ଅଡୁଆ ସୂତା

ମୁଣ୍ଡ ପାଇଁ କାଇଁ କିଛି କରୁନାହାଁନ୍ତି ଯେ ? ମୁଣ୍ଡ ପାଇଁ ବି ବାଟ ଅଛି ବୋଲି ଅନେକ ଜାଣିନାହାଁନ୍ତି । ତେଣୁ ଆଜି ସେଥିଲାଗି କିଛି ସହଜ ବାଟ ଏଠି କହୁଛି ।


ମଥାଟା ଭାରୀ ଭାରୀ ଲାଗି ଅସ୍ଥିର ଅନୁଭବ ହେବାଟା ଆଜିକାଲି ସାଧାରଣ ସମସ୍ୟାରେ ପରିବର୍ତ୍ତନ ହୋଇଗଲାଣି । କିଏ ଭାବୁଛି ଅଧିକ କାମ ରହୁଛି ବୋଲି ମାନସିକ ଚାପରୁ ଏମିତି ହେଉଛି ତ ଆଉ କିଏ ଭାବୁଛି ଅସୁସ୍ଥତା ପାଇଁ ଏମିତି ହେଉଛି । କିନ୍ତୁ ପ୍ରକୃତ କଥା ହେଲା, ଆମେ ନିଜ ମୁଣ୍ଡ ଭିତରଟାକୁ ସଫା ରଖୁନେ ବୋଲି ଏମିତି ହେଉଛି । କମ୍ପ୍ୟୁଟରରେ ଅଧିକ ଜିନିଷ ରଖିଦେଲେ ସିଷ୍ଟମ୍ ଭର୍ତ୍ତି ହୋଇ ଭାଇରସ୍ ହୋଇଯାଉଛି ଆମେ ବୁଝି ପାରୁଛନ୍ତି, ଘର କି ଆଲମାରୀରେ ଜିନିଷପତ୍ର ଭର୍ତ୍ତି ହୋଇଗଲେ ସବୁ ଗୋଳିଆମିଶା ହୋଇଯିବା କଥାଟି ବି ବୁଝି ପାରୁଛନ୍ତି, କିନ୍ତୁ ମୁଣ୍ଡକୁ ଡଷ୍ଟବିନ୍‌ ଭାବି ବର୍ଷ ବର୍ଷ ଧରି ଯେଉଁ ଅନାବଶ୍ୟକ ଚିନ୍ତା ଭାବନା ସବୁ ରଖି ଚାଲିଛନ୍ତି ସେସବୁର ଅସୁବିଧା କଥା ବୁଝି ପାରୁନାହାନ୍ତି । କମ୍ପ୍ୟୁଟର ପାଇଁ ଭାଇରସ୍ ପକାଉଥିବାବେଳେ ଆଲମାରୀ ଆଦି ସଫା କରିବାବେଳେ କେତେ ନା କେତେ ଜିନିଷ ଫୋପାଡ଼ି ଦେଉଛନ୍ତି ସବୁ ସଫା ରଖିବା ପାଇଁ । ତେବେ ମୁଣ୍ଡ ପାଇଁ କାଇଁ କିଛି କରୁନାହାଁନ୍ତି ଯେ ? ମୁଣ୍ଡ ପାଇଁ ବି ବାଟ ଅଛି ବୋଲି ଅନେକ ଜାଣିନାହାଁନ୍ତି । ତେଣୁ ଆଜି ସେଥିଲାଗି କିଛି ସହଜ ବାଟ ଏଠି କହୁଛି ।

୧. ମସ୍ତିଷ୍କକୁ ଡି - କ୍ଲଟର୍ କରିବାକୁ ହେବ । ଏଥିପାଇଁ ଆପଣଙ୍କର ଚିନ୍ତା, ଭାବନା ଏବଂ ଯୋଜନାକୁ କାଗଜରେ ଲେଖି ରଖନ୍ତୁ । ଏହା ଆପଣଙ୍କ ଚିନ୍ତାକୁ ନିର୍ଦ୍ଦିଷ୍ଟ କରିବାରେ ସାହାଯ୍ୟ କରେ ଏବଂ ଆପଣଙ୍କୁ ନିଷ୍ପତ୍ତି ନେଇପାରିବା ପାଇଁ ପ୍ରସ୍ତୁତ କରେ । ଆପଣଙ୍କର ଲକ୍ଷ୍ୟ ଏବଂ ପ୍ରାଥମିକତାରେ ସ୍ପଷ୍ଟତା ଆଣେ । ଉନ୍ନତମାନର ଚିନ୍ତା କରିବା ପାଇଁ ସକ୍ଷମ କରାଇବା ସହ ଫୋକସଡ୍ ହୋଇ କାମ କରିବା ପାଇଁ ସୁଯୋଗ ସୃଷ୍ଟି କରେ ।

୨. ନିଜର କାର୍ଯ୍ୟଗୁଡ଼ିକୁ ଶ୍ରେଣୀଭୁକ୍ତ କରିବାକୁ ହେବ । ଏମିତି କରିବାକୁ ଗୋଟେ ସହଜ ବାଟ ଅଛି । ମନେକରନ୍ତୁ, ଆପଣଙ୍କ ଆଗରେ ତିନୋଟି ପାତ୍ର ରଖାଯାଇଛି । ଆପଣଙ୍କର ସବୁ କାମଦାମକୁ ଭାଗ କରି ଆପଣଙ୍କୁ ସେଇ ତିନୋଟିରେ ରଖିବାକୁ ହେବ । ତେବେ ଆପଣ କ'ଣ କରିବେ ? ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକୁ ଭାବନ୍ତୁ ପଥର । ସେଇଟାକୁ ଆଗ ରଖିବେ । ତାପରେ ଗୋଡ଼ି, ମାନେ ଯେଉଁ କାର୍ଯ୍ୟଗୁଡିକ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଜରୁରୀ ନୁହେଁ । ଆଉ ଶେଷକୁ ବାଲି; ମାନେ ଛୋଟ ଛୋଟ ଅମୂଳକ କାର୍ଯ୍ୟ । ପ୍ରଥମେ ପଥରଗୁଡିକୁ ରଖିଦେବା ପରେ ବାଲି ଓ ଗୋଡ଼ି ନିଜ ନିଜ ଜାଗାରେ ପଡ଼ିଯିବେ ।

୩. ସବୁଠୁ ବଡ଼ ବା କଷ୍ଟକର କାମଟିକୁ ଆଗ କରନ୍ତୁ । ଏହା ହେଉଛି ସେଇ କାର୍ଯ୍ୟ, ଯାହା ତୁମର ଲକ୍ଷ୍ୟ ହାସଲ କରିବାରେ ସର୍ବାଧିକ ପ୍ରଭାବ ପକାଇବ । ଏଗୁଡ଼ିକୁ ସାଧାରଣତଃ ଆପଣ ବିଳମ୍ବରେ ଆରମ୍ଭ କରିବାର ସମ୍ଭାବନା ଅଧିକ ଥାଏ ।

୪. ନିଜ ପାଇଁ ଏକ ସୁସଂଗଠିତ ପରିବେଶ ତିଆରି କରନ୍ତୁ । ମାନେ, କାର୍ଯ୍ୟ କରିବା ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରନ୍ତୁ । ଅଦରକାରୀ ଜିନିଷକୁ ଦୂରେଇ ରଖନ୍ତୁ ।

୫. ମନକୁ ଏଣେତେଣେ ବୁଲିବାକୁ ଦିଅନ୍ତୁ ନାହିଁ । ଜୀବନ ସବୁବେଳେ ବର୍ତ୍ତମାନର ମୁହୂର୍ତ୍ତ ଉପରେ ନିର୍ଭର କରେ । ତେଣୁ ଭାବପ୍ରବଣତାକୁ ଏଡାଇବା ପାଇଁ ବର୍ତ୍ତମାନରେ ରୁହନ୍ତୁ ।

୬. ନିୟମିତ ବ୍ୟବଧାନରେ ବିରତି ନିଅନ୍ତୁ । ବ୍ରେକ୍ ବିନା କାମ କରିବା ଦ୍ୱାରା ଭଲ ଅପେକ୍ଷା ଅଧିକ କ୍ଷତି ହୁଏ । ଏଇ ଛୋଟ ବିରତି ଆପଣଙ୍କୁ ସତେଜ କରିବାରେ ସାହାଯ୍ୟ କରିବ ଏବଂ ତା’ପରେ କାର୍ଯ୍ୟରେ ପୁନଃ ପ୍ରବେଶ କରିବା ପାଇଁ ସାମର୍ଥ୍ଯ ଯୋଗାଇବ ।

୭. ବର୍ତ୍ତମାନର ଗୁରୁତ୍ବ ବୁଝନ୍ତୁ । ଆପଣ ଯେଉଁଆଡେ ବି ଯାଆନ୍ତୁ ନା କାହିଁକି, ନିଶ୍ଚିତ କରନ୍ତୁ ଯେ ଆପଣ ସେଇଠାରେ ହିଁ ଅଛନ୍ତି । ଯେଉଁ ଅତୀତ ଆପଣଙ୍କର ବର୍ତ୍ତମାନ କିମ୍ବା ଭବିଷ୍ୟତକୁ ନଷ୍ଟ କରିବ ତାକୁ ତ୍ଯାଗ କରନ୍ତୁ । ଗଭୀର ଭାବରେ ହୃଦୟଙ୍ଗମ କରନ୍ତୁ ଯେ, ବର୍ତ୍ତମାନର ମୁହୂର୍ତ୍ତଟି ହିଁ ଆପଣଙ୍କ ପାଖରେ ଅଛି । ତେଣୁ ବର୍ତ୍ତମାନକୁ ପ୍ରାଥମିକତା ଦିଅନ୍ତୁ ।

୮. ବିଳମ୍ବରେ କାର୍ଯ୍ୟ କରିବା ଅଭ୍ଯାସକୁ ଅତିକ୍ରମ କରନ୍ତୁ । ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକୁ ସ୍ଥଗିତ ରଖିବାର ଚିନ୍ତା ଚାପ ସୃଷ୍ଟି କରେ । ତେଣୁ ଯଥା ସମ୍ଭବ ତାହା ଶୀଘ୍ର କର । ଯଦି କାର୍ଯ୍ୟଟି ଶୀଘ୍ର ସରିପାରିବ ନାହିଁ ଏବଂ ଏହା ଆପଣଙ୍କରର ପ୍ରାଥମିକତା ନୁହେଁ, ତେବେ ଏହାକୁ ସ୍ଥଗିତ ରଖନ୍ତୁ । ଯଦି କାର୍ଯ୍ୟଟି ଆଦୌ ଜରୁରୀ ନୁହେଁ ତେବେ କରନ୍ତୁ ନାହିଁ ।

୯. ଆପଣଙ୍କର ଫଳପ୍ରସୂ କେନ୍ଦ୍ର ଖୋଜନ୍ତୁ । ପ୍ରତିଦିନ ଆପଣଙ୍କର ମାନସିକ ଏବଂ ଶାରୀରିକ ଶକ୍ତିର କେନ୍ଦ୍ର ଚିହ୍ନଟ କରନ୍ତୁ । ଏହି ସମୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଆବଶ୍ୟକୀୟ କାର୍ଯ୍ୟଟିକୁ କରନ୍ତୁ ।

୧୦. ଇଲେକ୍ଟ୍ରୋନିକ୍ ଓ ସୋସିଆଲ୍ ମିଡିଆରେ ସମୟ ଅପଚୟକୁ ବନ୍ଦ କରନ୍ତୁ । ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ବ୍ୟବହାର କରିବାକୁ ଏକ ସମୟ ସ୍ଥିର କରନ୍ତୁ ଏବଂ କେଉଁ ଆପ୍ ଗୁଡିକ କାର୍ଯ୍ୟ ବିଳମ୍ବ ହେବାର କାରଣ ତାହା ଚିହ୍ନଟ କରନ୍ତୁ ।

୧୧. ଲକ୍ଷ୍ୟ ସ୍ଥିର କରନ୍ତୁ । ନିଜ ପାଇଁ ସ୍ଥିର କରିଥିବା ଲକ୍ଷ୍ୟଗୁଡିକ ନିର୍ଦ୍ଦିଷ୍ଟ, ସମ୍ଭବ, ଉପଲବ୍ଧ, ଓ ପ୍ରାସଙ୍ଗିକ କି ନା ଦେଖନ୍ତୁ । ଏହା କେଉଁ ଦିଗକୁ ଯାଉଛି ତାହା ଦେଖନ୍ତୁ ଏବଂ ସମୟ ପରିଚାଳନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୫ଟି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରନ୍ତୁ ଏବଂ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।

୧୨. କାର୍ଯ୍ୟ କରିବାବେଳେ ଆପଣଙ୍କର ମୁଖ୍ୟ ପ୍ରତିବନ୍ଧକ ସବୁ କଣ କଣ ସେଗୁଡିକ ଚିହ୍ନଟ କରନ୍ତୁ ।

୧୩. ଫିଟ୍ ଏବଂ ସୁସ୍ଥ ରୁହନ୍ତୁ । ବ୍ୟାୟାମ କରନ୍ତୁ, ସୁସ୍ଥ ଖାଆନ୍ତୁ ଓ ଭଲ ନିଦରେ ଶୁଅନ୍ତୁ ।

Report an Error