ଆକର୍ଷଣ

ଗୋଟେ ଘଟଣା ପ୍ରବାହ ଭିତରେ ଏମିତି ଅନେକ ରହସ୍ୟ ଅଛି ଏ ଗପରେ ଯାହାକୁ ନିର୍ଦ୍ଦିଷ୍ଟ ନାଁ ଦେବା ସହଜ ନୁହେଁ । ଗୋଟେ ସହଜ ସମ୍ପର୍କ ଭିତରେ ଅନେକ ଅସହଜ ସମ୍ଭାବନାର ଏ ଗପ ।


କଣ କହୁଚୁ ?'

'ଯିବା ଚାଲ, ଭାଗ୍ ଜଲଦି । ଆଣ୍ଟି ଉଠିବା ଆଗରୁ ଚାଲ୍ ।'

'ତୁ ଗେଟ୍ ଡେଇଁ ପାରିବୁ ।'

'ଚାଲ୍ ଡେଇଁକି ଦେଖଉଚି ।'

ଧୁମ୍ କିନି ଡେଇଁକି ଏନି ଆଉ ସୁମୁ ଦୌଡିଲେ ।

ଘର ପାଖ ବାଙ୍କ ବୁଲିବା ଯାଏଁ, ଏମିତି ଦୌଡୁଥିଲେ, ସତେ ଯେମିତି ପଛରେ କୁକୁର ପଡିଛି ।

କାନ୍ଥକୁ ଲାଗିକି ଲମ୍ବା ନିଃଶ୍ବାସ ନେଇ ପଚାରିଲା ଏନି, 'ପଇସା ଅଛି ଦି' ଜଣଙ୍କ ଟିକଟ ପାଇଁ ?'

'ହଁ ହେଇଯିବ । ତୁ ଭାବିଚୁ ତ ? ପୁଣି ଫେରିବାବେଳେ କ'ଣ କରିବା ?'

'ମୁଁ ଭାବେନି । ତୁ ଭାବୁଥା ।'

'କେମିତିକା ଝିଅ ତୁ ? ମୋର ଡର ନାହିଁ ମୋ ପାଇଁ ।'

'ତୁ ବସିକି ଭାବୁଥା । ମୁଁ ଯାଉଚି ।'

ଏନି କହିଲା ।

ଏତେ ତାମଝାମ ଥିଲା ବାସ୍ ଗୋଟିଏ ସିନେମା ଦେଖିବା ପାଇଁ ।

ଏନି, ଅନିଶା କୋଷ୍ଟା ଗୋଟିଏ ପର୍ତ୍ତୁଗାଲ ପରିବାରର ଝିଅ । ରେଳବାଇ ଠିକାଦାରୀ ପାଇଁ କେତେ ଜାଗା ବଦଳାଇବାକୁ ହୁଏ ଏହି ପରିବାରକୁ । ଯୋଉଠି କାମ ହୁଏ ପୁଟୁଳି ପୁଟୁଳା ବାନ୍ଧି ପୁଣି ଘରକରଣା ଉଠେଇ ପହଞ୍ଚି ଯାଆନ୍ତି । ତା ବାପା ଓ ଭାଇ ଲୁହା କାମ କରନ୍ତି । ମା' ରୋଷେଇ ଜିନିଷର ବ୍ୟବସାୟ କରନ୍ତି । ଜନ୍ମଦିନ ବା କିଛି ଖାସ୍ ଦିନ ପାଇଁ କେକ୍ ତିଆରି କରିବା, ମିଠାଇ ଓ ଛୋଟଛୋଟ ହାତ ତିଆରି ଜିନିଷ ଇତ୍ୟାଦିରେ ଭଲ କିଛି ପଇସା ମିଳିଯାଏ । କିନ୍ତୁ ଏନିକୁ ଦେଖିବା ଲୋକ କେହି ନଥାନ୍ତି ଘରେ । ତେର ବର୍ଷର ଝିଅ ଏନି । ସରକାରୀ ସ୍କୁଲରେ ପଢେ । ପଢାରେ ମନ ଲାଗେନି ଏନିର । ଘରେ ତା ସାଙ୍ଗ, ତା ଖେଳସାଥି ସବୁକିଛି ତା ଆଭୋ । ମାନେ ଜେଜେମା'।

ସୁମୁ ତାଙ୍କ ଘର ପାଖାପାଖି ରହୁଥିବା ପିଲା । ଏନି ଏଇ ବର୍ଷ ଆସିଛି । ତାଙ୍କ ଘର ପାଖେ ଏନି ପରିବାର ଭଡା ନେଇ ରହୁଛନ୍ତି । ଏନି ପୁଅମାନଙ୍କ ଭଳି ଜୋର୍ ଦୌଡିପାରେ । ଅନ୍ୟ ଝିଅଙ୍କ ଭଳି ଏନି ଲାଜରେ ଆଖି ତଳକୁ କରେନି । ଏନି ବେଣି ବାନ୍ଧେନି । ଧିରେ ଚାଲେନି । ସେଥିପାଇଁ ଏନି ସୁମୁକୁ ବହୁତ ଭଲ ଲାଗେ । ଏନି ରାଗିଲେ କାନ୍ଦେନି । ଲାତ, ଗୋଇଠା ମାରେ । ସେ କେବେ ଫେରାଦ ହୁଏନି । ଏନି ନାଁରେ ବହୁତ ଅଭିଯୋଗ ଥାଏ ଲୋକଙ୍କ । ପର୍ତ୍ତୁଗୀଜ ପରିବାର ହେତୁ, ଏନି ଆଣ୍ଟି, ଅଙ୍କଲ, ଏମିତି ଡାକେ । ସମସ୍ତେ ପିଠା କଥା କହିଲେ ସେ କେକ୍ କଥା କୁହେ । ସମସ୍ତଙ୍କ ଜେଜେମା' ଶାଢୀ ଖଣ୍ଡିଏ ଗୁଡେଇ ହେଉଥିବାବେଳେ, ଏନିର ଆଭୋ ଫ୍ରକ୍ ପିନ୍ଧନ୍ତି । ସୁମୁ ଭଳି ସେଇ ପାଖାପାଖି ସବୁ ପୁଅ ଏନି ସାଥିରେ ସାଙ୍ଗ ହେବାକୁ ଚାହାଁନ୍ତି । କିନ୍ତୁ ଏନିର ସବୁ ପାଗଳାମୀକୁ କେବଳ ସୁମୁ ଠିକ୍ ଭାବେ ସମ୍ଭାଳିପାରେ । କାହା ବାଡିରୁ ପିଜୁଳି, ଆମ୍ବ,ଚମ୍ପାଫୁଲ ଚୋରାଇବା ହଉ, ରାସ୍ତା ମଝିରେ ଠିଆହୋଇ ଅନ୍ୟକୁ ଗାଳି କରିବାଠୁ କୋଇଲି ପଛେ ଗୋଡେଇ କୁ କୁ କରି ବିରକ୍ତ କରିବା ପର୍ଯ୍ୟନ୍ତ ସବୁଥିରେ ସୁମୁ ଏନିର ପକ୍କା ସାଥି ।

'ତୋ ମାର୍କ ଭଲ ଆସିଚି ?'

'ନା, ସବୁଥର ଯାହା ।'

'ତା ମାନେ ତୁ ପୁଣି ଫେଲ୍ ।'

'ତୁ ନହେଲେ ଫାଷ୍ଟ ହେଇଥିବୁ ।'

'ଫାଷ୍ଟ ନାଇଁ, ହେଲେ ଫେଲ୍ ବି ନାଇଁ ।'

'ତା ମାନେ ତୁ ମୋ କ୍ଳାସରେ ।'

'ହାଃ...ହାଃ...ହାଃ'

'ଆରେ, ସତ କହୁଚୁ।'

'ଆଉ ମୁଁ ଏଇ କ୍ଳାସ୍ ରେ ବି ପାସ୍ ହେବି । ତୁ ପୁଣି ରହିବୁ ଏଇଠି ।'

'ସେ କଥା ଛାଡ୍ । ତୁ ମୋ କ୍ଲାସ୍ ରେ ।' ସୁମୁ ଖୁସିରେ ନାଚିଗଲା ।

ବାସ୍, ଆଉ କିଏ ସମ୍ଭାଳେ, ଖେଳ ପଡିଆଠୁ ନେଇ କ୍ଲାସ୍ ସବୁଠି ସୁମୁ ଆଉ ଏନି ।

ବୟସ ପାହାଚେ ପାହାଚେ କରି ଆଗକୁ ଯାଉଥାଏ । ଏନିର ସେଥିପ୍ରତି ନିଘା ନଥାଏ । ସେ ଏକ ପାହାଡି ନଦୀ । ଥଳକୂଳ କିଛି ଦେଖାଯାଏନି ତାକୁ ।

'ସୁମୁ କୁଆଡେ ଯାଉଚୁ ?'

'ବିଜନ୍ ଡାକିଚି ।'

'ମୁଁ ଯିବିନି ?'

'ପୁଅପିଲାଙ୍କ ସାଥିରେ ତୋ କାମ କ'ଣ ?'

'ଠିକ୍ ଅଛି, ଯା ! ପୁଅପିଲାଙ୍କ ପାଖକୁ ଯା । ତମତମ ହେଇ ଘର କବାଟ ବନ୍ଦ କରିଦେଲା ଏନି ।

ଦି ଦିନ ହେଲାଣି ଏନି ଆଉ କଥାହଉନି ସୁମୁ ସାଥିରେ । ମନ ଦୁଃଖରେ ସୁମୁ ପାଗଳ ଭଳି ବୁଲୁଚି । କେତେକଣ ଲୋଭ ଦେଖାଇଲାଣି । ଏନି କିଛି ଶୁଣୁନି ।

ଏନି ଆଜିକାଲି ଝିଅମାନଙ୍କ ସହିତ ମିଶୁଚି । ନୂଆ ସାଙ୍ଗ କରିଚି ।

ଏନି ରୁମରେ ପଶିକି କବାଟ ଧିରେ ବନ୍ଦ କରିଦେଲା ସୁମୁ ।

'ଶୁଣ, ତତେ ନୂଆ କଥାଟେ କହିବି । ଶୁଣିବୁନି ତ ?'

'ନା....ଯା ତୋ ପୁଅ ସାଙ୍ଗଙ୍କ ପାଖକୁ ।'

'ଆରେ, ଶୁଣେ ...."

'ହଟ୍ !, ' ହାତ ଛାଟିକି ଉଠିଲା ଏନି ।

'ସୁମୁ ସିଗାରେଟ ଫୁଙ୍କିଲା ।'

'ଏ ...ଏଁ'

ଏନିର ମୁହଁରେ ଦୁଷ୍ଟ ଝିଅର ହସ ।

'ସେଥିପାଇଁ ତତେ ନେଇ ନଥିଲି ।' 'କହ କହ କେମିତି ଲାଗିଲା ।

ତୁ ମତେ ଲୁଚେଇଚୁ ?' ଏନି ସୁମୁର ପିଠିରେ ବିଧାଟେ ଦେଲା ।

'ଆଆଆଆ !!! ଶଳା ତୋ ହାତ ନା ହେମଦସ୍ତା' ଚିଲ୍ଲେଇଲା ସୁମୁ ।

'ମୋ ହାତ କୋଉ ପୁଅ ହାତଠୁ କମ ଭାବିବୁନି ।'

'ତୋ ମାଡ ଯିଏ ଖାଇଚି, ...'

'ଆବେ କହ ସିଗାରେଟ ଫୁଙ୍କିକି କଣ ଲାଗିଲା'।

ଏନି ଆଉ ସୁମୁଙ୍କ କ୍ରାଇମ ଲାଇଫ୍ ଏମିତି ଆରମ୍ଭ ହେଇଥିଲା । ଜୀବନର ପ୍ରଥମ ଓ ଏକମାତ୍ର ସିଗାରେଟ ଏନି ସୁମୁ ସାଥିରେ ଟାଣିଲା । କାଶରେ ହାଲ ବେହାଲ ଥିଲା । ସୁମୁ ସତେ ଗୋଟିଏ ଚେନ୍ ସ୍ମୋକର ଭଳି ସିଗାରେଟ ଟାଣି ଫୁଟାଣି ମାରିବାବେଳେ କାଶରେ ତା' ଅବସ୍ଥା ବି ଖରାପ ।

ଏନି ଆଉ ସୁମୁ ଏକାସାଥିରେ ବାଲ୍ୟରୁ କିଶୋର ବୟସରେ ପାଦ ଦଉଥିଲେ । ପ୍ରତ୍ୟେକ ଆଡଭେନଚରରେ ଦୁହେଁ ଭାଗୀଦାର ଥିଲେ ।

ଏନିର ବାହାଘର ତା ସମ୍ପର୍କୀୟରେ ଠିକ୍ ହୋଇଥାଏ । ଏନିକୁ ସତର ପୂରି ଅଠର ଚାଲିଲାଣି । ଘର ଫୁଲ ଆଉ ସୁନେଲି ରଙ୍ଗ ପେପର ଓ ଜରିରେ ସୁନ୍ଦର ସଜେଇ ଦେଇଚନ୍ତି ଏନିର ଆଭୋ ଆଉ ତା ମମି । କିଛି ରୀତିନୀତି ବାକିଅଛି । ତାପରେ ଏନିକୁ ଧରି ପୂରା ପରିବାର ଚାଲିଯିବେ ଗୋଆ । ପୁଅ ଘରେ ବାହାଘର । ଏନିକୁ ଛାଡି କିଛିଦିନ ପରେ ଫେରିଆସିବେ ।

'ସୁମୁ, ଆଭୋ କହୁଚି ତୋ ସାଥିରେ କଥା ହେବିନି ।'

'କାହଁକି ? ମୁଁ କଣ କଲି କି ?'

'ମୁଁ ଜାଣିନି ।'

'କହୁଚି, ଝିଅପିଲାଙ୍କ ଭଳି ହବାପାଇଁ ।'

'ତୁ, ତ ଝିଅ ପିଲା ।'

'କହିଲି ତ ମୁଁ କିଛି ଜାଣିନି । ଯା ପଳା ମୋ ପାଖରୁ ।' କାନ୍ଦ କାନ୍ଦ ହେଇ କହିଲା ଏନି ।

'ହେ, ଏନି କଣ ହେଇଛି କହ । କାହିଁକି କାନ୍ଦୁଚୁ ।' ତା ପାଖକୁ ଲାଗିଯାଇ କହିଲା ସୁମୁ ।

'ମତେ ଡର ଲାଗୁଛି ବାହା ହବାକୁ ।'

'ତାହେଲେ ମନା କରିଦେ ।'

'କେହି ଶୁଣୁନାହାନ୍ତି ।' ଦୁଃଖରେ କହିଲା ଏନି ।

ଦୁଇଟି ଅନଭିଜ୍ଞ ଆଖି, ପରସ୍ପରକୁ ଚାହିଁ ରହିଲେ ।

ରାତିସାରା ଦୁହିଁଙ୍କୁ ନିଦନାହିଁ । ସକାଳୁ ସୁମୁ ତା ସାଙ୍ଗ ତା' ପରାମର୍ଶଦାତା, ଯେଉଁମାନଙ୍କୁ ଅସୁବିଧାରେ ସେ ଖୋଜେ, ସେମାନଙ୍କ ପାଖକୁ ଗଲା । ଗୋଟିଏ ପ୍ରଶ୍ନ ବାହାଘର ପରେ ହୁଏ କ'ଣ ।

'ଏନି ! ଦୌଡି ଆ...' ପାଟିକରି ଡାକିଲା ସୁମୁ ।

'କଣହେଲା । ଏମିତି କାହିଁକି ରଡି କରୁଛୁ ? '

'ଆ.....'

'ଆସୁଛି ।'

ଘର ପଛପଟେ ଯୋଉଠି କେହି ଯିବା ଆସିବା କରନ୍ତି ନାହିଁ, ସେଇଠି ସବୁ ଲୁଚାଚୋରା କାରବାର ଏହି ଦୁହିଁଙ୍କର ।

'ରୋ଼ଶନ୍ ପାଖରୁ ବହିଟେ ପାଇଛି । ବାହାଘର ପରେ କଣ ହେବ ସେଇସବୁ ଲେଖାଅଛି । ଏଥିରୁ ପଢିଦେ, ଆଉ ଡର ଲାଗିବନି ।'

'ଶଳା, କମ୍ ଅକଲ, ମୂର୍ଖ, ବୋକା ମୁଁ ସମସ୍ତଙ୍କୁ ଛାଡିକି ସେଠି କେମିତି ରହିବି ଏଇ ବହି ମତେ କହିବ ?' ବିଧା, ଚାପୁଡା ବର୍ଷେଇ ଦେଇଗଲା ଏନି ।

'ତୁ ପଳେଇବୁ ମତେ କାନ୍ଦ ଲାଗୁଚି ।' କାନ୍ଦିକାନ୍ଦି କହିଲା ସୁମୁ ।

ଦି'ଜଣ ପରସ୍ପରକୁ କୁଣ୍ଢେଇ ଧରି ଗୁମୁରି କାନ୍ଦିଲେ ।

କୋହ ଥମୁଚି ନା ଲୁହ ।

ଲୁହ ପୋଛି ପୁରୁଣା ସ୍ମୃତି ସବୁ ଗୋଟାଇବାରେ ଲାଗିଲେ ।

କେତେ କଥା । କେତେ ଘଟଣା ମନେପଡିଗଲା ।

'ଏନି ! କୁଆଡେ ଗଲୁ ?'

'ମମି ଡାକୁଚି । ତୁ ପରେ ଆସେ ଆମେ ବହିଟି ପଢିବା ।'

'କଷ୍ଟ କ'ଣ ଥିଲେ ମୁଁ ବୁଝେଇ ପାରିବିନି ତତେ ।'

'ରହ ପଢିକି ଦେଖିବା ।'

ଏନି ମମିଙ୍କଠୁ ରାନ୍ଧଣା ଶିଖୁଛି । ଆଭୋଠୁ କାହା ସହିତ କେମିତି କଥାହବାକୁ ହୁଏ ଶିଖୁଛି ।

ଶାଢୀ ପିନ୍ଧି ରହିବାକୁ କହିଛି ମମି । କେତେଥର ଝୁଣ୍ଟି ପଡି, ଉଠି ବଡ ଅସହଜ ଅବସ୍ଥାରେ ଅଛି ଏନି ।

'ଚାଲ ପଢିବା ।' ସୁମୁ କହିଲା ।

'ଶାଢୀ କଣ ପିନ୍ଧିଚୁ' ?

'ଏମିତି ପିନ୍ଧିବାକୁ କହିଚି ମମି' ।

'ତୁ କେତେ ଅଲଗା ଲାଗୁଚୁ ।'

'ଅଲଗା ମାନେ ?'

ସୁମୁ ଏନିକୁ ଦେଖିଲା ଉପରୁ ତଳ ଯାଏଁ ।

'ସୁନ୍ଦର ଦିଶୁଚୁ ।'

'ସୁନ୍ଦର ନା ଚୋପା।'

ବହିଟା ଓଲଟାଇ ଦେଖି ଚାଲିଲେ ଦି'ଜଣ ।

ବାହାଘର, ବର, କନିଆଁଙ୍କ ସୁନ୍ଦର ଚିତ୍ର ସବୁ, ତାପରେ ଓଲଟାଇ ଚାଲିଲେ । ସ୍ତ୍ରୀ ଲୋକଙ୍କ ଦେହ, ଖୋଲା ଦେହ ।

ପୁରୁଷ ଦେହ, ଦେହ ସାଥିରେ ଦେହର ସମ୍ପର୍କ । ମୋହଗ୍ରସ୍ତ ଭଳି ଦେଖି ଚାଲିଚନ୍ତି ଦୁଇ ନୂତନ ଯୌବନରେ ପାଦ ଦେଇଥିବା ପିଲା ଦି'ଟି । ଏନିର ଖୋଲା ପେଟ ଉପରେ ସୁମୁର ଗରମ ହାତ....ଏନିର ଦେହ ଥଣ୍ଡାରେ କାଠ ହେଇଗଲାଣି । ଉଠିବାକୁ ଚାହୁଁଚି, ଉଠି ପାରୁନି ।

ଏନି ସେ ବହି ଫୋପାଡି ଦୌଡିଗଲା ଘର ଭିତରକୁ । ସୁମୁ ଚୁପଚାପ ବହିଟି ଧରି ଅପରାଧିଙ୍କ ଭଳି ଚାଲିଗଲା । ଦିନ ପରେ ଦିନ ଗଲା । ଏନି ଆଉ ସୁମୁ ସହଜ ହେଇପାରି ନଥିଲେ । ଏନି ବାହାହୋଇ ଚାଲିଗଲା । ଘରସଂସାରରେ ମଜ୍ଜିଗଲା । ସୁମୁ ବି ନିଜ ସଂସାର ଗଢିଛି ।

ଏବେ ବି ସୁମୁ ତା ପିଲାମାନଙ୍କୁ ଏନି କଥା କୁହେ । ଏନି ସେ ବହି କଥା ଭାବିଲେ ଲାଜେଇ ଯାଏ । ଦୁଇଟି ଯୌବନ ଭରା ଦେହ ସେଦିନ ବି ତରଳି କୁହୁଳି ଥିଲେ । ସୁମୁର ଶକ୍ତ ହାତ ଭିତରେ ଏନିର ହାତ ବି ଝାଳେଇ ଯାଇଥିଲା । ସମୁଦ୍ର ଭଳି ଯୌବନ ଭରା ଦେହରେ ବି ଜୁଆର ଉଠେ । ତେବେ ଚନ୍ଦ୍ରଙ୍କ ଗୁରୁତ୍ବାକର୍ଷଣ କାହା ଜୀବନରେ କେବେ ଆସେ ତା ହିସାବ ସେ ନିଜେ ହିଁ ଜାଣିଥାଏ ।

Report an Error