ଛାମୁ ଯାହା ଦେଲେ ହରଷେ - ୧

ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁସାରେ ଏବେ ସରକାରୀ ଅନୁଷ୍ଠାନମାନଙ୍କରେ ତନାଘନା ହୋଇ “ଦଣ୍ଡମୁକ୍ତ ଅଞ୍ଚଳ, ଟୋଲ୍ ଫ୍ରି ନମ୍ବର” ଆଦି ଘୋଷଣା ଚାଲୁଥିବା ବେଳେ, ବେସରକାରୀ ବିଦ୍ୟାଳୟ, ଘରୋଇ ଟ୍ୟୁସନ୍ ଶିକ୍ଷକଙ୍କ ସମେତ ବାପା-ମାଆମାନେ ମଧ୍ୟ ବେଧଡ଼କ ହୋଇ ପିଲାମାନଙ୍କୁ ପିଟି ଚାଲିଛନ୍ତି ।


ଫଟୋ - ୱିକିମିଡିଆ କମନ୍ସ

ଶିକ୍ଷାକେନ୍ଦ୍ରଟିରେ ସବୁଠୁ ଭଲ ପିଲା ବୋଲି ନାଁ ଡାକ ଥିବା ସିପୁ ସହ ମୋର ସେଦିନ ହଠାତ୍ ଭେଟ ହୋଇଗଲା । ସ୍କୁଲ ପାଖକୁ ଲାଗିଥିବା ନଈକୂଳ ବନ୍ଧ ପାରେଇଗଲେ ଯେଉଁଠି ବଡ଼ ପଡ଼ିଆଟି ମଝିରେ ଥିବା ସେଇ ସତୁରୀ ବର୍ଷର ପୁରୁଣା ବରଗଛଟି ଦିଶେ, ସେ ମୋତେ ସେଇଠିକୁ ଟାଣି ଟାଣି ନେଇଗଲା ।

ସିପୁ ଏବେ ନବମ ଶ୍ରେଣୀରେ ପଢ଼ୁଛି । ତେଣୁ ତା ମନରେ ଏଇ ଶିକ୍ଷା ବ୍ୟବସ୍ଥା, ମଣିଷର ଜୀବନ ଓ ସମାଜକୁ ନେଇ କେତେ ନା କେତେ ପ୍ରଶ୍ନ । ଦୁହେଁ କିଛି ସମୟ ତା’ର ସନ୍ଦେହ ଥିବା ବିଷୟଗୁଡ଼ିକରେ କଥା ହେବା ପରେ ଯେଉଁ ପ୍ରଶ୍ନଟି ପାଖରେ ସିପୁ ଅଟକିଗଲା, ସେଇଟି ଥିଲା “ଆମ ପରି ପିଲାମାନେ ଘରେ କି ହଷ୍ଟେଲରେ ରହିବା ସମୟରେ ବା ଶ୍ରେଣୀଗୃହ କି ଟ୍ୟୁସନରେ ଯେଉଁ ଦଣ୍ଡ ପାଆନ୍ତି, ସେଥିଲାଗି ପ୍ରକୃତରେ ଦୋଷୀ କିଏ ? ପିଲା... ଶିକ୍ଷକ...ନା ଅଭିଭାବକ....??? ଭବିଷ୍ୟତରେ ସେମାନଙ୍କର ଜୀବନ ଉପରେ ଏହାର କିଛି ପ୍ରଭାବ ପଡେ଼ନି ତ ?” ପ୍ରଶ୍ନଟି ଶୁଣି ମୋ ଭିତରଟା ଟିକିଏ ଦୋହଲି ଗଲା । ମୁଁ କଥାଟିକୁ ବାଆଁରେଇବା ଲାଗି ହସିଦେଇ କହିଲି; “ତୁ ତ ଆମର ସବୁଠୁ ଭଲ ପିଲା, ସବୁ କାମକୁ ଆଗ, ପାଠରେ ଯେମିତି ନାଚ, ଗୀତ, ଭାଷଣ, ଖେଳ, ଓ ଚିତ୍ରରେ ବି ସେମିତି । ମାଡ଼ ତ ପଛକଥା, ଏଠାରେ ରହିବା ଦିନରୁ ଗାଳି ପଦେ ବି ଶୁଣିନୁ ତୁ । ତୋ ମୁଣ୍ଡରେ ଏସବୁ ପ୍ରଶ୍ନ ଆସିଲା କେଉଁଠୁ ?”

ଏତକ କହିଦେଇ ଲମ୍ବା ନିଶ୍ୱାସଟେ ନେଇ ଅନେଇଲି ଆକାଶକୁ... ସାମ୍ନାରେ ଧଳା ଧଳା ମେଘ ଖଣ୍ଡ, ନଈ ପାଣିରେ ସଂଜବୁଡ଼ା ନାଲି ସୂର୍ଯ୍ୟର ଛାଇ ଆଉ ଆମ ପ୍ରଶ୍ନର ବୋଝ ବୋହି ଧୀରେ ଧୀରେ ଯାଉଥିବା ଦଳଦଳ ଘର ବାହୁଡ଼ା ଚଢେ଼ଇଙ୍କୁ ଦେଖୁ ଦେଖୁ ଆମେ ଫେରି ଆସିଲୁ । କଥାଟି ଅଧାରୁ ରହିଗଲା ।

କିନ୍ତୁ ସତ କହିଲେ, ଏମିତି କଥା ସବୁକୁ କ’ଣ ଛାଡ଼ି ଦେଇ ହୁଏ ଅଧାରୁ ନା ଅଲଗା କରିହୁଏ ମନରୁ ?

ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁସାରେ ଏବେ ସରକାରୀ ଅନୁଷ୍ଠାନମାନଙ୍କରେ ତନାଘନା ହୋଇ “ଦଣ୍ଡମୁକ୍ତ ଅଞ୍ଚଳ, ଟୋଲ୍ ଫ୍ରି ନମ୍ବର” ଆଦି ଘୋଷଣା ଚାଲୁଥିବା ବେଳେ, ଶିକ୍ଷକମାନଙ୍କ ନାଁରେ କେସ୍ ହେଉଛି ବୋଲି ଶୁଣୁଥିବାବେଳେ; ଆମେମାନେ - ଅର୍ଥାତ୍ ବେସରକାରୀ ବିଦ୍ୟାଳୟ, ଘରୋଇ ଟ୍ୟୁସନ୍ ଓ କୋଚିଙ୍ଗ ସେଣ୍ଟରର ଶିକ୍ଷକଙ୍କ ସମେତ ବାପା-ମାଆମାନେ ମଧ୍ୟ ବେଧଡ଼କ ହୋଇ ପିଲାମାନଙ୍କୁ ପିଟି ଚାଲିଛୁ । କାହିଁକି ନା ଆମେ ସରକାରୀ ନୁହେଁ, କି କାହା ଅଧୀନରେ ବି ନାହୁଁ । ଆମେ ମୁକ୍ତ... ଆମେ ସ୍ୱାଧୀନ... ଆମ ପିଲାଙ୍କର ଆମେ ହର୍ତ୍ତା, କର୍ତ୍ତା, ଦୈବ ବିଧାତା...!!!

ସିପୁର ପ୍ରଶ୍ନ ଶୁଣିବା ପରେ ଏସବୁ କଥା ମନେପଡ଼ି ମୋତେ ଅସ୍ଥିର ଲାଗିଲା । ପ୍ରତିଟି ଶିଶୁ ଦେହରେ ଯନ୍ତ୍ରଣାର ଚିହ୍ନ ଦେଖି ମୋ ଭିତରଟା ଚିପୁଡ଼ି ହୋଇଗଲା ପରି ମନେହେଲା । ବାପା-ମାଆମାନଙ୍କଠୁ ନିଜ ନିଜ ପିଲାଙ୍କର ଦୁଷ୍ଟାମି ଓ ତାଙ୍କୁ ଦଣ୍ଡ ଦେବାର ଅଦ୍ଭୁତ ଉପାୟ ସବୁ ଶୁଣୁଶୁଣୁ ମୁଁ ସତକୁ ସତ କାନ୍ଦି ପକାଇଲି, ଅସହାୟ ହୋଇଗଲି । ଟ୍ୟୁସନ ସାର୍‌ଙ୍କର “ଛାଟ ନବାଜିଲେ କେହି ମଣିଷ ହେବେନି”ର ଯୁକ୍ତି ଶୁଣି ଶୁଣି ମୋତେ ସେମାନଙ୍କ ଉପର ଘୃଣା ଆସିଗଲା । ସେଥିପାଇଁ ମୁଁ ନିଜକୁ ମୋର ସମସ୍ତ କାର୍ଯ୍ୟରୁ ଓହରାଇ ଆଣି ଏସବୁର ଉତ୍ତର ଖୋଜି ଚାଲିଲି । କେଇ ମାସ ପାଇଁ ପାଖରେ ଥିବା ଗୋଟିଏ ଆବାସିକ ବିଦ୍ୟାଳୟ ପରିସରରେ ରହି ସେଠାକାର ଅଭିଭାବକ, ପିଲା, ଶିକ୍ଷକ, କର୍ମକର୍ତ୍ତାଙ୍କ ମେଳରେ ସମୟ ବି ବିତେଇଲି । ସେଠାକାର ଅନୁଭୂତିରୁ ଦଣ୍ଡ ଦେବାର ଯେଉଁ ରହସ୍ୟ ଅଛି ତା’ର କାରଣଟେ ଖୋଜିବାର ଚେଷ୍ଟା କଲି । ଆହୁରି ଅନେକ ଜାଗାକୁ ଯାଇ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଭେଟିଲି ବି ।

ସେହି ଆବାସିକ ବିଦ୍ୟାଳୟ ଘଟଣା, ଶିକ୍ଷକମାନଙ୍କ ସହ କଥାବାର୍ତ୍ତା ଓ ଅନ୍ୟାନ୍ୟ ଫିଲ୍ଡ ଷ୍ଟଡିରୁ ଯେଉଁ କାରଣଗୁଡ଼ିକ ମିଳିଲା ତାହା ବାପାମାଆମାନଙ୍କର ଅଭିଯୋଗଠୁ ବିଶେଷ ଅଲଗା ନୁହେଁ । କଥାଗୁଡ଼ିକ ଶୁଣି ସାରିବା ପରେ ଆମେ ନିଶ୍ଚୟ ଜାଣିପାରିବା ଦୋଷ କାହାର ଓ ସମାଧାନ ବାଟ କ’ଣ ।

  1. କର୍ମୀମାନଙ୍କର ସଂଖ୍ୟା ପିଲାଙ୍କ ଅନୁପାତରେ କମ୍ ଥିବାରୁ ଶିକ୍ଷକମାନେ ଅନୁଷ୍ଠାନର ଯାବତୀୟ କାର୍ଯ୍ୟରେ ବ୍ୟସ୍ତ ରହି ପିଲାଙ୍କ ପାଖେ ଅନୁପସ୍ଥିତ ରହିବା ସମୟରେ ପିଲାଏ ଜୋର୍‌ରେ କଥାବାର୍ତ୍ତା ହେଉଛନ୍ତି ବା ମରାମରି ଲାଗୁଛନ୍ତି । ତେଣୁ ତାଙ୍କୁ ଚୁପ୍ କରିବାକୁ ମଝିରେ ମଝିରେ ମାଡ଼ ମାରି ଭୟ ଦେଖାଇବାକୁ ପଡୁଛି ।

  2. ନିଜ ବ୍ୟକ୍ତିଗତ କାର୍ଯ୍ୟ ବା ଅନୁଷ୍ଠାନର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ କର୍ମମନସ୍କ ଆମ ବଡ଼ମାନଙ୍କୁ ପିଲାମାନଙ୍କର କଥା, ଅଭିଯୋଗ ସବୁ ଅସ୍ତବ୍ୟସ୍ତ କରି ପକାଉଛି ।

  3. କେବେ କେବେ ବ୍ୟକ୍ତିଗତ କାରଣରୁ ଚିନ୍ତିତ ଥିବାବେଳେ ପିଲାଙ୍କର ଉଚ୍ଚସ୍ୱରରେ କଥା, ଦଉଡ଼ାଦଉଡ଼ି ଓ ବ୍ୟବହାର ସବୁ ଅତିରିକ୍ତ ମନେହେଉଛି ।

  4. ପିଲାଙ୍କୁ ମଣିଷ ଅର୍ଥାତ୍ ଚରିତ୍ରବାନ, ଜ୍ଞାନୀ ଶୃଙ୍ଖଳାପୂର୍ଣ୍ଣ କରିବା ପାଇଁ ଦଣ୍ଡ ନିହାତି ଆବଶ୍ୟକ ବୋଲି ଅଭିଭାବକ ଓ ଶିକ୍ଷକଙ୍କର ମତ ।

“ଦଣ୍ଡଦେବା ବ୍ୟତୀତ ଠିକ୍ ବା ଭଲ ମଣିଷଟିଏ ହେବା ପାଇଁ ଅନ୍ୟ ବାଟ କିଛି ନାହିଁ” ବୋଲି ସମସ୍ତଙ୍କର ଧାରଣା । ତେବେ ଟିକେ ଭାବି ଦେଖିଲେ ଭୁଲ୍ କାହାର ଆଉ ଦଣ୍ଡ ପାଉଛି କିଏ...??

ଆମେ ଏବେ ଏକବିଂଶ ଶତାବ୍ଦୀରେ ପହଞ୍ଚି ନିଜକୁ ଶ୍ରେଷ୍ଠ ଜୀବ ବୋଲି ଦାବି କରୁଛେ । ତଥାପି ଆମ ମାନସିକତା କାହିଁ କେତେ ଶତାବ୍ଦୀ ପଛରେ ପଡ଼ିରହିଛି । ଉନବିଂଶ ଶତାବ୍ଦୀରେ ଫ୍ରଏବେଲ୍ ଲେଖିଥିଲେ; “The use of punishment was a good way for adults to make a child bad.” ଯଦି ଏକଥା ସତ ତେବେ ଆମେ ‘ଖାଲି ମୋର’ ବୋଲି କହି ଦାବି କରୁଥିବା ଶିଶୁକୁ ଭଲ କରିବା ନାଆଁରେ ଖରାପ କରୁନେ ତ...??

ଆମ ଚାରିପାଖକୁ ଅନେଇଲେ ଏହାର ଶହ ଶହ ଉଦାହରଣ ମିଳିଯିବେ ଦେଖିବାକୁ । ଟିକେ ପିଲାବେଳର କଥା, ବର୍ତ୍ତମାନର ସ୍ଥିତି ଓ ମନୋବୈଜ୍ଞାନିକମାନେ ଦଣ୍ଡ ଦ୍ୱାରା ହେଉଥିବା ଅସୁବିଧାଗୁଡ଼ିକ ବିଷୟରେ କହିଥିବା କଥାଗୁଡ଼ିକୁ ମିଳାଇ ତୁଳନା କରି ଦେଖିଲେ ଆମେ ବେଶ୍ ବୁଝିପାରିବା । ମୋ ଆଖି ଆଗରେ ବି ଅନେକ ଉଦାହରଣ । ମୁଁ କେବଳ ମନୋବୈଜ୍ଞାନିକଙ୍କର ପ୍ରତିଟି ମତ ଲାଗି ପ୍ରତ୍ୟକ୍ଷ ବା ପରୋକ୍ଷରେ ଭୁକ୍ତଭୋଗୀ ଥିବା ଗୋଟିଏ ଦୁଇଟି ସତ ଘଟଣାର ଅବତାରଣା କରୁଛି ସମସ୍ତଙ୍କର ବୁଝିବା ଉଦ୍ଦେଶ୍ୟରେ ।

  1. “ଦଣ୍ଡ ପିଲାକୁ କ’ଣ ନକରିବାକୁ ହେବ ତାହା ହିଁ କେବଳ ଶିକ୍ଷା ଦିଏ, କ’ଣ କରିବାକୁ ହେବ ତାହା ନୁହେଁ ।” ଜୀବନକୁ ଏବେ ସାତ ବର୍ଷ । ତା’ର ଖୁବ୍ ଡର ପିଲାଙ୍କ ମେଳକୁ, ରୋଗ ବୈରାଗକୁ ଓ ତା’ଠାରୁ ବୟସରେ ବଡ଼ ସବୁ ମଣିଷଙ୍କୁ । ରୋଗକୁ ଡର ବୋଲି ସେ ବର୍ଷାରେ ଓଦା ହୁଏନି, ମୁଣ୍ଡରେ ପାଣି ଢାଳି ଗାଧାଏନି, କଦଳୀ ଖାଏନି, ଖେଳେନି କି ସାଙ୍ଗମାନେ ବୁଲିବାକୁ ଗଲାବେଳ ନଈ, ପାହାଡ଼, ଝରଣା, ସମୁଦ୍ର କି ଜଙ୍ଗଲକୁ ଯାଏନି । ଏଇ ପାଣିରେ ଓଦା ହେବା ଲାଗି ତ ସେ କେତେ ମାଡ଼ ଗାଳି ଖାଇଛି ।

ପିଲାଙ୍କ ମେଳକୁ ଡରେ ବୋଲି ଏକୁଟିଆ ରହେ । ମୋବାଇଲ ଖେଳିବାକୁ ଜିଦ୍ କରେ । ଏକା ଏକା କ୍ୟାରମ୍ ଖେଳେ, ଏକୁଟିଆ ବସେ, ମନକୁ ମନ କଥା ହୋଇ ହସେ । କିନ୍ତୁ କାହା ସାଙ୍ଗରେ ମିଶେନି । ସାଙ୍ଗ ହୋଇ ସ୍କୁଲରେ ବା ଦାଣ୍ଡରେ ଖେଳୁଥିବା ବେଳେ କେତେବେଳେ କାହା ସହ ପିଲାଳିଆ ଝଗଡ଼ା ଟିକେ ବା ମରାମରି ଅବା ବଲ୍ ଛଡ଼ାଛଡ଼ି ପାଇଁ ହୋଇଥିବା ମାଡ଼ର ଚିହ୍ନ ତା ଦେହରୁ ଏ ଯାଏଁ ଯାଇନି ଯେ...!! ସ୍କୁଲରେ ଶିକ୍ଷକମାନଙ୍କର ଅଭିଯୋଗ, ବାପା ମାଆଙ୍କର ମାଡ଼ ଓ ଭୂତର ଭୟ ଦେଖାଇବା ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ମାଆ ତା’ର ରୁମରେ ବନ୍ଦ କରିବା କଥା ମନରୁ ଭୁଲି ପାରିନି ବୋଲି ବଡ଼ଙ୍କ ସହ ଆଜିଯାଏ କଥା ହୋଇପାରୁନି କି ସାଙ୍ଗ ହୋଇପାରୁନି ।

(ଖୁବ୍ ଭଲ କରି ତାକୁ କ’ଣ ନକରିବାକୁ ହେବ ସେ ଜାଣିଛି । ହେଲେ କ’ଣ କରିବାକୁ ଭଲ ଲାଗେ ବୋଲି ପଚାରିଲେ ପାଟି ତା’ର ଖନି ମାରିଯାଏ । ସାରା ଦିନ ଏକଲା ବସି ନିଜ ସହ କଥା ହେବାରେ ବିତିଯାଏ ।)

ପୁଣି ଆରଥରକୁ.....

Report an Error