାଏ ଓ ପୁଣି ଆକାଶ ସଂଲଗ୍ନା ହେବା ଆଶାରେ ଜନ୍ମ ନିଏ ?

Report an Error