ସାହିତ୍ୟର ଝିଅ: ଅଦିବା ରିୟାଜ

କୋଭିଡ ମହାମାରୀ, ସଟଡାଉନ୍ ସାରା ବିଶ୍ବରେ ହାହାକାର ଓ ନିରାଶାର ବାତାବରଣ ସୃଷ୍ଟି କରିଥିବାବେଳେ କାଶ୍ମୀରୀ ଝିଅ ଅଦିବା ନିଜ ସୃଜନଶୀଳତା ପାଇଁ କେବଳ ଛୋଟପିଲା ନୁହନ୍ତି ଆମ ବଡ଼ମାନଙ୍କ ପାଇଁ ବି ଉଦାହରଣ ସୃଷ୍ଟି କରିଛନ୍ତି ।


ଫଟୋ - ୱିକିମିଡିଆ

ଅଳ୍ପଦିନ ତଳେ ଇଣ୍ଟରନେଟ୍ ରେ ଛୋଟ ଝିଅଟିଏ ହସହସ ମୁହଁରେ ବହି ପଢୁଥିବା ଗୋଟିଏ ଫଟୋ ମୋର ଦୃଷ୍ଟି ଆକର୍ଷଣ କରିଥିଲା । ଅଧିକ ରିସର୍ଚ୍ଚ କଲାରୁ ଜାଣି ପାରିଲି, ଫଟୋରେ ବସିଥିବା ଝିଅଟିର ନା' ଅଦିବା ରିୟାଜ । ଯିଏକି ମାତ୍ର ୧୧ବର୍ଷ ବୟସରେ ନିଜର ବହି ପ୍ରକାଶିତ କରି କାଶ୍ମୀରର ସର୍ବକନିଷ୍ଠ ଲେଖକ ହେବାର ଗୌରବ ଅର୍ଜନ କରିଛନ୍ତି । ଇଣ୍ଡିଆନ ବୁକ୍ ଅଫ ରେକର୍ଡ଼ସ ଦ୍ବାରା ସମ୍ମାନିତ ଅଦିବାଙ୍କ ଜନ୍ମ କାଶ୍ମୀରର ଅନନ୍ତନାଗ୍ ଜିଲ୍ଲା ଅନ୍ତର୍ଗତ ବାତେଙ୍ଗୋରେ ।

ଅଦିବା ଇ°ରାଜୀ ଓ ଉର୍ଦ୍ଦୁ ଉଭୟ ଭାଷାରେ କବିତା ଓ ପ୍ରବନ୍ଧ ଲେଖନ୍ତି । ତାଙ୍କ ରଚନା ଅନେକ ଜାତୀୟ ତଥା ଅନ୍ତର୍ଜାତୀୟ ପତ୍ରିକା ତଥା Art Websitesରେ ପ୍ରକାଶ ପାଇଛି । ଏପର୍ଯ୍ୟନ୍ତ ସେ ୧୧ଟି ଉପନ୍ୟାସର ସହଲେଖିକାର ଦାୟିତ୍ୱ ତୁଲାଇ ସାରିଛନ୍ତି । ଅତି ଛୋଟ ବୟସରୁ ସେ ଅନେକ Creative Writing Competitionରେ ଭାଗନେଇ ପୁରସ୍କୃତ ହୋଇଛନ୍ତି । ହେଲେ ଅଦିବାଙ୍କ ଅନୁସାରେ ତାଙ୍କର ପ୍ରକୃତ ଲେଖକ ଜୀବନର ଆରମ୍ଭ ୨୦୧୯ ମସିହାରେ ଅନନ୍ତନାଗ୍ ଜିଲ୍ଲା ଅଧିକାରୀଙ୍କ ଦ୍ବାରା ଆୟୋଜିତ ଏକ ସୃଜନଶୀଳ ରଚନା କମ୍ପିଟିସନ୍ ଜିତିଲା ପରେ ହୋଇଥିଲା ।

୨୦୧୯ ମସିହା, କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ଘାଟିରେ ବିରୋଧ, ବିକ୍ଷୋଭ, ହି°ସା, ଇଣ୍ଟରନେଟ୍ ତଥା ଅନ୍ୟ ଯୋଗାଯୋଗ ସେବା ବନ୍ଦ । ତା ପରେ ପରେ ୨୦୨୦ ମସିହାରେ କୋଭିଡ ମହାମାରୀ ପାଇଁ ଲକଡାଉନ୍ - ସଟଡାଉନ୍ । ଦୋକାନ, ବଜାର, ସିନେମା, ଯାତାୟାତ, ଖେଳ, ସମାରୋହ, ସ୍କୁଲ - କଲେଜ ସବୁ ବନ୍ଦ । ପାଠପଢା ବି ଅନଲାଇନ ଚାଲିଥାଏ । ଯେତେବେଳେ ଦେଶସାରା ପିଲା ଖେଳକୁଦ ନାହିଁ, ଆଉଟି° ନାହିଁ, ସାଙ୍ଗସାଥୀ ନାହାନ୍ତି କହି ଘରେ ବୋର ହେବାର ଅଭିଯୋଗ କରୁଥିଲେ ଏବଂ ଦିନର ଘଣ୍ଟାଘଣ୍ଟା ସମୟ ଟିଭି ଦେଖା, ଇଣ୍ଟରନେଟ୍ ବ୍ରାଉସିଙ୍ଗ, ଅନଲାଇନ୍ ଗେମି° ଓ ଭିଡିଓଗେମ୍ ରେ କାଟିବାକୁ ଚେଷ୍ଟା କରୁଥିଲେ, ସେଇଠି କୁନିଝିଅ ଅଦିବା ମଗ୍ନ ଥିଲେ ଆଉ ଗୋଟେ ସୁନ୍ଦର ଦୁନିଆ ରଚନାରେ । ଆଉ ତାଙ୍କର ସେଇ ରଚନା ଗୋଟିଏ ବହିର ରୂପରେ "ଜିଲ୍ ଅଫ୍ ପେନ୍" ନାମରେ ପ୍ରକାଶ ପାଇଲା ଡିସେମ୍ବର ୨୦୨୧ରେ । ୯୬ ପୃଷ୍ଠା ବିଶିଷ୍ଟ "ଜିଲ୍ ଅଫ୍ ପେନ୍"ରେ ରହିଛି ଅଦିବାଙ୍କ ସ୍ବରଚିତ ଇ°ରାଜୀ କବିତା ଓ ପ୍ରବନ୍ଧ । ନିଜ କାମ ଦ୍ବାରା ମା - ବାପା ଦେଇ ଥିବା ନା' "ଅଦିବା ରିୟାଜ" ଯାହାର ଅର୍ଥ ସାହିତ୍ୟର ଝିଅ (ନାରୀ)କୁ ସେ ସାର୍ଥକ କରିଛନ୍ତି ।

ନିଜ ବହି ପ୍ରକାଶ ପାଇବା ତଥା ଏହା ବୁକ୍ - ଷ୍ଟୋର୍ ଓ ଅନଲାଇନ୍ ରେ ଉପଲବ୍ଧ ହେବା ନେଇ ଅଦିଦା ଖୁବ ଖୁସି । ତାଙ୍କ ବହିର ୧୯ତମ ପୃଷ୍ଠାରେ ସେ ଲେଖିଛନ୍ତି "if a soldier fights with his mighty sword and weapons and wins a battle but still he needs a pen to announce and give respect to his victory" । ସେଇଠି ସେ ବ୍ୟାଖ୍ୟା କରିଛନ୍ତି, ଯୁଦ୍ଧ ଲଢିବା ଓ ଜିତିବା ପାଇଁ ଅସ୍ତ୍ରଶସ୍ତ୍ର ଦରକାର । ହେଲେ ନିଜ ବିଜୟକୁ ଦୁନିଆ ଆଗରେ ଘୋଷଣା କରିବା ପାଇଁ ଓ ଇତିହାସରେ ଲିପିବଦ୍ଧ କରିବା ପାଇଁ କଲମର ସାହାଯ୍ୟ ଦରକାର । କଲମ ଓ ଲେଖକର ଶକ୍ତି ସହ ବେଶ୍ ପରିଚିତ ଅଦିବା । ସେଇଥିପାଇଁ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରିଲେ ହସ ଆଉ ଆଖିରେ ସେଇ ଶିଶୁସୁଲଭ ଚମକ ତଥା କୌତୂହଳ ନେଇ ଗଦଗଦ ହୋଇ କୁହନ୍ତି ଯେ, ଏବେ ସେ ନିଜର କ୍ୟାରିଅର ଏହି ସାହିତ୍ୟ ରଚନା କ୍ଷେତ୍ରରେ ହିଁ ଗଢିବାକୁ ଚାହାଁନ୍ତି । ଏତେ ଛୋଟ ବୟସରୁ ବି ଜୀବନର ପ୍ରତିକୂଳ ପରିସ୍ଥିତିରୁ କେମିତି ଶିକ୍ଷା ଗ୍ରହଣ କରାଯାଇ ଆଗକୁ ବଢିବାକୁ ହୁଏ ବେଶ୍ ଜଣା ଅଦିବାଙ୍କୁ ଏବଂ ତାଙ୍କର ପ୍ରତ୍ୟେକ ଲେଖା ସେୟା ହିଁ ବୟାନ କରେ ।

ଅଦିବା ନିଜେ ପଢିବାକୁ ମଧ୍ୟ ଖୁବ ପସନ୍ଦ କରନ୍ତି । ତାଙ୍କ ମତରେ ଜଣେ ଲେଖକ ପ୍ରଥମେ ଜଣେ ଭଲ ପାଠକ ହୋଇଥାଏ । ନିଜ ମତକୁ ସ୍ପଷ୍ଟ କରିବାକୁ ଯାଇ ସେ ଲେଖିଛନ୍ତି ଯେ, ସମସ୍ତଙ୍କ ମନକୁ ଅନେକ କଥା ଆସେ, ସମସ୍ତେ imagine କରନ୍ତି, ହେଲେ ଯେପର୍ଯ୍ୟନ୍ତ ଆମେ ଅନ୍ୟମାନଙ୍କ ଲେଖା ବା ବହି ପଢିବାନି ସେପର୍ଯ୍ୟନ୍ତ ଆମେ ଆମ ଭାବନାକୁ ପ୍ରକାଶ କରିବାକୁ ଭାଷା ପାଇବାନି । ଜେନ୍ ଅଷ୍ଟିନ୍ ଓ ରବିନ ଶର୍ମା ତାଙ୍କର ପ୍ରିୟ ଲେଖକ । କୋଭିଡ ମହାମାରୀ, ସଟଡାଉନ୍ ସାରା ବିଶ୍ବରେ ହାହାକାର ଓ ନିରାଶାର ବାତାବରଣ ସୃଷ୍ଟି କରିଥିବାବେଳେ କାଶ୍ମୀରୀ ଝିଅ ଅଦିବା ନିଜ ସୃଜନଶୀଳତା ପାଇଁ କେବଳ ଛୋଟପିଲା ନୁହନ୍ତି ଆମ ବଡ଼ମାନଙ୍କ ପାଇଁ ବି ଉଦାହରଣ ସୃଷ୍ଟି କରିଛନ୍ତି । ସେ ସାବ୍ୟସ୍ତ କରିଦେଇଛନ୍ତି ଯେ, ସବୁବେଳେ ଖାଲି ସିଷ୍ଟମକୁ ଦୋଷ ଦେଇ ହାରିଯିବା ବା ଚିତ୍କାର କରିବା ଜୀବନ ନୁହେଁ । ବରଂ ସେ ସିଷ୍ଟମ ଭିତରେ ରହି ନିଜର ରାସ୍ତା ଆଉ ନିଜକୁ ତିଆରି କରିବା ହିଁ ଜୀବନ ।

Report an Error