ଅଘରି

ତା ହେଲେ ବୋଉର ଘର କୋଉଟା ? ବୋଉର ବି ଘର ନାହିଁ । ସ୍ତ୍ରୀମାନେ ସବୁ ଅଘରି ? ନା, ବାପା ଘର ନା, ଶାଶୁ ଘର ? ଚିତ୍ରା ଭାବିଲା ଶାଶୁ ଯୋଉ ‘ମୋର’ ‘ମୋର’ ବୋଲି ସମ୍ପତ୍ତି, ଘର, ସୁନାକୁ ଜାବୁଡ଼ି ଧରୁଛନ୍ତି, ସେ ବି ଜାଣିନାହାନ୍ତି ଯେ ସ୍ତ୍ରୀମାନଙ୍କର କିଛି ନଥାଏ ।


"ମାମା, ମୁଁ କ’ଣ ଜାଣିଥିଲି ଆଶୁ ଏବେ ଅଲଗା ହେଇଯିବ ? ଗୋଟିଏ ମଣିଷର କେତୋଟି ରୂପ ଥାଏ ? ଫାଇଭ୍ ଇଅର୍ସ ମୁଁ ଚିହ୍ନି କେମିତି ପାରିଲିନି ଲୋକଟାକୁ । କୁଆଡ଼େ ଗଲା ସେ କେଆର ମାମା, ହି ଇଜ୍ ଭେରି ହାର୍ଡ ଟୁ ଆଡଜଷ୍ଟ । କେତେ ନିଜ ମନ ମାରିବି । ଆଉ କାହିଁକି ମାରିବି । ମାମା ଜାଣିଚ ଆଶିଷ ଇଜ୍ ଚିଟିଙ୍ଗ ଅନ୍ ମି । ମାମା... ତମେ ଶୁଣୁଛ ?" ଜୟା କହି ଚାଲିଥିଲା । ଚିତ୍ରା ଆଖି ପୋଛି କହିଲେ, "ମା’ ଶୁଣ, ତୁ ବହୁତ ପାଠପଢ଼ିଚୁ । ତୋ ବୁଦ୍ଧି ଆଉ ପାରିଲାପଣରେ କେହି ସରି ନୁହଁ । ତୁ ନିଜେ ଭାବେ କଣ କରିବା ଠିକ୍ ହବ । ତୁ ସବୁ ପାରିବୁରେ ମା’। ତୁ ନିଜେ ଭାବି ଦେଖ, ତୁ କ’ଣ କରିବାକୁ ଚାହୁଁ । ତମ ଦୁଇ ଜଣଙ୍କ ପୁଅ ବି ଅଛି । ସବୁ ଭାବିଚିନ୍ତି ଯାହା କହିବୁ ତା’ ପରେ ଆମେ କଥା ହେବା ।

ଜୟା କିଛି କହିବା ଆଗରୁ ଚିତ୍ରା ଫୋନ କାଟିଦେଲେ । ଜୟନ୍ତଙ୍କ ଫଟୋ ଦେଖି ଚିତ୍ରା ଭାବୁଥିଲେ ଯୋଉ ଅସୁବିଧା କଥା କହୁଥିଲା ଜୟା, ସେୟା ହିଁ ତ ଜୀବନ । ସେମିତି ହିଁ କାଟି ଆସିଛନ୍ତି ସେ ସାରା ଜୀବନ ।

ଚିତ୍ରା ଗୋଟିଏ ସ୍କୁଲରେ ପଢ଼ାଉଥିଲେ । ପିଲାଙ୍କୁ ପାଠ ପଢ଼ାଇବା ସେ ଖୁବ୍ ଭଲ ପାଉଥିଲେ । ବାହାଘର ଆଗରୁ ବୋଉ ମନାକରେ ଆଣ୍ଠୁ ଉପରକୁ ଡ୍ରେସ ପିନ୍ଧିବାକୁ । ବାପା ମନା କରନ୍ତି ସନ୍ଧ୍ୟା ଛଅଟା ପରେ ବାହାରେ ରହିବାକୁ । ଭାଇର କଡ଼ା ନିର୍ଦ୍ଦେଶ କେହି ପୁଅ ସାଙ୍ଗ ଯେମିତି ନ ହୁଅନ୍ତି । ସମସ୍ତଙ୍କ ମନ ସାଥିରେ ସାଲିସ୍ କରି ଚିତ୍ରା ଗୋଟିଏ ଅନୁବନ୍ଧିତ ଜୀବନ ବଂଚିବାକୁ ବାଧ୍ୟ ହୋଇଥିଲେ । ଗୋଟିଏ ପାଖରେ ସାରା ଦୁନିଆ ଓ ଆଉ ଗୋଟିଏ ପାଖରେ ନିଜେ ସେ । ମଝିରେ ସରୁଗଳିଟିଏ ଖୋଜି ବାହାର କରି ପାରିଥିଲେ ଚିତ୍ରା । ସେଇ ସରୁଗଳି ଭିତରେ ଜୀବନକୁ ବଞ୍ଚିବାର ପ୍ରୟାସ ଜାରି ରହେ । ସମସ୍ତଙ୍କୁ ଲୁଚେଇ ହସି ହସି ଗଡ଼ିଯାଆନ୍ତି ଚିତ୍ରା । କାରଣ ଜାଣନ୍ତି ଯେ ଝିଅକୁ ଅତି ଜୋର ହସିବା ମନା । ବାଥରୁମରୁ ବାହାରି ଟାୱେଲରେ ଘୋଡ଼େଇ କେତେ ନିରେଖି ଚାହିଁଛନ୍ତି ନିଜ ଦେହକୁ । ସିନେମା ହିରୋଇନ୍ ଭଳି ବିଭିନ୍ନ ପୋଜ ଦେଇ ଦର୍ପଣରେ ନିଜକୁ ଚାହିଁ ବହୁତ ଖୁସି ହୁଅନ୍ତି ଚିତ୍ରା । ଦର୍ପଣରେ ଗୋଟିଏ ଚୁମ୍ବନ ଆଙ୍କିଦିଅନ୍ତି ଲିପଷ୍ଟିକରେ । ନିଜ ଗାଲ, ଓଠ ସବୁଠି ତା ପ୍ରତିବିମ୍ବକୁ ଅନୁଭବ କରି ଖୁସି ହୋଇ ରୋମାଣ୍ଟିକ୍ ହୋଇଯାଆନ୍ତି । ଭାଇ କି ବାପା କବାଟ ବାଡ଼େଇ ଡାକନ୍ତି - ଚିତ୍ରା... ବୋଉ କହେ, ‘ରୁହ ! କାହିଁକି ବ୍ୟସ୍ତ କରଉଛ ପିଲାଟାକୁ । ବୋଉ କ’ଣ ଜାଣିପାରେ କି ? ଚିତ୍ରାଙ୍କୁ ବେଳେବେଳେ ଲାଗେ ବୋଉ ସବୁ ଜାଣିପାରେ । ହଁ । ବନ୍ଦ ରୁମ ଭିତରେ ବି ବୋଉ ମୁହଁଟା ଦେଖାଯାଏ । ବୋଉର ଆଖି ପଢ଼ି ଜାଣନ୍ତି ଚିତ୍ରା । ବହୁତ ସମୟରେ, ଲୋକ ଗହଣରେ ଆଖିରେ କଥା ହୁଅନ୍ତି ଚିତ୍ରା ।‘ ‘ବୋଉ ମୋ ହାତରେ ମାଉସୀ ପଇସା ଧରଉଚି, କ’ଣ କରିବି ।’

ବୋଉର ଆଖି ବି କହେ ‘ଫେରେଇଦେ । ଅତି ନ ମାନିଲେ ରଖ । ନ ହେଲେ ରାଗିବ ସେ ।’

ବାପାଙ୍କୁ କିଛି କହିବାବେଳେ ବୋଉକୁ ଚାହିଁଥାନ୍ତି ଚିତ୍ରା । ବୋଉର ଆଖି କୁହେ । ଚିତ୍ରା କଥାକୁ ଆଡ଼େଇ ଯାଆନ୍ତି ।

ଘର ମୁରବି ବାପା ହେଲେ ବି ବୋଉ ଚୁପ୍ ରହି ଶାନ୍ତ ଭାବେ ସବୁ ଦାୟିତ୍ବ ଯତ୍ନର ସହ ନେଇଥାଏ । ବାପା ଖାଲି ‘ମୁଁ କରୁଚି’, ‘ମୁଁ କରୁଚି’ କହିଲେ ବି ବୋଉକୁ ନ ପଚାରି କିଛି କରିପାରନ୍ତି ନାହିଁ । ଅଫିସରୁ ନେଇ ଆମ ପାଠପଢ଼ା ହେଉ କିମ୍ବା ଘର, ଜାଗା କଥା କାହାକୁ କିଛି ଦେବା କଥା । ସବୁଥିରେ ବୋଉ ଠିକ୍ କଥା କହେ । କିନ୍ତୁ ବୋଉ ତାତ୍ସଲ୍ୟ ବି ଶୁଣେ ବାପାଙ୍କଠୁ । ଶ୍ରୀଅକ୍ଷର ବିବର୍ଜିତା ନାରୀ । ଚିତ୍ରାଙ୍କ ମନ ବିଦ୍ରୋହ କରେ ସେ ସମୟରେ । କିନ୍ତୁ କହିବେ କ’ଣ । ପୁଣି ବୋଉର ଆଖି କଥା କହେ । ନା କିଛି କହନା । କୁହନ୍ତୁ ।

ଭାଇର ମନକୁ ଏଇ ସବୁ କଥା କିଛି ଲାଗେନି । ବୋଉଠୁ ପଇସା ମାଗିନେବା, ବୋଉ ପାଖେ ନିଜ ପସନ୍ଦ ଖାଇବା କଥା କହିବା, ସବୁଠି ତା’ର ଜୋର ଅଧିକ । କିନ୍ତୁ ବୋଉ ପାଇଁ କିଛି ଭାବିବା ବା ବୋଉ ପାଇଁ କିଛି କରିବା, ତା ମନକୁ ଆସେନି । ବୋଉ ଯେମିତି ଗୋଟିଏ ଏଟିଏମ୍ କାର୍ଡ । ବୋଉ ଯେମିତି ଗୋଟିଏ ଅର୍ଡର କରିବା ମେସିନ୍ । ଭାଇ ବେଳେବେଳେ ବୋଉକୁ କୁଣ୍ଢେଇ ଧରି ଗେଲ ହୁଏ । ମମତାରେ ଛଳଛଳ ହୋଇ ଉଠେ ବୋଉ । ଚିତ୍ରାକୁ ବି ଇଚ୍ଛା ହୁଏ ଭାଇ ଭଳି ବୋଉକୁ ଜାବୁଡ଼ି ଧରିବ । ବୋଉ ଗାଲକୁ ଗେଲ କରିବ । ନିଜର ହକ୍ ଦେଖେଇ କହିବ - ‘ବୋଉ... ଏ ବୋଉ ଆଜି ଚିକେନ୍ ଟିକେ ବନେଇଲୁ । କ’ଣ ବନେଇଚୁ ସେ କୋବି, ବାଇଗଣ ।’ ଚିତ୍ରାକୁ ବି ଇଚ୍ଛା ହୁଏ, ବଡ ପାଟିକରି ଗୀତ ଗାଇବାକୁ । ଡେଇଁବାକୁ, ଦୌଡ଼ିବାକୁ । ସଙ୍କୋଚରେ ତା’ ପାଟିରୁ କିଛି ବାହାରେନି । ଝିଅ ବୋଲି ଟ୍ୟାଗ ଲାଗିଛି ନା । ସେ ଟ୍ୟାଗ ସେ ଛଡ଼େଇ ପାରିନି । ମୁଣ୍ଡ ଉଠେଇ ଚାହିଁ ପାରନି କାହାକୁ ।

ଏକ ଯୌଥ ପରିବାରରେ ଚିତ୍ରାଙ୍କ ବାହାଘର ହୁଏ । ଜୟନ୍ତ ସରକାରୀ ଚାକିରିଆ । ଶାଶୁ, ଶ୍ବଶୁର, ଦିଅର, ନଣନ୍ଦ ଘର । ଯିବା ଆସିବା, ଅତିଥି ସତ୍କାର ଘର ସମ୍ଭାଳିବାରେ ଚିତ୍ରା ଗୋଟିଏ ସୁଗୃହିଣୀ । ଭଲ ଓ ବାଧ୍ୟ ବାେହୂ ଏବଂ ସୁନ୍ଦର ଜୀବନ ସଂଗିନୀ ହେବା ସହଜ କଥା କୋଉଠି । କିନ୍ତୁ ଚିତ୍ରା ସମସ୍ତ ଦାୟିତ୍ବ ସୂଚାରୁ ରୂପେ କରିପାରନ୍ତି । ନିଜ ଚାକିରିକୁ ଜଳାଞ୍ଜଳି ଦେବାକୁ ହୁଏ । ପୁଣି କୋଳକୁ ଆସେ ଝିଅ । ଶାଶୁ କହନ୍ତି ଜୟନ୍ତର ଝିଅ ଜୟା । ତା ହେଲେ ଗର୍ଭଯନ୍ତ୍ରଣା ସହି ଜନ୍ମଦେଇ ପାଳି ପୋଷି ବଢ଼ାଇବା... ? ହେ... କି କଥା । ସେ ତ’ ଜୟନ୍ତର ଝିଅ । ହେଉ ପଛେ ସେ ତା’କୁ ଦିନେ ଠିକ୍ ଭାବେ ଧରି ନାହାନ୍ତି, ଖେଳି ନାହାନ୍ତି । ତା ତୋତଲା କଥାରେ ଭାସି ନାହାନ୍ତି । ଗୋଲ ଗୋଲ ଆଖି ଭିତରେ ଦୁନିଆ ଦେଖି ନାହାନ୍ତି କିନ୍ତୁ ଚିତ୍ରାଙ୍କୁ ତାଙ୍କ ଝିଅକୁ ନାଁ ଦେବା ଅଧିକାର ମଧ୍ୟ ନାହିଁ । ଝିଅ ନାଁ ହେବ ଜୟା କାରଣ ବାପାଙ୍କ ନାଁ ଜୟନ୍ତ । ମନଟା ଚିତ୍ରାର ଅତ୍ୟନ୍ତ ଖରାପ ହୋଇଗଲା ।

ବାହାଘର ପରେ କାନ୍ଦି କାନ୍ଦି ବୋଉ କହିଥିଲା ସମସ୍ତଙ୍କ ମନ ନେଇ ଚଳିବୁ ମା’ । ଭଲ ମନ୍ଦ ଏବେ ସବୁ ତୋର ସେମାନେ । ସବାରିରେ ଯିବୁ କୋକେଇରେ ଚାଲିଯିବୁ । ଆମେ ସମସ୍ତେ ଆଉ ତୋର ଆପଣାର ନୁହଁ, ଏହି ସଂପର୍କ ସବୁ ପଛରେ ପକାଇ ଆଗକୁ ବଢ଼ିବୁ ମା’ । ଆଶ୍ଚର୍ଯ୍ୟ ହୋଇଥିଲେ ଚିତ୍ରା । କ’ଣ କହୁଚ ବୋଉ ? ସମସ୍ତେ ପର ! ବାପା, ବୋଉ, ଭାଇ ସବୁ ? କେମିତି ଜୀବନ ୟେ...। ଶାଶୁ କହୁଛନ୍ତି ତା’ ଅସ୍ତିତ୍ବ ହିଁ ନାହିଁ । ତା’ ଶାଶୁ ଘରେ । ଗର୍ଭରେ ଧରି ଜୀବନକୁ ବାଜି ଲଗାଇ ଯାହାକୁ ଦୁନିଆକୁ ଆଣିଲା ସେ ବି ତା’ର ନୁହଁ । ଚିତ୍ରା ଚୁପ୍ ହେଇଗଲା ।

ଚିତ୍ରା ଭାବି ଚାଲିଲା, ତା ହେଲେ ବୋଉର ଘର କୋଉଟା ? ବୋଉର ବି ଘର ନାହିଁ । ସ୍ତ୍ରୀମାନେ ସବୁ ଅଘରି ? ନା, ବାପା ଘର ନା, ଶାଶୁ ଘର ? ଚିତ୍ରା ଭାବିଲା ଶାଶୁ ଯୋଉ ‘ମୋର’ ‘ମୋର’ ବୋଲି ସମ୍ପତ୍ତି, ଘର, ସୁନାକୁ ଜାବୁଡ଼ି ଧରୁଛନ୍ତି, ସେ ବି ଜାଣିନାହାନ୍ତି ଯେ ସ୍ତ୍ରୀମାନଙ୍କର କିଛି ନଥାଏ । ସନ୍ଧ୍ୟା ଦେଇ ମୁଣ୍ଡିଆ ମାରି ଉଠୁଉଠୁ ମା’ ଲକ୍ଷ୍ମୀଙ୍କ ଫଟୋକୁ ଦେଖି ଚିତ୍ରା ଏହି ସବୁ ଭାବି ଚାଲିଥାଏ । ଦୁନିଆ ସୃଷ୍ଟି ଯାହାଠାରୁ ତା’ର ପୁଣି ଘର କ’ଣ ଦରକାର ଭାବି ଦି ଟୋପା ଲୁହକୁ କାନିରେ ପୋଛି ପୁଣି ଜୀବନାଭିମୁଖି ହେଲା ଚିତ୍ରା ।

ସମୟ ବହୁତ ବଦଳିଛି । ସମୟ ସାଥିରେ ସମାଜ ବଦଳିଛି ନା ସମାଜ ସାଥିରେ ସମୟ । କହି ହବନି, କିନ୍ତୁ ଆଧୁନିକ ପରିବେଶରେ ସବୁକିଛି ସହଜ ମନେ ହୁଏ । ଝିଅ ଜୟା ବଡ଼ ହେଇଛି । ପ୍ରତି ପାଦେ ପାଦେ ଚିତ୍ରା ତା’ ସାଥିରେ ପୁଣି ଛୋଟରୁ ବଡ଼ ହେଇଛନ୍ତି ଯେମିତି । ନିଜ ଉଦାସ ବାଲ୍ୟଜୀବନ ଓ କିଶୋରୀଜୀବନର ଅପୂର୍ଣ୍ଣ ଆଶାକୁ ଜୟା ସତେ ବା ପୂରଣ କରିଛି । ଜୟାକୁ ସେ ସବୁ ଦେଇଛନ୍ତି ଯାହା ଗୋଟିଏ ଛୁଆ ପାଇବା କଥା । ଜୟାକୁ ନିଜ ବିଚାର ରଖିବାର ସୁଯୋଗ ଦେଇଛନ୍ତି ପ୍ରତିକ୍ଷଣରେ । ଜୟନ୍ତ କିଛି ବୁଝନ୍ତିନି । ଚାକିରି ଭଲ ତ’ ସେ ଭଲ । କିନ୍ତୁ ଝିଅ ତାଙ୍କର ଅଭିମାନ । ଜୟାର ସମସ୍ତ ଇଚ୍ଛା ଅଚିରେ ପୂରଣ ହୋଇପାରୁଛି । ଅବଶ୍ୟ ଚିତ୍ରାଙ୍କ ଶିକ୍ଷା ଜୟାଙ୍କୁ ନିଷ୍କପଟ ନରମ ହୃଦୟର ଝିଅଟିଏ ହେବାରେ ସାହାଯ୍ୟ କରିଛି । ଜୟା ଚିତ୍ରାଙ୍କ ଭଳି ଡରି ଡରି ରହେନି । ସ୍ପଷ୍ଟ କଥା କହେ । କହିବା ଶିଖେଇଛନ୍ତି ଚିତ୍ରା ଜୟାଙ୍କୁ । ହଁ କହିବା ଠୁ ‘ନାହିଁ’ କହିବା ଓ ଠିକ୍ ଭାବେ ‘ନାହିଁ’ କହି ପାରିବା ଏକ ସାହାସିକ କାମ ନିଶ୍ଚୟ କିନ୍ତୁ ଅସମ୍ଭବ ନୁହଁ । ଜୟାକୁ ସଂପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ବାପା ମା’ ଜୀବନସାଥି ଖୋଜିବା ପାଇଁ । ଆଶିଷ ବୋଲି ଅନ୍ୟ ଭାଷାର ପୁଅଟିଏ ଜୟାର ଜୀବନରେ ଆସିଛି । ଦୁଇ ଜଣ ଦୁଇ ଜଣଙ୍କୁ ଜାଣିବା ପାଇଁ ସମୟ ନେଇଛନ୍ତି । ଦୁଇତିନି ବର୍ଷର ସଂପର୍କ କ୍ରମେ ବିବାହର ରୂପ ନେଇଛି । ଦୁହେଁ ଚାକିରି କରନ୍ତି । ଆର୍ଥିକ ଦୃଷ୍ଟିକୋଣରୁ କେହି କାହା ଉପରେ ନିର୍ଭରଶୀଳ ନୁହଁ । ଚିତ୍ରା ମଧ୍ୟ ଦୁହିଁଙ୍କୁ ଦେଖି ଖୁସି ହୁଅନ୍ତି । କେତେ ସରଳ ଏମାନଙ୍କ ସଂପର୍କ ବୋଲି ଭାବନ୍ତି । ଜୟା ଯାହା ଭାବେ ସେଇଆ କହେ । ଆଶିଷ ଜୟାଙ୍କୁ ବହୁତ ଭଲପାଏ । ଦୁହେଁ ରାଗନ୍ତି, କଥା କଟାକଟି ହୁଅନ୍ତି । ଭଲ ପାଆନ୍ତି । କିନ୍ତୁ ଜଣେ ଜଣଙ୍କୁ ଛୋଟ ଦେଖାନ୍ତି ନାହିଁ । ସମସ୍ତଙ୍କ ସାମ୍ନାରେ କୁଣ୍ଢାକୁଣ୍ଢି ହେଇଯାଆନ୍ତି । ପରସ୍ପରକୁ ଗେଲ ବି କରିଦିଅନ୍ତି । ମାଇଁ ବେବି କହି ଜାବୁଡ଼ି ଧରନ୍ତି ପରସ୍ପରକୁ ।

ଚିତ୍ରା ଶିହରି ଉଠନ୍ତି । ଚୁପ୍ ଭାବେ ସେଇ ଜାଗାରୁ ଅନ୍ୟଜାଗାକୁ ଚାଲିଯାଆନ୍ତି । ସେ କ’ଣ ଏହି ସଂପର୍କ କେବେ ଭୋଗିଛନ୍ତି ନା ଜାଣିଛନ୍ତି ଯେ ! ସେ ତ’ ଜାଣନ୍ତି ‘ସ୍ବାମୀ’ ଯିଏ ଚିତ୍ରାଙ୍କ ସମସ୍ତ ଖର୍ଚ୍ଚ ଭାର ବହନ କରିବେ ଓ ଘରେ ରହିବାକୁ ଦେବେ । ଆଉ ତା’ ବଦଳରେ ସେ ସ୍ବାମୀଙ୍କ ଘରର ସମସ୍ତ ଦାୟିତ୍ବ ନେବେ ଆଉ ସ୍ବାମୀ ଯେତେବେଳେ ଚାହିଁବେ ତାଙ୍କ ଦେହକୁ ଟାଣିଓଟାରି ରକ୍ତାକ୍ତ କରିବେ । ତା’ ଭିତରେ ଭଲ ପାଇବା ଭଳି ସମ୍ବେଦନଶୀଳ ଏବଂ ସୁନ୍ଦର ଜୀବନ କଳ୍ପନା ବି କରିନାହାନ୍ତି । ଚିତ୍ରା ବୋଉକୁ ଦେଖିଛନ୍ତି । କେମିତି ବୋଉ ଡରି ଡରି ରହେ ବାପାଙ୍କଠାରୁ । ସେ ନିଜେ ନ ଡରିଲେ ବି ଜୟନ୍ତଙ୍କୁ କେବେ ଭଲ ପାଇନାହାନ୍ତି । ବିଛଣାରେ ଜୟନ୍ତ ଚିତ୍ରାଙ୍କ ଓଠକୁ ସ୍ପର୍ଶ କରିବାବେଳେ ବି ସେ ଶିହରି ନାହାନ୍ତି ବରଂ ଯନ୍ତ୍ରଣାରେ ଛଟପଟ ହେଇଛନ୍ତି । କେବେ ଆବେଗର ସହ ଜୟନ୍ତଙ୍କ ଛାତିରେ ମୁହଁ ଲୁଚେଇ ନାହାନ୍ତି । ଜୟା ଓ ଆଶିଷଙ୍କ ଭଲପାଇବା ଦେଖି ସେ ଉଲ୍ଲସି ଉଠିଛନ୍ତି । ନୂଆପିଢ଼ିର ପିଲାଙ୍କ ଏହି ସରଳ ଜୀବନଶୈଳୀରେ ଚିତ୍ରା ଖୁସି ହୁଅନ୍ତି । ମନ ମାରିବା ଭଳି କଷ୍ଟ ଏହି ପିଢ଼ିର ପିଲାମାନେ ଜାଣିନାହାନ୍ତି ବା ଜାଣିବା ଦରକାର ପଡ଼ିନି । ସେଥିପାଇଁ ବୋଧେ ସେମାନେ ଏତେ ଖୁସି ରହିପାରନ୍ତି ।

ଜୟା ଓ ଆଶିଷଙ୍କ ମନୋମାଳିନ୍ୟରେ ଜୟନ୍ତ ମ୍ରିୟମାଣ ହୋଇପଡ଼ନ୍ତି ।

‘ମା’ ଜୟା, ସେ ଘର ଛାଡ଼ି ବର୍ତ୍ତମାନ ଆସିଯା ! ତତେ ଯୋଉଠି କଷ୍ଟ ହେବ ସେଠି ରହିବା ଦରକାର ନାହିଁ । ତୋ ବାପା ବଂଚିଛି ମା’ ।

ଚିତ୍ରା ଚୁପଚାପ୍ ଶୁଣୁଥିଲେ । ଜୟନ୍ତ ଆଶିଷ ପାଇଁ ବହୁତ କିଛି କହି ଚାଲିଥିଲେ ରାଗରେ । ଜୟାର କଷ୍ଟ ପାଇଁ ସେ ବ୍ୟଥିତ ନଥିଲେ ବରଂ ଜୟା ଏଠି ଜୟନ୍ତଙ୍କ ଅଂଶ । ସେଥିପାଇଁ ତାଙ୍କ ଅହଂକାର ଫାଟି ପଡ଼ୁଥିଲା ।

''ତା ସାହସ କେମିତି ହେଲା ମୋ ଝିଅକୁ ଏମିତି କହିବ''।

ରାଗରେ କାଚ ଗ୍ଲାସ କିଛି କଚାଡ଼ି ଭାଙ୍ଗି ସାରିଲେଣି ଜୟନ୍ତ ।

ଫାେନ ରିଂ ହେଲା । ଚିତ୍ରା ଫୋନ ଉଠେଇଲେ । ଜୟାର କାନ୍ଦ ଶୁଣି ବି ଅଧୈର୍ଯ୍ୟ ହେଲେନି ଚିତ୍ରା ।

‘ମା’ ଜୟା ! ତୁ ଘର କରିଚୁ । ମା’ ହେଇଛୁ । ଜୀବନକୁ ବହୁତ ଭଲ ପାଇଛୁ । ତୋ ଜୀବନରେ ଖରାପ କିଛି ଆଜିଯାଏଁ ଦେଖିନୁ । ଗୋଟିଏ ସନ୍ତାନ ତୁ ଆମର । ତେଣୁ ମା’ ବାପାଙ୍କ ସ୍ନେହ, ଭଲ ପାଇବା ସବୁ ତୋ ପ୍ରତି ଅଜାଡ଼ି ହେଇ ପଡ଼ିଛି ସବୁବେଳେ । ତୁ ପୁଣି ଆଶିଷକୁ ବୁଝିବାକୁ ଚେଷ୍ଟା କର ନା । ନିଜକୁ ମଧ୍ୟ ସମୟ ଦେ । କୋଉଠି ବୁଝାମଣାର ଅଭାବ ତ ନାହିଁ ? ଭାବିକି ଦେଖ । ଚିତ୍ରା କହି କହି ଆଖି ପୋଛିଲେ । ପୁଣି କହିଲେ, ମତେ ବହୁତ କଥା ବାରଣ କରାଯାଉଥିଲା । ବାପା, ମାଙ୍କ କଥାରେ ଯୋଉଠି କହିଲେ ସେଇଠି ବାହାହେଲି । ମୁଁ ବି ତ ତୋ ଭଳି ଝିଅଟିଏ ହିଁ ଥିଲି ନା । ମୋ ବୋଉ କହିଥିଲେ ଶାଶୁ ଘରୁ କୋକେଇ ବାହାରିବ, ଝିଅ ଜନ୍ମ ଏମିତି ବୋଲି ଯୋଉଦିନ ବୁଝିଲି ପାଟି ଫିଟେଇନି ତୋ ବାପାଙ୍କ ପାଖରେ ଦିନେ । ଚାକିରି ଛାଡ଼ିଲି ଘର ପାଇଁ । କିନ୍ତୁ କେବେ ଅନୁଭବ କରିନି ଯେ ଏଇ ଘରଟା ମୋର । ଯେତେବେଳେ ତୋର ଅଧିକାର ନାହିଁ ଭାବିବୁ ନା ସେଠି କାହା ପାଇଁ ମୋହ, ମମତା ଆସେନି । ସେଠି ରାଗ ବି ଲାଗେନି । ମୋ ପାଇଁ ନା ବାପା ଘର ମୋର ନା ଶାଶୁ ଘର ମୋର । କିନ୍ତୁ ମା ତୋ ପାଇଁ ତ କଥା ଅଲଗା । ସେ ଘର ଯେତିକି ତୋର ଏଇ ଘର ବି ତୋର । ତୋର ଦୁଇଟି ଘର । ଆଉ ସେ ଘରର ମାଲିକାଣୀ ତୁ । ତୁହିଁ ସଜାଡ଼ି ରଖିବୁ ଏଇ ଦୁଇ ଘରକୁ । ତୋ ପାଖେ ଯେତିକି ଭାବିବା ସହିବା ଓ ଗଢ଼ିବା ଶକ୍ତି ଅଛି ଆଶିଷ ପାଖେ ନାହିଁ । ତୁ ନାରୀ, ତୁ ଚାହିଁଲେ ଗଢ଼ିବୁ ତୁ ଚାହିଁଲେ ଭାଙ୍ଗିବୁ ।

ଚିତ୍ରା ନିଃଶ୍ବାସ ନେଇ ବସିଗଲେ କିଛି ସମୟ । ଜୟନ୍ତ ଆସି ପାଖରେ ବସି ଚିତ୍ରାଙ୍କ ହାତ ଧରି ଚୁପଚାପ୍ ଚିତ୍ରାଙ୍କୁ ଦେଖିବାରେ ଲାଗିଲେ । ଜୀବନରେ ପ୍ରଥମଥର ପାଇଁ ଚିତ୍ରା ଜୟନ୍ତଙ୍କ ହାତର ଉଷ୍ମତା ଅନୁଭବ କରୁଥିଲେ । ପ୍ରଥମଥର ପାଇଁ ଚିତ୍ରା ଜୟନ୍ତଙ୍କ ଛାତିରେ ମୁଣ୍ଡ ରଖି ଆଖିବୁଜି ଜୀବନକୁ ଅନୁଭବ କରୁଥିଲେ । ବୋଧେ ଅଘରିକୁ ଘର ମିଳିଗଲା କି ?

Report an Error