
ଆଫ୍ଗାନିସ୍ତାନରେ ଜାରିରହିଛି ତାଲିବାନ ଶାସନ । ତାଲିବାନ ଶାସକମାନେ ଦେଶରେ କଡ଼ା ଇସ୍ଲାମିକ୍ ନିୟମମାନ ଲାଗୁ କରୁଛନ୍ତି । ଏପରିକି ସେ ଦେଶରେ ସ୍ୱାଧୀନ ଭାବେ ନିଃଶ୍ୱାସ ନେବା କଷ୍ଟକର । ଏପରିକି ଦେଶର ପୁରୁଷ ତଥା ମହିଳାଙ୍କ ପାଇଁ ଲାଗୁ ହୋଇଛି ଡ୍ରେସ୍କୋଡ୍ । ପୁରୁଷମାନେ ବିନା ଦାଢ଼ିରେ କାର୍ଯ୍ୟାଳୟ ପହଞ୍ଚି ପାରିବେ ନାହିଁ । ଅର୍ଥାତ୍ ପୁରୁଷଙ୍କ ପାଇଁ ଦାଢ଼ି ରଖିବା ଅନିବାର୍ଯ୍ୟ । ଏଥିସହିତ ପଶ୍ଚିମଦେଶୀୟ ପୋଷାକ ପିନ୍ଧି ପାରିବେ ନାହିଁ । କେବଳ ପାରମ୍ପରିକ ପୋଷାକ ପିନ୍ଧି ସରକାରୀ କାର୍ଯ୍ୟାଳୟ ଆସିବେ ବୋଲି ଫର୍ମାନ୍ ଲାଗୁ କରାଯାଇଛି । ଇସ୍ଲାମିକ୍ ଆଇନ୍ ଅନୁସାରେ ଦୈନିକ ୬ ଥର ନମାଜ୍ ପଢ଼ିବା ମଧ୍ୟ ଜରୁରୀ ବୋଲି ନିୟମ କରାଯାଇଛି । ଗତ ସପ୍ତାହ ଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ମନା ବୋଲି ମଧ୍ୟ ନିୟମ କରାଯାଇଛି । ବିନା କୌଣସି ପୁୁରୁଷ ସାଥୀ ବ୍ୟତୀତ ମହିଳାମାନେ ଘର ବାହାରକୁ ଆସିପାରିବେ ନାହିଁ । ପାର୍କରେ ପ୍ରେମୀଯୁଗଳଙ୍କ ପ୍ରବେଶ ବର୍ଜିତ । ତାଲିବାନ୍ରେ ବିଦେଶୀ ନାଟକର ପରିବେଷଣ ମଧ୍ୟ କରାଯାଇପାରିବ ନାହିଁ ।
ଆସନ୍ତୁ ଜାଣିବା କ’ଣ କୁହନ୍ତି ଆଫ୍ଗାନ କଳାକାର । ସେମାନେ ଦେଶର ରଙ୍ଗମଞ୍ଚରେ ନାଟକ ପରିବେଷଣ ନେଇ ସନ୍ଦିହାନ ଅଛନ୍ତି । ଦେଶରେ ରାଜନୈତିକ ପରିବର୍ତ୍ତନ ଅର୍ଥାତ୍ ଶାସକ ପରିବର୍ତ୍ତନ ଯୋଗୁଁ ରଙ୍ଗମଞ୍ଚର ଭାଗ୍ୟ ଅନିଶ୍ଚିତ ହୋଇପଡ଼ିଛି । ଯୁଗେ ଯୁଗେ ନାଟକକୁ ରାଜା, ମହାରାଜା ତଥା ସମାଜ ଓ ଶାସକବର୍ଗ ହିଁ ପ୍ରୋତ୍ସାହିତ କରିଆସିଛନ୍ତି । ଯଦି ଏହି ବର୍ଗ ନାଟକକୁ ପ୍ରୋତ୍ସାହିତ କରିବା ବନ୍ଦ କରିବା ଆରମ୍ଭ କରିବେ କିମ୍ବା ନାଟକକୁ ସ୍ୱାଧୀନ ଭାବେ ଅର୍ଥାତ୍ କଟକଣା ସହିତ ପରିବେଷଣ ଅନୁମତି ଦେବେ; ତେବେ ସେପରି କ୍ଷେତ୍ରରେ ନାଟକର ଗୁଣାତ୍ମକ ମାନ ବାଧାପ୍ରାପ୍ତ ହେବା ଥୟ । ଏପରିକି ବର୍ତ୍ତମାନ ତାଲିବାନ ଶାସକ ଥିଏଟର ଉପରେ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଦେଶର ପ୍ରସିଦ୍ଧ ନାଟ୍ୟକର୍ମୀଙ୍କୁ ବିଭିନ୍ନ ମିଛ ମକଦ୍ଦମାରେ ଜେଲଦଣ୍ଡ ଦେଉଛନ୍ତି । ସତେ ଯେପରି ସେମାନେ ଦେଶର ଏହି ପାରମ୍ପରିକ କଳାକୁ ଶେଷ କରିବାକୁ ବଦ୍ଧପରିକର ।
କାବୁଲ୍ ସହରର ମୁଖ୍ୟସ୍ଥଳୀରେ ଦୀର୍ଘ କାଳ ଧରି ନାଟକ ପରିବେଷଣ କରି ଆସୁଥିବା ନାଟକଦଳ ହେରାଥ୍ ର ନିର୍ଦ୍ଦେଶକ କହନ୍ତି କି ଦେଶର ଅନେକ ନାଟ୍ୟକର୍ମୀ ଦେଶତ୍ୟାଗ କରିଛନ୍ତି କିମ୍ବା ଆଉ ନାଟକ କରିବାକୁ ଆସୁନାହାନ୍ତି । ଦେଶରେ ତାଲିବାନ ଶାସକ ମହିଳାଙ୍କୁ ନାଟକରେ ଅଭିନୟ କରିବାକୁ ବାରଣ କରିଛନ୍ତି । ଏପରି କ୍ଷେତ୍ରରେ ନାଟକ ବିନା ମହିଳା ଚରିତ୍ରରେ ଏକପ୍ରକାର ଅସମ୍ଭବ । ନାଟକରେ ମହିଳା ଚରିତ୍ର ବିନା ନାଟକ ଅସମ୍ପୂର୍ଣ୍ଣ । ଆଫ୍ଗାନିସ୍ତାନରେ ରହିଯାଇଥିବା ଅନେକ ନାଟ୍ୟକର୍ମୀଙ୍କ ଭାଗ୍ୟ ଅନିଶ୍ଚିତ । ଧୀରେଧୀରେ ନାଟକରେ ମହିଳା ରଙ୍ଗକର୍ମୀଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇବାରେ ଲାଗିଛି । କୌଣସି ମହିଳା କଳାକାର ନିଜକୁ ନାଟକରେ ଅଭିନୟ କରିବାକୁ ସୁରକ୍ଷିତ ମଣୁନାହାନ୍ତି । ସତେ ଯେପରି ସେମାନଙ୍କ ମଥା ଉପରେ ଡେମୋକ୍ଲିସ୍ର ଖଡ୍ଗ ଝୁଲିରହିଛି । ଡେମୋକ୍ଲିସ୍ ଖଡ୍ଗ ପରି ବିପଦକୁ ସେମାନେ ବରଣ କରିବାକୁ ପ୍ରସ୍ତୁତ ନାହାନ୍ତି । ଏହା ସତ୍ତ୍ୱେ ବି ଆଶା ହରାଇନାହାନ୍ତି ହେରାଥ୍ ସଂସ୍ଥାର ନିର୍ଦ୍ଦେଶକ । ଦେଶରେ ଅର୍ଥାଭାବ ମଧ୍ୟ ଗୁରୁତର ରହିଛି । ସରକାର ଏ ଦିଗରେ କୌଣସି ଅର୍ଥ ବ୍ୟୟକୁ ଅପଚୟ ମଣୁଛନ୍ତି ।
ଆଗାମୀ ଦିନଗୁଡ଼ିକରେ ଏହି ସ୍ଥିତିରେ ଉନ୍ନତି ଆସିବାରେ କୌଣସି ସମ୍ଭାବନା ମଧ୍ୟ ନାହିଁ । ଯଦି ଆରବ ଏମିରେଟ୍ସ ଆଫ୍ଗାନ ରଙ୍ଗମଞ୍ଚର ଉନ୍ନତି ନିମନ୍ତେ ଅର୍ଥରାଶି ସହାୟତା ଆକାରରେ ପ୍ରଦାନ କରେ; ତେବେ ଯାଇ ଦେଶରେ ନାଟକ ଆରମ୍ଭ କରାଯାଇପାରିବ । ତା ପୁଣି ବିନା ମହିଳା କଳାକାରରେ । ଏହା ଏକ ଭୟଙ୍କର ସ୍ଥିତି । ଦେଶର ପ୍ରମୁଖ ସହରରେ ନାଟକ ମରିବାକୁ ଯାଉଛି । ନାଟକ ପରିବେଷଣ ଏକପ୍ରକାର ଅସମ୍ଭବ ହୋଇପଡ଼ିଛି । ଏକଥା ଚିନ୍ତା କରିବା ମାତ୍ରେ ହିଁ କଳାକାରର ଆତ୍ମାର ମୃତ୍ୟୁ ଘଟୁଛି ବୋଲି ହେରାଥ୍ ଥିଏଟର୍ର ନିର୍ଦ୍ଦେଶକ ଫେରିଡାନ୍ ଫାକୁରୀ କହିଛନ୍ତି । ଯଦିଓ ସରକାର ବିଭିନ୍ନ କଟକଣା ସମେତ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି; କଟକଣା ସହିତ ଓ ନିର୍ଦ୍ଦେଶାବଳୀ ପାଳନପୂର୍ବକ ନାଟକ ପରିବେଷଣ ଜାରି ରଖିବାକୁ ପ୍ରୟାସ କରିବୁ ବୋଲି ସେ କହିଛନ୍ତି । ଯଦି ଏହା ସମ୍ଭବ ନହୁଏ; ତେବେ ଦେଶର ନାଟକ ଏକପ୍ରକାର ଶହେ ବର୍ଷ ପଛକୁ ଚାଲିଯିବ ବୋଲି କହିଛନ୍ତି ଫାକୁରୀ ।
ଅପରପକ୍ଷରେ ଆଫ୍ଗାନିସ୍ତାନର ବିଶିଷ୍ଟ ମହିଳା ରଙ୍ଗକର୍ମୀ ୨୬ ବର୍ଷୀୟ ଫିର୍ଦୁସୀ କହନ୍ତି କି ସେ ନିଜଘରେ ମୃତବତ୍ ପଡି ରହିଛନ୍ତି । ବିନା ନାଟକରେ ଜୀବନ ବଞ୍ଚିବା ଏକପ୍ରକାର ଅସହ୍ୟ ହୋଇପଡ଼ିଛି ବୋଲି ସେ କହିଛନ୍ତି । ନିଜ ଅବସର ସମୟକୁ ସେ ଚିତ୍ର ଆଙ୍କିବା, ଘରକାମ କରିବା ଓ ଗପବହି ପଢ଼ିବାରେ ଅତିବାହିତ କରୁଛନ୍ତି । ସେ କହିଛନ୍ତି ଯେ ଦିନେ ନା ଦିନେ ଆଫ୍ଗାନ ନାଟକର ହଜିଯାଇଥିବା ସୁଦିନ ଫେରି ଆସିବ । କେବଳ ଫିର୍ଦୁସୀ ନୁହନ୍ତି, ସାରା ବିଶ୍ୱ ମଧ୍ୟ ଅପେକ୍ଷା କରିଛି । ପୁଣିଥରେ ବନ୍ଦ ପଡ଼ିଥିବା ଆଫ୍ଗାନ ରଙ୍ଗମଞ୍ଚରୁ ପରଦା ଉଠୁ । ନାଟ୍ୟଶାଳାରୁ ପୁଣିଥରେ ଶୁଭୁ ଗୀତ, ନାଚ ଓ ପାଉଁଜିର ରୁଣୁଝୁଣୁ ଶବ୍ଦ । ପୁଣିଥରେ ଶୁଭାଯାଉ ସଂଳାପ ।