କାହାକୁ ହତ୍ୟା କରିବାର ଅଧିକାର ଦେଲା କିଏ ?

ଡାକ୍ତର ଭାବରେ ମଣିଷ ଜୀବନକୁ ବଞ୍ଚାଇବା ଲାଗି ପରିଶ୍ରମ କରୁଥିବା ଲେଖିକା ଆମ ସମୟ ଆଗରେ ଗୋଟେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରଖିଛନ୍ତି । ତମେ ଯଦି ମଣିଷକୁ ବଞ୍ଚାଇ ପାରୁନ ତା ହେଲେ ତାକୁ ମାରିବାର ଅଧିକାର ଦେଲା କିଏ ? ସଂତ୍ରାସ ଓ ଯୁଦ୍ଧର ସମୟରେ ଏ ଏକ ବିରାଟ ପ୍ରଶ୍ନ ।


ଏଇ କିଛି ସପ୍ତାହ ତଳେ ମଧ୍ୟପ୍ରଦେଶରେ କୌଣସି ଏକ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ଜଣେ ନିର୍ଦ୍ଦୋଷ ବୃଦ୍ଧଙ୍କୁ ଅନ୍ୟ କୌଣସି ଧର୍ମାବଲମ୍ବୀ ଭାବି ପିଟିପିଟି ହତ୍ୟା କରିବାର ଅମାନୁଷିକ ଓ ବର୍ବର କାର୍ଯ୍ୟ ମୋତେ ପ୍ରଥମେ ବିଶ୍ୱାସଯୋଗ୍ୟ ମନେ ହୋଇନଥିଲା । ସେମିତି ଏଇ ଜୁନ୍ ୨ ତାରିଖରେ କାଶ୍ମୀରରେ ବ୍ୟାଙ୍କ ଭିତରେ ପଶି ଜଣେ ୨୯ବର୍ଷୀୟ କର୍ମଚାରୀଙ୍କୁ ଏକଦମ ସାମନାରୁ ଗୁଳିକରି ହତ୍ୟା କରିବା ଘଟଣା ମଧ୍ୟ ମୋତେ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଥିଲା । କାରଣ ଏହାର ଠିକ୍ ଦୁଇ ଦିନ ପୂର୍ବରୁ ଆଉ ଜଣେ ସରକାରୀ ସ୍କୁଲ୍ ଶିକ୍ଷୟିତ୍ରୀଙ୍କୁ ମଧ୍ୟ ସେମିତି ସାମନାରୁ ଗୁଳିକରି ହତ୍ୟା କରାଯାଇଥିଲା । ଏଇ ବର୍ଷ ମେ ପ୍ରାରମ୍ଭରୁ ଲେଖାଟି ଲେଖା ହେବା ଯାଏ କାଶ୍ମୀରରେ ଏମିତି ମୋଟ ଆଠଟି ହତ୍ୟାକାଣ୍ଡ ହୋଇସାରିଛି । ସେଥିରୁ ତିନିଜଣ ଅଫ୍ - ଡ୍ୟୁଟି ପୋଲିସ କର୍ମୀ ଥିବାବେଳେ ବାକି ପାଞ୍ଚଜଣ ସାଧାରଣ ନାଗରିକ । ବିଶେଷଜ୍ଞମାନଙ୍କ ଅନୁସାରେ ଏ ପ୍ରକାର କାର୍ଯ୍ୟ କରୁଥିବା ଆତଙ୍କବାଦୀମାନଙ୍କୁ ହାଇବ୍ରିଡ ଟେରୋରିଷ୍ଟ କୁହାଯାଏ । ସୂଚନା ଅନୁସାରେ ଏବେ କାଶ୍ମୀର ଘାଟୀରେ ପ୍ରାୟ ୧୬୦ଜଣ ଏହିପ୍ରକାର ଆତଙ୍କବାଦୀ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୭୦ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବାବେଳେ ୯୦ଜଣ ବିଦେଶୀ । ସେମାନଙ୍କୁ ଆଜିକାଲି ଆଉ ଫିଲ୍ଡ ଟ୍ରେନିଂ ନ ଦିଆଯାଇ ଇଣ୍ଟରନେଟ ମାଧ୍ୟମରେ ବନ୍ଧୁକ ଚାଳନା, ବମ୍ ବନାଇବା ଶିକ୍ଷା ଦିଆଯାଉଛି ଏବ° ଏଇ ପ୍ରକାରର ଛୋଟ ପିସ୍ତଲ ଓ ଷ୍ଟିକି ବମ୍ ବ୍ୟବହାର କରିବାକୁ ବରାଦ କରାଯାଉଛି । କେବଳ କାଶ୍ମୀର ନୁହେଁ, ଦେଶର ଅନେକ ସ୍ଥାନରେ ଏଇ କିଛି ମାସ ଭିତରେ ଏମିତି ବର୍ବରୋଚିତ ଘଟଣାଗୁଡିକ ବାରମ୍ବାର ଘଟିବା ବହୁତ ବଢିଛି । ହେଲେ ଏଇ କିଛି ଦିନ ତଳେ ଜଣେ ପ୍ରସିଦ୍ଧ ବଲିଉଡ୍ ପ୍ଲେ ବ୍ୟାକ୍ ସିଙ୍ଗରଙ୍କ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ନେଇ ରଖିଥିବା ମତ ମୋତେ ଯେତିକି ଆଶ୍ଚର୍ଯ୍ୟ କରିଥିଲା ତା'ଠାରୁ ଅଧିକ ବିଚଳିତ କରିଥିଲା (ମତଟି ଅବଶ୍ୟ ପୁରୁଣା, ଏବେ ମୋ ନଜରକୁ ଆସିଲା)। ଆଉ ମୋ ମନରେ କେବଳ ଗୋଟିଏ ପ୍ରଶ୍ନ ଆସୁଥିଲା "ଗୋଟିଏ ଜୀବନକୁ ଶେଷ କରିବାକୁ ବା କୌଣସି ମଣିଷକୁ ହତ୍ୟା କରିବାର ଅଧିକାର ସେମାନଙ୍କୁ ଦେଲା କିଏ ?"

ଏଇ ପ୍ରଶ୍ନଟି ପଚାରିବା ପାଇଁ ମୁଁ କେବଳ ଗୋଟିଏ ଉଦାହରଣ ଦେବି । ଏଇ ଗତ ସପ୍ତାହର ଘଟଣା । ଜଣେ ହାର୍ଟ ଆଟାକ (ସାଧାରଣ ଭାଷାରେ କହିଲେ) ରୋଗୀ ରାତି ୨ଟାବେଳେ ଆଇସିୟୁରେ ଭର୍ତ୍ତି ହେଲେ । ଯଦିଓ ତାଙ୍କର ଛାତି ଯନ୍ତ୍ରଣା ୨ ମାସ ତଳୁ ହେଲାଣି ଓ କଟକ ବଡ ମେଡିକାଲରେ ତାଙ୍କୁ ଉପଯୁକ୍ତ ଚିକିତ୍ସାର ଉପଦେଶ ଥିଲା, ହେଲେ ରୋଗୀ ଓ ତାଙ୍କ ପରିବାରର ଲୋକ ଚିକିତ୍ସା ନ କରାଇ ଘରକୁ ପଳାଇଥିଲେ । କିନ୍ତୁ ଏବେ ଯନ୍ତ୍ରଣା ବଢିବା ସହ ଅଣନିଶ୍ବାସୀ ଲାଗିବାରୁ ଘର ଲୋକ ବାଧ୍ୟହୋଇ ପୁଣି ହସ୍ପିଟାଲ ଆଣିଥିଲେ । କିନ୍ତୁ ଏଥର ହସ୍ପିଟାଲ ପହଞ୍ଚିଲାବେଳକୁ କେବଳ ହୃଦୟ (heart) ନୁହେଁ ରୋଗୀଟିର ଫୁସଫୁସ (lungs), ବୃକକ୍ (kidney) କୁ ମଧ୍ୟ ଆକ୍ରାନ୍ତ କରିସାରିଥିଲା । ଆଉ ଏତେ ମାସ ଧରି ଚିକିତ୍ସା ନହୋଇଥିବାରୁ ହୃଦୟର ମା°ସପେଶୀଗୁଡିକ ଅତ୍ୟନ୍ତ ଦୁର୍ବଳ ହେବା ସହ କାର୍ଯ୍ଯକ୍ଷମତା ମଧ୍ୟ ମାତ୍ରାଧିକ ହ୍ରାସ ପାଇ ମାରାତ୍ମକ ସ୍ତରକୁ ଖସି ଆସିଥାଏ । ହୃଦୟର ମା°ସପେଶୀକୁ ରକ୍ତସଞ୍ଚାଳନ ବାଧାପ୍ରାପ୍ତ ହେବାରୁ କେବଳ ଯେ କାର୍ଯ୍ୟକ୍ଷମତା କମିଯାଇଥାଏ କିମ୍ବା ରକ୍ତଚାପ ମାତ୍ରାଧିକ କମଥାଏ ତା' ନୁହେଁ ବାରମ୍ବାର ଆରିଦମିୟା (ହୃଦୟ ଗତିର ଅନିୟମିତତା ଦେଖାଯିବା) ହେଉଥାଏ । ଆଉ ଏ ପ୍ରକାର ଆରିଦମିୟା ପ୍ରାଣଘାତକ ମଧ୍ୟ । ସିନିଅର କାର୍ଡିଓଲୋଜିଷ୍ଟଙ୍କ ସହ ଆମ ଆଇସିୟୁର ପୂରା ଟିମ୍ (ଜଣେ ଡାକ୍ତର, ତିନିଜଣ ସିଷ୍ଟର ଓ ତିନିଜଣ ଆଟେଣ୍ଡାଣ୍ଟ ଷ୍ଟାଫ) ସାରା ରାତି ଲାଗିଗଲେ ଆରିଦମିୟାର ଚିକିତ୍ସା ପାଇଁ । ତା' ସହ ବ୍ୟକ୍ତିଜଣଙ୍କର ବ୍ଲଡପ୍ରେସର କମ୍ ରହୁଥିବା କାରଣରୁ ହାର୍ଟର କାର୍ଯ୍ୟକ୍ଷମତା ବଢେଇବା ପାଇଁ ବିଭିନ୍ନ ଔଷଧ ମଧ୍ୟ ଚାଲିଥାଏ । ଦ୍ବିତୀୟ ଦିନ ବେଳକୁ ବ୍ୟକ୍ତିଜଣଙ୍କର ଅବସ୍ଥା ଆହୁରି ସଙ୍କଟାପନ୍ନ । କାର୍ଡିଓଲୋଜିଷ୍ଟଙ୍କ ଛଡା ଦିନ - ରାତି ଆମ ଟିମର ଆମେ ଚାରିଜଣ ଡାକ୍ତର ନିଜ ବିଦ୍ୟା - ବୁଦ୍ଧି ଲଗାଇଥାଉ ସେଇ ବ୍ୟକ୍ତିଜଣକଙ୍କ ଅବସ୍ଥାରେ ସୁଧାର ଆଣିବା ପାଇଁ । ଆଉ ଆମ ସହ ପ୍ରତି ସିଫ୍ଟର ସିଷ୍ଟର ଓ ଅନ୍ୟ ଷ୍ଟାଫ୍ ମଧ୍ୟ ସମାନ ରୂପରେ ପରିଶ୍ରମ କରୁଥା'ନ୍ତି ।

ହୁଏତ କହିଲେ କେହି ବିଶ୍ୱାସ କରିବେନି, ବ୍ୟକ୍ତିଜଣକ ହସ୍ପିଟାଲରେ ରହିବାର ତୃତୀୟ ଦିନ, ସେଦିନ ମୋର ସକାଳ ୯ରୁ ଅପରାହ୍ନ ୩ଟା ଯାଏ ଡ୍ୟୁଟି ଥାଏ । ହେଲେ ତାଙ୍କ ଅବସ୍ଥା ଏତେ ବିଗିଡି ଯାଇଥାଏ ଯେ ମୋତେ ଓ ମୋ ସାଙ୍ଗରେ ଥିବା ସିଷ୍ଟରଙ୍କୁ ଗୋଟିଏ ଗ୍ଲାସ ପାଣି ପିଇବାକୁ ମଧ୍ୟ ସମୟ ମିଳି ନଥାଏ ସେଇ ୬ ଘଣ୍ଟା ମଧ୍ୟରେ । ଅତ୍ୟଧିକ କ୍ରିଟିକାଲ୍ କଣ୍ଡିସନ୍ ଓ ଅନ୍ୟ ବିଭିନ୍ନ ଅଙ୍ଗ - ପ୍ରତ୍ୟଙ୍ଗ ଆକ୍ରାନ୍ତ ହୋଇଥିବା କାରଣରୁ କାର୍ଡିଓଲୋଜିଷ୍ଟ ଓ ଆମ ଟିମ୍ ଛଡା ନେଫ୍ରୋଲୋଜିଷ୍ଟ, ପଲମୋଲୋଜିଷ୍ଟ, କ୍ରିଟିକାଲ୍ କେୟାର ସ୍ପେଶାଲିଷ୍ଟ ଡାକ୍ତରଙ୍କୁ ମଧ୍ୟ ଚିକିତ୍ସା ପଦ୍ଧତିରେ ସାମିଲ କରାଯାଇଥାଏ । ତେବେ ଏହା ହେଉଛି ଗୋଟିଏ ରୋଗୀର କଥା । ଥରେ ହିସାବ କରି ଦେଖିଲେ, ଖାଲି ଗୋଟିଏ ଜୀବନ ବଞ୍ଚେଇବା ପାଇଁ କେତେଜଣ ଡାକ୍ତର ତାଙ୍କର ବିଦ୍ୟାବୁଦ୍ଧି, ପରିଶ୍ରମ ଲଗାଇଥିଲେ ! କେବଳ ଯଦି ଆମେ ଡାକ୍ତରଙ୍କ ସ°ଖ୍ୟା ହିସାବ କରିବା ତା' ହେଲେ ସେ ହେଉଛି "୮" । ଆହୁରି ପ୍ରତି ସିଫ୍ଟର ସିଷ୍ଟର, ଟେକ୍ନିସିଆନ୍, ଆଟେଣ୍ଡାଣ୍ଟ ଷ୍ଟାଫଙ୍କୁ ମୁଁ ଗଣିନି । ଯଦି ସେମାନଙ୍କୁ ବି ମିଶାଇ ଦିଆଯାଏ ତା' ହେଲେ ଗୋଟିଏ ଦିନରେ ଅତି କମରେ ୯ ଜଣ ସିଷ୍ଟର, ୩ଜଣ ଟେକ୍ନିସିଆନ୍, ୯ ଜଣ ଆଟେଣ୍ଡାଣ୍ଟ, ମାନେ ଗୋଟିଏ ଆଇସିୟୁ ଭିତରେ ମୋଟାମୋଟି ହିସାବ କଲେ ଖାଲି ୨୪ ଘଣ୍ଟାରେ ୨୯ ଜଣ ମଣିଷଙ୍କ ବୁଦ୍ଧି ଓ ପରିଶ୍ରମ ଲାଗେ କେବଳ "ଗୋଟିଏ" ଜୀବନକୁ ବଞ୍ଚେଇ ରଖିବା ପାଇଁ, ସୁସ୍ଥ କରିବା ପାଇଁ । ଆହୁରି ମୁଁ ଆଇସିୟୁ ବାହାର ଷ୍ଟାଫଙ୍କ ସଂଖ୍ୟା ହିସାବ କରିନି । ଆଉ ଏତେ ସହଜରେ ଆପଣମାନେ ହିଂସା, ଗଣ୍ଡଗୋଳ, ମାରିବା ଓ ହତ୍ଯାର ସପକ୍ଷରେ ମତ ଦେଇ ଦିଅନ୍ତି !!

ମଣିଷ ହେଉ କି ତା' ବିଦ୍ୟା ହେଉ କି ବିଜ୍ଞାନ ହେଉ ଯେତେ ଉନ୍ନତି କଲେ ମଧ୍ୟ ଆଜି ଯାଏ ବିନା ପ୍ରକୃତି କିମ୍ବା ଗୋଟିଏ ଜୀବିତ ଜୀବନର ବିନା ସହାୟତାରେ ଲ୍ୟାବରେ ଗୋଟିଏ ନୂତନ ଜୀବନ ସୃଷ୍ଟି କରିପାରିନାହିଁ । କେତେଜଣ ଭଗବାନ କି ତାଙ୍କର କେତେଜଣ ଦୂତ ମିଶିଲେ ଗୋଟିଏ ଜୀବନ ସୃଷ୍ଟି ହୁଏ ସେ ଜ୍ଞାନ କି ହିସାବ ମୋ ପାଖରେ ନାହିଁ । ହେଲେ ମୁଁ ମୋ କାର୍ଯ୍ୟକ୍ଷେତ୍ରରେ ସାମନା କରିଥିବା ପରିସ୍ଥିତିକୁ ଦେଖି କହୁଛି…… ଗୋଟିଏ ଜୀବନ ବଞ୍ଚିରହୁ ବୋଲି ଯଦି ୨୯ - ୩୦ ଜଣଙ୍କର ପରିଶ୍ରମ ଲାଗୁଛି, ବୁଦ୍ଧି ଲାଗୁଛି ଆଉ ତୁମେ ଯଦି ନିଜେ ଗୋଟିଏ ଜୀବନ ସୃଷ୍ଟି କରି ପାରୁନ ତା' ହେଲେ ଗୋଟିଏ ଜୀବନକୁ ଶେଷ କରିବାର, ଜଣକୁ ହତ୍ୟା କରିବାର ଅଧିକାର ତୁମକୁ ଦେଲା କିଏ ? ଆଉ ସତରେ କ'ଣ ତୁମେ ପୂଜୁଥିବା ଠାକୁର କି ଉପରବାଲା ଖଣ୍ଡେ ରକ୍ତରଞ୍ଜିତ ଜାଗା ପାଇଁ ଏତେ ବ୍ୟାକୁଳ ? ସତରେ କ'ଣ ଅନ୍ୟର ହତ୍ୟା କଲେ ତୁମ ଆରାଧ୍ୟ ଖୁସିରେ ଗଦଗଦ ହୋଇଯିବେ ? ହତ୍ୟା, ହି°ସା, ଆତଙ୍କବାଦ ଏହା କୌଣସି ଗୁଣରେ ମାନବବାଦ ଓ ଧର୍ମର ବଳାତ୍କାରଠୁ କମ ନୁହେଁ !

ମୁଁ ଜାଣେ, ଏବେକା ଆମ ଦେଶ ଭିତର ଓ ବାହାରର ହାଇବ୍ରିଡ ଆତଙ୍କବାଦୀଙ୍କ ଉପରେ ଏସବୁ କଥାର କୌଣସି ପ୍ରଭାବ ପଡିବନି । କାରଣ ହି°ସା ଓ ଆତଙ୍କବାଦର କୌଣସି ଧର୍ମ ନଥାଏ । ଆଉ ହୁଏତ ସେମାନଙ୍କ ମଧ୍ୟରୁ କେହି କେବେ ହସ୍ପିଟାଲ ରୋଗରେ ଆକ୍ରାନ୍ତ ହୋଇ ଆସିଲେ ମୁଁ ମୋ ଧର୍ମକୁ ଜଗି ଚିକିତ୍ସା କରିବି ମଧ୍ୟ । କିନ୍ତୁ ସେତେବେଳେ ବି ମୋର ସେଇ ଗୋଟିଏ ପ୍ରଶ୍ନ ଥିବ…..କାହାକୁ ମାରିବାର, ହତ୍ୟା କରିବାର ଅଧିକାର ତୁମକୁ ଦେଲା କିଏ ?

Report an Error